BN

ଦାମ୍ଭିକ ମନ

 ଦାମ୍ଭିକ ମନ

ଆଜିର ଚିନ୍ତା

ଯାତ୍ରା ୧୧:୧-୧୦


ସୁଯୋଗ ଥାଉ ଥାଉ ଆମେ ମନ ପରିବର୍ତ୍ତନ କରିବା କି? 


ଜଗତର ସନ୍ତାନମାନେ ଦୁଃଖ ପାଇଲେ ସେମାନଙ୍କ ପିତାମାତା ଦୁଃଖରେ ଭାଙ୍ଗି ପଡନ୍ତି ଏବଂ ସେମାନଙ୍କୁ ରକ୍ଷା କରିବାକୁ ଲାଗିପଡ଼ନ୍ତି । ଯଦି ଜଗତର ପିତାମାତା ବ୍ୟସ୍ତ ହୋଇ ପଡନ୍ତି, ତେବେ ଆମ ସ୍ୱର୍ଗୀୟ ପିତା ଆମ ପାଇଁ କେତେ ଅଧିକ ଚିନ୍ତା କରୁ ନ ଥିବେ । ଆଜିର ଶାସ୍ତ୍ରାଂଶରେ ଦେଖୁ, ଇସ୍ରାଏଲୀୟମାନେ ଉଦ୍ଧାର ପାଇଁ ଈଶ୍ୱରଙ୍କ ନିକଟରେ କ୍ରନ୍ଦନ କରିବାରୁ ଈଶ୍ଵର ମୋଶା ଓ ହାରୋଣଙ୍କୁ ଉଦ୍ଧାର ପାଇଁ ପ୍ରେରଣ କଲେ । 


ଦୁଷ୍ଟମାନଙ୍କ ପାଇଁ ସୁଯୋଗ : 

ନଅଟି ମହାମାରୀ ଘଟିବା ପରେ ମଧ୍ୟ ଫାରୋଙ୍କ ହୃଦୟ କଠିନ ହୋଇଥିଲା, ତେବେ ପ୍ରଶ୍ନ ଉଠେ ମୋଶାଙ୍କ ଦ୍ଵାରା ଏତେ ଆଶ୍ଚର୍ଯ୍ୟକାର୍ଯ୍ୟ ଦେଖିଲେ ମଧ୍ୟ କାହିଁକି ଫାରୋ ଏତେ ଦାମ୍ଭିକ ହୋଇଥିଲେ ? କାରଣ ସେ ନିଜକୁ ସର୍ବୋଚ୍ଚ ସ୍ଥାନରେ ରଖିଥିଲେ । ଏଇ କ୍ଷମତା ତାଙ୍କୁ ଈଶ୍ୱରଙ୍କ ପ୍ରତି ଅନ୍ଧ କରିଦେଇଥିଲା । ଈଶ୍ୱରଙ୍କ କ୍ଷମତାକୁ ବୁଝିବାକୁ ୧୦ମ ମହାମାରୀ ଯାହା ସବୁଠାରୁ କଷ୍ଟଦାୟକ ତାହା ଘଟିବାକୁ ଯାଉଥିଲା । ସର୍ବୋଚ୍ଚ ଆସନରେ ବସିଥିବା ଫାରୋଙ୍କଠାରୁ ଆରମ୍ଭ କରି ତାଙ୍କ ଦାସର ପ୍ରଥମ ସନ୍ତାନ, ପଶୁମାନଙ୍କର ମଧ୍ୟ ପ୍ରଥମଜାତ ସନ୍ତାନର ମୃତ୍ୟୁ ହେବ । ଦେଶରେ କ୍ରନ୍ଦନର ରୋଳ ଉଠିବ ଯଦ୍ଵାରା ଫାରୋ ଈଶ୍ୱରଙ୍କ ଲୋକମାନଙ୍କୁ ତଡି ଦେବେ । ସେଦିନ ଫାରୋ ଓ ମିସ୍ରୀୟମାନଙ୍କ ପାଇଁ ସୁଯୋଗ ଥିଲା, ଯେପରି ପ୍ରତ୍ୟକେ ଈଶ୍ୱରଙ୍କ ପ୍ରତି ଫେରିବେ । ଯିହିଜିକଲ ୩୩:୧୧ ରେ ଲେଖାଯାଏ, ଦୁଷ୍ଟର ମୃତ୍ୟୁରେ ଈଶ୍ୱରଙ୍କ ଆନନ୍ଦ ନାହିଁ ।


ପ୍ରେମିକ ପିତା ଈଶ୍ଵର : 

ଈଶ୍ଵର ତାଙ୍କ ମନୋନୀତ ଗୋଷ୍ଠୀଙ୍କୁ ଏତେ ପ୍ରେମ କରନ୍ତି ଯେ ୭ ପଦରେ ଲେଖାଯାଏ, କୁକୁର ମଧ୍ୟ ସେମାନଙ୍କର କ୍ଷତି କରିବେ ନାହିଁ । ଏହା ତାଙ୍କର ମନୋନୀତ ଦାସ ଅବ୍ରାହମ୍, ଇସହାକ ଓ ଯାକୁବଙ୍କ ନିକଟରେ ପ୍ରତିଜ୍ଞା ଥିଲା । ଆଜି ମଧ୍ୟ ଆମ ପ୍ରତି ତାଙ୍କ ପ୍ରେମ ଅତୁଳନୀୟ । ମାତ୍ର ସେ ଆମର ନମ୍ର  ହୃଦୟ ଆଶା କରନ୍ତି, ଯେପରି ସେ ଆମ ଜୀବନରେ ମଧ୍ୟ ଆଶ୍ଚର୍ଯ୍ୟକାର୍ଯ୍ୟ କରିପାରିବେ । ଆମର ଦାମ୍ଭିକ ମନୋବୃତ୍ତି ତ୍ୟାଗ କରି ତାଙ୍କ ପ୍ରତି ଫେରୁ ଏହା ସେ ଚାହାଁନ୍ତି । ଆସନ୍ତୁ ସୁଯୋଗର ସଦ୍ ବ୍ୟବହାର କରି ଈଶ୍ୱରଙ୍କ ସହଭାଗିତାରେ ରହିବା । 


ଶେଷ ରାତ୍ର

 ଶେଷ ରାତ୍ର

ଆଜିର ଚିନ୍ତା


ଯାତ୍ରା ୧୨:୨୧-୪୨


ଆଜି ମୋର ସନ୍ତାନମାନେ ଉଦ୍ଧାରପ୍ରାପ୍ତ ହୋଇଛନ୍ତି କି ?


ଆଜିର ଭୟଙ୍କର ପରିସ୍ଥିତିରେ ଲୋକମାନଙ୍କୁ ସତର୍କ କରାଯାଉଛି "ଘରେ ରୁହ ସୁରକ୍ଷିତ ରୁହ" ଏଇ ଅଂଶରେ ମଧ୍ୟ ଦେଖୁ ମୋଶା ଇସ୍ରାଏଲୀୟମାନଙ୍କୁ ସତର୍କ କରି କହୁଥିଲେ ପ୍ରଭାତ ଯାଏ ଗୃହ ଦ୍ଵାରରୁ ବାହାରକୁ ନ ଯିବାକୁ, କାରଣ ଘର ବାହାରେ ମୃତ୍ୟୁ ଅଛି । 


ଉଦ୍ଧାରର ଦିନ : ଇସ୍ରାଏଲୀୟମାନଙ୍କୁ ମୋଶାଙ୍କ ଆଜ୍ଞା ଥିଲା ନିସ୍ତାର ପର୍ବର ବିଧିସବୁ ନିଜ ସନ୍ତାନମାନଙ୍କୁ ଜଣାଇବା ପାଇଁ, କାରଣ ଏହା ଇସ୍ରାଏଲୀୟମାନଙ୍କ ଉଦ୍ଧାରର ଦିନ, ପୁରୁଷାନୁକ୍ରମେ ପ୍ରତ୍ୟେକେ ସଦାପ୍ରଭୁଙ୍କ କାର୍ଯ୍ୟ ବିଷୟରେ ଶୁଣନ୍ତୁ ଏବଂ ତାଙ୍କ ଆଜ୍ଞା ପାଳନ କରନ୍ତୁ । ଆଜି ଆମେ ଆମ ପିଲାମାନଙ୍କୁ ଈଶ୍ୱରଙ୍କ ଜ୍ଞାନରେ ଶିକ୍ଷିତ କରୁ, ତାହା ସେ ଆଶା କରନ୍ତି । ସମଗ୍ର ମିସ୍ରୀୟ ଦେଶରେ ମୃତ୍ୟୁ ଓ କ୍ରନ୍ଦନର ରୋଳ । ଇସ୍ରାଏଲୀୟମାନଙ୍କୁ ଛାଡ଼ିବା ବ୍ୟତୀତ ଫାରୋଙ୍କ ନିକଟରେ ଆଉ କୌଣସି ଉପାୟ ନ ଥିଲା । ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ଫାରୋ ଏବଂ ସମଗ୍ର ଦେଶସ୍ଥ ଲୋକମାନେ ଇସ୍ରାଏଲୀୟମାନଙ୍କୁ ସବୁ ଦେଇ ଶୀଘ୍ର ଦେଶରୁ ବାହାରିବା ପାଇଁ ଅନୁରୋଧ କରୁଛନ୍ତି । ଯେଉଁ ଫାରୋ ଯାତ୍ରା ୧୦:୧୧ ରେ ମୋଶାଙ୍କୁ କହୁଛନ୍ତି "ଆମ୍ଭ ମୁଖ ଆଉ ଦେଖିବ ନାହିଁ" ସେ ଏଠାରେ କହୁଛନ୍ତି "ଯିବା ଆଗରୁ ଆମ୍ଭକୁ ଆଶୀର୍ବାଦ କର" । ଅନେକ ସମୟରେ ଈଶ୍ଵରଙ୍କ କାର୍ଯ୍ୟ ଆମେ ଉପଯୁକ୍ତ ସମୟରେ ବୁଝି ନ ପାରି ପରେ ବୁଝିଥାଉ ।


ଆନନ୍ଦର ଦିନ : ଶେଷରେ ଇସ୍ରାଏଲୀୟମାନେ ଦେଶରୁ ବାହାରିଲେ, ସେମାନଙ୍କ ପାଖେ ଭୋଜନ ପ୍ରସ୍ତୁତିର ସମୟ ନ ଥିଲା । ୪୩୦ ବର୍ଷର ବନ୍ଧନରୁ ମୁକ୍ତି ପାଇଲେ । କେବଳ ପୁରୁଷଙ୍କ ସଂଖ୍ୟା ଛଅ ଲକ୍ଷ ଥିଲା । ଏହି ରାତ୍ରି ଥିଲା ସଦାପ୍ରଭୁଙ୍କର । ବିଭିନ୍ନ ମହାମାରୀ ଦ୍ଵାରା ଈଶ୍ଵର ଫାରୋ ଓ ମିସ୍ରୀୟମାନଙ୍କୁ ଜଣାଇଲେ ତାଙ୍କର ଲୋକମାନେ ଏହି ଦେଶରେ ବନ୍ଧନଗ୍ରସ୍ତ ହୋଇ ରହିବେ ନାହିଁ । ସେ ସେମାନଙ୍କ ପାଇଁ ମୁକ୍ତିର ପଥ ପ୍ରସ୍ତୁତ କଲେ । ଠିକ୍ ସେହିପରି ନୂତନ ନିୟମରେ ଈଶ୍ୱରଙ୍କ ଏକମାତ୍ର ପୁତ୍ର ଖ୍ରୀଷ୍ଟ ଯୀଶୁଙ୍କ କ୍ରୃଶାର୍ପିତ ରକ୍ତ ଦ୍ଵାରା ପାପର ବନ୍ଧନରେ ଥିବା ଅନେକଙ୍କର ମୁକ୍ତି ସାଧିତ ହେଉଛି । ଆମେ ସେହି ରକ୍ତରେ ବିଶ୍ବାସ କରି ଉଦ୍ଧାରପ୍ରାପ୍ତ ହେବା କି ?

ଧୈର୍ଯ୍ୟଶୀଳ ପରମେଶ୍ୱର

 ଧୈର୍ଯ୍ୟଶୀଳ ପରମେଶ୍ୱର

ଆଜିର ଚିନ୍ତା


ଯାତ୍ରା ୯:୨୭-୧୦:୬


ପରମେଶ୍ୱରଙ୍କ ଧୈର୍ଯ୍ୟକୁ ଆମେ କଳନା କରିଛୁ କି ?


ପରମେଶ୍ୱରଙ୍କ ଦୟା, ସହନଶୀଳତାକୁ ହେୟଜ୍ଞାନ କଲେ ତା'ର ପରିଣାମ ଭୟଙ୍କର ହୋଇଥାଏ । ଏହା ଜାଣି ମଧ୍ୟ ଫାରୋ ନିଜକୁ ନମ୍ର କରି ନ ଥିଲେ । 


ଅନୁତାପବିହୀନ ପାପ ସ୍ଵୀକାର :

 ମନୁଷ୍ୟ ଅନୁତାପ କରି ପାପସ୍ଵୀକାର କଲେ ପରିବର୍ତ୍ତିତ ହୋଇଥାଏ । କିନ୍ତୁ ଫାରୋ ଏହି‌‌ ଶାସ୍ତ୍ରାଂଶରେ ଯେଉଁ ସ୍ୱୀକାରୋକ୍ତି କରିଛନ୍ତି ତାହା ପ୍ରକୃତ ଅନୁତାପ ନ ଥିଲା, ତାହା କେବଳ ଛଳନା ଥିଲା । କେବଳ ସ୍ୱାର୍ଥପର ଭାବରେ ନିଜର ସୁରକ୍ଷା ଓ ଦଣ୍ଡର ନିବୃତ୍ତି ନିମନ୍ତେ ତାହା କହିଥିଲେ । ମୋଶା ଏହା ଜାଣି ମଧ୍ୟ ସଦାପ୍ରଭୁଙ୍କ ସମ୍ମୁଖରେ ହସ୍ତବିସ୍ତାର କରି ପ୍ରାର୍ଥନା କଲେ । ତହିଁରେ ମେଘ ଗର୍ଜ୍ଜନ ଓ ଶିଳାବୃଷ୍ଟି ନିବୃତ୍ତ ହେଲା । 


ଭୟଶୂନ୍ୟ ଜୀବନ : 

ଫାରୋଙ୍କର ଭୟଶୂନ୍ୟ ଜୀବନ ସକାଶେ ମିସ୍ରୀୟବାସୀ ପ୍ରତିଫଳ ପାଉଥିଲେ । ସେମାନେ ଦଣ୍ଡ ପ୍ରତି ଅତିଙ୍କିତ ହୋଇ ଇସ୍ରାଏଲୀୟମାନଙ୍କୁ ମୁକ୍ତି ଦେବା ନିମନ୍ତେ ନିବେଦନ କଲେ । ମୋଶାଙ୍କ ପ୍ରାର୍ଥନା ଦ୍ଵାରା ସମସ୍ତ ବିପଦ ଦୂର ହେବା ଦେଖି ଫାରୋ ମନକୁ ଭାରୀ କଲେ । ଯଦିଓ ସଦାପ୍ରଭୁ ଫାରୋଙ୍କ ହୃଦୟକୁ କଠିନ କରୁଥିଲେ କିନ୍ତୁ ବାରମ୍ବାର ତାଙ୍କ ପ୍ରତି ସଦୟ ହୋଇ ତାଙ୍କୁ ପରୀକ୍ଷା କରୁଥିଲେ  ଏବଂ ନିଜର ଶକ୍ତି ଓ ପରାକ୍ରମର ପରିଚୟ ପ୍ରକାଶ କରୁଥିଲେ ।


ଈଶ୍ଵରଙ୍କ କର୍ମ ଓ ପରିଚୟ : 

ଏହି ଶାସ୍ତ୍ରାଂଶରେ ପରମେଶ୍ୱର ନିଜ ଜ୍ଞାନ, ଗରିମା, ପରାକ୍ରମ, ପରାକାଷ୍ଠା ସଙ୍ଗେ ସଙ୍ଗେ ମିସ୍ରୀୟ ଲୋକମାନଙ୍କୁ ଦଣ୍ଡ ଦ୍ଵାରା ଆଘାତ ଦେଇ ଏହା ପ୍ରମାଣିତ କରନ୍ତି ଯେ, ସେ ସର୍ବଶକ୍ତିମାନ ପରମେଶ୍ୱର । ପରମେଶ୍ୱରଙ୍କର ମହତ୍ ଓ ଆଶ୍ଚର୍ଯ୍ୟକର୍ମ ଭବିଷ୍ୟତ ବଂଶଧରମାନଙ୍କୁ ଜଣାଇବା ପାଇଁ ବାକ୍ୟ ପ୍ରକାଶ କରେ । 


ଫାରୋଙ୍କ ପରି ଆମ୍ଭେମାନେ ମଧ୍ୟ ଯଦି ଈଶ୍ୱରଙ୍କ ଅନୁଯୋଗକୁ ହେୟଜ୍ଞାନ କରୁ ତେବେ ଆମ୍ଭମାନଙ୍କ ନିମନ୍ତେ ମଧ୍ୟ ଗୁରୁତର ଦଣ୍ଡ ରହିଛି । ତେଣୁ ସମୟ ଥାଉ ଥାଉ ନିଜକୁ ପ୍ରଭୁଙ୍କ ଚରଣରେ ସମର୍ପଣ କରି ତାହାଙ୍କ ଦୟା ଓ ଅନୁଗ୍ରହକୁ ନିଜ ଜୀବନରେ ଗ୍ରହଣ କରିବା । 

ଭୟଙ୍କର ହସ୍ତ

 ଭୟଙ୍କର ହସ୍ତ

ଆଜିର ଚିନ୍ତା


ଯାତ୍ରା ୯: ୧-୨୬


ଜୀବିତ ଈଶ୍ଵରଙ୍କ ହସ୍ତରେ ପଡ଼ିବା ଅତି ଭୟଙ୍କର ବିଷୟ । 


ଇସ୍ରାଏଲୀୟମାନଙ୍କ ଉଦ୍ଧାରର ମୂଳ ରହସ୍ୟ ଥିଲା ଈଶ୍ୱରଙ୍କ ପ୍ରେମ । ସେ ତାଙ୍କ ଲୋକମାନଙ୍କ କ୍ଲେଶ, ଯନ୍ତ୍ରଣା ଓ ରୋଦନ ପ୍ରତି ସଦା ସଚେତନ । ସେ ସେମାନଙ୍କ ଉଦ୍ଧାର ନିମନ୍ତେ ଯେଉଁ ପ୍ରତିଜ୍ଞା କରିଥିଲେ ତାହା ରକ୍ଷା କରିବା ପାଇଁ ସେ ଯତ୍ନବାନ ଥିଲେ । 


ପଶୁପଲରେ ଆଘାତ : 

ସଦାପ୍ରଭୁ ଯେଉଁ ସମୟ ନିରୂପଣ କରିଥିଲେ ସେହି ସମୟରେ ମହାମାରୀ ମିସ୍ରୀୟ ଲୋକମାନଙ୍କର ପଶୁପଲକୁ ଆଘାତ କଲା । ସମସ୍ତ ଗୃହପାଳିତ ପଶୁଙ୍କର ମୃତ୍ୟୁ ଘଟିଲା, ମାତ୍ର ଫାରୋ ଜାଣିଲେ ଯେ ଇସ୍ରାଏଲୀୟ ମାନଙ୍କର କୌଣସି ପଶୁ ମରି ନାହାନ୍ତି । 


ଶରୀରରେ ଆଘାତ : 

ମୋଶା ଈଶ୍ୱରଙ୍କ ଆଜ୍ଞାନୁସାରେ ମୁଷ୍ଟିପୂର୍ଣ୍ଣ ଭାଟିର ଭସ୍ମ ନେଇ ଫାରୋଙ୍କ ସାକ୍ଷାତରେ ଆକାଶ ଆଡ଼କୁ ବିଞ୍ଚି ଦେଲେ ସେତେବେଳେ ଷଷ୍ଠଦଣ୍ଡ ରୂପେ ଦାହଯୁକ୍ତ ବଥ ମିସ୍ରୀୟ ମନୁଷ୍ୟ ଓ ପଶୁମାନଙ୍କ ଶରୀରରେ ହେଲା । ପରମେଶ୍ୱରଙ୍କ ଦଣ୍ଡ ଯେ ନିର୍ଦ୍ଧିଷ୍ଟଭାବେ ମିସ୍ରୀୟମାନଙ୍କ ପ୍ରତି ଘଟୁଛି ଏବଂ ଇସ୍ରାଏଲୀୟମାନେ ଯେ ସୁରକ୍ଷା ପାଉଛନ୍ତି ଏହା ସେମାନେ ସ୍ପଷ୍ଟରୂପେ ଦେଖିଲେ ଓ ଅନୁଭବ କଲେ । 


ପରାକ୍ରମୀ ପରମେଶ୍ୱର : 

ସଦାପ୍ରଭୁ ନିଜର ସାର୍ବଭୌମତ୍ୱକୁ ପ୍ରକାଶ କରି କହନ୍ତି "ତହିଁରେ ସମୁଦାୟ ପୃଥିବୀରେ ଆମ୍ଭ ତୁଲ୍ୟ କେହି ନାହିଁ ଏହା ତୁମ୍ଭେମାନେ ଜ୍ଞାତ ହେବ" । ପୁନର୍ବାର ସେ କହନ୍ତି "ମାତ୍ର ତୁମ୍ଭକୁ ଆମ୍ଭର ପରାକ୍ରମ ଦେଖାଇବାକୁ ଓ ସମୁଦାୟ ପୃଥିବୀରେ ଯେପରି ଆମ୍ଭର ନାମ କୀର୍ତ୍ତନ ହେବ ଏଥିପାଇଁ ଆମ୍ଭେ ତୁମ୍ଭଙ୍କୁ ସ୍ଥାପନ କରି ରଖିଅଛୁ" ।


ଅଜ୍ଞାର ବାଧ୍ୟତା : 

୨୦-୨୧ ପଦରେ ଆମେ ଈଶ୍ୱରଙ୍କ ବାକ୍ୟକୁ ମାନିବା ଓ ନ ମାନିବାର ପ୍ରଭେଦ ଦେଖିବାକୁ ପାଉଛୁ । ଫାରୋଙ୍କ ଦାସମାନଙ୍କ ମଧ୍ୟରେ ଯେଉଁ ବ୍ୟକ୍ତି ସଦାପ୍ରଭୁଙ୍କ ବାକ୍ୟରେ ଭୀତ ହେଲା ଓ ତା'ର ପଶୁସମ୍ପଦ ରକ୍ଷା ପାଇଲା । 


ଈଶ୍ଵରଙ୍କ ଅନୁଯୋଗକୁ ଆମେ ଆମ ଜୀବନରେ ଉଦ୍ଧାର ନିମନ୍ତେ ଉଦ୍ଦିଷ୍ଟ ବୋଲି ବିଚାର କରୁଛୁ କି ? ଯେଉଁମାନେ ସଦାପ୍ରଭୁଙ୍କ ବାକ୍ୟରେ ମନୋଯୋଗ କରନ୍ତି ବା ପାଳନ କରନ୍ତି, ସେମାନେ ଓ ସେମାନଙ୍କ ପରିବାର ଆଶୀର୍ବାଦ ପ୍ରାପ୍ତ ହୁଅନ୍ତି । 



ଅନନ୍ୟ ପରମେଶ୍ୱର

 ଅନନ୍ୟ ପରମେଶ୍ୱର

ଆଜିର ଚିନ୍ତା


ଯାତ୍ରା ୮:୧୬-୩୨


ଈଶ୍ଵରଙ୍କ ପ୍ରେମ, କାର୍ଯ୍ୟ ଓ ଗୁଣ କାହା ସହିତ ତୁଳନୀୟ ନୁହେଁ । 


ଈଶ୍ୱର ତାଙ୍କ ଲୋକମାନଙ୍କୁ ତାଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ପାଇଁ ଛାଡ଼ି ଦେବାକୁ ବାରମ୍ବାର ଫାରୋଙ୍କୁ କହିଲେ ମଧ୍ୟ ସେଥିରେ ସେ ସମ୍ମତ ହୋଇନାହାନ୍ତି । 


ଅବଧ୍ୟତାର ଦଣ୍ଡ :

 ଫାରୋଙ୍କ ହୃଦୟରେ ଯଦିଓ ସଦାପ୍ରଭୁ କଠିନତା ଦେଇଥିଲେ ତଥାପି ଫାରୋ ଈଶ୍ୱରଙ୍କ ଦଣ୍ଡ ପରେ ଦଣ୍ଡ ପ୍ରେରଣକୁ ଅତି ହାଲୁକା ଭାବରେ ଗ୍ରହଣ କରିଥିଲେ । ଉକୁଣିଆ ପୋକ ମିସରୀୟମାନଙ୍କ ଦୁଃଖର କାରଣ ହେଲା । ମିସରୀୟ ମନ୍ତ୍ରଜ୍ଞମାନେ ଜଳକୁ ରକ୍ତ କଲେ, ବେଙ୍ଗ ମଧ୍ୟ କଲେ ମାତ୍ର ଉକୁଣିଆ ପୋକ କରିପାରିଲେ ନାହିଁ । ସେତେବେଳେ ସେମାନେ ବୁଝିଲେ ଏହା କେବଳ ସେମାନଙ୍କ ପ୍ରତି ଈଶ୍ୱରଙ୍କ ଦଣ୍ଡ ଅଟେ ।


ଅପରିବର୍ତ୍ତନୀୟ ମନ : 

ଈଶ୍ଵର ସର୍ବେସର୍ବା, ସର୍ବଶକ୍ତିମାନ, ସର୍ବ ବିଷୟ ତାଙ୍କର ନିୟନ୍ତ୍ରଣାଧୀନ, ତାଙ୍କ ତୁଲ୍ୟ କେହି ନାହିଁ । ଏହାର ଚାକ୍ଷୁସ ପ୍ରମାଣ ପାଇଲେ ମଧ୍ୟ, ମନ୍ତ୍ରଜ୍ଞମାନେ ଈଶ୍ୱରଙ୍କ ଶକ୍ତିକୁ ସ୍ଵୀକାର କଲେ ମଧ୍ୟ ଫାରୋ ଆପଣା ହୃଦୟକୁ ଆହୁରି କଠିନ କଲେ । ଏହାପରେ ସଦାପ୍ରଭୁ ଦଂଶକାଦିର ବୃହତ୍ ଝାଙ୍କ ପଠାଇଲେ । ତାହା ଦେଶର ବହୁତ କ୍ଷତି ଘଟାଇଲା । ଦଣ୍ଡ ପ୍ରବଳରୁ ପ୍ରବଳତର ହେବାକୁ ଲାଗିଲା । ଫାରୋ ତାହା ଅନୁଭବ କଲେ ମଧ୍ୟ ମନକୁ ପରିବର୍ତ୍ତନ କଲେ ନାହିଁ ।


ଅବିଶ୍ବାସର ମନ : 

ଆମର ପରମେଶ୍ୱର ସତ୍ୟ ଓ ଜୀବତ, ତାଙ୍କର କର୍ମ ସକଳ ଆଶ୍ଚର୍ଯ୍ୟ ଓ ଅବର୍ଣ୍ଣନୀୟ, ସେ ଅସାଧ୍ୟ ସାଧନକାରୀ ପରମେଶ୍ୱର । ସେଦିନ ମିସରୀୟ ମନ୍ତ୍ରଜ୍ଞମାନେ ଏହା ବିଶ୍ଵାସ କଲେ କିନ୍ତୁ ଫାରୋଙ୍କ ବିଶ୍ଵାସ ଜନ୍ମିଲା ନାହିଁ ।


ଆଜି ମଧ୍ୟ ଈଶ୍ଵରଙ୍କର ଏହିପରି ଅନେକ ଆଶ୍ଚର୍ଯ୍ୟକର୍ମ ଓ ଘଟଣା ଦେଖିଲେ ମଧ୍ୟ ଅନେକଙ୍କ ହୃଦୟ ଆଜି କଠିନ ହୋଇ ରହିଛି । କଷ୍ଟ, ଦଣ୍ଡ ଆସିଲେ ମଧ୍ୟ ଆମେ ମନ ପରିବର୍ତ୍ତନ କରୁ ନାହୁ । ଆଜିର ଏ ମହାମାରୀ ସମୟରେ ପ୍ରଭୁ ପ୍ରତ୍ୟେକଙ୍କୁ ମନ ପରିବର୍ତ୍ତନର ଜୀବନ ପ୍ରଦାନ କରନ୍ତୁ ।