BN

ପ୍ରେମ ହିଁ ସାର

 ପ୍ରେମ ହିଁ ସାର

ଆଜିର ଚିନ୍ତା

ରୋମୀୟ ୧୨:୯-୨୧


ଅନ୍ୟମାନଙ୍କ ଆବଶ୍ୟକତା ପ୍ରତି ଧ୍ୟାନ ଦେଲେ, ଈଶ୍ଵର ଗୌରବ ପାଆନ୍ତି ।


ଆତ୍ମିକ ଦାନଗୁଡ଼ିକ ବ୍ୟବହାର କରୁଥିବା ବିଶ୍ବାସୀମାନଙ୍କର ମନୋଭାବ ତଥା ଆଚରଣ କିପରି ହେବା ଉଚିତ୍, ଆଜିର ପାଠ୍ୟାଂଶରେ ପାଉଲ ତାହା ବୁଝାଇଛନ୍ତି । ନିଜ ଶକ୍ତିରେ ଆମ୍ଭେମାନେ ଏହି ଆଚରଣ ପ୍ରଦର୍ଶନ କରିବାକୁ ଚେଷ୍ଟା କଲେ ବିଫଳ ହେବା, ମାତ୍ର ପବିତ୍ର ଆତ୍ମଙ୍କ ସାହାଯ୍ୟରେ ଆମ୍ଭେମାନେ ଏହା କରିପାରିବା । 


ସହ ବିଶ୍ବାସୀଙ୍କୁ ପ୍ରେମ (୯-୧୩) :

ଅନେକ ସମୟରେ ଆମ୍ଭମାନଙ୍କ ପ୍ରେମ କେବଳ ଛଳନାପୂର୍ଣ୍ଣ ହୋଇଥାଏ । ଏଥିରେ ଆନ୍ତରିକତା ଆଦୌ ନ ଥାଏ । ଈଶ୍ୱର ଚାହାନ୍ତି ଆମେ ହୃଦୟ ସହ ପ୍ରେମ କରୁ, ଯେପରି ସେମାନେ ପୂର୍ବ ଅପେକ୍ଷା ଅଧିକ ଉତ୍ତମ ହୋଇପାରିବେ । ଆମର ସମୟର ଅଭାବ ଥିବାବେଳେ ସମୟ ଦେବା, ଅନ୍ୟମାନଙ୍କର ଅଭାବମୋଚନ କରିବା ଓ ନିଜର ସନ୍ତାନମାନଙ୍କ ପରି ବ୍ୟକ୍ତିଗତଭାବେ ବୋଝଗ୍ରସ୍ତ ହେବା, ଏହା ସରଳ ତଥା ନିଷ୍କପଟ ପ୍ରେମର ପରିଭାଷା ଅଟେ । ମଣ୍ଡଳୀରେ ଆଜି ଅନେକ ଆମର ପ୍ରେମପୂର୍ଣ୍ଣ କାର୍ଯ୍ୟକୁ ଅପେକ୍ଷା କରିଛନ୍ତି ……

ମୁଁ କଣ ସଚେତନ ଅଛି ?


ଶତ୍ରୁମାନଙ୍କୁ ପ୍ରେମ (୧୪,୧୭-୨୦) :

ଆମ ଦେଶରେ କିଛି ସ୍ଥାନରେ ଖ୍ରୀଷ୍ଟ ବିଶ୍ବାସୀମାନେ ଭୀଷଣ ତାଡ଼ନାର ସମ୍ମୁଖୀନ ହେଉଛନ୍ତି । ଏପରି ସମୟରେ ଆମ୍ଭେମାନେ ପ୍ରାର୍ଥନା ସହ ଧୈଯ୍ୟ ଓ ସାହସ ଧରିବା (ଯୋହନ ୧୬:୩୧), ପ୍ରତିହିଂସା ଦେଖାଇବା ନାହିଁ (୧ପିତର ୨:୨୧-୨୩) ମାତ୍ର ସେମାନଙ୍କର ଆତ୍ମାର ପରିତ୍ରାଣ ପାଇଁ ସେମାନଙ୍କୁ କ୍ଷମା ଦେଇ ପ୍ରାର୍ଥନା କରିବା । ମନେରଖିବା, ପ୍ରତିଶୋଧ ଆମକୁ ବନ୍ଦୀ କରିପକାଏ, ମାତ୍ର କ୍ଷମା ଆମକୁ ମୁକ୍ତ କରେ (ମାଥିଉ ୬:୧୪) ।


ବୈପ୍ଳବିକ ଆଚରଣ (୧୪,୧୫-୧୬,୨୦-୨୨) :

ପାର୍ବତ୍ୟ ଉପଦେଶରେ (ମାଥିଉ ୫-୭) ବର୍ଣ୍ଣିତ ଆଚରଣଗୁଡ଼ିକ, ଖ୍ରୀଷ୍ଟ ବିଶ୍ବାସୀର ଜୀବନରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ଉଦ୍ଦିଷ୍ଟ ଥିଲା । ଏଠାରେ ସେହି ଆଚରଣ ବିଷୟ କୁହାଯାଇଛି । ଆସନ୍ତୁ, ତାଡ଼ନାକାରୀକୁ ଆଶିର୍ବାଦ, ଅନ୍ୟର ଆନନ୍ଦରେ ଆନନ୍ଦ ଓ ରୋଦନରେ ରୋଦନ, ପାପୀ ଓ ଦୀନହୀନମାନଙ୍କୁ ଘୃଣା ନ କରି ସଙ୍ଗୀ ହେବା, ଶତ୍ରୁକୁ ଭୋଜନ ଓ ପାନ କରାଇବା ଆଦି ସୁକ୍ରିୟା ଦ୍ଵାରା ସମସ୍ତ ମନ୍ଦତା ଉପରେ ଜୟଲାଭ କରିବା । 

ବ୍ୟବହାରିକ କର୍ତ୍ତବ୍ୟ

 ବ୍ୟବହାରିକ କର୍ତ୍ତବ୍ୟ

ଆଜିର ଚିନ୍ତା

ରୋମୀୟ ୧୨:୧-୮


ମୋତେ ପ୍ରଦତ୍ତ ଈଶ୍ୱରଙ୍କ ଦାନକୁ ମୁଁ କ'ଣ ଚିହ୍ନି ପାରିଛି ?


ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ଵାସଦ୍ଵାରା ପାପକ୍ଷମା ଓ ପରିତ୍ରାଣ ଏବଂ ଈଶ୍ୱରଙ୍କ ଯୋଜନାର ନିର୍ଦ୍ଧିଷ୍ଟତା ଆଦିରେ ନିହିତ ଧର୍ମତତ୍ତ୍ୱ ବିଷୟରେ ରୋମୀୟ ୧-୧୧ ପର୍ବରେ ବୁଝାଇଲା ପରେ, ପାଉଲ ଜଣେ ଖ୍ରୀଷ୍ଟ ବିଶ୍ବାସୀର ବ୍ୟବହାରରିକ କର୍ତ୍ତବ୍ୟ ସମ୍ବନ୍ଧରେ କହୁଅଛନ୍ତି । 


ଈଶ୍ୱରଙ୍କ ସହିତ (୧-୨) : 

ଖ୍ରୀଷ୍ଟ ବିଶ୍ବାସୀର ସର୍ବପ୍ରଥମ ସମ୍ପର୍କ ଈଶ୍ୱରଙ୍କ ସହ ହେବା ଆବଶ୍ୟକ ଅଟେ । ଈଶ୍ୱରଙ୍କ ମହାଦୟା ହେତୁ ଆମ୍ଭେମାନେ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇଥିବାରୁ, ଆମ୍ଭମାନଙ୍କର ଶରୀର - ମନ - ଆତ୍ମାକୁ ସମ୍ପୂର୍ଣ୍ଣଭାବେ ଅର୍ପଣ କରିବା ଯୁକ୍ତିଯୁକ୍ତ ଅଟେ । ଯେତେବେଳେ ଆମେ ସମ୍ପୂର୍ଣ୍ଣ ଶରୀରକୁ (ଆମର କାର୍ଯ୍ୟସବୁକୁ ନୁହେଁ) ସଜୀବ ବଳି ରୂପେ ଉତ୍ସର୍ଗ କରୁ, ସେତେବେଳେ ଆମ୍ଭମାନଙ୍କର ଦୁର୍ବଳତା, ଯାବତୀୟ ପାପ ଆଦିକୁ ପୋଡ଼ି ପକାଇ, ଈଶ୍ଵର ଆମକୁ ପବିତ୍ର କରନ୍ତି । ଏହି ଉତ୍ସର୍ଗକୁ କାର୍ଯ୍ୟକାରୀ କରିବାକୁ ହେଲେ ମନର ପରିବର୍ତ୍ତନ ନିହାତି ଆବଶ୍ୟକ । ଆମେ ଯେତେବେଳେ ଈଶ୍ୱରଙ୍କ ଇଚ୍ଛାକୁ ଆମ ଜୀବନରେ କାର୍ଯ୍ୟକାରୀ କରିବାକୁ ପ୍ରାଣପଣ କରୁ, ସେତେବେଳେ ଈଶ୍ଵର ସ୍ୱୟଂ ଆପଣା ପବିତ୍ର ଆତ୍ମାଙ୍କ ଦ୍ଵାରା ତାହା ସାଧନ କରନ୍ତି (ଫିଲି ୨:୧୩) ।


ମଣ୍ଡଳୀ ସହିତ( ୩-୫) :

ମଣ୍ଡଳୀ ଖ୍ରୀଷ୍ଟଙ୍କର ଶରୀର ଓ ଆମ୍ଭେମାନେ ଏହାର ଅଙ୍ଗପ୍ରତ୍ୟଙ୍ଗ ଅଟୁ । ଆଜିକାଲି, ଆମେ ଓ ଆମର କର୍ଯ୍ୟାବଳୀସମୂହ ଦୃଶ୍ୟମାନ ହେଉ ବୋଲି ସମସ୍ତେ ଚାହାଁନ୍ତି । ଏହା ସମସ୍ତ ଅନର୍ଥର ମୂଳ କାରଣ । କାରଣ ଏହାଦ୍ବାରା ବିବାଦ ଓ କଳହ ଉପୁଜେ ଏବଂ ମଣ୍ଡଳୀରେ ଏକତା ଓ ପ୍ରେମର ଅଭାବ ଘଟି ମଣ୍ଡଳୀ ସ୍ଥାଣୁ ହୋଇପଡେ । ଆଜି କ'ଣ ମୁଁ ମଣ୍ଡଳୀର ନିଷ୍ଠା ଓ ବୃଦ୍ଧି ପାଇଁ କାର୍ଯ୍ୟରତ ?


ପରସ୍ପର ସହିତ (୬-୮) :

ଯାହାକୁ ଯେଉଁ ଦାନ ଦତ୍ତ ହୋଇଛି ତାହା ଭାବବାଣୀ କହିବା ହେଉ ବା ଦୟା କରିବା ହେଉ - କୌଣସି ଗୋଟିଏ ଦାନ ଉତ୍କୃଷ୍ଟ ବା ନିକୃଷ୍ଟ ନୁହେଁ । ଆସନ୍ତୁ, ନିଜ ନିଜର ଦାନକୁ ଚିହ୍ନିବା ଓ ନମ୍ରତା ସହକାରେ, ଈଶ୍ୱରଙ୍କ ପରିବାର ଓ ରାଜ୍ୟର ନିଷ୍ଠା ପୁଣି ବୃଦ୍ଧି ନିମନ୍ତେ ପ୍ରାଣପଣ କରିବା ।

ପଣ୍ଡିତା ରମାବାଇ

 ପଣ୍ଡିତା ରମାବାଇ

(୨୩ ଏପ୍ରିଲ ୧୮୫୮- ୫ ଏପ୍ରିଲ ୧୯୨୨)


ସ୍ଲୋଗାନ

ଯଦି ଆପଣ ଙ୍କ ଜୀବନ ସମ୍ପୂର୍ଣ୍ଣ ଭାବେ ଈଶ୍ବରଠାରେ ସମର୍ପିତ ତେବେ 

  • ଭୟ କରିବା ବିଷୟ କିଛି ନାହିଁ 

  • ହରାଇବା ବିଷୟ କିଛି ନାହିଁ 

  • କୌଣସି ପଶ୍ଚାତାପ କରିବା ବିଷୟ କିଛି ନାହିଁ 


ଆଦରଣୀୟ ମହିଳା 

  1. ପଣ୍ଡିତା ଓ ସରସ୍ଵତୀ ଉପାଧି ପାଇଥିବା ପ୍ରଥମା ମହିଳା 

  2. କେସର ଏ ହିନ୍ଦ (Kesar E Hind) ପୁରସ୍କାର ପାଇବା ଭାରତର ପ୍ରଥମ ମହିଳା 

  3. ମରାଠି ଭାଷାରେ ବାଇବେଲ ଅନୁବାଦ କରିଥିବା ପୃଥିବୀର ପ୍ରଥମ ମହିଳା 

  4. ଭାରତରେ ମହିଳାମାନଙ୍କ ଡାକ୍ତର ଶିକ୍ଷାକୁ ପ୍ରୋତ୍ସାହିତ କରିଥିବା ପ୍ରଥମ ମହିଳା 

  5. ପ୍ରଥମ ମହିଳା ଯିଏ ହିନ୍ଦୀକୁ ରାଷ୍ଟ୍ରଭାଷା କରିବା ନିମନ୍ତେ ପରାମର୍ଶ ଦେଇଥିଲେ।  

  6. କୁଟୀର ଉଦ୍ୟୋଗକୁ (Cottage Industry) ସଙ୍ଗଠିତ କରିଥିବା ପ୍ରଥମ ମହିଳା, ବିଶେଷରେ ଖଦି ବନାଇବା ଓ ପିନ୍ଧିବା 

  7. ଦୁର୍ଭିକ୍ଷ ସମୟରେ ଅନାଥ ଏବଂ ବିଧବାମାନଙ୍କୁ ବିସ୍ତୃତି ସହାୟତା କାର୍ଯ୍ୟ ଆୟୋଜିତ କରିଥିବା ପ୍ରଥମ ମହିଳା 

  8. ମରାଠି ବ୍ରେଲୀ/ଟାଇପିଷ୍ଟ କୁ ଆବିଷ୍କାର କରିଥିବା ପ୍ରଥମ ମହିଳା 

  9. ବାଳାଶ୍ରମ (Kindergarten) ଶିକ୍ଷା ପ୍ରଣାଳୀକୁ ସଙ୍ଗଠିତ କରିଥିବା ପ୍ରଥମ ମହିଳା 

  10. ପ୍ରାଧିକରଣ (ହଣ୍ଟର ଆୟୋଗ) ବିରୁଦ୍ଧରେ ମହିଳାମାନଙ୍କ ଅଧିକାର ନିମନ୍ତେ ସ୍ଵର ଉତ୍ତୋଳନ କରିଥିବା ପ୍ରଥମ ମହିଳା 

ହିତୋପଦେଶ ୩୧ ରେ ବର୍ଣ୍ଣିତ ଜଣେ ସ୍ତ୍ରୀ ର ୧୦ ଗୋଟି ଗୁଣ

ସେ ବିଶ୍ୱସ୍ତ ଅଟନ୍ତି ଏବଂ ଯୀଶୁଙ୍କୁ ସମ୍ପୂର୍ଣ୍ଣ ହୃଦୟ ସହିତ ଭଲ ପାଆନ୍ତି ।

# ୧ ଏହା ଜଣେ ସ୍ତ୍ରୀଙ୍କ ବିଶ୍ୱାସ ଏବଂ ଖ୍ରୀଷ୍ଟଙ୍କ ସହିତ ସମ୍ପର୍କ ଯାହା ତାହାଙ୍କୁ ଜଣେ ଗୁଣବତୀ ସ୍ତ୍ରୀ କରିଥାଏ । ହିତୋପଦେଶ ୩୧ରେ ବର୍ଣ୍ଣିତ ଜଣେ ସ୍ତ୍ରୀ ହେବା ବିଶ୍ୱାସ ବିନା ଅସମ୍ଭବ ଅଟେ ।  ଆମ୍ଭମାନଙ୍କୁ  କୁହାଯାଇଅଛି ଯେ ସେ ପ୍ରଭୁଙ୍କୁ ଭୟ କରନ୍ତି ଏବଂ ତାହାଙ୍କୁ ପ୍ରଶଂସା କରାଯିବ। (ହିତୋପଦେଶ ୩୧:୨୬; ହିତୋପଦେଶ ୩୧: ୨୯-୩୧; ମାଥିଉ ୨୨: ୩୭; ଯୋହନ ୧୪:୧୫; ଗୀତସଂହିତା ୧୧୯:୧୫)


ସେ ଜଣେ ବିଶ୍ୱସ୍ତ କନ୍ୟା ଅଟନ୍ତି।

# ୨ ଜଣେ ଗୁଣବତୀ ସ୍ତ୍ରୀ ଜଣେ ବିଶ୍ୱସ୍ତ ପତ୍ନୀ ଅଟେ । କିନ୍ତୁ ଏହା ଚିନ୍ତା କରନ୍ତୁ ନାହିଁ ଯେ ଯଦି ଆପଣ ଅବିବାହିତ ତେବେ ଆପଣ ହିତୋପଦେଶ ୩୧ର ସ୍ତ୍ରୀ ହୋଇପାରିବେ ନାହିଁ!  ଆପଣ ସଂପୂର୍ଣ୍ଣ ହୋଇପାରିବେ!  ବାସ୍ତବରେ, ଜଣେ ଖ୍ରୀଷ୍ଟିଆନ ଭାବରେ, ଆପଣ ଖ୍ରୀଷ୍ଟଙ୍କର କନ୍ୟା ଅଟନ୍ତି । ଆପଣଙ୍କୁ ସର୍ବପ୍ରଥମେ ତାହାଙ୍କ ପ୍ରତି ବିଶ୍ୱସ୍ତ ହେବାକୁ ଆହ୍ଵାନ କରାଯାଇଅଛି । (ହିତୋପଦେଶ ୩୧:୧୧-୧୨; ହିତୋପଦେଶ ୩୧:୨୩; ହିତୋପଦେଶ ୩୧:୨୮; ୧ମ ପିତର ୩; ଏଫିସୀୟ ୫; ଆଦିପୁସ୍ତକ ୨:୧୮) ।


 ସେ ଜଣେ ସ୍ନେହଶୀଳ ମାତା ଏବଂ ତାଙ୍କ ସନ୍ତାନମାନେ ତାହାଙ୍କୁ ଧନ୍ୟ ବୋଲି କହନ୍ତି ।

# ୩ ହିତୋପଦେଶ ୩୧ର ସ୍ତ୍ରୀ ଜଣେ ଉତ୍ତମ ମାତା ଅଟନ୍ତି । ଆମ୍ଭମାନଙ୍କୁ କୁହାଯାଇଅଛି ଯେ ହିତୋପଦେଶ ୩୧ରେ ଉଲ୍ଲେଖ କରାଯାଇଥିବା ସ୍ତ୍ରୀ ନିଜ ସନ୍ତାନମାନ ଉଠି ତାହାଙ୍କୁ ଧନ୍ୟ ଧନ୍ୟ କହନ୍ତି ।  ତଥାପି, ଏହାର ଅର୍ଥ ନୁହେଁ ଯେ ଯଦି ଆପଣଙ୍କର ସନ୍ତାନମାନେ ନାହାଁନ୍ତି, ତେବେ ଆପଣ ଜଣେ ଉତ୍ତମ ସ୍ତ୍ରୀ ହୋଇପାରିବେ ନାହିଁ! (ହିତୋପଦେଶ ୩୧:୨୮; ହିତୋପଦେଶ ୩୧:୨୬; ହିତୋପଦେଶ ୨୨:୬; ଦ୍ୱିତୀୟ ବିବରଣ ୬,ଲୂକ ୧୮:୧୬)


ସେ ଆପଣା ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତି ।

# ୪ ଖ୍ରୀଷ୍ଟିଆନ ଭାବରେ ଆମ୍ଭମାନଙ୍କୁ ଆମ୍ଭର ଶରୀରର ଯତ୍ନ ନେବାକୁ ନିର୍ଦ୍ଦେଶ ଦିଆଯାଇଅଛି |  କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର ୬:୨୦ କୁହେ, "... ଆପଣା ଶରୀରରେ ଈଶ୍ବରଙ୍କୁ ଗୌରବ ଦିଅ |"  ଏହାର ପ୍ରକୃତ ଅର୍ଥ ହେଉଛି ଯେ ଆମ୍ଭେମାନେ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇବା ବିଷୟଠାରୁ ଦୂରରେ ରହିବାକୁ ଚେଷ୍ଟା କରୁ | (ହିତୋପଦେଶ ୩୧:୧୪-୧୫; ହିତୋପଦେଶ ୩୧:୧୭; ୧ମ କରିନ୍ଥୀୟ ୬:୧୯; ଆଦିପୁସ୍ତକ ୧:୨୯; ଦାନିୟେଲ ୧; ଲେବୀୟ ପୁସ୍ତକ ୧୧) ।


 ସେ ଅନ୍ୟମାନଙ୍କୁ ପ୍ରେମ ଏବଂ ଦୟା ସହିତ ବ୍ୟବହାର କରନ୍ତି

 # ୫ ଜଣେ ଗୁଣବତୀ ସ୍ତ୍ରୀ ଅନ୍ୟମାନଙ୍କୁ ଆନନ୍ଦର ଆତ୍ମା ​​ସହିତ ସେବା କରନ୍ତି । ସେ ଜଣେ ଇଚ୍ଛୁକ ସାହାଯ୍ୟକାରୀ ଏବଂ ଅନ୍ୟମାନଙ୍କ ପ୍ରତି ଧ୍ୟାନ ଦିଅନ୍ତି ।  ସେ ନିଜର ପ୍ରାଥମିକତା ବିଷୟକୁ ବଜାୟ ରଖିବା ସହ ତାଙ୍କ ଆଖପାଖରେ ଥିବା ଲୋକମାନଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରନ୍ତି ।  ସେ ପରୋପକାରୀ । (ହିତୋପଦେଶ ୩୧:୧୨; ହିତୋପଦେଶ ୩୧:୧୫; ହିତୋପଦେଶ ୩୧:୨୦; ୧ମ କରିନ୍ଥୀୟ ୧୩:୧୩) ।


 ଈଶ୍ୱର ତାହାଙ୍କୁ ଦେଇଥିବା ଦାନ ସମୂହକୁ ସେ ବୁଦ୍ଧିର ସହ ପରିଚାଳନା କରନ୍ତି ।

# ୬ ଆମ୍ଭମାନଙ୍କୁ କୁହାଯାଇଅଛି ଯେ ହିତୋପଦେଶ ୩୧ରେ ଥିବା ସ୍ତ୍ରୀ ନିଜ ଆର୍ଥିକ ବିଷୟ ପ୍ରତି ଯତ୍ନବାନ ଏବଂ ବୁଦ୍ଧିର ସହ ଟଙ୍କା ବ୍ୟୟ କରନ୍ତି ।  ହିତୋପଦେଶ ୩୧ର ରେ ଆମ୍ଭମାନଙ୍କୁ ଏହା ମଧ୍ୟ କୁହାଯାଇଅଛି ଯେ ସେ ଆପଣା ବ୍ୟବସାୟ ସହ ଆୟ ଆଦାନପ୍ରଦାନ କରିବାରେ ମଧ୍ୟ ସାହାଯ୍ୟ କରନ୍ତି । ସେ ସ୍ମାର୍ଟ (Smart) ଏବଂ ଆର୍ଥିକ ଦୃଷ୍ଟିରୁ ଜ୍ଞାନୀ ଥିଲେ। (ହିତୋପଦେଶ ୩୧:୧୪; ହିତୋପଦେଶ ୩୧:୧୬; ହିତୋପଦେଶ ୩୧:୧୮; ୧ମ ତୀମଥି ୬:୧୦; ଏଫିସୀୟ :୨୩; ଦ୍ୱିତୀୟ ବିବରଣ ୧୪:୨୨; ଗଣନାପୁସ୍ତକ ୧୮:୨୬) ।


ସେ ପରିଶ୍ରମୀ ଏବଂ ସମସ୍ତ କାର୍ଯ୍ୟରେ ତତ୍ପର ଅଟନ୍ତି ।

# ୭ ଜଣେ ଗୁଣବତୀ ସ୍ତ୍ରୀ ସ୍ୱେଚ୍ଛାକୃତ ଭାବେ କାର୍ଯ୍ୟ କରନ୍ତି । ସେ ଅଳସୁଆର ରୋଟୀ ଖାଆନ୍ତି ନାହିଁ - ବରଂ ସେ ପ୍ରତିଦିନ ଆପଣା ଜୀବନରେ ଈଶ୍ବରଙ୍କ ଉଦ୍ଦେଶ୍ୟ ପୂରଣ କରିବା ନିମନ୍ତେ ବ୍ୟସ୍ତ ଅଟନ୍ତି । ସେ ଅଳସୁଆ ନୁହଁନ୍ତି, ସେ ଅସନ୍ତୋଷ ସହିତ କାର୍ଯ୍ୟକୁ ଗ୍ରହଣ କରନ୍ତି ନାହିଁ, ଏବଂ ସେ ଆପଣା ଗୃହର ନୀତିନିୟମଗୁଡ଼ିକର ଧ୍ୟାନ ରଖନ୍ତି। (ହିତୋପଦେଶ ୩୧:୧୩; ହିତୋପଦେଶ ୩୧:୧୬; ହିତୋପଦେଶ ୩୧:୨୪; ହିତୋପଦେଶ ୩୧:୩୧; ଫିଲିପ୍ପୀୟ ୨:୧୪) ।


ସେ ତାହାଙ୍କ ଗୃହର ଜଣେ ଉତ୍ତମ ପ୍ରବନ୍ଧକ ଅଟନ୍ତି। 

# ୮ ହିତୋପଦେଶ ୩୧ରେ ଥିବା ସ୍ତ୍ରୀ ଆପଣା ଗୃହର ନୀତିନିୟମ ଗୁଡିକକୁ ଠିକ ଭାବେ ପରିଚାଳନା କରନ୍ତି । ଏହାର ଅର୍ଥ ଏହା ନୁହେଁ ଯେ ସେ ନିଜେ ସବୁକିଛି କରନ୍ତି!  ସେ ଆପଣା ପରିବାର ଏବଂ ଅତିଥିମାନଙ୍କ ପାଇଁ ଆନନ୍ଦ ଓ ପ୍ରେମର ଆମନ୍ତ୍ରଣକାରୀ ପରିବେଶ ସୃଷ୍ଟି କରନ୍ତି । ସେ ତାହାଙ୍କ ଆଖପାଖର ଲୋକଙ୍କୁ ସମ୍ମାନର ସହିତ ବ୍ୟବହାର କରନ୍ତି । (ହିତୋପଦେଶ ୩୧:୧୫; ହିତୋପଦେଶ ୩୧:୨୦-୨୨; ହିତୋପଦେଶ ୩୧:୨୭; ତୀତସ ୨:୫; ୧ମ ପିତର ୪-୯; ଏବ୍ରୀ ୧୩:୨) ।


ସେ ଉତ୍ତମ କାର୍ଯ୍ୟ / ବିଷୟରେ ସମୟ ବିତାଇଥାନ୍ତି।

# ୯ ଗୁଣବତୀ ସ୍ତ୍ରୀ ଯାହା କରିବା ଆବଶ୍ୟକ ତାହା କରିବା ପାଇଁ ସମୟ ବିତାଇଥାନ୍ତି । ସେ କାର୍ଯ୍ୟରତ ଏବଂ ପରିଶ୍ରମୀ ଅଟନ୍ତି । ସେ ପ୍ରଭୁଙ୍କୁ ସନ୍ତୁଷ୍ଟ ନଥିବା ବିଷୟ ଉପରେ ଧ୍ୟାନ ଦେବା ନିମନ୍ତେ ସମୟ ବିତାନ୍ତି ନାହିଁ । (ହିତୋପଦେଶ ୩୧:୧୩; ହିତୋପଦେଶ ୩୧:୧୯; ହିତୋପଦେଶ ୩୧:୨୭; ଉପଦେଶକ ୩; ହିତୋପଦେଶ ୧୬:୯; ଫିଲିପ୍ପୀୟ ୪:୮) ।


ସେ ସୃଜନଶୀଳ ଏବଂ ସୌନ୍ଦର୍ଯ୍ୟ ଓ ଧାର୍ମିକତାକୁ ପସନ୍ଦ କରନ୍ତି।

# ୧୦ ଜଣେ ଗୁଣବତୀ ସ୍ତ୍ରୀ  ମୂଲ୍ୟବାନ ଏବଂ ସୁନ୍ଦର ଅଟନ୍ତି  । ତାହାଙ୍କଠାରେ ଏକ ଆନ୍ତରିକ ସୌନ୍ଦର୍ଯ୍ୟ ରହିଅଛି ଯାହା କେବଳ ଖ୍ରୀଷ୍ଟଙ୍କଠାରୁ ଆସିଥାଏ । ସେ ତାହାଙ୍କ ସୃଜନଶୀଳତା ଏବଂ ଭାବନାର ଶୈଳୀକୁ ଆପଣା ଜୀବନରେ ଏବଂ ଆପଣା ପ୍ରିୟଜନଙ୍କ ଜୀବନରେ ସୌନ୍ଦର୍ଯ୍ୟତା ସୃଷ୍ଟି କରିବା ନିମନ୍ତେ ବ୍ୟବହାର କରନ୍ତି । (ହିତୋପଦେଶ ୩୧:୧୦; ହିତୋପଦେଶ ୩୧:୨୧-୨୨; ହିତୋପଦେଶ ୩୧:୨୪-୨୫; ଯିଶାଇୟ ୬୧:୧୦; ୧ମ ତୀମଥି ୨:୯; ୧ ମ ପିତର ୩:୧-୬) ।


Source: Glory Apologetics

ବୃଥା ଆରାଧନା

 ବୃଥା ଆରାଧନା

ଆଜିର ଚିନ୍ତା

ଯିରିମିୟ ୭:୧-୨୦


ମୋର ଆତ୍ମ-ଧାର୍ମିକତା କ'ଣ ଆଜି ପ୍ରଭୁଙ୍କର କ୍ରୋଧ ଓ ବିରକ୍ତି ଜନ୍ମାଉ ଅଛି?


ଈଶ୍ୱରଙ୍କର ବିରୁଦ୍ଧାଚରଣ କରି, ଯାବତୀୟ ପାପକର୍ମରେ ଲିପ୍ତ ଥାଇ ଭାବବାଦୀମାନଙ୍କ ଦ୍ଵାରା କଥିତ ଈଶ୍ୱରଙ୍କ ଚେତନାକୁ ଯିହୁଦା ଅଗ୍ରାହ୍ୟ କଲା ଓ ଈଶ୍ୱରଙ୍କ ନିକଟକୁ ଫେରିବାକୁ ଚାହିଲେ ନାହିଁ । ଗୌରବମୟ ଓ ପ୍ରତିଷ୍ଠିତ ଯିରୁଶାଲମର ମନ୍ଦିର ପାଇଁ ସେମାନେ ଗର୍ବ କରିଥିଲେ, ତାହାକୁ ସୁରକ୍ଷାର ସ୍ଥାନ ବୋଲି ଭାବୁଥିଲେ । ସେହି ମନ୍ଦିରରେ ରୀତି ଅନୁଯାୟୀ ପ୍ରାର୍ଥନା ଓ ବଳିଦାନ ଉତ୍ସର୍ଗ କରି, ସେମାନେ ଆତ୍ମ ସନ୍ତୋଷ ଲାଭ କରୁଥିଲେ । ମାତ୍ର ସେମାନଙ୍କର ଖେଦ ବିହୀନ ଉପାସନା ଈଶ୍ୱରଙ୍କଠାରେ ଗ୍ରାହ୍ୟ ନ ଥିଲା । ପ୍ରଭୁ ଜଣାଇଲେ…


ଆରାଧନା ଗୃହ ଭଗ୍ନ ହେବ : 

ମନ୍ଦିର ଥାଇ, ଉପାସକ ଥାଇ, ଯଦି ସତ୍ୟ ଓ ଆତ୍ମାରେ ଉପାସନା କରା ନଯାଏ, ତେବେ ଉପାସନା ବୃଥା ହୁଏ । ଯିରୁଶାଲମ ମନ୍ଦିରରେ ନିତ୍ୟ ଉପାସନା ହେଉଥିଲା, ମାତ୍ର ଯିହୁଦା ନିଜର ପାପ ଅର୍ଥାତ ଦେବପୂଜା ରୂପ ବ୍ୟଭିଚାର, ବିଦେଶୀ, ପିତୃହୀନ, ବିଧବା ପ୍ରତି ଅନ୍ୟାୟ, ଚୋରି, ମିଥ୍ୟା ଶପଥ, ନରହତ୍ୟା ଇତ୍ୟାଦି ଘୃଣାଜନକ କର୍ମ ଯୋଗୁ ଲଜ୍ଜିତ ବା ଅନୁତପ୍ତ ନ ହୋଇ, ପ୍ରଭୁଙ୍କ ମନ୍ଦିରରେ ଚିରାଚରିତ ଉପାସନା କରି ଗର୍ବ ଅନୁଭବ କରୁଥିଲା । ଲୋକମାନେ ମନ୍ଦିରରେ ଥିବା ପ୍ରଭୁଙ୍କର ଉପସ୍ଥିତିକୁ ଅବମାନନା କରି ମନ୍ଦିରକୁ ଗୌରବ ଦେଉଥିଲେ । ପ୍ରଭୁ ଇସ୍ରାଏଲ ଗୋଷ୍ଠୀ ଆରାଧନାର ସ୍ଥାନ ଶୀଲୋକୁ ଯେପରି ନଷ୍ଟ କରିଥିଲେ, ସେପରି ଯିରୁଶାଲମର ମନ୍ଦିରକୁ ଶତ୍ରୁ ଦ୍ଵାରା ବିନାଶ କରିବେ ବୋଲି ଜଣାଇଲେ (୧୨-୧୪) । ଆଗାମୀ ଖ୍ରୀଷ୍ଟ ମଣ୍ଡଳୀର ତାଡ଼ନା ସମୟରେ ଆମର ଭଜନାଳୟଗୁଡ଼ିକ ମଧ୍ୟ ସୁରକ୍ଷିତ ହେବ ନାହିଁ ବୋଲି ଆଜି ପବିତ୍ରତ୍ମା ମଧ୍ୟ ଚେତନା ଦେଇଛନ୍ତି ।


ପ୍ରାର୍ଥନା ଶୁଣାଯିବ ନାହିଁ :

ପ୍ରଭୁ ଯିରିମିୟଙ୍କୁ କହିଲେ, ତୁମ୍ଭେ ଏହି ଲୋକମାନଙ୍କ ପାଇଁ ପ୍ରାର୍ଥନା କର ନାହିଁ…...କାରଣ ଆମ୍ଭେ ତୁମ୍ଭ କଥା (ପ୍ରାର୍ଥନା) ଶୁଣିବା ନାହିଁ (୧୬ପଦ) । ଯିହୁଦାର ସମସ୍ତ ଲୋକ, ବୟସ୍କ ଲୋକ, ପୁଅଝିଅ, ପିତାମାତା, ସ୍ବାମୀ ସ୍ତ୍ରୀ ପ୍ରତ୍ୟେକେ ପ୍ରଭୁଙ୍କୁ ପରିତ୍ୟାଗ କରି ଅନ୍ୟ ଦେବଗଣର ପୂଜା କରିବାରୁ (୧୮ପଦ), ପ୍ରଭୁ ସେମାନଙ୍କୁ ବିନାଶରେ ସମର୍ପଣ କଲେ । ମାତ୍ର ବିନାଶକାଳେ ସେମାନେ ପ୍ରାର୍ଥନା ଓ ଆର୍ତ୍ତସ୍ୱର କଲେ ପ୍ରଭୁ ମଧ୍ୟ ଶୁଣିବେ ନାହିଁ ବୋଲି କହିଲେ (୧୧:୧୧; ୧୪:୧୧, ୧୨) ।


ଯୁଗ ଶେଷରେ, ଆଜିବି ଆମେ କ'ଣ ଆତ୍ମସନ୍ତୁଷ୍ଟ ଓ ନିର୍ଲିପ୍ତ ?

ପରିତ୍ରାଣର ବାର୍ତ୍ତା ଆଉ କେତେ କାଳ ପ୍ରଚାରିତ ହେବ ?

ଆମେ କ'ଣ ଜାଗ୍ରତ ହେବା ନାହିଁ ?