BN

ଆଦର୍ଶ ଖ୍ରୀଷ୍ଟୀୟ ଆଚରଣ

 ଆଦର୍ଶ ଖ୍ରୀଷ୍ଟୀୟ ଆଚରଣ

କଲସୀୟ ୩:୧୨-୧୭


ମୋର ଆଚରଣ ଓ ଉଚ୍ଚାରଣରେ ମୁଁ ପ୍ରଭୁଙ୍କୁ ଗୌରବ ଦେଇ ଥାଏ କି ?


ସଂପୃକ୍ତ ଅଂଶରେ ପାଉଲ ବିଶ୍ଵାସୀମାନଙ୍କୁ ପ୍ରେମକୁ ଖ୍ରୀଷ୍ଟିୟାନର ଚିହ୍ନ ସ୍ଵରୂପେ ପରିଧାନ କରିବା ନିମନ୍ତେ ଉତ୍ସାହିତ କରନ୍ତି । ତାହା ସହିତ ପରସ୍ପରକୁ କ୍ଷମା ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଅଛନ୍ତି। 


ପରସ୍ପରକୁ କ୍ଷମା କରିବା : 

ଜଣେ ଅନେକ ଗୁଣୀ, ଅନୁଭବୀ, ପ୍ରଭାବଶାଳୀ, କ୍ଷମତା ସମ୍ପନ୍ନ ହୋଇଥିଲେ ମଧ୍ୟ, କ୍ଷମା ଦେବାର ସ୍ଵଭାବ ନ ଥିଲେ ଈଶ୍ଵରଙ୍କର ପ୍ରୀତିଭୋଜନ ହୋଇପାରିବେ ନାହିଁ (ମାଥିଉ ୬:୧୫) । ଏହା ବ୍ୟବହାରିକ ଖ୍ରୀଷ୍ଟିୟାନ ହେବା ଦିଗରେ ଏକ ପ୍ରଧାନ ପଦକ୍ଷେପ ଅଟେ । କ୍ଷମା ଦେବା ସହଜ ବିଷୟ ନୁହଁ, କିନ୍ତୁ ଏହା ଅସମ୍ଭବ ମଧ୍ୟ ନୁହେଁ । ପଠିତ ଶାସ୍ତ୍ରାଂଶରେ ଏହି ସମସ୍ୟାର ସମାଧାନକୁ ନେଇ ପ୍ରେରିତ ପାଉଲ ଖ୍ରୀଷ୍ଟ ଯୀଶୁଙ୍କର କ୍ଷମାର କାର୍ଯ୍ୟକୁ ସ୍ମରଣ କରାଇ, ସେହି ପ୍ରକାରେ କରିବା ପାଇଁ କୁହନ୍ତି । ଯଦି ଆମେ କ୍ରୁଶରେ ଯୀଶୁଙ୍କର ଆମ ନିମନ୍ତେ କରାଯାଇଥିବା ପ୍ରାୟଶ୍ଚିତକୁ ଆଖି ଆଗରେ ରଖିବା, ତେବେ ନିଶ୍ଚିତ ଅନ୍ୟକୁ କ୍ଷମା ଦେଇପାରିବା । 


ଖ୍ରୀଷ୍ଟୀୟ ପ୍ରେମରେ ପରିପୂର୍ଣ୍ଣ ହେବା : 

ଯେତେବେଳେ ଆମ ହୃଦୟ ଖ୍ରୀଷ୍ଟଙ୍କ ପ୍ରତି ପ୍ରେମ ଓ ନିଷ୍ଠାରେ ପରିପୂର୍ଣ୍ଣ ହୋଇ ରହିବ, ସେତେବେଳେ ଆମେ ଆମର ପ୍ରତିବାଦୀମାନଙ୍କୁ ମଧ୍ୟ ପ୍ରେମ କରିବା ପାଇଁ ସମର୍ଥ ହେବା । କାରଣ ପ୍ରେମର ଅନେକ ବୈଶିଷ୍ଟ୍ୟ ରହିଅଛି (୧ କର ୧୩:୪-୮), ଏହା ବହୁଳ ପାପ ଆଚ୍ଛାଦନ କରେ (୧ପିତର ୪:୮), ଆମକୁ ସିଦ୍ଧ ହେବାକୁ ସାହାଯ୍ୟ କରେ ଓ ଶାନ୍ତି ପଥରେ କଢାଏ (କଲସୀୟ ୩:୧୪-୧୫) । ଏହି ପ୍ରେମକୁ ଆମ ହୃଦୟରେ ସଞ୍ଚାରଣ କରିବା ନିମନ୍ତେ, ଆମ ପ୍ରତିବାଦୀମାନଙ୍କ ପାଇଁ ପ୍ରତିଦିନ ପ୍ରାର୍ଥନା କରିବା ଯଦ୍ଵରା ସେମାନଙ୍କ ଦୁର୍ବ୍ୟବହାର ପ୍ରତିବଦଳରେ ଆମେ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିପାରିବା (ରୋମୀ ୧୨:୧୪-୨୧) ।


ଖ୍ରୀଷ୍ଟଙ୍କ ଜ୍ଞାନରେ ପରିପୂର୍ଣ୍ଣ ହେବା :

ଆମେ ନିଜ ଜ୍ଞାନରେ ପରିଚାଳିତ ନ ହୋଇ, ଯେତେବେଳେ ଈଶ୍ୱରଙ୍କ ବାକ୍ୟର ବଶୀଭୂତ ହୋଇ ତାଙ୍କ ସାନ୍ନିଧ୍ୟରେ ସମୟ ବ୍ୟତୀତ କରିଥାଉ, ସେତେବେଳେ ପବିତ୍ର ଆତ୍ମା ଆମ ମଧ୍ୟରେ ଅଦ୍ଭୁତ ଭାବରେ କାର୍ଯ୍ୟ କରିଥାନ୍ତି ଓ ଆମେ ସ୍ୱତଃପ୍ରବୃତ ଭାବରେ କ୍ଷମା ଦେବା ନିମନ୍ତେ ଆଗଭବ ହେଉ । ଆସନ୍ତୁ ବିଳମ୍ବ ନ ହେଉଣୁ ନିଜକୁ ପ୍ରସ୍ତୁତ କରିବା । 

ଖ୍ରୀଷ୍ଟଙ୍କ ମହାନତା

 ଖ୍ରୀଷ୍ଟଙ୍କ ମହାନତା

ଆଜିର ଚିନ୍ତା

କଲସୀୟ ୧:୧୫-୨୩


ମୁଁ ଖ୍ରୀଷ୍ଟଙ୍କ ପରିତ୍ରାଣ କାର୍ଯ୍ୟକୁ ହୃଦୟଙ୍ଗମ କରିଛି କି ?


ଖ୍ରୀଷ୍ଟ ଆମ୍ଭମାନଙ୍କୁ ଅନ୍ଧକାର ଶକ୍ତିକୁ ଉଦ୍ଧାର କରି ଜୀବନର ଲକ୍ଷ୍ୟ ଯେ ଖ୍ରୀଷ୍ଟଙ୍କ ରାଜ୍ୟ, ସେଥିରେ ପ୍ରବେଶ କରାଇ ଅଛନ୍ତି । ପାପକ୍ଷମା ଓ ପୁନର୍ଜନ୍ମର ଅନୁଭୂତି ଦ୍ଵାରା ଆମେ ଖ୍ରୀଷ୍ଟଙ୍କର ଈଶ୍ଵରତ୍ଵ, ମହାନତା ଓ ବ୍ୟକ୍ତିତ୍ୱ, ବିଷୟରେ ଜାଣିବାର ସୁଯୋଗ ପାଇଅଛୁ । ଯୋହନ ୧:୧ ଅନୁସାରେ ଯୀଶୁ ଆଦ୍ୟରେ ଥିଲେ, ସମସ୍ତ ବିଷୟର ସୃଷ୍ଟିକର୍ତ୍ତା, ଈଶ୍ଵର । ସେହି ବାକ୍ୟ ଦେହବନ୍ତ ହୋଇ ଧରାପୃଷ୍ଟକୁ ଆସି ଆମ୍ଭମାନଙ୍କୁ ପିତାଙ୍କ ସହିତ ମିଳିତ କରାଇଲେ । ଅନନ୍ତ ପାପରୁ ଉଦ୍ଧାର କରି ଅନନ୍ତ ଜୀବନର ମାର୍ଗ ଦେଖାଇଲେ ଏବଂ ସେ ଯେ ପଥ, ସତ୍ୟ ଓ ଜୀବନ ତାହା ପ୍ରତିପାଦିତ କଲେ l ଫିଲିପ୍ ଙ୍କୁ ଯୀଶୁ ପ୍ରଶ୍ନର ଉତ୍ତର ଦେଲେ "ଯେ ମୋତେ ଦର୍ଶନ କରିଛି ସେ ପିତାଙ୍କୁ ଦର୍ଶନ କରିଛି" (ଯୋହନ ୧୦:୩୦) ।


ମଣ୍ଡଳୀ ଓ ଖ୍ରୀଷ୍ଟଙ୍କ ସଂପର୍କ : 

ସର୍ବୋପରି ପାଉଲ ପ୍ରତିପାଦନ କରନ୍ତି ଯେ ମଣ୍ଡଳୀରୂପ ଶରୀରର ଖ୍ରୀଷ୍ଟ ହେଉଛନ୍ତି ମସ୍ତକ । ତେଣୁ ମହାନ୍ ଈଶ୍ଵର, ମହାନ୍ ସୃଷ୍ଟିକର୍ତ୍ତା ଓ ମହାନ୍ ଉଦ୍ଧାରକର୍ତ୍ତା ରୂପେ ପୂର୍ବରେ ଈଶ୍ଵର ବିହୀନ ଥିଲୁ ଯେ ଆମ୍ଭେମାନେ, ଆମ୍ଭମାନଙ୍କୁ ପାପରୂପକ ମୃତ୍ୟୁରୁ ନିଜ ମୃତ୍ୟୁଭୋଗ ଦ୍ଵାରା ଉଦ୍ଧାର କରି ଈଶ୍ୱରଙ୍କ ସହିତ ସଂସ୍ଥାପନ କରିଅଛନ୍ତି । ଏହି ସିଦ୍ଧାନ୍ତ ଅଟଳ ଅଟେ । ତେଣୁ ଅନ୍ୟ ଶିକ୍ଷା ବା ପ୍ରରୋଚନାରେ ବିଚଳିତ ନ ହେବା ପାଇଁ ପାଉଲ କଲସୀ ମଣ୍ଡଳୀକୁ ପରାମର୍ଶ ଦିଅନ୍ତି ଯେପରି ସେମାନେ ବିଶ୍ଵାସରେ ସ୍ଥିର ଓ ବଦ୍ଧମୂଳ ହୋଇ ରହିବେ । 


ଖ୍ରୀଷ୍ଟ ବିଶ୍ୱାସୀ ଓ ଖ୍ରୀଷ୍ଟଙ୍କ ସଂପର୍କ : 

ପତ୍ରର ଆରମ୍ଭରେ ପାଉଲ କଲସୀୟ ମଣ୍ଡଳୀର ବିଶ୍ୱାସୀଙ୍କୁ ସେମାନଙ୍କର ଧର୍ଯ୍ୟ ଓ ପ୍ରେମର କାର୍ଯ୍ୟ ନିମନ୍ତେ ପ୍ରଶଂସା କରିଥିଲେ । ବର୍ତ୍ତମାନ ସେ ସୁସମାଚାରର ଗଭୀରତାକୁ ବୁଝାଇବାକୁ ଯାଇ କହନ୍ତି, ଖ୍ରୀଷ୍ଟ ଯୀଶୁ ଈଶ୍ୱରଙ୍କ ପୁତ୍ର ନିଜ ଶରୀରକୁ କ୍ରୁଶରେ ବଳିଦାନ କଲେ, ଯେପରି ତାହାଙ୍କର ପ୍ରାୟଶ୍ଚିତରେ ବିଶ୍ଵାସ କରିବା ଦ୍ଵାରା ଆମେ ପାପକ୍ଷମା ପାଇ ଈଶ୍ୱରଙ୍କ ସହ ପୁନର୍ବାର ମିଳିତ ହୋଇପାରିବା । ଆମେ ଆଉ ଆମର ନୋହୁ, ଆମେ ଖ୍ରୀଷ୍ଟଙ୍କ ରକ୍ତ ଦ୍ଵାରା କିଣା ଯାଇ ପାପରୁ ମୁକ୍ତ ହୋଇଅଛୁ ।

ସୁସମାଚାରର ଭରସା

ସୁସମାଚାରର ଭରସା

ଆଜିର ଚିନ୍ତା

କଲସୀୟ ୧:୧-୧୮

ମୋର ଆତ୍ମିକ ଜୀବନର ଭରସାର ସ୍ଥଳ କିଏ ?


ରୋମରେ ବନ୍ଦୀ ଅବସ୍ଥାରେ ଥାଇ ଖ୍ରୀଷ୍ଟଙ୍କ ଦାସ ପ୍ରେରିତ ପାଉଲ ଏସିଆ ମାଇନରର ଦକ୍ଷିଣ ପଶ୍ଚିମରେ ଥିବା କଲସୀୟ ମଣ୍ଡଳୀକୁ ପତ୍ର ଲେଖନ୍ତି । ଏଫିସୀ ମଣ୍ଡଳୀରେ ପାଉଲଙ୍କର ତିନି ବର୍ଷରୁ ଉର୍ଦ୍ଧ୍ବ ସୁସମାଚାର ପ୍ରଚାର ଦ୍ଵାରା ନିକଟବର୍ତ୍ତୀ କଲସୀରେ ଏପାଫ୍ରାଙ୍କ ଯତ୍ନରେ ବିଶ୍ୱାସୀଙ୍କ ସଂଖ୍ୟା ବୃଦ୍ଧି ହୋଇ ଏକ ମଣ୍ଡଳୀ ଗଢ଼ି ଉଠିଥିଲା (୧:୭) ।

ଖ୍ରୀଷ୍ଟୟ ଅଭିନନ୍ଦନ (୧:୧-୨) : 

ବିଶ୍ୱାସୀମାନଙ୍କର ପତ୍ର ଲିଖନର ସମ୍ଭାଷଣ ଶୈଳୀ ପାଉଲଙ୍କ ପ୍ରତ୍ୟେକ ପତ୍ରର ପ୍ରାରମ୍ଭିକ ଅଭିବାଦନ ଯଥା "ତୁମ୍ଭମାନଙ୍କ ପ୍ରତି ଅନୁଗ୍ରହ" ଓ "ଶାନ୍ତି ହେଉ" ଇତ୍ୟାଦି ବାକ୍ୟାଂଶ ଦ୍ଵାରା ପ୍ରଭାବିତ।  ଆମେ ଅନେକ ସମୟରେ ଆମର ପ୍ରଚାର, ପ୍ରାର୍ଥନା ତଥା ଚିଠି ଗୁଡିକରେ "ଅନୁଗ୍ରହ" ଓ "ଶାନ୍ତି" ଅନ୍ୟମାନଙ୍କ ନିମନ୍ତେ କାମନା କରିଥାଉ । କାରଣ ଈଶ୍ୱରଙ୍କ ଅନୁଗ୍ରହ ବିଶ୍ୱାସୀ ଜୀବନକୁ ତାହାଙ୍କ ସହିତ ସଂଯୁକ୍ତ କରି ରଖେ । ଯଦ୍ଵାରା ବିଶ୍ୱାସୀ ହୃଦୟରେ ସମସ୍ତ ପରିସ୍ଥିତି ମଧ୍ୟରେ ବୋଧର ଅଗମ୍ୟ ଶାନ୍ତି ଅନୁଭବ କରିବା ପାଇଁ ଶକ୍ତିପ୍ରାପ୍ତ ହୁଏ ।

ଧନ୍ୟବାଦ ଅର୍ପଣ ଓ ପ୍ରାର୍ଥନା (୧:୩-୪) : 

କଲସୀୟ ମଣ୍ଡଳୀର ବିଶ୍ୱାସୀ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ ଓ ଭବିଷ୍ୟତରେ ପାଇବାକୁ ଥିବା ସ୍ୱର୍ଗୀୟ ଭରସା  ହେତୁ, ପାଉଲ ସାଧୁମାନଙ୍କ ପ୍ରତି ସେମାନଙ୍କ ପ୍ରେମ ନିମନ୍ତେ ଈଶ୍ୱରଙ୍କୁ ଧନ୍ୟବାଦ ଦିଅନ୍ତି (୧:୩-୪) । କାରଣ ବିଶ୍ୱାସୀର ଆଶା ଓ ଭରସାର ମୂଳଭିତ୍ତି ଈଶ୍ୱରଙ୍କ ଓ ତାହାଙ୍କ ପୁତ୍ର ଖ୍ରୀଷ୍ଟଙ୍କ ଉପରେ ନିର୍ଭର କରେ । ଗୀତରଚକ ବିଶ୍ଵାସ ସହିତ ଆଶାକୁ ସଂଯୁକ୍ତ କରି ଲେଖନ୍ତି, ସଦାପ୍ରଭୁ ଆପଣା ପରମେଶ୍ୱର ଯାହାର ଆଶାଭୂମି, ସେ ଲୋକ ଧନ୍ୟ (ଗୀତ ୧୪୬:୫) ।

ଖ୍ରୀଷ୍ଟଙ୍କ ସୁସମାଚାରର ପ୍ରଭାବ (୧:୫-୮) :

ପାଉଲଙ୍କ ଦ୍ଵାରା ପ୍ରଚାରିତ ଖ୍ରୀଷ୍ଟଙ୍କ ତତ୍ତ୍ଵଜ୍ଞାନ ଏପାଫ୍ରା କଲସୀ ମଣ୍ଡଳୀରେ ସାମୟିକ ଭାବେ ପ୍ରଚାର କରି ସେମାନଙ୍କୁ ବିଶ୍ଵାସରେ ବୃଦ୍ଧି ଲାଭ କରିବା ନିମନ୍ତେ ପ୍ରସ୍ତୁତ କରିଥିଲେ । ଏପାଫ୍ରାଙ୍କ ଠାରୁ ଏହି ମଣ୍ଡଳୀର ସାଧୁମାନଙ୍କ ସମନ୍ଧରେ ଜ୍ଞାତ ହୋଇ ପାଉଲ ଏପାଫ୍ରାଙ୍କୁ ଜଣେ ବିଶ୍ଵସ୍ତ ସେବକର ଆଖ୍ୟା ଦିଅନ୍ତି (କଲସୀୟ ୧:୧୭) । ଆମ୍ଭମାନଙ୍କ ମଧ୍ୟରେ ଯେଉଁମାନେ ମଣ୍ଡଳୀର ସେବାରେ ଅଛୁ, ଆମେ ଈଶ୍ୱରଙ୍କ ଦାସ ବା ଦାସୀ ଆଖ୍ୟା ପାଇବାରେ ଅଭ୍ୟସ୍ତ କିନ୍ତୁ ପ୍ରକୃତରେ ଈଶ୍ୱରଙ୍କ ଦୃଷ୍ଟିରେ ଆମେ ବିଶ୍ଵସ୍ତ ଦାସ, ଦାସୀ କି ?

ସ୍ଵଗୌରବ ରକ୍ଷଣ ପରମେଶ୍ୱର

 ସ୍ଵଗୌରବ ରକ୍ଷଣ ପରମେଶ୍ୱର

ଆଜିର ଚିନ୍ତା


ଯାତ୍ରା ୩୦:୧୭-୩୮


ଈଶ୍ଵର ନିଜର ଗୌରବ ଅନ୍ୟମାନଙ୍କ ସହିତ ବାଣ୍ଟନ୍ତି ନାହିଁ ।


ଗତ ପାଠରେ ଆମେ ଯାଜକମାନଙ୍କର ଶୁଚିକରଣ ପ୍ରକ୍ରିୟା ବିଷୟରେ ଶୁଣିଥିଲୁ । ଆଜି ସେହିପରି ଆଉ କେତେକ ଶୁଚିକରଣ ବିଷୟ ଅଧ୍ୟୟନ କରିବା । ସେଥିମଧ୍ୟରେ ଜଳ, ତୈଳ ଓ ଧୂପ ଅନ୍ୟତମ । 


ପିତ୍ତଳ ଜଳ କୁଣ୍ଡ ବା ପ୍ରକ୍ଷାଳନ କୁଣ୍ଡ (୧୭-୨୧): ଯେତେବେଳେ ଯାଜକ ସ୍ନାନ ସାରି ନିଜର ପୋଷାକ ପିନ୍ଧି ପ୍ରଭୁଙ୍କର ସେବା କରିବାକୁ ସମାଗମ ତମ୍ବୁ ମଧ୍ୟକୁ ପ୍ରବେଶ କରୁଥିଲେ, ତାଙ୍କ ପ୍ରବେଶ ପଥ ମଧ୍ୟରେ ଥିଲା ଏହି ପ୍ରକ୍ଷାଳନ ଜଳ କୁଣ୍ଡ । ଯାଜକ ନିଜର ହସ୍ତ, ପାଦ ପ୍ରକ୍ଷାଳନ କରି ଭିତରକୁ ପ୍ରବେଶ କରୁଥିଲେ । ଏହା ଆମ ପାଇଁ ଏକ ଶିକ୍ଷଣୀୟ ବିଷୟ । ଆମେ ଉପାସନାଳୟ ମଧ୍ୟରେ ପ୍ରବେଶ କରିବା ସମୟରେ ସେହି ପବିତ୍ର ଈଶ୍ୱରଙ୍କ ଉପସ୍ଥିତିକୁ ଅନୁଭବ କରି, ଉପାସନାଳୟ ମଧ୍ୟକୁ ପ୍ରବେଶ କରିଥାଉ କି ? 


ଅଭିଷେକାର୍ଥକ ତୈଳ (୨୨-୩୩) : 

ଏହି ଅଭିଷେକାର୍ଥକ ତୈଳ କେଉଁଠୁ ଆସିବ ଓ ତାହା କିପରି ତିଆରି ହେବ ସ୍ୱୟଂ ପରମେଶ୍ୱର ଜଣାଇ ଥିଲେ । ତାହା କ'ଣ ପାଇଁ ଓ କେଉଁ କେଉଁ ସ୍ଥାନରେ ବ୍ୟବହାର ହେବ ତାହା ମଧ୍ୟ ଜଣାଇ ଥିଲେ । ମାତ୍ର ତାହା ସାଧାରଣ ବ୍ୟବହାର ପାଇଁ ଉଦ୍ଦିଷ୍ଟ ନ ଥିଲା । ଯଦି କେହି ଠିକ୍ ସେହି ଭଳି ତୈଳ ପ୍ରସ୍ତୁତ କରି ନିଜ ପାଇଁ ବ୍ୟବହାର କରିବାକୁ ଚେଷ୍ଟା କରିବ ତେବେ ତାକୁ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ କରାଯିବ (୩୩ପଦ) । ଏହା ପରମେଶ୍ବରଙ୍କ ଆଦେଶ ଥିଲା । 


ନିର୍ମଳ ପବିତ୍ର ସୁଗନ୍ଧି ଧୂପ (୩୪-୩୮) :

 ଅଭିଷେକାର୍ଥକ ତୈଳ ଭଳି, ନିର୍ମଳ ପବିତ୍ର ସୁଗନ୍ଧି ଧୂପ ତିଆରି କରିବା ବିଷୟରେ ପରମେଶ୍ୱର ମୋଶାଙ୍କୁ ବିଷଦ ଭାବରେ ଜଣାଇ ଥିଲେ । ଏହା ମଧ୍ୟ କେବଳ ଈଶ୍ୱରଙ୍କ ସେବାରେ ବ୍ୟବହାର ନିମନ୍ତେ ଉଦ୍ଦିଷ୍ଟ ଥିଲା । ଯଦି କେହି ଠିକ୍ ସେହିଭଳି ସୁଗନ୍ଧି ଧୂପ ତିଆରି କରି ଆପଣା ନିମନ୍ତେ ବ୍ୟବହାର କରିବାକୁ ଚେଷ୍ଟା କରିବ, ତାକୁ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ କରାଯିବ ୩୮ ପଦ । ଏହା ପ୍ରମାଣ କରେ ଯେ, ଈଶ୍ୱର ସ୍ଵଗୌରବ ରକ୍ଷଣେ ଉଦଯୋଗୀ ପରମେଶ୍ୱର ଅଟନ୍ତି, ସେ ଆପଣା ଗୌରବ ଅନ୍ୟମାନଙ୍କ ସହିତ ବାଣ୍ଟନ୍ତି ନାହିଁ (ଯାତ୍ରା ୩୪:୧୪) ।


ସତ୍ୟ ଉପାସନା

 ସତ୍ୟ ଉପାସନା

ଆଜିର ଚିନ୍ତା


ଯାତ୍ରା ୩୦:୧-୧୬


ଆମ ଉପାସନା ପଦ୍ଧତି ବାହ୍ୟିକ ନା ଆନ୍ତରିକ ?


ପୂର୍ବକାଳରେ ସମାଜ ଓ ଲୋକଙ୍କ ନିମନ୍ତେ ପାରମ୍ପରିକ ରୀତିନୀତିର ପ୍ରୟୋଜନ ଥିଲା । ଯୀଶୁଖ୍ରୀଷ୍ଟଙ୍କ ଆଗମନ ପରେ ଆମକୁ ନିଜ ପଥ ମନୋନୀତ କରିବାର ସ୍ୱାଧୀନତା ଦିଆଯାଇଛି । ଖ୍ରୀଷ୍ଟଦତ୍ତ ପରିତ୍ରାଣରେ ବିଶ୍ଵାସ କଲେ ଆମେ ଅନନ୍ତ ଜୀବନର ଅଧିକାରୀ ହେବା, ନଚେତ୍ ଅନନ୍ତ ବିନାଶର ସମ୍ମୁଖୀନ ହେବା । 


ଧୂପବେଦୀ :

 ପୁରାତନ ନିୟମରେ ଉଲ୍ଲିଖିତ ଧୂପବେଦୀକୁ ନୂତନ ନିୟମର ପରିପ୍ରେକ୍ଷୀରେ ଆଲୋଚନା କଲେ ଜାଣିବା ଯେ, ଧୂପ ଆମ ଆତ୍ମିକ ଜୀବନ ସହ ତୁଳନୀୟ । ମାନବ ଆତ୍ମାର ସୁଗନ୍ଧି ହିଁ ଈଶ୍ୱରଙ୍କ ଦୃଷ୍ଟିରେ ସୁଗ୍ରାହ୍ୟ । ହୃଦୟ ଯଦି ନାନା କଳୁଷତାରେ ପୂର୍ଣ୍ଣ ଥିବ, ଈଶ୍ଵର ସେ ହୃଦୟର ଉପାସନା ଗ୍ରହଣ କରିବେ ନାହିଁ । ନିରାଡମ୍ବର ଉପାସନା ଓ ଈଶ୍ୱରଙ୍କ ବେଦି (ପାଦ) ତଳେ ଅଧିକ ସମୟ ବାକ୍ୟ ଅଧ୍ୟୟନ ଓ ପ୍ରାର୍ଥନାରେ କ୍ଷେପନ କରିବା ଈଶ୍ବର ଅପେକ୍ଷା କରନ୍ତି


ବିଚ୍ଛେଦ ବସ୍ତ୍ର : 

ସମସ୍ତଙ୍କ ପାପର ପ୍ରାୟଶ୍ଚିତ ନିମନ୍ତେ ପ୍ରତିବର୍ଷ ଥରେ ବିଚ୍ଛେଦ ବସ୍ତ୍ରର ଅପର ପାର୍ଶ୍ଵକୁ ଯାଇ ମହାଯାଜକ ଈଶ୍ଵରଙ୍କ କାର୍ଯ୍ୟ ନିକଟରେ ପ୍ରାୟଶ୍ଚିତ ବଳି ଉତ୍ସର୍ଗ କରୁଥିଲେ । କିନ୍ତୁ ଯୀଶୁ ଖ୍ରୀଷ୍ଟ ତାଙ୍କ କ୍ରୁଶୀୟ ମୃତ୍ୟୁ ଓ ପୁନରୁତ୍ଥାନ ଦ୍ଵାରା ଈଶ୍ଵର ଓ ମନୁଷ୍ୟ ମଧ୍ୟରେ ବିଚ୍ଛେଦ ବସ୍ତ୍ରର ବାଧା ଦୂର କରିଛନ୍ତି । ଖ୍ରୀଷ୍ଟଦତ୍ତ ପରିତ୍ରାଣରେ ବିଶ୍ଵାସ କଲେ ଈଶ୍ୱରଙ୍କ ସହ ସିଧା ସଳଖ ସଂପର୍କ ସ୍ଥାପନ ହୋଇପାରିବେ । 


ସୁଗନ୍ଧି ଧୂପ : 

ସେତେବେଳେ ଦିନରେ ଦୁଇଥର ଧୂପ ଉତ୍ସର୍ଗ ହେଉଥିଲା । ହୁଏତ ପଶୁରକ୍ତ ଓ ପୋଡ଼ା ମାଂସରେ ଦୁର୍ଗନ୍ଧ ଦୂର କରିବା ନିମିତ୍ତ ଏହା ପ୍ରୟୋଜନ ଥିଲା । ଆମ ପାପର ଦୁର୍ଗନ୍ଧ ଦୂର କରିବା ନିମନ୍ତେ ଅନ୍ତରର ସ୍ତୁତି, ବନ୍ଦନା ଓ ପ୍ରାର୍ଥନା ହିଁ ଆମର ସୁଗନ୍ଧି ଧୂପ। ଏ ପ୍ରକାର ଧୂପ ଆମ ଆଧ୍ୟାତ୍ମିକ ଜୀବନକୁ ଉନ୍ନତତ୍ତର କରିବ ଓ ଆମର ଉପାସନା ଈଶ୍ୱରଙ୍କ ନିକଟରେ ଗ୍ରହଣୀୟ ହେବ । ବାହ୍ୟିକ ରୀତିନୀତିରେ ଈଶ୍ଵର ସନ୍ତୁଷ୍ଟ ନୁହନ୍ତି । ଯୀଶୁ ଶମିରୋଣୀୟା ସ୍ତ୍ରୀକୁ କହିଛନ୍ତି ଯେ କେବଳ ଆତ୍ମା ଓ ସତ୍ୟରେ ଉପାସନା ହିଁ ଈଶ୍ୱରଙ୍କ ନିକଟରେ ଗ୍ରାହ୍ୟ ।