BN

ସତ୍ୟ ଉପାସନା

 ସତ୍ୟ ଉପାସନା

ଆଜିର ଚିନ୍ତା


ଯାତ୍ରା ୩୦:୧-୧୬


ଆମ ଉପାସନା ପଦ୍ଧତି ବାହ୍ୟିକ ନା ଆନ୍ତରିକ ?


ପୂର୍ବକାଳରେ ସମାଜ ଓ ଲୋକଙ୍କ ନିମନ୍ତେ ପାରମ୍ପରିକ ରୀତିନୀତିର ପ୍ରୟୋଜନ ଥିଲା । ଯୀଶୁଖ୍ରୀଷ୍ଟଙ୍କ ଆଗମନ ପରେ ଆମକୁ ନିଜ ପଥ ମନୋନୀତ କରିବାର ସ୍ୱାଧୀନତା ଦିଆଯାଇଛି । ଖ୍ରୀଷ୍ଟଦତ୍ତ ପରିତ୍ରାଣରେ ବିଶ୍ଵାସ କଲେ ଆମେ ଅନନ୍ତ ଜୀବନର ଅଧିକାରୀ ହେବା, ନଚେତ୍ ଅନନ୍ତ ବିନାଶର ସମ୍ମୁଖୀନ ହେବା । 


ଧୂପବେଦୀ :

 ପୁରାତନ ନିୟମରେ ଉଲ୍ଲିଖିତ ଧୂପବେଦୀକୁ ନୂତନ ନିୟମର ପରିପ୍ରେକ୍ଷୀରେ ଆଲୋଚନା କଲେ ଜାଣିବା ଯେ, ଧୂପ ଆମ ଆତ୍ମିକ ଜୀବନ ସହ ତୁଳନୀୟ । ମାନବ ଆତ୍ମାର ସୁଗନ୍ଧି ହିଁ ଈଶ୍ୱରଙ୍କ ଦୃଷ୍ଟିରେ ସୁଗ୍ରାହ୍ୟ । ହୃଦୟ ଯଦି ନାନା କଳୁଷତାରେ ପୂର୍ଣ୍ଣ ଥିବ, ଈଶ୍ଵର ସେ ହୃଦୟର ଉପାସନା ଗ୍ରହଣ କରିବେ ନାହିଁ । ନିରାଡମ୍ବର ଉପାସନା ଓ ଈଶ୍ୱରଙ୍କ ବେଦି (ପାଦ) ତଳେ ଅଧିକ ସମୟ ବାକ୍ୟ ଅଧ୍ୟୟନ ଓ ପ୍ରାର୍ଥନାରେ କ୍ଷେପନ କରିବା ଈଶ୍ବର ଅପେକ୍ଷା କରନ୍ତି


ବିଚ୍ଛେଦ ବସ୍ତ୍ର : 

ସମସ୍ତଙ୍କ ପାପର ପ୍ରାୟଶ୍ଚିତ ନିମନ୍ତେ ପ୍ରତିବର୍ଷ ଥରେ ବିଚ୍ଛେଦ ବସ୍ତ୍ରର ଅପର ପାର୍ଶ୍ଵକୁ ଯାଇ ମହାଯାଜକ ଈଶ୍ଵରଙ୍କ କାର୍ଯ୍ୟ ନିକଟରେ ପ୍ରାୟଶ୍ଚିତ ବଳି ଉତ୍ସର୍ଗ କରୁଥିଲେ । କିନ୍ତୁ ଯୀଶୁ ଖ୍ରୀଷ୍ଟ ତାଙ୍କ କ୍ରୁଶୀୟ ମୃତ୍ୟୁ ଓ ପୁନରୁତ୍ଥାନ ଦ୍ଵାରା ଈଶ୍ଵର ଓ ମନୁଷ୍ୟ ମଧ୍ୟରେ ବିଚ୍ଛେଦ ବସ୍ତ୍ରର ବାଧା ଦୂର କରିଛନ୍ତି । ଖ୍ରୀଷ୍ଟଦତ୍ତ ପରିତ୍ରାଣରେ ବିଶ୍ଵାସ କଲେ ଈଶ୍ୱରଙ୍କ ସହ ସିଧା ସଳଖ ସଂପର୍କ ସ୍ଥାପନ ହୋଇପାରିବେ । 


ସୁଗନ୍ଧି ଧୂପ : 

ସେତେବେଳେ ଦିନରେ ଦୁଇଥର ଧୂପ ଉତ୍ସର୍ଗ ହେଉଥିଲା । ହୁଏତ ପଶୁରକ୍ତ ଓ ପୋଡ଼ା ମାଂସରେ ଦୁର୍ଗନ୍ଧ ଦୂର କରିବା ନିମିତ୍ତ ଏହା ପ୍ରୟୋଜନ ଥିଲା । ଆମ ପାପର ଦୁର୍ଗନ୍ଧ ଦୂର କରିବା ନିମନ୍ତେ ଅନ୍ତରର ସ୍ତୁତି, ବନ୍ଦନା ଓ ପ୍ରାର୍ଥନା ହିଁ ଆମର ସୁଗନ୍ଧି ଧୂପ। ଏ ପ୍ରକାର ଧୂପ ଆମ ଆଧ୍ୟାତ୍ମିକ ଜୀବନକୁ ଉନ୍ନତତ୍ତର କରିବ ଓ ଆମର ଉପାସନା ଈଶ୍ୱରଙ୍କ ନିକଟରେ ଗ୍ରହଣୀୟ ହେବ । ବାହ୍ୟିକ ରୀତିନୀତିରେ ଈଶ୍ଵର ସନ୍ତୁଷ୍ଟ ନୁହନ୍ତି । ଯୀଶୁ ଶମିରୋଣୀୟା ସ୍ତ୍ରୀକୁ କହିଛନ୍ତି ଯେ କେବଳ ଆତ୍ମା ଓ ସତ୍ୟରେ ଉପାସନା ହିଁ ଈଶ୍ୱରଙ୍କ ନିକଟରେ ଗ୍ରାହ୍ୟ । 

ଅନ୍ତର୍ବାସୀ ପରମେଶ୍ୱର

 ଅନ୍ତର୍ବାସୀ ପରମେଶ୍ୱର

ଆଜିର ଚିନ୍ତା


ଯାତ୍ରା ୨୯:୨୨-୪୬


ଆଜି ଈଶ୍ୱରଙ୍କ ଉଦ୍ଦେଶ୍ୟରେ କିପ୍ରକାର ନୈବେଦ୍ୟ ଓ ବଳିଦାନ ଉତ୍ସର୍ଗ କରିଅଛୁ ? 


ବଳିଦାନ :

 (୩୮ପଦ) ପ୍ରତିଦିନ ମେଷବଳି ଓ ରକ୍ତପାତ ଇସ୍ରାଏଲମାନଙ୍କର ଦୈନିକ ଶୁଚିକରଣ ବିଧିରୂପେ ପାଳିତ ହେଉଥିଲା । ଈଶ୍ୱରଙ୍କ ପୁତ୍ର ଯୀଶୁଖ୍ରୀଷ୍ଟ ଈଶ୍ୱରଙ୍କ ମେଷସ୍ୱରୂପ ଆମର ସମସ୍ତ ପାପ ବହି ନେଇ ଯାଇଛନ୍ତି (ଯୋହନ ୧:୨୯) । ଆଜି ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ, ଆମକୁ ପାପକ୍ଷମା ପରିତ୍ରାଣ ଦେବାରେ ସକ୍ଷମ ଅଟେ । ଈଶ୍ୱରଙ୍କ ମେଷଶାବକ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ରକ୍ତ ଆମ ନିମନ୍ତେ ପ୍ରାୟଶ୍ଚିତ ସାଧନ କରିଛି (୧ପିତର ୧୮-୧୮) । 


ଇମ୍ମାନୁୟେଲ :

 ଈଶ୍ଵର ଇସ୍ରାଏଲୀୟମାନଙ୍କୁ ମିସରରୁ ମୁକ୍ତ କରି ଆଣିବା ସମୟରେ ସେମାନଙ୍କୁ ପରିତ୍ୟାଗ କରିବା ବିଷୟ ଚିନ୍ତା କରି ନ ଥିଲେ । ସେ ସେମାନଙ୍କ ସହିତ ବାସ କରିବାକୁ ଚାହିଥିଲେ । ଈଶ୍ଵର ଲୋକମାନଙ୍କ ଦ୍ଵାରା ପ୍ରତିଦିନ ପୂଜା ପାଇବାର ଉପଯୁକ୍ତ ବୋଲି ପ୍ରାତଃକାଳ ଓ ସନ୍ଧ୍ୟାକାଳରେ ବଳିଦାନର ନିୟମ ଦିଆଯାଇଥିଲା । ଆମେ ଇସ୍ରାଏଲୀୟମାନଙ୍କୁଠାରୁ ଅଧିକ ଆଶୀର୍ବାଦପ୍ରାପ୍ତ ଅଟୁ । ଆଜି ସେ 'ଇମ୍ମାନୁୟେଲ' ଠାରୁ ମଧ୍ୟ ଆହୁରି ଅଧିକ ନିବିଡ଼ଭାବେ ଆମ ସଙ୍ଗେ ଜଡ଼ିତ ଅଛନ୍ତି । ସେ ଆମ ମଧ୍ୟରେ ଅର୍ଥାତ୍ ଆମ ହୃଦୟରେ ବାସ କରୁଛନ୍ତି । ଯେଉଁ ବିଶ୍ଵାସୀ ତାଙ୍କ ରକ୍ତରେ କ୍ଷମାପ୍ରାପ୍ତ, ତାହା ମଧ୍ୟରେ ସେ ବାସ କରନ୍ତି (୧ କର ୩:୧୬) ।

ଆମେ କ'ଣ ହୂଦୟରେ ବାସ କରୁଥିବା ଈଶ୍ୱରଙ୍କ ପ୍ରତି ପ୍ରତିଦିନ ପ୍ରଶଂସା, ଧନ୍ୟବାଦ ଓ ପୂଜାରେ ବଳି ଉତ୍ସର୍ଗ କରୁଛୁ ? ଆମର ଉପାସନା ପାଇଁ ପ୍ରଭୁ ଆମକୁ କେବେ ହେଁ ବାଧ୍ୟ କରନ୍ତି ନାହିଁ । କିନ୍ତୁ ଯଦି ଆମେ ଆମର ଜୀବନକୁ ନିରୀକ୍ଷଣ କରୁ ତେବେ ଈଶ୍ଵରଙ୍କର ମହାନତା, ଅନୁଗ୍ରହ ଓ ପ୍ରେମକୁ ଦେଖିପାରିବା । ସେତେବେଳେ ହୃଦୟର ପୂର୍ଣ୍ଣତାରୁ ମୁଖ କଥା କହିବାକୁ ଲାଗିବ । ସ୍ବତଃ ଉପାସନାର ଇଚ୍ଛା ଜାଗ୍ରତ ହେବ । 


ସେବକର ପ୍ରସ୍ତୁତି କରଣ

 ସେବକର ପ୍ରସ୍ତୁତି କରଣ

ଆଜିର ଚିନ୍ତା


ଯାତ୍ରା ୨୯:୧-୨୧


ମୁଁ ପ୍ରଭୁଙ୍କ ପ୍ରଦତ୍ତ ସେବା କାର୍ଯ୍ୟକୁ ହାଲୁକା ଭାବରେ ନେଉଛି କି ?


ଯାଜକ ଭାବରେ ପ୍ରଭୁଙ୍କର ଉପାସନା କରିବା ନିମନ୍ତେ ଈଶ୍ଵର ଭ୍ରାତା ହାରୋଣ ଓ ତାହାଙ୍କର ପୁତ୍ରମାନଙ୍କୁ ମନୋନୀତ କରିଥିଲେ । ସେମାନେ ମଧ୍ୟ ଈଶ୍ଵରଙ୍କର ବାଧ୍ୟ ହୋଇ ପ୍ରଦତ୍ତ ସେବା କାର୍ଯ୍ୟକୁ ସୂଚାରୁ ରୂପେ ପରିଚାଳନା କରୁଥିଲେ।  ଈଶ୍ୱରଙ୍କର ମନୋନୀତ ସେବକ ହେବା ନିମନ୍ତେ ଯାଜକମାନଙ୍କୁ ପ୍ରସ୍ତୁତ କରାଯାଉଥିଲା । ସେହି ସେବକର ପ୍ରସ୍ତୁତିକରଣ ବିଷୟରେ ଆମେ ଆଜିର ଅଧ୍ୟାୟରେ ପାଠ କରୁ । ଆଜି ସେହି ବିଷୟରେ ସଂକ୍ଷେପରେ ଆଲୋଚନା କରିବା । 


ମାନୋନୟନ :

 ଆମର ଈଶ୍ଵର ଶୃଙ୍ଖଳାର ଈଶ୍ଵର । ସେଥିପାଇଁ ସେ ହାରୋଣଙ୍କ ବଂଶକୁ ମାନୋନୟନ କଲେ । ଯଦି ଜଣେ ବ୍ୟକ୍ତି ଈଶ୍ୱରଙ୍କର ସେବକ ହେବାକୁ ଇଛା କରେ, ତେବେ ସେ ଜାଣିବା ଦରକାର ଯେ, ପ୍ରଭୁ ତାକୁ ସେହି ସେବାକାର୍ଯ୍ୟ ନିମନ୍ତେ ମନୋନୀତ କରିଛନ୍ତି ନ ନାହିଁ । ଯଦି ସେ ତା'ର ଆହ୍ଵାନକୁ ଜାଣେ ଓ ମାନୋନୟନକୁ ସଠିକ୍ ଭାବରେ ବୁଝିଥାଏ, ତେବେ ସେ ତା'ର ସେବା କାର୍ଯ୍ୟରେ ସଫଳ ହୁଏ ଓ ତଦ୍ୱାରା ପ୍ରଭୁ ଗୌରବାନ୍ୱିିତ ହୁଅନ୍ତି ।


ଶୁଚିକରଣ :

୪ ପଦରେ ଲେଖାଯାଇଥାଏ, "ସେମାନଙ୍କୁ ସ୍ନାନ କରାଇବେ" । ଯାଜକମାନଙ୍କୁ ଜଳରେ ଧୌତ କାରିବାର ପ୍ରଥା ସ୍ୱୟଂ ଈଶ୍ଵର ପ୍ରଦାନ କରିଥିଲେ । ଏହି ସ୍ନାନ ବା ଜଳରେ ପ୍ରକ୍ଷାଳନ ବିଧି ଶୂଚିକରଣ ନିଦର୍ଶନ । ଯଦିବା ଏହା ଶରୀରର ବର୍ହିଭାଗକୁ ପରିଷ୍କୃତ କରୁଥିଲା, ତଥାପି ସ୍ୱଇଛାରେ ତାହା କରିବା ଦ୍ଵାରା ସେମାନେ ଈଶ୍ୱରଙ୍କ ବଶତାକୁ ସମ୍ମାନ ଜଣାଇ ଆନ୍ତରିକ ଭାବରେ ଶୂଚିକୃତ ହେଉଥିଲେ । 


ପାବିତ୍ରୀକରଣ : 

ଆଜିର ପାଠରେ ଯାଜକମାନଙ୍କୁ ୩ଟି ପଶୁବଳୀ ମାଧ୍ୟମରେ ପବିତ୍ର କରାଯାଉଥିଲା । ପ୍ରଥମ ବଳିଟି ପାପାର୍ଥକ ବଳି (୧୪ପଦ) । ଜଣେ ବ୍ୟକ୍ତିର ପାପ କ୍ଷମାର ଅନୁଭୂତି ନ ଥିଲେ ସେ ସେବାକାର୍ଯ୍ୟ ନିମନ୍ତେ ଯୋଗ୍ୟ ନୁହେଁ । ୨ୟ ବଳିଟି ହୋମବଳି । ଏହା ଈଶ୍ୱରଙ୍କ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର । ୩ୟ ବଳିଟି ପାବିତ୍ରୀକରଣ ନିମନ୍ତେ ଉଦ୍ଦିଷ୍ଟ ଥିଲା । ବାକ୍ୟରେ ଲେଖାଯାଏ, "ତୁମ୍ଭେମାନେ ପବିତ୍ର ହେବ, କାରଣ ଆମ୍ଭେ ପବିତ୍ର ଅଟୁ" (ଲେବୀ ୧୧:୪୫)। ପବିତ୍ରତା ବିନା ଈଶ୍ୱରଙ୍କ ସନ୍ତୋଷଭାଜନ ହେବା କିଆବା ସେବା କରିବା ଅସମ୍ଭବ ।

ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର

 ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର

ଯାତ୍ରା ୨୮:୩୧-୪୩


ଆଜିର ଚିନ୍ତା


ଆମର ଆହ୍ବାନକର୍ତ୍ତା ଯେପରି ପବିତ୍ର ଆମେ ସେହିପରି ପବିତ୍ର ହୋଇଛୁ କି ?


ଯାଜକମାନଙ୍କ ନିମନ୍ତେ ସ୍ବତନ୍ତ୍ର ଭାବରେ ପରିଧାନ ପ୍ରସ୍ତୁତ କରିବାକୁ ସଦାପ୍ରଭୁ ନିର୍ଦ୍ଦେଶ ଦେଇଥିଲେ । ବୁକୁପଟା, ଏଫୋଦ, ଚୋଗା, ବୁଟାଦାର ଜାମା, ପାଗ, କଟିବନ୍ଧନ ଇତ୍ୟାଦି ବସ୍ତ୍ର ସବୁ ପ୍ରସ୍ତୁତ କରାଯାଇଥିଲା ।


ନ୍ୟାୟବାନ ଈଶ୍ଵର :

 ସୁବର୍ଣ୍ଣ କରି ଓ ରେଶମ ସୂତାର ନିର୍ମିତ ବର୍ଗାକାର ବୁକୁପଟା ଉପରେ ବାରଟି ରତ୍ନ ପଥର ଖଞ୍ଜା ଯାଇଥିଲା । ପ୍ରତ୍ୟେକ ରତ୍ନ ପଥର ଉପରେ ଇସ୍ରାଏଲର ଗୋଟିଏ ଗୋଟିଏ ବଂଶର ନାମ ଖୋଦିତ ହୋଇଥିଲା । ଏହି ବିଚାରର୍ଥକ ବୁକୁପଟାରେ ଉରିମ୍ ଓ ତୁମ୍ମୀମ୍ ନାମକ ଦୁଇଟି ଫଳକ ରଖାଯାଉଥିଲା । ଏହା ଥିଲା ଇସ୍ରାଏଲ ବଂଶ ନିମନ୍ତେ ନ୍ୟାୟର ପ୍ରାର୍ଥନା । ଇସ୍ରାଏଲ "ବିଶ୍ଵାସ" ପୁସ୍ତକର ରଚୟତା ଏଚ୍.ଏଚ୍ ରଲେ ମତଦିଅନ୍ତି ଉରିମ୍ ଓ ତୁମ୍ମୀମ୍ ଫଳକର "ଉରିମ୍ ପାର୍ଶ୍ଵ ନାସ୍ତିବାଚକକୁ ସୂଚାଏ ଓ 'ତୁମ୍ମୀମ୍' ପାର୍ଶ୍ଵ ଆସ୍ତିବାଚକ ନିଷ୍ପତ୍ତିକୁ ସୂଚାଏ ।  କୌଣସି ବିଷୟରେ ଯଥାର୍ଥ ନିଷ୍ପତ୍ତି ଓ ଈଶ୍ୱରଙ୍କ ଅଭିମତ ଜାଣିବା ନିମନ୍ତେ ଏହି ଫଳକକୁ ବ୍ୟବହାର କରାଯାଉଥିଲା । ଯଦି ତୁମ୍ମୀମ୍ ପଡୁଥିଲା, ତେବେ ନିଷ୍ପତ୍ତି ହଁ ହେଉଥିଲେ, ଯଦି ଉରିମ୍ ପଡୁଥିଲା, ନିଷ୍ପତ୍ତି ନା ହେଉଥିଲା । କିନ୍ତୁ ବିଶ୍ଵାସର ନେତା ସିଦ୍ଧିଦାତା ଯୀଶୁ, ସେ ଆମର ସମସ୍ତ ସମସ୍ୟାର ଉତ୍ତର ଅଟନ୍ତି ।


ପବିତ୍ର ଈଶ୍ଵର : 

ଶୁଦ୍ଧ ସୁବର୍ଣ୍ଣର ଏକ ପାତ୍ରରେ ଏହି ଉକ୍ତି ଯଥା "ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର" ବୋଲି ଲିପିବଦ୍ଧ ହୋଇ ଯାଜକଙ୍କ ପଗଡିର ସାମ୍ନାରେ ଲଗା ଯାଉଥିଲା । ଈଶ୍ଵର ତାଙ୍କର ସନ୍ତାନମାନଙ୍କୁ ଗୋଟିଏ ସୁନ୍ଦର ମୁକୁଟ ସ୍ୱରୂପ କରିବାକୁ ଚାହାଁନ୍ତି (ଯିଶାୟ ୬୨:୪) । ଆମର ପ୍ରିୟ ପ୍ରଭୁଯୀଶୁ ଜଣେ ଦୟାଳୁ ଓ ବିଶ୍ବସ୍ତ ମହାଯାଜକ ଅଟନ୍ତି (ଏବ୍ରୀ ୨:୧୭) । ଆମର ଅନନ୍ତକାଳୀନ ଯାଜକ ଖ୍ରୀଷ୍ଟ ଯୀଶୁଙ୍କ ପରି ଆମେ ପବିତ୍ର ହୋଇପାରୁଛୁ କି ? 

ଆବାସ ତମ୍ବୁ

 ଆବାସ ତମ୍ବୁ 

ଆଜିର ଚିନ୍ତା


ଯାତ୍ରା ୨୬:୧-୩୭


ଈଶ୍ଵର ମନୁଷ୍ୟର ଉପାସନା ବାଞ୍ଛା କରନ୍ତି କି ? 


ଈଶ୍ଵର ଯେତେବେଳେ ମନୁଷ୍ୟକୁ ସୃଷ୍ଟି କଲେ, ସେତେବେଳେ ସେ ଆଶା କରିଥିଲେ ଯେ, ମନୁଷ୍ୟ ସହିତ ତାଙ୍କର ସହଭାଗିତା ରହିବ ଓ ମନୁଷ୍ୟ ତାଙ୍କର ସେବା କରିବ । ମାତ୍ର ମନୁଷ୍ୟ ଈଶ୍ୱରଙ୍କଠାରୁ ଦୂରକୁ ଦୂରକୁ ଚାଲିଗଲା, ହେଲେ ଈଶ୍ଵର ପୂର୍ବ ସମ୍ପର୍କକୁ ଫେରାଇ ଆଣିବାକୁ ସର୍ବଦା ଚେଷ୍ଟିତ । ତାହାର ପ୍ରମାଣ ଆମେ ଯାତ୍ରା ପୁସ୍ତକର ୨୫ ଅଧ୍ୟାୟରୁ ୪୦ ଅଧ୍ୟାୟ ମଧ୍ୟରେ ଦେଖିବାକୁ ପାଉ, ଯେଉଁ ସ୍ଥାନରେ ସ୍ଵଂୟ ଈଶ୍ଵର ମୋଶାଙ୍କ ମାଧ୍ୟମରେ ମନୁଷ୍ୟ ଓ ଈଶ୍ୱରଙ୍କ ମଧ୍ୟରେ ଥିବା ଛିନ୍ନ ସମ୍ପର୍କକୁ "ଆବାସ ତମ୍ବୁ" ମାଧ୍ୟମରେ ପୁନଃ ସଂସ୍ଥାପନ କରିବାକୁ ପ୍ରୟାସ କରିଛନ୍ତି । ଆଜି ସେହି ଆବାସ ତମ୍ବୁ କ'ଣ ଓ ତା'ର ତାତ୍ପର୍ଯ୍ୟ କ'ଣ ତାହା ଆଲୋଚନା କରିବା । 


ଆବାସ ତମ୍ବୁର ତାତ୍ପର୍ଯ୍ୟ :


୧.  ଆବାସ ତମ୍ବୁ ବା ସମାଗମ ତମ୍ବୁ ଶବ୍ଦଟି ପ୍ରାୟତଃ ୧୩୦ ଥର ପୁରାତନ ନିୟମରେ ବ୍ୟବହୃତ ହୋଇଛି । 


୨. ଆବାସ ତମ୍ବୁ ଶବ୍ଦଟିକୁ ଏବ୍ରୀ ଭାଷାରେ କୁହାଯାଏ  - ମିସ୍କାନ (Miskan) ଯାହାର ଅର୍ଥ ଇଂରାଜୀରେ (Dwelling) ବା ଆବାସ ବୋଲି ବୁଝାଯାଏ।  ତେଣୁ ତାହାକୁ ଆବାସତମ୍ବୁ ବୋଲି କୁହାଯାଏ । ଯେଉଁଠାରେ ଈଶ୍ୱରଙ୍କ ଉପସ୍ଥିତି ସର୍ବଦା ବିଦ୍ୟମାନ । 


୩. ଏହାକୁ ମୋଶା ଓ ଇସ୍ରାଏଲୀୟମାନଙ୍କର ଭାମ୍ୟମାଣ ଉପାସନା ପୀଠ ବୋଲି ମଧ୍ୟ କୁହାଯାଏ । କାରଣ ସେହି ସମୟରେ ଈଶ୍ୱରଙ୍କ  ନିମନ୍ତେ ସ୍ଥାୟୀ ଉପାସନା ପିଠ ନ ଥିଲା । 


୪. ଅନେକଙ୍କ ମତ ଯେ, ଏହି ଅସ୍ଥାୟୀ ଉପାସନା ପୀଠଟି ପରବର୍ତ୍ତୀ ସମୟରେ ଯିରୁଶାଲମ ମନ୍ଦିରର ଛାୟା ଚିତ୍ର ଭାବରେ ସ୍ଥାପନ କରାଯାଇଥିଲା 


୫. ଏହା ନୂତନ ନିୟମର ପରିତ୍ରାଣ ନିମନ୍ତେ ଯୀଶୁଙ୍କର ମଧ୍ୟସ୍ଥତାକୁ ମଧ୍ୟ ଛାୟା ରୂପରେ ପ୍ରକାଶ କରୁଥିଲା । 


ଆବାସ ତମ୍ବୁର ଆବଶ୍ୟକତା : 


ଈଶ୍ଵର ମୋଶାଙ୍କ ଦ୍ଵାରା ଆବାସ ତମ୍ବୁ ସ୍ଥାପନ କରିବାକୁ କହିବାର ମୁଖ୍ୟ କାରଣ ହେଉଛି, ଯେପରି ତାଙ୍କର ମନୋନୀତ ଲୋକମାନେ ଈଶ୍ୱରଙ୍କ ଉପାସନା ନିମନ୍ତେ ଏଣେ ତେଣେ ଭ୍ରମଣ ନ କରି, ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ଈଶ୍ୱରଙ୍କର ସେବାକରିବେ ଓ ସ୍ୱୟଂ ଈଶ୍ଵର ସେମାନଙ୍କ ମଧ୍ୟରେ ଅଧିଷ୍ଠାନ କରି ବାସ କରିବେ । ମନୁଷ୍ୟ ଶୃଙ୍ଖଳିତ ଓ ସ୍ଵତନ୍ତ୍ର ଭାବରେ ଈଶ୍ୱରଙ୍କ ସାନ୍ନିଧ୍ୟକୁ ଅନୁଭବ କରି, ତାହାଙ୍କର ସେବା କରୁ ବୋଲି ଈଶ୍ଵର ଆଶା କରନ୍ତି । ଆମେ ସେହି ସତ୍ୟ ଓ ଜୀବିତ ଈଶ୍ୱରଙ୍କ ଉପାସନା କିପରି ଭାବରେ କରୁଛୁ ?