BN

ଅନ୍ତର୍ବାସୀ ପରମେଶ୍ୱର

 ଅନ୍ତର୍ବାସୀ ପରମେଶ୍ୱର

ଆଜିର ଚିନ୍ତା


ଯାତ୍ରା ୨୯:୨୨-୪୬


ଆଜି ଈଶ୍ୱରଙ୍କ ଉଦ୍ଦେଶ୍ୟରେ କିପ୍ରକାର ନୈବେଦ୍ୟ ଓ ବଳିଦାନ ଉତ୍ସର୍ଗ କରିଅଛୁ ? 


ବଳିଦାନ :

 (୩୮ପଦ) ପ୍ରତିଦିନ ମେଷବଳି ଓ ରକ୍ତପାତ ଇସ୍ରାଏଲମାନଙ୍କର ଦୈନିକ ଶୁଚିକରଣ ବିଧିରୂପେ ପାଳିତ ହେଉଥିଲା । ଈଶ୍ୱରଙ୍କ ପୁତ୍ର ଯୀଶୁଖ୍ରୀଷ୍ଟ ଈଶ୍ୱରଙ୍କ ମେଷସ୍ୱରୂପ ଆମର ସମସ୍ତ ପାପ ବହି ନେଇ ଯାଇଛନ୍ତି (ଯୋହନ ୧:୨୯) । ଆଜି ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ, ଆମକୁ ପାପକ୍ଷମା ପରିତ୍ରାଣ ଦେବାରେ ସକ୍ଷମ ଅଟେ । ଈଶ୍ୱରଙ୍କ ମେଷଶାବକ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ରକ୍ତ ଆମ ନିମନ୍ତେ ପ୍ରାୟଶ୍ଚିତ ସାଧନ କରିଛି (୧ପିତର ୧୮-୧୮) । 


ଇମ୍ମାନୁୟେଲ :

 ଈଶ୍ଵର ଇସ୍ରାଏଲୀୟମାନଙ୍କୁ ମିସରରୁ ମୁକ୍ତ କରି ଆଣିବା ସମୟରେ ସେମାନଙ୍କୁ ପରିତ୍ୟାଗ କରିବା ବିଷୟ ଚିନ୍ତା କରି ନ ଥିଲେ । ସେ ସେମାନଙ୍କ ସହିତ ବାସ କରିବାକୁ ଚାହିଥିଲେ । ଈଶ୍ଵର ଲୋକମାନଙ୍କ ଦ୍ଵାରା ପ୍ରତିଦିନ ପୂଜା ପାଇବାର ଉପଯୁକ୍ତ ବୋଲି ପ୍ରାତଃକାଳ ଓ ସନ୍ଧ୍ୟାକାଳରେ ବଳିଦାନର ନିୟମ ଦିଆଯାଇଥିଲା । ଆମେ ଇସ୍ରାଏଲୀୟମାନଙ୍କୁଠାରୁ ଅଧିକ ଆଶୀର୍ବାଦପ୍ରାପ୍ତ ଅଟୁ । ଆଜି ସେ 'ଇମ୍ମାନୁୟେଲ' ଠାରୁ ମଧ୍ୟ ଆହୁରି ଅଧିକ ନିବିଡ଼ଭାବେ ଆମ ସଙ୍ଗେ ଜଡ଼ିତ ଅଛନ୍ତି । ସେ ଆମ ମଧ୍ୟରେ ଅର୍ଥାତ୍ ଆମ ହୃଦୟରେ ବାସ କରୁଛନ୍ତି । ଯେଉଁ ବିଶ୍ଵାସୀ ତାଙ୍କ ରକ୍ତରେ କ୍ଷମାପ୍ରାପ୍ତ, ତାହା ମଧ୍ୟରେ ସେ ବାସ କରନ୍ତି (୧ କର ୩:୧୬) ।

ଆମେ କ'ଣ ହୂଦୟରେ ବାସ କରୁଥିବା ଈଶ୍ୱରଙ୍କ ପ୍ରତି ପ୍ରତିଦିନ ପ୍ରଶଂସା, ଧନ୍ୟବାଦ ଓ ପୂଜାରେ ବଳି ଉତ୍ସର୍ଗ କରୁଛୁ ? ଆମର ଉପାସନା ପାଇଁ ପ୍ରଭୁ ଆମକୁ କେବେ ହେଁ ବାଧ୍ୟ କରନ୍ତି ନାହିଁ । କିନ୍ତୁ ଯଦି ଆମେ ଆମର ଜୀବନକୁ ନିରୀକ୍ଷଣ କରୁ ତେବେ ଈଶ୍ଵରଙ୍କର ମହାନତା, ଅନୁଗ୍ରହ ଓ ପ୍ରେମକୁ ଦେଖିପାରିବା । ସେତେବେଳେ ହୃଦୟର ପୂର୍ଣ୍ଣତାରୁ ମୁଖ କଥା କହିବାକୁ ଲାଗିବ । ସ୍ବତଃ ଉପାସନାର ଇଚ୍ଛା ଜାଗ୍ରତ ହେବ । 


ସେବକର ପ୍ରସ୍ତୁତି କରଣ

 ସେବକର ପ୍ରସ୍ତୁତି କରଣ

ଆଜିର ଚିନ୍ତା


ଯାତ୍ରା ୨୯:୧-୨୧


ମୁଁ ପ୍ରଭୁଙ୍କ ପ୍ରଦତ୍ତ ସେବା କାର୍ଯ୍ୟକୁ ହାଲୁକା ଭାବରେ ନେଉଛି କି ?


ଯାଜକ ଭାବରେ ପ୍ରଭୁଙ୍କର ଉପାସନା କରିବା ନିମନ୍ତେ ଈଶ୍ଵର ଭ୍ରାତା ହାରୋଣ ଓ ତାହାଙ୍କର ପୁତ୍ରମାନଙ୍କୁ ମନୋନୀତ କରିଥିଲେ । ସେମାନେ ମଧ୍ୟ ଈଶ୍ଵରଙ୍କର ବାଧ୍ୟ ହୋଇ ପ୍ରଦତ୍ତ ସେବା କାର୍ଯ୍ୟକୁ ସୂଚାରୁ ରୂପେ ପରିଚାଳନା କରୁଥିଲେ।  ଈଶ୍ୱରଙ୍କର ମନୋନୀତ ସେବକ ହେବା ନିମନ୍ତେ ଯାଜକମାନଙ୍କୁ ପ୍ରସ୍ତୁତ କରାଯାଉଥିଲା । ସେହି ସେବକର ପ୍ରସ୍ତୁତିକରଣ ବିଷୟରେ ଆମେ ଆଜିର ଅଧ୍ୟାୟରେ ପାଠ କରୁ । ଆଜି ସେହି ବିଷୟରେ ସଂକ୍ଷେପରେ ଆଲୋଚନା କରିବା । 


ମାନୋନୟନ :

 ଆମର ଈଶ୍ଵର ଶୃଙ୍ଖଳାର ଈଶ୍ଵର । ସେଥିପାଇଁ ସେ ହାରୋଣଙ୍କ ବଂଶକୁ ମାନୋନୟନ କଲେ । ଯଦି ଜଣେ ବ୍ୟକ୍ତି ଈଶ୍ୱରଙ୍କର ସେବକ ହେବାକୁ ଇଛା କରେ, ତେବେ ସେ ଜାଣିବା ଦରକାର ଯେ, ପ୍ରଭୁ ତାକୁ ସେହି ସେବାକାର୍ଯ୍ୟ ନିମନ୍ତେ ମନୋନୀତ କରିଛନ୍ତି ନ ନାହିଁ । ଯଦି ସେ ତା'ର ଆହ୍ଵାନକୁ ଜାଣେ ଓ ମାନୋନୟନକୁ ସଠିକ୍ ଭାବରେ ବୁଝିଥାଏ, ତେବେ ସେ ତା'ର ସେବା କାର୍ଯ୍ୟରେ ସଫଳ ହୁଏ ଓ ତଦ୍ୱାରା ପ୍ରଭୁ ଗୌରବାନ୍ୱିିତ ହୁଅନ୍ତି ।


ଶୁଚିକରଣ :

୪ ପଦରେ ଲେଖାଯାଇଥାଏ, "ସେମାନଙ୍କୁ ସ୍ନାନ କରାଇବେ" । ଯାଜକମାନଙ୍କୁ ଜଳରେ ଧୌତ କାରିବାର ପ୍ରଥା ସ୍ୱୟଂ ଈଶ୍ଵର ପ୍ରଦାନ କରିଥିଲେ । ଏହି ସ୍ନାନ ବା ଜଳରେ ପ୍ରକ୍ଷାଳନ ବିଧି ଶୂଚିକରଣ ନିଦର୍ଶନ । ଯଦିବା ଏହା ଶରୀରର ବର୍ହିଭାଗକୁ ପରିଷ୍କୃତ କରୁଥିଲା, ତଥାପି ସ୍ୱଇଛାରେ ତାହା କରିବା ଦ୍ଵାରା ସେମାନେ ଈଶ୍ୱରଙ୍କ ବଶତାକୁ ସମ୍ମାନ ଜଣାଇ ଆନ୍ତରିକ ଭାବରେ ଶୂଚିକୃତ ହେଉଥିଲେ । 


ପାବିତ୍ରୀକରଣ : 

ଆଜିର ପାଠରେ ଯାଜକମାନଙ୍କୁ ୩ଟି ପଶୁବଳୀ ମାଧ୍ୟମରେ ପବିତ୍ର କରାଯାଉଥିଲା । ପ୍ରଥମ ବଳିଟି ପାପାର୍ଥକ ବଳି (୧୪ପଦ) । ଜଣେ ବ୍ୟକ୍ତିର ପାପ କ୍ଷମାର ଅନୁଭୂତି ନ ଥିଲେ ସେ ସେବାକାର୍ଯ୍ୟ ନିମନ୍ତେ ଯୋଗ୍ୟ ନୁହେଁ । ୨ୟ ବଳିଟି ହୋମବଳି । ଏହା ଈଶ୍ୱରଙ୍କ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର । ୩ୟ ବଳିଟି ପାବିତ୍ରୀକରଣ ନିମନ୍ତେ ଉଦ୍ଦିଷ୍ଟ ଥିଲା । ବାକ୍ୟରେ ଲେଖାଯାଏ, "ତୁମ୍ଭେମାନେ ପବିତ୍ର ହେବ, କାରଣ ଆମ୍ଭେ ପବିତ୍ର ଅଟୁ" (ଲେବୀ ୧୧:୪୫)। ପବିତ୍ରତା ବିନା ଈଶ୍ୱରଙ୍କ ସନ୍ତୋଷଭାଜନ ହେବା କିଆବା ସେବା କରିବା ଅସମ୍ଭବ ।

ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର

 ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର

ଯାତ୍ରା ୨୮:୩୧-୪୩


ଆଜିର ଚିନ୍ତା


ଆମର ଆହ୍ବାନକର୍ତ୍ତା ଯେପରି ପବିତ୍ର ଆମେ ସେହିପରି ପବିତ୍ର ହୋଇଛୁ କି ?


ଯାଜକମାନଙ୍କ ନିମନ୍ତେ ସ୍ବତନ୍ତ୍ର ଭାବରେ ପରିଧାନ ପ୍ରସ୍ତୁତ କରିବାକୁ ସଦାପ୍ରଭୁ ନିର୍ଦ୍ଦେଶ ଦେଇଥିଲେ । ବୁକୁପଟା, ଏଫୋଦ, ଚୋଗା, ବୁଟାଦାର ଜାମା, ପାଗ, କଟିବନ୍ଧନ ଇତ୍ୟାଦି ବସ୍ତ୍ର ସବୁ ପ୍ରସ୍ତୁତ କରାଯାଇଥିଲା ।


ନ୍ୟାୟବାନ ଈଶ୍ଵର :

 ସୁବର୍ଣ୍ଣ କରି ଓ ରେଶମ ସୂତାର ନିର୍ମିତ ବର୍ଗାକାର ବୁକୁପଟା ଉପରେ ବାରଟି ରତ୍ନ ପଥର ଖଞ୍ଜା ଯାଇଥିଲା । ପ୍ରତ୍ୟେକ ରତ୍ନ ପଥର ଉପରେ ଇସ୍ରାଏଲର ଗୋଟିଏ ଗୋଟିଏ ବଂଶର ନାମ ଖୋଦିତ ହୋଇଥିଲା । ଏହି ବିଚାରର୍ଥକ ବୁକୁପଟାରେ ଉରିମ୍ ଓ ତୁମ୍ମୀମ୍ ନାମକ ଦୁଇଟି ଫଳକ ରଖାଯାଉଥିଲା । ଏହା ଥିଲା ଇସ୍ରାଏଲ ବଂଶ ନିମନ୍ତେ ନ୍ୟାୟର ପ୍ରାର୍ଥନା । ଇସ୍ରାଏଲ "ବିଶ୍ଵାସ" ପୁସ୍ତକର ରଚୟତା ଏଚ୍.ଏଚ୍ ରଲେ ମତଦିଅନ୍ତି ଉରିମ୍ ଓ ତୁମ୍ମୀମ୍ ଫଳକର "ଉରିମ୍ ପାର୍ଶ୍ଵ ନାସ୍ତିବାଚକକୁ ସୂଚାଏ ଓ 'ତୁମ୍ମୀମ୍' ପାର୍ଶ୍ଵ ଆସ୍ତିବାଚକ ନିଷ୍ପତ୍ତିକୁ ସୂଚାଏ ।  କୌଣସି ବିଷୟରେ ଯଥାର୍ଥ ନିଷ୍ପତ୍ତି ଓ ଈଶ୍ୱରଙ୍କ ଅଭିମତ ଜାଣିବା ନିମନ୍ତେ ଏହି ଫଳକକୁ ବ୍ୟବହାର କରାଯାଉଥିଲା । ଯଦି ତୁମ୍ମୀମ୍ ପଡୁଥିଲା, ତେବେ ନିଷ୍ପତ୍ତି ହଁ ହେଉଥିଲେ, ଯଦି ଉରିମ୍ ପଡୁଥିଲା, ନିଷ୍ପତ୍ତି ନା ହେଉଥିଲା । କିନ୍ତୁ ବିଶ୍ଵାସର ନେତା ସିଦ୍ଧିଦାତା ଯୀଶୁ, ସେ ଆମର ସମସ୍ତ ସମସ୍ୟାର ଉତ୍ତର ଅଟନ୍ତି ।


ପବିତ୍ର ଈଶ୍ଵର : 

ଶୁଦ୍ଧ ସୁବର୍ଣ୍ଣର ଏକ ପାତ୍ରରେ ଏହି ଉକ୍ତି ଯଥା "ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର" ବୋଲି ଲିପିବଦ୍ଧ ହୋଇ ଯାଜକଙ୍କ ପଗଡିର ସାମ୍ନାରେ ଲଗା ଯାଉଥିଲା । ଈଶ୍ଵର ତାଙ୍କର ସନ୍ତାନମାନଙ୍କୁ ଗୋଟିଏ ସୁନ୍ଦର ମୁକୁଟ ସ୍ୱରୂପ କରିବାକୁ ଚାହାଁନ୍ତି (ଯିଶାୟ ୬୨:୪) । ଆମର ପ୍ରିୟ ପ୍ରଭୁଯୀଶୁ ଜଣେ ଦୟାଳୁ ଓ ବିଶ୍ବସ୍ତ ମହାଯାଜକ ଅଟନ୍ତି (ଏବ୍ରୀ ୨:୧୭) । ଆମର ଅନନ୍ତକାଳୀନ ଯାଜକ ଖ୍ରୀଷ୍ଟ ଯୀଶୁଙ୍କ ପରି ଆମେ ପବିତ୍ର ହୋଇପାରୁଛୁ କି ? 

ଆବାସ ତମ୍ବୁ

 ଆବାସ ତମ୍ବୁ 

ଆଜିର ଚିନ୍ତା


ଯାତ୍ରା ୨୬:୧-୩୭


ଈଶ୍ଵର ମନୁଷ୍ୟର ଉପାସନା ବାଞ୍ଛା କରନ୍ତି କି ? 


ଈଶ୍ଵର ଯେତେବେଳେ ମନୁଷ୍ୟକୁ ସୃଷ୍ଟି କଲେ, ସେତେବେଳେ ସେ ଆଶା କରିଥିଲେ ଯେ, ମନୁଷ୍ୟ ସହିତ ତାଙ୍କର ସହଭାଗିତା ରହିବ ଓ ମନୁଷ୍ୟ ତାଙ୍କର ସେବା କରିବ । ମାତ୍ର ମନୁଷ୍ୟ ଈଶ୍ୱରଙ୍କଠାରୁ ଦୂରକୁ ଦୂରକୁ ଚାଲିଗଲା, ହେଲେ ଈଶ୍ଵର ପୂର୍ବ ସମ୍ପର୍କକୁ ଫେରାଇ ଆଣିବାକୁ ସର୍ବଦା ଚେଷ୍ଟିତ । ତାହାର ପ୍ରମାଣ ଆମେ ଯାତ୍ରା ପୁସ୍ତକର ୨୫ ଅଧ୍ୟାୟରୁ ୪୦ ଅଧ୍ୟାୟ ମଧ୍ୟରେ ଦେଖିବାକୁ ପାଉ, ଯେଉଁ ସ୍ଥାନରେ ସ୍ଵଂୟ ଈଶ୍ଵର ମୋଶାଙ୍କ ମାଧ୍ୟମରେ ମନୁଷ୍ୟ ଓ ଈଶ୍ୱରଙ୍କ ମଧ୍ୟରେ ଥିବା ଛିନ୍ନ ସମ୍ପର୍କକୁ "ଆବାସ ତମ୍ବୁ" ମାଧ୍ୟମରେ ପୁନଃ ସଂସ୍ଥାପନ କରିବାକୁ ପ୍ରୟାସ କରିଛନ୍ତି । ଆଜି ସେହି ଆବାସ ତମ୍ବୁ କ'ଣ ଓ ତା'ର ତାତ୍ପର୍ଯ୍ୟ କ'ଣ ତାହା ଆଲୋଚନା କରିବା । 


ଆବାସ ତମ୍ବୁର ତାତ୍ପର୍ଯ୍ୟ :


୧.  ଆବାସ ତମ୍ବୁ ବା ସମାଗମ ତମ୍ବୁ ଶବ୍ଦଟି ପ୍ରାୟତଃ ୧୩୦ ଥର ପୁରାତନ ନିୟମରେ ବ୍ୟବହୃତ ହୋଇଛି । 


୨. ଆବାସ ତମ୍ବୁ ଶବ୍ଦଟିକୁ ଏବ୍ରୀ ଭାଷାରେ କୁହାଯାଏ  - ମିସ୍କାନ (Miskan) ଯାହାର ଅର୍ଥ ଇଂରାଜୀରେ (Dwelling) ବା ଆବାସ ବୋଲି ବୁଝାଯାଏ।  ତେଣୁ ତାହାକୁ ଆବାସତମ୍ବୁ ବୋଲି କୁହାଯାଏ । ଯେଉଁଠାରେ ଈଶ୍ୱରଙ୍କ ଉପସ୍ଥିତି ସର୍ବଦା ବିଦ୍ୟମାନ । 


୩. ଏହାକୁ ମୋଶା ଓ ଇସ୍ରାଏଲୀୟମାନଙ୍କର ଭାମ୍ୟମାଣ ଉପାସନା ପୀଠ ବୋଲି ମଧ୍ୟ କୁହାଯାଏ । କାରଣ ସେହି ସମୟରେ ଈଶ୍ୱରଙ୍କ  ନିମନ୍ତେ ସ୍ଥାୟୀ ଉପାସନା ପିଠ ନ ଥିଲା । 


୪. ଅନେକଙ୍କ ମତ ଯେ, ଏହି ଅସ୍ଥାୟୀ ଉପାସନା ପୀଠଟି ପରବର୍ତ୍ତୀ ସମୟରେ ଯିରୁଶାଲମ ମନ୍ଦିରର ଛାୟା ଚିତ୍ର ଭାବରେ ସ୍ଥାପନ କରାଯାଇଥିଲା 


୫. ଏହା ନୂତନ ନିୟମର ପରିତ୍ରାଣ ନିମନ୍ତେ ଯୀଶୁଙ୍କର ମଧ୍ୟସ୍ଥତାକୁ ମଧ୍ୟ ଛାୟା ରୂପରେ ପ୍ରକାଶ କରୁଥିଲା । 


ଆବାସ ତମ୍ବୁର ଆବଶ୍ୟକତା : 


ଈଶ୍ଵର ମୋଶାଙ୍କ ଦ୍ଵାରା ଆବାସ ତମ୍ବୁ ସ୍ଥାପନ କରିବାକୁ କହିବାର ମୁଖ୍ୟ କାରଣ ହେଉଛି, ଯେପରି ତାଙ୍କର ମନୋନୀତ ଲୋକମାନେ ଈଶ୍ୱରଙ୍କ ଉପାସନା ନିମନ୍ତେ ଏଣେ ତେଣେ ଭ୍ରମଣ ନ କରି, ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ଈଶ୍ୱରଙ୍କର ସେବାକରିବେ ଓ ସ୍ୱୟଂ ଈଶ୍ଵର ସେମାନଙ୍କ ମଧ୍ୟରେ ଅଧିଷ୍ଠାନ କରି ବାସ କରିବେ । ମନୁଷ୍ୟ ଶୃଙ୍ଖଳିତ ଓ ସ୍ଵତନ୍ତ୍ର ଭାବରେ ଈଶ୍ୱରଙ୍କ ସାନ୍ନିଧ୍ୟକୁ ଅନୁଭବ କରି, ତାହାଙ୍କର ସେବା କରୁ ବୋଲି ଈଶ୍ଵର ଆଶା କରନ୍ତି । ଆମେ ସେହି ସତ୍ୟ ଓ ଜୀବିତ ଈଶ୍ୱରଙ୍କ ଉପାସନା କିପରି ଭାବରେ କରୁଛୁ ?


ଜୀବନଦାୟକ ରୋଟୀ ଓ ଜୀବନ୍ତ ପ୍ରଦୀପ

 ଜୀବନଦାୟକ ରୋଟୀ ଓ ଜୀବନ୍ତ ପ୍ରଦୀପ

ଆଜିର ଚିନ୍ତା


ଯାତ୍ରା ୨୫:୨୩-୪୦


ମୁଁ ଜୀବନ ଦାୟକ ରୋଟୀର ଅଂଶୀ ହୋଇଛି କି ? 


ସମାଗମ ତମ୍ଭୁ ତିଆରି କରିବା ନିମନ୍ତେ ଈଶ୍ଵର ମୋଶାଙ୍କୁ ପର୍ବତ ଉପରେ ଏକ ନମୁନା ଦେଖାଇ ଦେଲେ । ଏହି ତମ୍ଭୁର ପ୍ରଥମ ଭାଗକୁ ପବିତ୍ର ସ୍ଥାନ ଓ ଦ୍ଵିତୀୟ ଭାଗକୁ ମହାପବିତ୍ର ସ୍ଥାନ କୁହାଯାଉଥିଲା । ଏହି ଦୁଇଟି ଭାଗର ମଝିରେ ଏକ ବିଚ୍ଛେଦ ବସ୍ତ୍ର (ଯବନିକା) ଥିଲା । ମହାପବିତ୍ର ସ୍ଥାନରେ ନିୟମ ସିନ୍ଦୁକ ଓ ସୁବର୍ଣ୍ଣ ଧୂପବେଦୀ ଥିଲା । ମାତ୍ର ପବିତ୍ର ସ୍ଥାନରେ ମେଜ ଓ ଦର୍ଶନ ରୋଟୀ ଏବଂ ଦୀପବୃକ୍ଷ ରଖାଯାଇଥିଲା । 


ମେଜ ଓ ଦର୍ଶନୀୟ ରୋଟୀ: 

ଶୀଟିମ୍ କାଷ୍ଠରେ ତିଆରି ସୁବର୍ଣ୍ଣ ମଣ୍ଡିତ ମେଜ ଉପରେ ଥିବା ସୁବର୍ଣ୍ଣ ଥାଳୀରେ ପ୍ରତ୍ୟେକ ଦିନ ବାରଟି ଦର୍ଶନୀୟ ରୋଟି ରଖାଯାଇଥିଲା (ଯାତ୍ରା ୬:୩୦) । ବାରଟି ରୋଟି ଇସ୍ରାଏଲର ବାର ଗୋଷ୍ଠୀକୁ ସୂଚିତ କରୁଥିଲା । ଏହି ରୋଟୀ ପ୍ରକାଶ କରୁଥିଲା ଯେ, ଈଶ୍ଵର ଆମର ଯତ୍ନ ଓ ତତ୍ତ୍ଵ ନିଅନ୍ତି । ମରଣଶୀଳ ମନୁଷ୍ୟ ପାଇଁ ଈଶ୍ଵର ସ୍ଵର୍ଗରୁ ଜୀବନ୍ତ ଆହାର ପ୍ରଦାନ କରିଛନ୍ତି । ଯେ ଏହି ରୋଟି ଭୋଜନ କରେ ସେ  ଅନନ୍ତକାଳ ଜୀବିତ ରହିବ (ଯୋହନ ୬:୫୧) । କ୍ରୂଶ ରୂପକ ମେଜରେ ସଜ୍ଜିତ ଖ୍ରୀଷ୍ଟଯୀଶୁଙ୍କ ଖଣ୍ଡ ବିଖଣ୍ଡିତ ଶରୀର ରୂପକ ଦର୍ଶନୀ ରୋଟୀରେ ଆମର ବିଶ୍ବାସ ଅଛି କି ? 


ଦୀପବୃକ୍ଷ ଓ ପ୍ରଦୀପ : 

ମୋଶାଙ୍କୁ ସଦାପ୍ରଭୁ ନିର୍ଦ୍ଦେଶ ଦେଲେ ନିର୍ମଳ ସୁବର୍ଣ୍ଣରେ ଦୀପବୃକ୍ଷ ନିର୍ମାଣ କରିବ। ସୁନ୍ଦର କାରୁ କାର୍ଯ୍ୟ ପୂର୍ଣ୍ଣ ଦୀପ ବୃକ୍ଷରେ ସାତଟି ଦୀପଧାର ରହିବ । ଏଥିରେ ଥିବା ସପ୍ତ ଦୀପକୁ ଜ୍ଵଳାଇଲେ ତହିଁର ସମ୍ମୁଖରେ ଆଲୁଅ ହେବ । 


ଏହି ସପ୍ତ ଦୀପରେ ସଜ୍ଜିତ ଦୀପବୃକ୍ଷ ପ୍ରଭୁଯୀଶୁଙ୍କୁ ବୁଝାଏ । ପ୍ରଭୁଯୀଶୁ କହିଛନ୍ତି "ମୁଁ ଜଗତର ଜ୍ୟୋତି" (ଯୋହନ ୮:୧୨) । ସେ ଜଗତର ପାପର ଅନ୍ଧାରକୁ ଦୂର କରି ପ୍ରତ୍ୟେକଙ୍କୁ ଜୀବନର ଜ୍ୟୋତି ପ୍ରଦାନ କରନ୍ତି । ସାଧୁ ଯୋହନ ପତ୍ମସ୍ ଦ୍ଵୀପରେ ସପ୍ତ ସୁବର୍ଣ୍ଣ ପ୍ରଦୀପକୁ  ଦର୍ଶନରେ ଦେଖିଥିଲେ । ସେଥିର ମଧ୍ୟସ୍ଥଳରେ ମନୁଷ୍ୟ ପୁତ୍ରଙ୍କ ସଦୃଶ୍ୟ ଜଣେ ବ୍ୟକ୍ତି। ଯାହାଙ୍କ ମୁଖ ମଧ୍ୟାହ୍ନକାଳୀନ ସୂର୍ଯ୍ୟପରି ତେଜମୟ (ପ୍ରକାଶିତ ୧:୧୨;୧୩:୧୬) । ଆହୁରି ମଧ୍ୟ ଏହି ସପ୍ତ ପ୍ରଦୀପ ସପ୍ତ ମଣ୍ଡଳୀକୁ ସୂଚିତ କରି (ପ୍ରକାଶିତ ୧:୨୦) । ପ୍ରଭୁ ଯୀଶୁ କହନ୍ତି "ତୁମ୍ଭେମାନେ ଜଗତର ଜ୍ୟୋତି" (ମାଥିଉ ୫:୧୪) । ଖ୍ରୀଷ୍ଟ ଆମ ଜୀବନ ଦୀପକୁ ପ୍ରଜ୍ବଳିତ କରିଛନ୍ତି କି ? ଖ୍ରୀଷ୍ଟଙ୍କ ଆଲୋକରେ ଆମେ ଆଜି ଆଲୋକିତ କି ?