BN

ଈଶ୍ଵର ଦୀର୍ଘସହିଷ୍ଣୁ

 ଈଶ୍ଵର ଦୀର୍ଘସହିଷ୍ଣୁ

ଆଜିର ଚିନ୍ତା

ଯାତ୍ରା ୩୨:୧-୧୪


ଖ୍ରୀଷ୍ଟ ଆମ୍ଭମାନଙ୍କ ପାଇଁ ନିବେଦନ କରନ୍ତି ବୋଲି ମୁଁ ଜାଣିଛି କି ? 


ଯଦି ଆମେ ଧୈର୍ଯ୍ୟର ସହ ଈଶ୍ଵରଙ୍କର ଅପେକ୍ଷା କରିବା, ତେବେ ସେ ଆମର ଚିନ୍ତା, ଭାବନା ଓ କଲ୍ପନାରୁ ଅଧିକ ମହତ୍ ବିଷୟ ଆମ ପାଇଁ ସାଧନ କରିବେ । କିନ୍ତୁ ମନୁଷ୍ୟ ଯେ ଆମ୍ଭେମାନେ, ଆମ୍ଭେମାନେ ସର୍ବଦା ତରବର ହୋଇଥାଉ । ଆଜିର ଶାସ୍ତ୍ରାଂଶରେ ଆମେ ଦେଖୁଛୁ ଯେ, ମନୁଷ୍ୟ ଯେତେବେଳେ ଅସ୍ଥିର ଓ ତରବର ହୋଇ କାର୍ଯ୍ୟ କରେ, ସେ ନିଜକୁ ଧ୍ଵଂସ ଆଡ଼କୁ ନେଇଯାଏ । 


ମନୁଷ୍ୟର ମୂଢତା : 


ଇସ୍ରାଏଲୀୟମାନେ ମୋଶାଙ୍କର ଫେରିବା ବିଳମ୍ବ ହେବାରୁ ଅନ୍ୟ ଈଶ୍ଵରଙ୍କ ବିଷୟରେ କଳ୍ପନା କଲେ ଏବଂ ପରିଶେଷରେ ଏକ ସୁବର୍ଣ୍ଣ ବାଛୁରୀକୁ ଈଶ୍ଵର ଭାବରେ ଗ୍ରହଣ କଲେ । ଏହି ନୂତନ ଈଶ୍ୱରଙ୍କୁ  ଦେଖି ସେମାନେ ଆନନ୍ଦିତ ହେଲେ, ମୂର୍ତ୍ତି ଆଗରେ ନିଜର ବଳି ଉତ୍ସର୍ଗ କଲେ, ଅପବିତ୍ର ଭାବରେ ନୃତ୍ୟଗାନ କରି ନିଜ ନିଜକୁ ଅପବିତ୍ର କଲେ । ସତ୍ୟ ଈଶ୍ୱରଙ୍କ ବଦଳରେ ଏକ ହସ୍ତ ନିର୍ମିତ ମୂର୍ତ୍ତିର ପୂଜା କରି ଈଶ୍ୱରଙ୍କ ବିରୁଦ୍ଧରେ ଜଘନ୍ୟ ପାପ କରି ଈଶ୍ୱରଙ୍କ କ୍ରୋଧର ପାତ୍ର ହେଲେ । ମୋଶା ସେମାନଙ୍କର କାର୍ଯ୍ୟର ଜଘନ୍ୟତା କେତେ ବଡ଼ ଓ ତାହାର ପରିଣାମ କ'ଣ ହେବ, ତାହା ବୁଝିପାରିଲେ । ସେ ସେମାନଙ୍କ ପାପ ନିମନ୍ତେ ଈଶ୍ଵରଙ୍କ ନିକଟରେ କ୍ଷମା ପ୍ରାର୍ଥନା କଲେ ଏବଂ ଏକ ଭୟାବହ ଦଣ୍ଡରୁ ଇସ୍ରାଏଲୀୟମାନଙ୍କୁ ରକ୍ଷା କଲେ । ଈଶ୍ଵର ସେମାନଙ୍କର ପାପ କ୍ଷମା କରି ସେମାନଙ୍କୁ ସମ୍ପୂର୍ଣ୍ଣ ବିନଷ୍ଟ କରି ନ ଥିଲେ । 


ମନୁଷ୍ୟର ସ୍ୱେଚ୍ଛାଚାରିତା :


ଅନ୍ୟ ପକ୍ଷରେ, ହାରୋଣ ଇସ୍ରାଏଲୀୟମାନଙ୍କର ଇଛା ନିକଟରେ ନିଜକୁ ସମର୍ପଣ କଲେ, ଈଶ୍ୱରଙ୍କ ଗୌରବକୁ ପ୍ରାଧାନ୍ୟ ନ ଦେଇ ଏକ ମୂର୍ତ୍ତି ନିର୍ମାଣ କରି ଇସ୍ରାଏଲୀୟମାନଙ୍କୁ ପାପ କରିବାକୁ ପ୍ରୋତ୍ସାହିତ କଲେ । 


ଆମେ ନିଜକୁ ପରୀକ୍ଷା କରିବା, ଆମେ କଣ ନିଜର ଆତ୍ମିକ ଜୀବନରେ ଅସ୍ଥିର ଓ ବିଚଳିତ ହୋଇ ନିଜ ଇଚ୍ଛାରେ ଜଗତର ବିଷୟବସ୍ତୁ, ଧନ ଓ ମାନ ସମ୍ମାନକୁ ଈଶ୍ୱରଙ୍କ ସ୍ଥାନ ଦେଇଅଛୁ । ଯଦି ନେତୃତ୍ୱ ସ୍ଥାନରେ ଅଛୁ, ତେବେ ହରୋଣଙ୍କ ପରି ଈଶ୍ୱରଙ୍କ ପଲକୁ ବିପଥରେ ଯିବା ପାଇଁ ପ୍ରୋତ୍ସାହତ ଦେଉଛୁ ଅବା ମୋଶାଙ୍କ ପରି ଈଶ୍ୱରଙ୍କ ପଲକୁ ସୁରକ୍ଷା ଓ ପରିତ୍ରାଣ ନିମନ୍ତେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା ଓ ବିନତି କରୁଅଛୁ । ଆତ୍ମିକ ଓ ଜାଗତିକ ଜୀବନରେ ଅନେକ ପରିସ୍ଥିତିର ଚାପରେ ଆମେ ଭୁଲ ପଦକ୍ଷେପ ଗ୍ରହଣ କରିଥାଉ । କିନ୍ତୁ ଈଶ୍ଵର ଚାହାଁନ୍ତି ଯେ ଆମେ ତାଙ୍କର ଅପେକ୍ଷା କରି ତାଙ୍କର ପ୍ରେରଣା ଓ ଶକ୍ତି ବଳରେ ନିଜକୁ ପରିଚାଳନା କରିବା ।

ସୁରକ୍ଷା ପ୍ରଦାନକାରୀ ଈଶ୍ୱର

 ସୁରକ୍ଷା ପ୍ରଦାନକାରୀ ଈଶ୍ୱର

ଆଜିର ଚିନ୍ତା

ଗୀତ ୪୪:୧-୨୬

ମୋର ପ୍ରକୃତ ସାହାଯ୍ୟକାରୀ କିଏ ? 


ସାଧାରଣତଃ, ଯଦି ଅରାଜକତା ଓ ପାପର ମାତ୍ରା ବଢିଚାଲେ, ତେବେ ବିଫଳତା ଓ ହାହାକାର ବଢ଼ିଚାଲେ, ମାତ୍ର ଈଶ୍ଵରପରାୟଣତା ଦେଖାଗଲେ, ରାଜ୍ୟରେ ସମୃଦ୍ଧି ଓ ସଫଳତା ଦେଖାଯାଏ । ଏ ଗୀତରେ ଈଶ୍ୱରଙ୍କ ଲୋକମାନେ କଷ୍ଟ ପାଆନ୍ତି ଓ ପରେ ଈଶ୍ଵର କିପରି ଉଦ୍ଧାର କରନ୍ତି ତାହାହିଁ ଲେଖାଯାଏ । 



ଅତୀତର ଅନୁଭୁତି (୧-୮) :

 ଅତୀତରେ ଇସ୍ରାୟେଲୀୟମାନଙ୍କୁ ଶତ୍ରୁମାନଙ୍କ ହସ୍ତରୁ ଈଶ୍ଵର କିପରି ରକ୍ଷା କରିଥିଲେ ଓ ତାଙ୍କର ଅନୁଗ୍ରହ, ଦକ୍ଷିଣହସ୍ତ କିପରି ବିପକ୍ଷମାନଙ୍କୁ ଲଜ୍ଜିତ କରି, ମନୋନୀତମାନଙ୍କୁ ରୋପଣ କରିଥିଲେ, ତାହା ଗୀତରଚକ ମନେ ପକାଉଛନ୍ତି । ଅତୀତର ଅନୁଭୁତି ଆମକୁ ଈଶ୍ୱରଙ୍କ ଠାରେ ବିଶ୍ୱାସ କରିବାକୁ ସାହାଯ୍ୟ କରିଥାଏ କି ? 


ବର୍ତ୍ତମାନର ପରିସ୍ଥିତି (୯-୧୬) : 

ଇମୋରୀୟ ଓ ମୋୟାବୀୟମାନଙ୍କ ଦୃଷ୍ଟିରେ ଆମେ ବିଦ୍ରୁପର ପାତ୍ର । ସେମାନଙ୍କ ଖାଦ୍ୟ ନିମନ୍ତେ ଆମେ ମେଷଗଣ ତୁଲ୍ୟ । ସେମାନଙ୍କ ଦୃଷ୍ଟିରେ ଆମେ ଅପମାନିତ, ତିରସ୍କୃତ, ଲଜ୍ଜିତ ଓ ନ୍ୟୁନୀକୃତ । ସେମାନେ ବିଦ୍ରୁପ କରି କହନ୍ତି, ତୁମ୍ଭର ପରମେଶ୍ୱରଙ୍କ ପ୍ରତିଜ୍ଞା ସକଳ ମୂଲ୍ୟହୀନ । ଏହା ଗୀତରଚକଙ୍କୁ  ବ୍ୟଥିତ କରୁଛି । 


ଈଶ୍ୱରଙ୍କ ସହାନୁଭୂତି ନିମନ୍ତେ ପ୍ରାର୍ଥନା (୧୭-୨୬) :

ଯଦ୍ୟପି ଦିନଯାକ ଆମେ ମାନସିକ ଭାବେ, ଶାରୀରିକ ଭାବେ ଓ ଆତ୍ମିକ ଭାବେ ହତ ହେଉଅଛୁ ଓ ହତ୍ୟା ନିମନ୍ତେ ମେଷଗଣ ତୁଲ୍ୟ ହୋଇଅଛୁ । ତଥାପି ଆମେ ତୁମଠୁ ବିମୁଖ ହୋଇ ନାହୁ କିଆବା ପଥଭ୍ରଷ୍ଟ ହୋଇ ନାହୁ, ଆମ୍ଭମାନଙ୍କ ପ୍ରାଣ ଧୂଳିରେ ଅବନତ । ତୁମ୍ଭେ କାହିଁକି ଆପଣା ମୁଖ ଲୁଚାଉଅଛ ଓ ଆମ୍ଭମାନଙ୍କ ପ୍ରାର୍ଥନା ଶୁଣୁ ନାହଁ ? ସାହାଯ୍ୟ ନିମନ୍ତେ ଉଠ ଓ ଆପଣା ସ୍ନେହପୂର୍ଣ୍ଣ କରୁଣାରେ ଆମ୍ଭମାନଙ୍କୁ ମୁକ୍ତ କର । ଦୁଃଖ ବା ସମସ୍ୟା ଆସିଲେ, ଈଶ୍ୱରଙ୍କଠାରେ ପ୍ରାର୍ଥନା କଲେ, ସେ ଆମକୁ ସାହାଯ୍ୟ କରିବା ନିମନ୍ତେ ସଦାପ୍ରସ୍ତୁତ, ଏହା ମୁଁ ବିଶ୍ଵାସ କରେ କି ?

ଆଦର୍ଶ ଖ୍ରୀଷ୍ଟୀୟ ଆଚରଣ

 ଆଦର୍ଶ ଖ୍ରୀଷ୍ଟୀୟ ଆଚରଣ

କଲସୀୟ ୩:୧୨-୧୭


ମୋର ଆଚରଣ ଓ ଉଚ୍ଚାରଣରେ ମୁଁ ପ୍ରଭୁଙ୍କୁ ଗୌରବ ଦେଇ ଥାଏ କି ?


ସଂପୃକ୍ତ ଅଂଶରେ ପାଉଲ ବିଶ୍ଵାସୀମାନଙ୍କୁ ପ୍ରେମକୁ ଖ୍ରୀଷ୍ଟିୟାନର ଚିହ୍ନ ସ୍ଵରୂପେ ପରିଧାନ କରିବା ନିମନ୍ତେ ଉତ୍ସାହିତ କରନ୍ତି । ତାହା ସହିତ ପରସ୍ପରକୁ କ୍ଷମା ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଅଛନ୍ତି। 


ପରସ୍ପରକୁ କ୍ଷମା କରିବା : 

ଜଣେ ଅନେକ ଗୁଣୀ, ଅନୁଭବୀ, ପ୍ରଭାବଶାଳୀ, କ୍ଷମତା ସମ୍ପନ୍ନ ହୋଇଥିଲେ ମଧ୍ୟ, କ୍ଷମା ଦେବାର ସ୍ଵଭାବ ନ ଥିଲେ ଈଶ୍ଵରଙ୍କର ପ୍ରୀତିଭୋଜନ ହୋଇପାରିବେ ନାହିଁ (ମାଥିଉ ୬:୧୫) । ଏହା ବ୍ୟବହାରିକ ଖ୍ରୀଷ୍ଟିୟାନ ହେବା ଦିଗରେ ଏକ ପ୍ରଧାନ ପଦକ୍ଷେପ ଅଟେ । କ୍ଷମା ଦେବା ସହଜ ବିଷୟ ନୁହଁ, କିନ୍ତୁ ଏହା ଅସମ୍ଭବ ମଧ୍ୟ ନୁହେଁ । ପଠିତ ଶାସ୍ତ୍ରାଂଶରେ ଏହି ସମସ୍ୟାର ସମାଧାନକୁ ନେଇ ପ୍ରେରିତ ପାଉଲ ଖ୍ରୀଷ୍ଟ ଯୀଶୁଙ୍କର କ୍ଷମାର କାର୍ଯ୍ୟକୁ ସ୍ମରଣ କରାଇ, ସେହି ପ୍ରକାରେ କରିବା ପାଇଁ କୁହନ୍ତି । ଯଦି ଆମେ କ୍ରୁଶରେ ଯୀଶୁଙ୍କର ଆମ ନିମନ୍ତେ କରାଯାଇଥିବା ପ୍ରାୟଶ୍ଚିତକୁ ଆଖି ଆଗରେ ରଖିବା, ତେବେ ନିଶ୍ଚିତ ଅନ୍ୟକୁ କ୍ଷମା ଦେଇପାରିବା । 


ଖ୍ରୀଷ୍ଟୀୟ ପ୍ରେମରେ ପରିପୂର୍ଣ୍ଣ ହେବା : 

ଯେତେବେଳେ ଆମ ହୃଦୟ ଖ୍ରୀଷ୍ଟଙ୍କ ପ୍ରତି ପ୍ରେମ ଓ ନିଷ୍ଠାରେ ପରିପୂର୍ଣ୍ଣ ହୋଇ ରହିବ, ସେତେବେଳେ ଆମେ ଆମର ପ୍ରତିବାଦୀମାନଙ୍କୁ ମଧ୍ୟ ପ୍ରେମ କରିବା ପାଇଁ ସମର୍ଥ ହେବା । କାରଣ ପ୍ରେମର ଅନେକ ବୈଶିଷ୍ଟ୍ୟ ରହିଅଛି (୧ କର ୧୩:୪-୮), ଏହା ବହୁଳ ପାପ ଆଚ୍ଛାଦନ କରେ (୧ପିତର ୪:୮), ଆମକୁ ସିଦ୍ଧ ହେବାକୁ ସାହାଯ୍ୟ କରେ ଓ ଶାନ୍ତି ପଥରେ କଢାଏ (କଲସୀୟ ୩:୧୪-୧୫) । ଏହି ପ୍ରେମକୁ ଆମ ହୃଦୟରେ ସଞ୍ଚାରଣ କରିବା ନିମନ୍ତେ, ଆମ ପ୍ରତିବାଦୀମାନଙ୍କ ପାଇଁ ପ୍ରତିଦିନ ପ୍ରାର୍ଥନା କରିବା ଯଦ୍ଵରା ସେମାନଙ୍କ ଦୁର୍ବ୍ୟବହାର ପ୍ରତିବଦଳରେ ଆମେ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିପାରିବା (ରୋମୀ ୧୨:୧୪-୨୧) ।


ଖ୍ରୀଷ୍ଟଙ୍କ ଜ୍ଞାନରେ ପରିପୂର୍ଣ୍ଣ ହେବା :

ଆମେ ନିଜ ଜ୍ଞାନରେ ପରିଚାଳିତ ନ ହୋଇ, ଯେତେବେଳେ ଈଶ୍ୱରଙ୍କ ବାକ୍ୟର ବଶୀଭୂତ ହୋଇ ତାଙ୍କ ସାନ୍ନିଧ୍ୟରେ ସମୟ ବ୍ୟତୀତ କରିଥାଉ, ସେତେବେଳେ ପବିତ୍ର ଆତ୍ମା ଆମ ମଧ୍ୟରେ ଅଦ୍ଭୁତ ଭାବରେ କାର୍ଯ୍ୟ କରିଥାନ୍ତି ଓ ଆମେ ସ୍ୱତଃପ୍ରବୃତ ଭାବରେ କ୍ଷମା ଦେବା ନିମନ୍ତେ ଆଗଭବ ହେଉ । ଆସନ୍ତୁ ବିଳମ୍ବ ନ ହେଉଣୁ ନିଜକୁ ପ୍ରସ୍ତୁତ କରିବା । 

ଖ୍ରୀଷ୍ଟଙ୍କ ମହାନତା

 ଖ୍ରୀଷ୍ଟଙ୍କ ମହାନତା

ଆଜିର ଚିନ୍ତା

କଲସୀୟ ୧:୧୫-୨୩


ମୁଁ ଖ୍ରୀଷ୍ଟଙ୍କ ପରିତ୍ରାଣ କାର୍ଯ୍ୟକୁ ହୃଦୟଙ୍ଗମ କରିଛି କି ?


ଖ୍ରୀଷ୍ଟ ଆମ୍ଭମାନଙ୍କୁ ଅନ୍ଧକାର ଶକ୍ତିକୁ ଉଦ୍ଧାର କରି ଜୀବନର ଲକ୍ଷ୍ୟ ଯେ ଖ୍ରୀଷ୍ଟଙ୍କ ରାଜ୍ୟ, ସେଥିରେ ପ୍ରବେଶ କରାଇ ଅଛନ୍ତି । ପାପକ୍ଷମା ଓ ପୁନର୍ଜନ୍ମର ଅନୁଭୂତି ଦ୍ଵାରା ଆମେ ଖ୍ରୀଷ୍ଟଙ୍କର ଈଶ୍ଵରତ୍ଵ, ମହାନତା ଓ ବ୍ୟକ୍ତିତ୍ୱ, ବିଷୟରେ ଜାଣିବାର ସୁଯୋଗ ପାଇଅଛୁ । ଯୋହନ ୧:୧ ଅନୁସାରେ ଯୀଶୁ ଆଦ୍ୟରେ ଥିଲେ, ସମସ୍ତ ବିଷୟର ସୃଷ୍ଟିକର୍ତ୍ତା, ଈଶ୍ଵର । ସେହି ବାକ୍ୟ ଦେହବନ୍ତ ହୋଇ ଧରାପୃଷ୍ଟକୁ ଆସି ଆମ୍ଭମାନଙ୍କୁ ପିତାଙ୍କ ସହିତ ମିଳିତ କରାଇଲେ । ଅନନ୍ତ ପାପରୁ ଉଦ୍ଧାର କରି ଅନନ୍ତ ଜୀବନର ମାର୍ଗ ଦେଖାଇଲେ ଏବଂ ସେ ଯେ ପଥ, ସତ୍ୟ ଓ ଜୀବନ ତାହା ପ୍ରତିପାଦିତ କଲେ l ଫିଲିପ୍ ଙ୍କୁ ଯୀଶୁ ପ୍ରଶ୍ନର ଉତ୍ତର ଦେଲେ "ଯେ ମୋତେ ଦର୍ଶନ କରିଛି ସେ ପିତାଙ୍କୁ ଦର୍ଶନ କରିଛି" (ଯୋହନ ୧୦:୩୦) ।


ମଣ୍ଡଳୀ ଓ ଖ୍ରୀଷ୍ଟଙ୍କ ସଂପର୍କ : 

ସର୍ବୋପରି ପାଉଲ ପ୍ରତିପାଦନ କରନ୍ତି ଯେ ମଣ୍ଡଳୀରୂପ ଶରୀରର ଖ୍ରୀଷ୍ଟ ହେଉଛନ୍ତି ମସ୍ତକ । ତେଣୁ ମହାନ୍ ଈଶ୍ଵର, ମହାନ୍ ସୃଷ୍ଟିକର୍ତ୍ତା ଓ ମହାନ୍ ଉଦ୍ଧାରକର୍ତ୍ତା ରୂପେ ପୂର୍ବରେ ଈଶ୍ଵର ବିହୀନ ଥିଲୁ ଯେ ଆମ୍ଭେମାନେ, ଆମ୍ଭମାନଙ୍କୁ ପାପରୂପକ ମୃତ୍ୟୁରୁ ନିଜ ମୃତ୍ୟୁଭୋଗ ଦ୍ଵାରା ଉଦ୍ଧାର କରି ଈଶ୍ୱରଙ୍କ ସହିତ ସଂସ୍ଥାପନ କରିଅଛନ୍ତି । ଏହି ସିଦ୍ଧାନ୍ତ ଅଟଳ ଅଟେ । ତେଣୁ ଅନ୍ୟ ଶିକ୍ଷା ବା ପ୍ରରୋଚନାରେ ବିଚଳିତ ନ ହେବା ପାଇଁ ପାଉଲ କଲସୀ ମଣ୍ଡଳୀକୁ ପରାମର୍ଶ ଦିଅନ୍ତି ଯେପରି ସେମାନେ ବିଶ୍ଵାସରେ ସ୍ଥିର ଓ ବଦ୍ଧମୂଳ ହୋଇ ରହିବେ । 


ଖ୍ରୀଷ୍ଟ ବିଶ୍ୱାସୀ ଓ ଖ୍ରୀଷ୍ଟଙ୍କ ସଂପର୍କ : 

ପତ୍ରର ଆରମ୍ଭରେ ପାଉଲ କଲସୀୟ ମଣ୍ଡଳୀର ବିଶ୍ୱାସୀଙ୍କୁ ସେମାନଙ୍କର ଧର୍ଯ୍ୟ ଓ ପ୍ରେମର କାର୍ଯ୍ୟ ନିମନ୍ତେ ପ୍ରଶଂସା କରିଥିଲେ । ବର୍ତ୍ତମାନ ସେ ସୁସମାଚାରର ଗଭୀରତାକୁ ବୁଝାଇବାକୁ ଯାଇ କହନ୍ତି, ଖ୍ରୀଷ୍ଟ ଯୀଶୁ ଈଶ୍ୱରଙ୍କ ପୁତ୍ର ନିଜ ଶରୀରକୁ କ୍ରୁଶରେ ବଳିଦାନ କଲେ, ଯେପରି ତାହାଙ୍କର ପ୍ରାୟଶ୍ଚିତରେ ବିଶ୍ଵାସ କରିବା ଦ୍ଵାରା ଆମେ ପାପକ୍ଷମା ପାଇ ଈଶ୍ୱରଙ୍କ ସହ ପୁନର୍ବାର ମିଳିତ ହୋଇପାରିବା । ଆମେ ଆଉ ଆମର ନୋହୁ, ଆମେ ଖ୍ରୀଷ୍ଟଙ୍କ ରକ୍ତ ଦ୍ଵାରା କିଣା ଯାଇ ପାପରୁ ମୁକ୍ତ ହୋଇଅଛୁ ।