BN

ଭୁଲ୍ ପଦକ୍ଷେପର ପରିଣାମ

 ଭୁଲ୍ ପଦକ୍ଷେପର ପରିଣାମ

ଆଜିର ଚିନ୍ତା

୧ ଶାମୁୟେଲ ୧୩:୧-୨୩

ସମସ୍ୟା ଆସିଲେ ମୁଁ କାହା ଉପରେ ନିର୍ଭର କରେ?


ଶାଉଲ ରାଜା ହେଲେ ମଧ୍ୟ ଅତ୍ୟନ୍ତ ଭୟଭୀତ ଓ ଉଦବିଗ୍ନ ଥିଲେ । ମାତ୍ର ଈଶ୍ୱରଙ୍କ ଉପରେ ଯୋନଥନଙ୍କର ଦୃଢ଼ ବିଶ୍ଵାସ ଓ ନିର୍ଭରତା ଥିବାରୁ ସେ ପଲେଷ୍ଟୀୟ ପ୍ରହରୀ ସୈନ୍ୟଦଳକୁ ପରାସ୍ତ କରି ଇସ୍ରାଏଲ ପାଇଁ ବିଜୟ ଆଣିଥିଲେ (୩ ଓ ୪) ।

 

ଅହଂକାର ପତନର କାରଣ ହୋଇଥାଏ : 

ଯୋନାଥନ ବିଜୟ ଆଣିଥିଲେ ମଧ୍ୟ ଶାଉଲ ବିଜୟର ବାହାଦୂରୀ ନିଜେ ନେଇ ଗର୍ବିତ ହୋଇଥିଲେ । ଏହି ଗୁଣ କ୍ରମେ ବୃଦ୍ଧି ପାଇ ଶେଷରେ ତାଙ୍କର ବିନାଶ, ତାଙ୍କ ପରିବାରର ବିଚ୍ଛିନ୍ନତା ଓ ଇସ୍ରାଏଲ ଜାତି ବିପଦଗ୍ରସ୍ତ ହେବାର କାରଣ ହୋଇଥିଲା । ଆଜି ମୋ' ଜୀବନରେ ମୁଁ ଅହଙ୍କାରକୁ ପ୍ରଶୟ ଦିଏ କି ? କାରଣ ଲେଖାଅଛି "ଅହଙ୍କାର ସର୍ବନାଶର ସମ୍ମୁଖରେ ଥାଏ"..... (ହିତୋ ୧୬:୧୮ କ) । କିନ୍ତୁ ସେ ନମ୍ର ଲୋକମାନଙ୍କୁ ଅନୁଗ୍ରହ ପ୍ରଦାନ କରନ୍ତି (ଯାକୁବ ୪:୬ ଖ) ।


ବ୍ୟସ୍ତତା ଭୁଲ୍ କରାଇଥାଏ : 

ଯୁଦ୍ଧ ପୂର୍ବରୁ ଶାଉଲ ଈଶ୍ୱରଙ୍କ ଶରଣାପନ୍ନ ହେବାକୁ ହୋମବଳିର ଆୟୋଜନ କରି, ବଳି ଉତ୍ସର୍ଗ ପାଇଁ ଶାମୁୟେଲଙ୍କୁ ଡକାଇ ପଠାଇଲେ । ମାତ୍ର ଶାମୁୟେଲଙ୍କ ସାତଦିନ ବିଳମ୍ବ ଯୋଗୁଁ ଅଧୈର୍ଯ୍ୟ ହୋଇ ନିଜେ ହୋମବଳି ଉତ୍ସର୍ଗ କରି ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କଲେ । ଅନେକ ସମୟରେ ସେ ଆମର ଧୈର୍ଯ୍ୟ ଓ ବାଧ୍ୟତାର ପରୀକ୍ଷା କରିଥାନ୍ତି । ଅବାଧ୍ୟତାର ଯୋଗୁଁ ସେ ଈଶ୍ୱରଙ୍କ ବ୍ୟବସ୍ଥା ଲଙ୍ଘନ କରି ରାଜା ହେବା ପାଇଁ  ଅଯୋଗ୍ୟ ବୋଲି ଗଣିତ ହୋଇଥିଲେ । ଆମର କାର୍ଯ୍ୟ ଈଶ୍ୱରଙ୍କ ଦୃଷ୍ଟିରେ ଯଥାର୍ଥ କି ନୁହେଁ ପରୀକ୍ଷା କରୁ ଓ ଭୁଲ୍ ଥିଲେ ନିଜର ପାପ ସ୍ଵୀକାର କରୁ ।


ନିର୍ଭର ଯୋଗ୍ୟ ଈଶ୍ୱର :

 ପଲେଷ୍ଟୀୟମାନଙ୍କ ସହ ଯୁଦ୍ଧ କରିବା ପାଇଁ ଇସ୍ରାଏଲୀୟମାନଙ୍କ ନିକଟରେ ଅସ୍ତ୍ରଶସ୍ତ୍ର ନ ଥିଲା । ବାକ୍ୟରୂପକ ଆତ୍ମିକ ଅସ୍ତ୍ରଶସ୍ତ୍ର ଦ୍ଵାରା ଆମେ ଯଦି ସଜ୍ଜିତ ନ ହେଉ ଶତ୍ରୁକୁ ପ୍ରତିବାଧା କରିବା ଆମ ପାଇଁ ଅତ୍ୟନ୍ତ କଷ୍ଟକର ହୋଇପଡେ । ଭୟଭୀତ ଇସ୍ରାଏଲୀୟମାନଙ୍କ ପାଇଁ କେବଳ ଈଶ୍ୱର ହିଁ ଏକମାତ୍ର ଭରସା ଥିଲେ  (ଗୀତ ୪୬:୧) । ଏହି ବିଶ୍ଵାସରେ ସ୍ଥିର ରହି ପ୍ରଭୁଙ୍କଠାରେ ନିର୍ଭର ରଖିଲେ ଆମେ ଆମ ସମସ୍ୟାଗୁଡ଼ିକ ଉପରେ ଜୟଲାଭ କରିପାରିବା ।

ଆଦର୍ଶ ନେତା

 ଆଦର୍ଶ ନେତା

ଆଜିର ଚିନ୍ତା

୧ ଶାମୁୟେଲ ୧୨:୧-୨୫

ମୋତେ ପ୍ରଦତ୍ତ ଦାୟିତ୍ବ ବହନ କରିବାରେ ମୁଁ ଆଜି କେତେ ବିଶ୍ଵସ୍ତ ?


ଶାମୁୟେଲ ଏକାଧାରରେ ଇସ୍ରାଏଲର ଜଣେ ବିଶ୍ଵସ୍ତ ଯାଜକ, ଭବିଷ୍ୟତବକ୍ତା ଓ ବିଚାରକର୍ତ୍ତା ରୂପେ କାର୍ଯ୍ୟ କରି ଆସିଥିଲେ । ସେ ନିଜର ଖୋଲାକଥା ମାଧ୍ୟମରେ ସ୍ଵୀକାରୋକ୍ତି ଦ୍ଵାରା ଇସ୍ରାଏଲ ଜାତି ନିକଟରେ ନିଜର ବିଶ୍ଵସ୍ତତା ତଥା କର୍ତ୍ତବ୍ୟ  ନିଷ୍ଠା କାର୍ଯ୍ୟକୁ ସର୍ବ ସମ୍ମୁଖରେ ପ୍ରମାଣିତ କରିଥିଲେ (୩ ଓ ୪ ପଦ) l


ଆଦର୍ଶ ନେତୃତ୍ୱ : 

ଶାମୁୟେଲ ଈଶ୍ୱରଙ୍କ ଜଣେ ବିଶ୍ଵସ୍ତ ପ୍ରତିନିଧି ଥିଲେ । ସଦାପ୍ରଭୁଙ୍କ ଆହ୍ଵାନ କ୍ରମେ ସେ ଶୈଶବାବସ୍ଥାରୁ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ଲୋକମାନଙ୍କ ସେବା କରି ଆସିଛନ୍ତି, ତେଣୁ ସେ ନିଜ କର୍ମରୁ ଅବସର ନେବା ପୂର୍ବରୁ ସେମାନଙ୍କୁ ପ୍ରଭୁଙ୍କ ସେବା କରିବାକୁ ଓ ନୂତନ ରାଜା (ନେତା) ଙ୍କ ବଶୀଭୂତ ହେବାକୁ ଏବଂ ପରୋକ୍ଷରେ ଶାଉଲଙ୍କୁ ମଧ୍ୟ ତାଙ୍କ ପରି ବିଶ୍ଵସ୍ତ ଦାୟିତ୍ବବାନ ନେତା ହୋଇ ଇସ୍ରାଏଲର ପ୍ରତିନିଧି କରିବାକୁ ଆହ୍ଵାନ ଦେଇଥିଲେ । 


ସ୍ମରଣୀୟ କର୍ମସକଳ :

ଶାମୁୟେଲ ଇସ୍ରାଏଲୀୟମାନଙ୍କୁ ସଦାପ୍ରଭୁଙ୍କ ମହତ୍ କର୍ମସକଳ ସ୍ମରଣ କରାଇ ପ୍ରଭୁଙ୍କଠାରେ ବିଶ୍ଵସ୍ତ ରହିବା ପାଇଁ ଆହ୍ଵାନ ଦେଇଥିଲେ । ସଦାପ୍ରଭୁଙ୍କ ଆଶୀର୍ବାଦ ପାଇବା ନିମନ୍ତେ ସେ ସେମାନଙ୍କୁ ୫ଟି ବିଷୟ ପ୍ରତି ଦୃଷ୍ଟି ଦେବାକୁ କହିଥିଲେ (୧୪ପଦ) । ସେମାନେ ଯେପରି ସଦାପ୍ରଭୁଙ୍କୁ ଭୟ କରିବେ, ତାହାଙ୍କ ସେବା କରିବେ ତାହାଙ୍କ ରବ ଶୁଣିବେ, ପାଳନ କରିବେ ଓ ସଦାପ୍ରଭୁଙ୍କ ବିରୁଦ୍ଧରେ ବିଦ୍ରୋହ ନ କରିବେ ।


ମଧ୍ୟସ୍ଥି ପ୍ରାର୍ଥନା : 

(୧୯ପଦ) ଲୋକମାନଙ୍କ ନିମନ୍ତେ ପ୍ରାର୍ଥନା କରିବାକୁ ଉତ୍ସାହ ଦେଇ ଶାମୁୟେଲ କହିଥିଲେ :


 (କ) ସଦାପ୍ରଭୁଙ୍କ ପଶ୍ଚାତଗମନରୁ ବିମୁଖ ନ ହୁଅ


(ଖ) ସମସ୍ତ ଅନ୍ତକରଣ ସହ ଈଶ୍ୱରଙ୍କ ସେବା କର (୨୦ପଦ)


(ଗ) ଅବସ୍ତୁ ଅର୍ଥାତ ପ୍ରତିମାର ଅନୁଗାମୀ ନ ହୁଅ । ୨୩ ପଦରେ ସେ ଦୁଇଟି ମହାନ୍ ଶିକ୍ଷା ଦେଇଥିଲେ । ପ୍ରଥମରେ ଅନ୍ୟମାନଙ୍କ ପାଇଁ ଭାରଗ୍ରସ୍ତ ହୋଇ ପ୍ରାର୍ଥନା କରିବା (ଏଫିସୀୟ ୬:୧୮) ଓ ଦ୍ଵିତୀୟରେ ଈଶ୍ୱରଙ୍କ ବାକ୍ୟରୁ ସତ୍ୟମାର୍ଗ ବିଷୟରେ ଅନ୍ୟମାନଙ୍କୁ ଶିକ୍ଷା ଦେବା (୨ତିମଥି ୨:୨) ।


ପ୍ରଭୁ ଯୀଶୁ ଆଜି ଆମର ମଧ୍ୟସ୍ଥି ଓ ପରାମର୍ଶଦାତା ହୋଇ ପିତାଙ୍କ ଦକ୍ଷିଣ ପାର୍ଶ୍ୱରେ ବସି ଆମ ପାଇଁ ନିରନ୍ତର ନିବେଦନ କରୁଛନ୍ତି । ମୁଁ ଆଜି ଅନ୍ୟମାନଙ୍କ ପାଇଁ ମଧ୍ୟସ୍ଥି ପ୍ରାର୍ଥନା କରିବା ଓ ସତ୍ ମାର୍ଗ ବିଷୟରେ ଶିକ୍ଷା ଦେବାରେ ଅଧିକ ଯତ୍ନଶୀଳ କି ?

ଉଦ୍ଧାରକର୍ତ୍ତା ପରମେଶ୍ୱର

 ଉଦ୍ଧାରକର୍ତ୍ତା ପରମେଶ୍ୱର

ଆଜିର ଚିନ୍ତା

୧ ଶାମୁୟେଲ ୧୧:୧-୧୫

ବିପଦରୁ ଉଦ୍ଧାର ପାଇଁ ମୁଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରେ କି ? 


ଈଶ୍ଵର ଫାରୋଙ୍କ ହସ୍ତରୁ ଇସ୍ରାଏଲୀୟମାନଙ୍କୁ ରକ୍ଷା କଲା ପରି ଆମ୍ମୋନୀୟ ନାହଶ ହସ୍ତରୁ ଯାବେଶର ସମସ୍ତ ଲୋକଙ୍କୁ ରକ୍ଷା କରିବା ଲାଗି ଶାଉଲଙ୍କୁ ମୋନୋନୀତ ଓ ଶକ୍ତିଯୁକ୍ତ କରିଥିଲେ ।


ଶତ୍ରୁର ଭୟ : 

ଆମ୍ମୋନୀୟ ନାହଶ ଯାବେଶର ସମସ୍ତ ଲୋକଙ୍କର ଦକ୍ଷିଣ ଚକ୍ଷୁ ଉପାଡ଼ି ଦିଆଯିବାର ଭୟ ଦେଖାଇଥିଲା ଏବଂ ତା' ପରେ ସେମାନଙ୍କ ସହ ନିୟମ ସ୍ଥିର କରିବା ବୋଲି କହିଥିଲା । ଯାବେଶର ପ୍ରାଚୀନମାନେ ସାତଦିନ ସମୟ ମାଗିଥିଲେ । ଏହି ସମୟ ସୀମା ଭିତରେ କେହି ସେମାନଙ୍କୁ ଉଦ୍ଧାର ନ କଲେ ସେମାନେ ନାହଶର ବଶୀଭୂତ ହେବେ । ଶତ୍ରୁର ଭୟ ଯୋଗୁ ସମସ୍ତ ଲୋକ ରବ ଉଠାଇ କ୍ରନ୍ଦନ କଲେ । ସେମାନେ ଭାବିଥିଲେ ଯେ ସେମାନଙ୍କୁ ଉଦ୍ଧାର କରିବାକୁ ହୁଏତ କେହି ନାହିଁ । ମାତ୍ର ଈଶ୍ଵର ଶାଉଲଙ୍କ ଅନ୍ତରରେ କଥା କହିଲେ । କି ଉପାୟରେ ଇସ୍ରାଏଲକୁ ଉଦ୍ଧାର କରାଯିବ ସେହି ବୁଦ୍ଧି ପ୍ରଦାନ କଲେ । ଏକତା ହିଁ ବଳ । ଇସ୍ରାଏଲ ସନ୍ତାନଗଣକୁ ଏକଜୁଟ କରିବା ପାଇଁ ଶାଉଲ ବଳଦର ଖଣ୍ଡ ଖଣ୍ଡ ମାଂସ ଇସ୍ରାଏଲର ସର୍ବତ୍ର ପଠାଇଲେ ଏବଂ ତାଙ୍କର ଓ ଶାମୁୟେଲଙ୍କର ପଶ୍ଚାଦଗମନ କରିବାକୁ କହିଲେ । ଆମେ ଯେତେବେଳେ ଖ୍ରୀଷ୍ଟୀୟ ସହଭାଗିତାରୁ ଦୂରେଇ ଏକାକୀ ଜୀବନ କାଟୁ, ଶୟତାନ ଆମକୁ ପରୀକ୍ଷା ଓ ପ୍ରଲୋଭନରେ ପକାଇଥାଏ । ମାତ୍ର ଯେତେବେଳେ ସହଭାଗିତାର ଜୀବନ କାଟୁ, ଶୟତାନ ସହଜରେ ଆମକୁ ତା' ର ଦାସ  କରିପାରେନା । 


ଶତ୍ରୁ ହସ୍ତରୁ ଉଦ୍ଧାର : 

ଶାଉଲ ଇସ୍ରାଏଲ ଲୋକଙ୍କୁ ତିନୋଟି ଦଳରେ ବିଭକ୍ତ କରି ଆମ୍ମୋନୀୟମାନଙ୍କୁ ସଂହାର କଲେ ଓ ଅନେକ ଛିନ୍ନ ଭିନ୍ନ ହେଲେ । ଶତ୍ରୁ ହସ୍ତରୁ ଉଦ୍ଧାର ପାଇ ଇସ୍ରାଏଲ ସନ୍ତାନଗଣ ହୃଦୟଙ୍ଗମ କରିଥିଲେ ଯେ ଶାଉଲ ହିଁ ରାଜା ହେବାକୁ ଏକମାତ୍ର ଯୋଗ୍ୟ ବ୍ୟକ୍ତି ଅଟନ୍ତି । ସେମାନେ ଶାଉଲଙ୍କ ବିରୁଦ୍ଧରେ କଥା କହୁଥିବା ବ୍ୟକ୍ତିମାନଙ୍କୁ ବଧ କରିବାକୁ ଚାହିଁଲେ । ମାତ୍ର ଶାଉଲ ମନା କରିଥିଲେ । ସେମାନେ ଶାମୁୟେଲଙ୍କ ସହ ଗିଲ୍ ଗଲ୍ କୁ ଯାଇ ଶାଉଲଙ୍କୁ ରାଜା କରିଥିଲେ । 


ଆମକୁ ମଧ୍ୟ ଶତ୍ରୁ ଶୟତାନ ହସ୍ତରୁ ରକ୍ଷା ପାଇବା ପାଇଁ ବ୍ୟକ୍ତିଗତ, ପାରିବାରିକ ଓ ମାଣ୍ଡଳୀକ ଜୀବନରେ ରବ ଉଠାଇ ପ୍ରଭୁଯୀଶୁଙ୍କ ନିକଟରେ କ୍ରନ୍ଦନ କରିବାକୁ ପଡ଼ିବ । ଶାସ୍ତ୍ରରେ ଲେଖାଯାଏ, ତୁମ୍ଭ ଚକ୍ଷୁର ତାରା ଶାନ୍ତ ନ ହେଉ…….ପ୍ରଭୁଙ୍କ ସମ୍ମୁଖରେ ତୁମ୍ଭର ହୃଦୟ ଜଳ ପରି ଢାଳି ଦିଅ (ବିଳାପ ୨:୧୮) ।


ଈଶ୍ୱରଙ୍କ ଯୋଜନା

 ଈଶ୍ୱରଙ୍କ ଯୋଜନା 

ଆଜିର ଚିନ୍ତା

୧ ଶାମୁୟେଲ ୧୦:୧-୧୬

ଖ୍ରୀଷ୍ଟଙ୍କୁ ଗ୍ରହଣ କରି ମୁଁ ପରିବର୍ତ୍ତିତ ଜୀବନ କାଟୁଛି କି ? 


ଏକଦା ଖ୍ରୀଷ୍ଟଙ୍କୁ ପ୍ରଭୁ ବୋଲି ବିଶ୍ୱାସ କରୁ ନ ଥିବା ଯୁବା ଝିଅଟି ଖ୍ରୀଷ୍ଟ ବିଶ୍ବାସୀମାନଙ୍କୁ ନାନା କଟୁ କଥା କହୁଥିଲା । ସମୟାନୁକ୍ରମେ ସେ ଖୁବ୍ ଅସୁସ୍ଥ ହୋଇ ମୃତ୍ୟୁର ସମ୍ମୁଖୀନ ହେଲା । ମାତ୍ର ସେ ବଞ୍ଚିବାକୁ ଚାହୁଥିଲା । ସେ ସମୟରେ ତାର ଖ୍ରୀଷ୍ଟ ବିଶ୍ବାସୀ ମା' ଯୀଶୁଙ୍କଠାରେ ତାର ସୁସ୍ଥତା ପାଇଁ ପ୍ରାର୍ଥନା କଲେ ଏବଂ ତାକୁ ମଧ୍ୟ ବିଶ୍ଵାସ ସହ ପ୍ରାର୍ଥନା କରିବାକୁ କହିଲେ । ସେ ସୁସ୍ଥ ହେଲା । ତା' ଜୀବନ ସଂପୂର୍ଣ୍ଣ ପରିବର୍ତ୍ତିତ ହେଲା । 


ଈଶ୍ୱରଙ୍କ ଯୋଜନାକୁ ବୁଝିବା :

ସଦାପ୍ରଭୁଙ୍କ ଦ୍ଵାରା ଚାଳନା ପାଇ ଶାମୁୟେଲ ଶାଉଲଙ୍କୁ ତୈଳରେ ଅଭିଷିକ୍ତ କରିଥିଲେ । ତଥାପି ଶାଉଲ ସେହି ଦାୟିତ୍ବ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ନ ଥିଲେ । ଶାମୁୟେଲ ତାଙ୍କୁ କେତୋଟି ଚିହ୍ନ ଦେଇଥିଲେ । ସେସବୁ ସଫଳ ହେଲା ପରେ ଯେପରି ଅନୁଭବ କରିବେ ଯେ ଈଶ୍ୱରଙ୍କ ଯୋଜନାନୁସାରେ ସେ ଇସ୍ରାଏଲର ରାଜା ହେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଶାମୁୟେଲଙ୍କ କହିବାନୁସାରେ ସମସ୍ତ ଚିହ୍ନ ଗୁଡ଼ିକ ଘଟିଥିଲା । ଗଧ ମିଲିଯିବାର ସମ୍ବାଦ ପାଇବା ସଙ୍ଗେ ସଙ୍ଗେ ନେବଲ, ଦାରା, ବଂଶୀ ଓ ବୀଣା ନେଇ ଆସୁଥିବା ସେ ଭବିଷ୍ୟତବକ୍ତାଙ୍କର ଏକ ଦଳକୁ ସାକ୍ଷାତ କରି ଜାଣିପାରିଲେ ଯେ ସଦାପ୍ରଭୁଙ୍କ ଉପସ୍ଥିତି ତାଙ୍କ ସହିତ ରହିଛି ଓ ତାଙ୍କ ପାଇଁ ଏକ ଭିନ୍ନ ଯୋଜନା ରହିଛି  । 


ଈଶ୍ବରଙ୍କ ଯୋଜନାକୁ ଗ୍ରହଣ କରିବା : 

ସଦାପ୍ରଭୁଙ୍କ ଦତ୍ତ ଚିହ୍ନ ଦ୍ଵାରା ଶାଉଲ ଈଶ୍ୱରଙ୍କ ଯୋଜନାକୁ କେବଳ ବୁଝିପାରିଲେ ତାହା ନୁହେଁ ମାତ୍ର ରାଜା ହେବା ପାଇଁ ନିଜକୁ ପ୍ରସ୍ତୁତ କଲେ । ସେ ମଧ୍ୟ ଭବିଷ୍ୟତବକ୍ତା ପାଲଟି ଯାଇଥିଲେ । ଏହା ତାଙ୍କୁ ଜାଣିଥିବା ସମସ୍ତକୁ ଆଚମ୍ବିତ କରିଥିଲା । ଭବିଷ୍ୟତ୍ ବାକ୍ୟ ପ୍ରଚାର କରିବା ପରେ ଉଚ୍ଚସ୍ଥଳୀକୁ ଯାଇଥିଲେ । ସେଠାରେ  ସେ ଏବଂ ତାଙ୍କ ଯୁବା ସଙ୍ଗୀ ତାଙ୍କ ପିତୃବ୍ୟଙ୍କୁ ଭେଟିଥିଲେ । ତାଙ୍କର ପିତୃବ୍ୟତାଙ୍କୁ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇଥିଲେ, ମାତ୍ର ଶାମୁୟେଲ ଇସ୍ରାଏଲର ରାଜତ୍ୱ ବିଷୟରେ ତାଙ୍କୁ କହିଥିବା ବିଷୟକୁ ସେ ଗୁପ୍ତ ରଖିଥିଲେ । ହୁଏତ ଈଶ୍ବର ଏହି ବୁଦ୍ଧି ତାଙ୍କୁ ପ୍ରଦାନ କରିଥିଲେ । କାରଣ ଈଶ୍ବର ମୋଶାଙ୍କୁ କହିଥିଲେ, ଯାହା ଉପରେ ଆମ୍ଭର ଦୟା ଅଛି, ତାହାକୁ ଆମ୍ଭେ ଦୟା କରିବା, ଆଉ ଯାହା ଉପରେ ଆମ୍ଭର କୃପା ଅଛି, ତାହାକୁ କୃପା କରିବା । ଅତଏବ ନିଜ ଜୀବନରେ ଈଶ୍ବରଙ୍କ ଯୋଜନାକୁ ବୁଝି ଗ୍ରହଣ କରି ତାହାଙ୍କର ଗୌରବର କାରଣ ହେବା ।

ପରମେଶ୍ବର ଯୋଗାନ୍ତି

 ପରମେଶ୍ବର ଯୋଗାନ୍ତି

ଆଜିର ଚିନ୍ତା

୧ ଶାମୁୟେଲ ୯:୧୫-୨୭

ଈଶ୍ୱରଙ୍କ  ଇଚ୍ଛା ମୋ ଜୀବନରେ ସଫଳ ହେଉ ବୋଲି ପ୍ରାର୍ଥନା କରେ କି ? 


ଯେ କୌଣସି ସମସ୍ୟାରେ ପଡ଼ିଲେ ଆମେ ବ୍ୟତିବସ୍ତ ହୋଇପଡୁ । ତାହାର ସମାଧାନ କିପରି ଅତିଶୀଘ୍ର ହେବ, ଆମେ ଚିନ୍ତା କରିଥାଉ । ଶାସ୍ତ୍ରରେ ଲେଖାଯାଏ, ସବୁ ବିଷୟର କାଳ ଅଛି ଓ ଆକାଶ ତଳେ ସବୁ ମନୋରଥର ସମୟ ଅଛି (ଉପଦେଶକ ୩:୧) । 


ଯୋଗାଇବା ପରମେଶ୍ୱର :

ଇସ୍ରାଏଲର ପ୍ରାଚୀନଗଣ ରାଜା ମାଗିବା ଦ୍ଵାରା ଈଶ୍ୱରଙ୍କୁ ଅଗ୍ରାହ୍ୟ କରି ଦୁଃଖ ଦେଇଥିଲେ ମଧ୍ୟ ସେ ଦୟାଳୁ ପିତା ଭାବେ ଶାଉଲଙ୍କୁ ରାଜା ହେବା ପାଇଁ ମନୋନୀତ କରିଥିଲେ । ଗଧ ହଜିବା ଅନ୍ତରାଳରେ ଶାଉଲଙ୍କ ପାଇଁ ପରମେଶ୍ୱରଙ୍କ ଏକ ମହାନ୍ ଯୋଜନା କାର୍ଯ୍ୟକାରୀ ହୋଇଥିଲା । ଯେଉଁମାନେ ଈଶ୍ୱରଙ୍କୁ ପ୍ରେମ କରନ୍ତି, ଯେଉଁମାନେ ତାହାଙ୍କ ସଂକଳ୍ପ ଅନୁସାରେ ଆହୂତ ହୋଇଅଛନ୍ତି, ଈଶ୍ଵର ଯେ ସମସ୍ତ ବିଷୟରେ ସେମାନଙ୍କର ମଙ୍ଗଳ ସାଧନ କରନ୍ତି, ଏହା ଆମ୍ଭେମାନେ ଜାଣୁ (ରୋମୀୟ ୮:୨୮) । ଇସ୍ରାଏଲର ପ୍ରଥମ ରାଜା ଶାଉଲ ଈଶ୍ୱରଙ୍କ ଦ୍ଵାରା ମନୋନୀତ ହୋଇଥିବାରୁ ଗଧ ଖୋଜୁ ଖୋଜୁ ଶାମୁୟେଲଙ୍କ ନିକଟକୁ ଚାଲି ଯାଇଥିଲେ । ଗଧ ମିଳିଯିବାର ସମ୍ବାଦ ପାଇବା ସଙ୍ଗେ ସଙ୍ଗେ ଶାଉଲ ଇସ୍ରାଏଲର ସମସ୍ତ ବାଞ୍ଚନୀୟ ବିଷୟ ପାଇବା ପାଇଁ ମନୋନୀତ ହୋଇଥିବାର ସୁୁସମ୍ବାଦ ଶାମୁୟେଲଙ୍କଠାରୁ ଅବଗତ ହୋଇଥିଲେ । ଏଭଳି ଆଶ୍ଚର୍ଯ୍ୟଜନକ ବିଷୟ ଶୁଣି ଗର୍ବିତ ନ ହୋଇ ନମ୍ର ଭାବରେ ଶାମୁୟେଲଙ୍କ ପାଖରେ ନିଜର ପରିଚୟ ସେ ରଖିଥିଲେ । 


ଉତ୍ତମ ବସ୍ତୁ ଦେବା ପରମେଶ୍ୱର :

ଈଶ୍ଵର ତାଙ୍କର ଇଚ୍ଛାନୁଯାୟୀ ଯାହାକୁ ଯାହା ଇଚ୍ଛା, ତାହା ଦେବା ପରମେଶ୍ୱର । ଶାଉଲଙ୍କୁ ଭେଟିବା ପରେ ଶାମୁୟେଲ ତାଙ୍କୁ ରାଜାର ସମ୍ମାନରେ ସମ୍ମାନୀତ କରିଥିଲେ । ତାଙ୍କ ପାଇଁ ଉଦ୍ଦିଷ୍ଟ ଖାଦ୍ୟ ପରିବେଷଣ କରାଯାଇଥିଲା । ଶାମୁୟେଲଙ୍କ ସଙ୍ଗେ ରାତ୍ରି କ୍ଷେପଣ କରି ଆଳାପ କରିବା ପାଇଁ ଶାଉଲ ସୁଯୋଗ ପାଇଥିଲେ । ଏକାନ୍ତରେ ଧାର୍ମିକ ଭବିଷ୍ୟତବକ୍ତାଙ୍କ ଠାରୁ ସଦାପ୍ରଭୁଙ୍କ ବାକ୍ୟ ଶ୍ରବଣ କରିବାର ସୌଭାଗ୍ୟ ସେ ଲାଭ କରିଥିଲେ । 


ଆମ ପ୍ରତ୍ୟେକଙ୍କ ଜୀବନ ପାଇଁ ସଦାପ୍ରଭୁଙ୍କ ଏକ ନିର୍ଦ୍ଦିଷ୍ଟ ଯୋଜନା ରହିଛି । ସେ ତାହା କାର୍ଯ୍ୟକାରୀ କରିବାକୁ ଚାହାଁନ୍ତି । ତାଙ୍କ ରାଜ୍ୟ ଓ ଧାର୍ମିକତା ପ୍ରଥମେ ଅନ୍ଵେଷଣ କରି ତାଙ୍କ ନିକଟରେ  ନିଜକୁ ସମର୍ପଣ କଲେ, ସେ ତାଙ୍କ ଇଚ୍ଛାକୁ ଆମ ଜୀବନରେ ସଫଳ କରିବାରେ ସାହାଯ୍ୟ କରିବେ ।