ଅବାଧ୍ୟତାର ପରିଣାମ
ଆଜିର ଚିନ୍ତା
୧ ଶାମୁୟେଲ ୨୮:୧-୨୫
ମୁଁ ପରମେଶ୍ବରଙ୍କ ରବ ପ୍ରତି ମନୋଯୋଗୀ ହୋଇ କାର୍ଯ୍ୟ କରୁଅଛି କି ?
ସଦାପ୍ରଭୁଙ୍କ ଦ୍ଵାରା ମନୋନୀତ ତଥା ଅଭିଷିକ୍ତ ରାଜା ଥିଲେ ଶାଉଲ । ସଦାପ୍ରଭୁ ତାଙ୍କର ସହବର୍ତ୍ତୀ ହୋଇ ଗୌରବ ଓ ମହିମାର ଅଧିକାରୀ କରିଥିଲେ । ଦୀର୍ଘ ୪୦ ବର୍ଷ ପର୍ଯ୍ୟନ୍ତ ଇସ୍ରାଏଲ ଉପରେ ରାଜତ୍ଵ କରିବା ପାଇଁ ସୁଯୋଗ ଦେଇଥିଲେ । ମାତ୍ର ସେ ସଦାପ୍ରଭୁଙ୍କଠାରୁ ବିମୁଖ ହୋଇ ଅବାଧ୍ୟ ହେଲେ । ତହିଁର ପରିଣାମ ଆମେ ପଠିତ ଶାସ୍ତ୍ରାଂଶରେ ଦେଖିବାକୁ ପାଉଛୁ ।
ଅବାଧ୍ୟତାର ଫଳ :
ଗିଲବୋୟ ଉପତ୍ୟକାରେ ଯେତେବେଳେ ପଲେଷ୍ଟୀୟ ଓ ଇସ୍ରାଏଲୀୟ ସେନାବାହିନୀ ପରସ୍ପରର ସମ୍ମୁଖୀନ ହେଲେ, ସେତେବେଳେ ଶାଉଲ ଯୁଦ୍ଧାସ୍ତ୍ରରେ ସୁସଜ୍ଜିତ ପଲେଷ୍ଟୀୟମାନଙ୍କର ବିଶାଳ ସୈନ୍ୟବାହିନୀକୁ ଦେଖି ଭୟଭୀତ ହୋଇ ସଦାପ୍ରଭୁଙ୍କୁ ପରାମର୍ଶ ମାଗିଲେ । ସେତେବେଳେକୁ ବହୁ ବିଳମ୍ବ ହୋଇସାରିଥିଲା । ବାରମ୍ବାର ସଦାପ୍ରଭୁଙ୍କର ଆଜ୍ଞାକୁ ସେ ଅବଜ୍ଞା କରିସାରିଥିଲେ । ଅମାଲେକୀୟମାନଙ୍କୁ ବର୍ଜିତ ରୂପେ ବିନାଶ କରି ନ ଥିଲେ । ସଦାପ୍ରଭୁଙ୍କର ଅଭିଷିକ୍ତ ଯାଜକମାନଙ୍କୁ ହତ୍ୟା କରିଥିଲେ। ସଦାପ୍ରଭୁ ଆଉ ତାଙ୍କର ନିବେଦନ ପ୍ରତି ମନୋଯୋଗ କଲେ ନାହିଁ । ସପ୍ନ କି ଦର୍ଶନରେ ସୁଦ୍ଧା ତାଙ୍କୁ କୌଣସି ମନ୍ତ୍ରଣା ଅବା ଚାଳନା ପ୍ରଦାନ କଲେ ନାହିଁ । ଆମେ ଯଦି ନିଜ ଇଚ୍ଛାନୁଯାୟୀ ଜୀବନ କାଟିବା, ତେବେ ସଦାପ୍ରଭୁ ପରମେଶ୍ୱର ଆମର ପ୍ରାର୍ଥନାରେ ମଧ୍ୟ ମନୋଯୋଗ କରିବେ ନାହିଁ ।
ଭୁଲ୍ ନିଷ୍ପତି :
ଶାଉଲ ବ୍ୟବସ୍ଥା ଲଂଘନ ପରି ଏକ ଭୁଲ୍ ନିଷ୍ପତି ନେଇ, ଅନ୍ୟ ଏକ ଜଘନ୍ୟ ପାପ କରି ବସିଲେ । ଯେଉଁ ଭୂତୁଡ଼ିଆମାନଙ୍କୁ ତଡ଼ି ଦେଇଥିଲେ, ସେମାନଙ୍କର ଶରଣାପନ୍ନ ହେଲେ । ଛଦ୍ମ ବେଶରେ ଗୋଟିଏ ଭୂତୁଡ଼ିଆ ସ୍ତ୍ରୀ ଲୋକ ନିକଟକୁ ଯିବା ଦ୍ଵାରା ନିଜକୁ ତଥା ସଦାପ୍ରଭୁଙ୍କୁ ଅସ୍ବୀକାର କଲେ । ଭବିଷ୍ୟତବକ୍ତାଙ୍କର ଆତ୍ମାକୁ ଉଠାଇ ଆଣି, ପରମେଶ୍ୱରଙ୍କ ଇଛା ଜାଣିବା ପାଇଁ ମନସ୍ଥ କଲେ । ସଦାପ୍ରଭୁ ଶାମୁୟେଲଙ୍କ ଆତ୍ମା ଦ୍ଵାରା ସଦାପ୍ରଭୁ ଯେ ତାଙ୍କୁ ପରିତ୍ୟାଗ କରିଅଛନ୍ତି ଓ ତାଙ୍କର ରାଜ୍ୟ ଦାଉଦଙ୍କୁ ଦେଇଅଛନ୍ତି ବୋଲି ଜଣାଇଲେ । ଏହା ଶୁଣି ସେ ଭୟଭୀତ ହୋଇପଡ଼ିଲେ ଓ ତାଙ୍କର ବଳ କ୍ଷୀଣ ହେବାକୁ ଲାଗିଲା । ବାରମ୍ବାର ଆଜ୍ଞା ଲଂଘନ ହିଁ ତାଙ୍କ ମୃତ୍ୟୁର କାରଣ ହେଲା । ଶାମୁୟେଲ ଓ ଦାଉଦ ତାଙ୍କୁ ସଚେତନ କରାଇଥିଲେ । ସଦାପ୍ରଭୁ ତାଙ୍କୁ ପରିତ୍ୟାଗ କରିଅଛନ୍ତି ଏବଂ ଉତ୍ତର ଦେଉନାହାନ୍ତି ଏହା ସେ ନିଜେ ସ୍ଵୀକାର କରୁଥିଲେ, ତଥାପି ଭୁଲ୍ ପଥରୁ ଫେରି ଆସିପାରିଲେ ନାହିଁ ।