BN

ଦାମ୍ଭିକ ମନ

 ଦାମ୍ଭିକ ମନ

ଆଜିର ଚିନ୍ତା

ଯାତ୍ରା ୧୧:୧-୧୦


ସୁଯୋଗ ଥାଉ ଥାଉ ଆମେ ମନ ପରିବର୍ତ୍ତନ କରିବା କି? 


ଜଗତର ସନ୍ତାନମାନେ ଦୁଃଖ ପାଇଲେ ସେମାନଙ୍କ ପିତାମାତା ଦୁଃଖରେ ଭାଙ୍ଗି ପଡନ୍ତି ଏବଂ ସେମାନଙ୍କୁ ରକ୍ଷା କରିବାକୁ ଲାଗିପଡ଼ନ୍ତି । ଯଦି ଜଗତର ପିତାମାତା ବ୍ୟସ୍ତ ହୋଇ ପଡନ୍ତି, ତେବେ ଆମ ସ୍ୱର୍ଗୀୟ ପିତା ଆମ ପାଇଁ କେତେ ଅଧିକ ଚିନ୍ତା କରୁ ନ ଥିବେ । ଆଜିର ଶାସ୍ତ୍ରାଂଶରେ ଦେଖୁ, ଇସ୍ରାଏଲୀୟମାନେ ଉଦ୍ଧାର ପାଇଁ ଈଶ୍ୱରଙ୍କ ନିକଟରେ କ୍ରନ୍ଦନ କରିବାରୁ ଈଶ୍ଵର ମୋଶା ଓ ହାରୋଣଙ୍କୁ ଉଦ୍ଧାର ପାଇଁ ପ୍ରେରଣ କଲେ । 


ଦୁଷ୍ଟମାନଙ୍କ ପାଇଁ ସୁଯୋଗ : 

ନଅଟି ମହାମାରୀ ଘଟିବା ପରେ ମଧ୍ୟ ଫାରୋଙ୍କ ହୃଦୟ କଠିନ ହୋଇଥିଲା, ତେବେ ପ୍ରଶ୍ନ ଉଠେ ମୋଶାଙ୍କ ଦ୍ଵାରା ଏତେ ଆଶ୍ଚର୍ଯ୍ୟକାର୍ଯ୍ୟ ଦେଖିଲେ ମଧ୍ୟ କାହିଁକି ଫାରୋ ଏତେ ଦାମ୍ଭିକ ହୋଇଥିଲେ ? କାରଣ ସେ ନିଜକୁ ସର୍ବୋଚ୍ଚ ସ୍ଥାନରେ ରଖିଥିଲେ । ଏଇ କ୍ଷମତା ତାଙ୍କୁ ଈଶ୍ୱରଙ୍କ ପ୍ରତି ଅନ୍ଧ କରିଦେଇଥିଲା । ଈଶ୍ୱରଙ୍କ କ୍ଷମତାକୁ ବୁଝିବାକୁ ୧୦ମ ମହାମାରୀ ଯାହା ସବୁଠାରୁ କଷ୍ଟଦାୟକ ତାହା ଘଟିବାକୁ ଯାଉଥିଲା । ସର୍ବୋଚ୍ଚ ଆସନରେ ବସିଥିବା ଫାରୋଙ୍କଠାରୁ ଆରମ୍ଭ କରି ତାଙ୍କ ଦାସର ପ୍ରଥମ ସନ୍ତାନ, ପଶୁମାନଙ୍କର ମଧ୍ୟ ପ୍ରଥମଜାତ ସନ୍ତାନର ମୃତ୍ୟୁ ହେବ । ଦେଶରେ କ୍ରନ୍ଦନର ରୋଳ ଉଠିବ ଯଦ୍ଵାରା ଫାରୋ ଈଶ୍ୱରଙ୍କ ଲୋକମାନଙ୍କୁ ତଡି ଦେବେ । ସେଦିନ ଫାରୋ ଓ ମିସ୍ରୀୟମାନଙ୍କ ପାଇଁ ସୁଯୋଗ ଥିଲା, ଯେପରି ପ୍ରତ୍ୟକେ ଈଶ୍ୱରଙ୍କ ପ୍ରତି ଫେରିବେ । ଯିହିଜିକଲ ୩୩:୧୧ ରେ ଲେଖାଯାଏ, ଦୁଷ୍ଟର ମୃତ୍ୟୁରେ ଈଶ୍ୱରଙ୍କ ଆନନ୍ଦ ନାହିଁ ।


ପ୍ରେମିକ ପିତା ଈଶ୍ଵର : 

ଈଶ୍ଵର ତାଙ୍କ ମନୋନୀତ ଗୋଷ୍ଠୀଙ୍କୁ ଏତେ ପ୍ରେମ କରନ୍ତି ଯେ ୭ ପଦରେ ଲେଖାଯାଏ, କୁକୁର ମଧ୍ୟ ସେମାନଙ୍କର କ୍ଷତି କରିବେ ନାହିଁ । ଏହା ତାଙ୍କର ମନୋନୀତ ଦାସ ଅବ୍ରାହମ୍, ଇସହାକ ଓ ଯାକୁବଙ୍କ ନିକଟରେ ପ୍ରତିଜ୍ଞା ଥିଲା । ଆଜି ମଧ୍ୟ ଆମ ପ୍ରତି ତାଙ୍କ ପ୍ରେମ ଅତୁଳନୀୟ । ମାତ୍ର ସେ ଆମର ନମ୍ର  ହୃଦୟ ଆଶା କରନ୍ତି, ଯେପରି ସେ ଆମ ଜୀବନରେ ମଧ୍ୟ ଆଶ୍ଚର୍ଯ୍ୟକାର୍ଯ୍ୟ କରିପାରିବେ । ଆମର ଦାମ୍ଭିକ ମନୋବୃତ୍ତି ତ୍ୟାଗ କରି ତାଙ୍କ ପ୍ରତି ଫେରୁ ଏହା ସେ ଚାହାଁନ୍ତି । ଆସନ୍ତୁ ସୁଯୋଗର ସଦ୍ ବ୍ୟବହାର କରି ଈଶ୍ୱରଙ୍କ ସହଭାଗିତାରେ ରହିବା । 


No comments:

Post a Comment

Kindly give your suggestions or appreciation!!!