BN

ଧୈର୍ଯ୍ୟଶୀଳ ପରମେଶ୍ୱର

 ଧୈର୍ଯ୍ୟଶୀଳ ପରମେଶ୍ୱର

ଆଜିର ଚିନ୍ତା


ଯାତ୍ରା ୯:୨୭-୧୦:୬


ପରମେଶ୍ୱରଙ୍କ ଧୈର୍ଯ୍ୟକୁ ଆମେ କଳନା କରିଛୁ କି ?


ପରମେଶ୍ୱରଙ୍କ ଦୟା, ସହନଶୀଳତାକୁ ହେୟଜ୍ଞାନ କଲେ ତା'ର ପରିଣାମ ଭୟଙ୍କର ହୋଇଥାଏ । ଏହା ଜାଣି ମଧ୍ୟ ଫାରୋ ନିଜକୁ ନମ୍ର କରି ନ ଥିଲେ । 


ଅନୁତାପବିହୀନ ପାପ ସ୍ଵୀକାର :

 ମନୁଷ୍ୟ ଅନୁତାପ କରି ପାପସ୍ଵୀକାର କଲେ ପରିବର୍ତ୍ତିତ ହୋଇଥାଏ । କିନ୍ତୁ ଫାରୋ ଏହି‌‌ ଶାସ୍ତ୍ରାଂଶରେ ଯେଉଁ ସ୍ୱୀକାରୋକ୍ତି କରିଛନ୍ତି ତାହା ପ୍ରକୃତ ଅନୁତାପ ନ ଥିଲା, ତାହା କେବଳ ଛଳନା ଥିଲା । କେବଳ ସ୍ୱାର୍ଥପର ଭାବରେ ନିଜର ସୁରକ୍ଷା ଓ ଦଣ୍ଡର ନିବୃତ୍ତି ନିମନ୍ତେ ତାହା କହିଥିଲେ । ମୋଶା ଏହା ଜାଣି ମଧ୍ୟ ସଦାପ୍ରଭୁଙ୍କ ସମ୍ମୁଖରେ ହସ୍ତବିସ୍ତାର କରି ପ୍ରାର୍ଥନା କଲେ । ତହିଁରେ ମେଘ ଗର୍ଜ୍ଜନ ଓ ଶିଳାବୃଷ୍ଟି ନିବୃତ୍ତ ହେଲା । 


ଭୟଶୂନ୍ୟ ଜୀବନ : 

ଫାରୋଙ୍କର ଭୟଶୂନ୍ୟ ଜୀବନ ସକାଶେ ମିସ୍ରୀୟବାସୀ ପ୍ରତିଫଳ ପାଉଥିଲେ । ସେମାନେ ଦଣ୍ଡ ପ୍ରତି ଅତିଙ୍କିତ ହୋଇ ଇସ୍ରାଏଲୀୟମାନଙ୍କୁ ମୁକ୍ତି ଦେବା ନିମନ୍ତେ ନିବେଦନ କଲେ । ମୋଶାଙ୍କ ପ୍ରାର୍ଥନା ଦ୍ଵାରା ସମସ୍ତ ବିପଦ ଦୂର ହେବା ଦେଖି ଫାରୋ ମନକୁ ଭାରୀ କଲେ । ଯଦିଓ ସଦାପ୍ରଭୁ ଫାରୋଙ୍କ ହୃଦୟକୁ କଠିନ କରୁଥିଲେ କିନ୍ତୁ ବାରମ୍ବାର ତାଙ୍କ ପ୍ରତି ସଦୟ ହୋଇ ତାଙ୍କୁ ପରୀକ୍ଷା କରୁଥିଲେ  ଏବଂ ନିଜର ଶକ୍ତି ଓ ପରାକ୍ରମର ପରିଚୟ ପ୍ରକାଶ କରୁଥିଲେ ।


ଈଶ୍ଵରଙ୍କ କର୍ମ ଓ ପରିଚୟ : 

ଏହି ଶାସ୍ତ୍ରାଂଶରେ ପରମେଶ୍ୱର ନିଜ ଜ୍ଞାନ, ଗରିମା, ପରାକ୍ରମ, ପରାକାଷ୍ଠା ସଙ୍ଗେ ସଙ୍ଗେ ମିସ୍ରୀୟ ଲୋକମାନଙ୍କୁ ଦଣ୍ଡ ଦ୍ଵାରା ଆଘାତ ଦେଇ ଏହା ପ୍ରମାଣିତ କରନ୍ତି ଯେ, ସେ ସର୍ବଶକ୍ତିମାନ ପରମେଶ୍ୱର । ପରମେଶ୍ୱରଙ୍କର ମହତ୍ ଓ ଆଶ୍ଚର୍ଯ୍ୟକର୍ମ ଭବିଷ୍ୟତ ବଂଶଧରମାନଙ୍କୁ ଜଣାଇବା ପାଇଁ ବାକ୍ୟ ପ୍ରକାଶ କରେ । 


ଫାରୋଙ୍କ ପରି ଆମ୍ଭେମାନେ ମଧ୍ୟ ଯଦି ଈଶ୍ୱରଙ୍କ ଅନୁଯୋଗକୁ ହେୟଜ୍ଞାନ କରୁ ତେବେ ଆମ୍ଭମାନଙ୍କ ନିମନ୍ତେ ମଧ୍ୟ ଗୁରୁତର ଦଣ୍ଡ ରହିଛି । ତେଣୁ ସମୟ ଥାଉ ଥାଉ ନିଜକୁ ପ୍ରଭୁଙ୍କ ଚରଣରେ ସମର୍ପଣ କରି ତାହାଙ୍କ ଦୟା ଓ ଅନୁଗ୍ରହକୁ ନିଜ ଜୀବନରେ ଗ୍ରହଣ କରିବା । 

ଭୟଙ୍କର ହସ୍ତ

 ଭୟଙ୍କର ହସ୍ତ

ଆଜିର ଚିନ୍ତା


ଯାତ୍ରା ୯: ୧-୨୬


ଜୀବିତ ଈଶ୍ଵରଙ୍କ ହସ୍ତରେ ପଡ଼ିବା ଅତି ଭୟଙ୍କର ବିଷୟ । 


ଇସ୍ରାଏଲୀୟମାନଙ୍କ ଉଦ୍ଧାରର ମୂଳ ରହସ୍ୟ ଥିଲା ଈଶ୍ୱରଙ୍କ ପ୍ରେମ । ସେ ତାଙ୍କ ଲୋକମାନଙ୍କ କ୍ଲେଶ, ଯନ୍ତ୍ରଣା ଓ ରୋଦନ ପ୍ରତି ସଦା ସଚେତନ । ସେ ସେମାନଙ୍କ ଉଦ୍ଧାର ନିମନ୍ତେ ଯେଉଁ ପ୍ରତିଜ୍ଞା କରିଥିଲେ ତାହା ରକ୍ଷା କରିବା ପାଇଁ ସେ ଯତ୍ନବାନ ଥିଲେ । 


ପଶୁପଲରେ ଆଘାତ : 

ସଦାପ୍ରଭୁ ଯେଉଁ ସମୟ ନିରୂପଣ କରିଥିଲେ ସେହି ସମୟରେ ମହାମାରୀ ମିସ୍ରୀୟ ଲୋକମାନଙ୍କର ପଶୁପଲକୁ ଆଘାତ କଲା । ସମସ୍ତ ଗୃହପାଳିତ ପଶୁଙ୍କର ମୃତ୍ୟୁ ଘଟିଲା, ମାତ୍ର ଫାରୋ ଜାଣିଲେ ଯେ ଇସ୍ରାଏଲୀୟ ମାନଙ୍କର କୌଣସି ପଶୁ ମରି ନାହାନ୍ତି । 


ଶରୀରରେ ଆଘାତ : 

ମୋଶା ଈଶ୍ୱରଙ୍କ ଆଜ୍ଞାନୁସାରେ ମୁଷ୍ଟିପୂର୍ଣ୍ଣ ଭାଟିର ଭସ୍ମ ନେଇ ଫାରୋଙ୍କ ସାକ୍ଷାତରେ ଆକାଶ ଆଡ଼କୁ ବିଞ୍ଚି ଦେଲେ ସେତେବେଳେ ଷଷ୍ଠଦଣ୍ଡ ରୂପେ ଦାହଯୁକ୍ତ ବଥ ମିସ୍ରୀୟ ମନୁଷ୍ୟ ଓ ପଶୁମାନଙ୍କ ଶରୀରରେ ହେଲା । ପରମେଶ୍ୱରଙ୍କ ଦଣ୍ଡ ଯେ ନିର୍ଦ୍ଧିଷ୍ଟଭାବେ ମିସ୍ରୀୟମାନଙ୍କ ପ୍ରତି ଘଟୁଛି ଏବଂ ଇସ୍ରାଏଲୀୟମାନେ ଯେ ସୁରକ୍ଷା ପାଉଛନ୍ତି ଏହା ସେମାନେ ସ୍ପଷ୍ଟରୂପେ ଦେଖିଲେ ଓ ଅନୁଭବ କଲେ । 


ପରାକ୍ରମୀ ପରମେଶ୍ୱର : 

ସଦାପ୍ରଭୁ ନିଜର ସାର୍ବଭୌମତ୍ୱକୁ ପ୍ରକାଶ କରି କହନ୍ତି "ତହିଁରେ ସମୁଦାୟ ପୃଥିବୀରେ ଆମ୍ଭ ତୁଲ୍ୟ କେହି ନାହିଁ ଏହା ତୁମ୍ଭେମାନେ ଜ୍ଞାତ ହେବ" । ପୁନର୍ବାର ସେ କହନ୍ତି "ମାତ୍ର ତୁମ୍ଭକୁ ଆମ୍ଭର ପରାକ୍ରମ ଦେଖାଇବାକୁ ଓ ସମୁଦାୟ ପୃଥିବୀରେ ଯେପରି ଆମ୍ଭର ନାମ କୀର୍ତ୍ତନ ହେବ ଏଥିପାଇଁ ଆମ୍ଭେ ତୁମ୍ଭଙ୍କୁ ସ୍ଥାପନ କରି ରଖିଅଛୁ" ।


ଅଜ୍ଞାର ବାଧ୍ୟତା : 

୨୦-୨୧ ପଦରେ ଆମେ ଈଶ୍ୱରଙ୍କ ବାକ୍ୟକୁ ମାନିବା ଓ ନ ମାନିବାର ପ୍ରଭେଦ ଦେଖିବାକୁ ପାଉଛୁ । ଫାରୋଙ୍କ ଦାସମାନଙ୍କ ମଧ୍ୟରେ ଯେଉଁ ବ୍ୟକ୍ତି ସଦାପ୍ରଭୁଙ୍କ ବାକ୍ୟରେ ଭୀତ ହେଲା ଓ ତା'ର ପଶୁସମ୍ପଦ ରକ୍ଷା ପାଇଲା । 


ଈଶ୍ଵରଙ୍କ ଅନୁଯୋଗକୁ ଆମେ ଆମ ଜୀବନରେ ଉଦ୍ଧାର ନିମନ୍ତେ ଉଦ୍ଦିଷ୍ଟ ବୋଲି ବିଚାର କରୁଛୁ କି ? ଯେଉଁମାନେ ସଦାପ୍ରଭୁଙ୍କ ବାକ୍ୟରେ ମନୋଯୋଗ କରନ୍ତି ବା ପାଳନ କରନ୍ତି, ସେମାନେ ଓ ସେମାନଙ୍କ ପରିବାର ଆଶୀର୍ବାଦ ପ୍ରାପ୍ତ ହୁଅନ୍ତି । 



ଅନନ୍ୟ ପରମେଶ୍ୱର

 ଅନନ୍ୟ ପରମେଶ୍ୱର

ଆଜିର ଚିନ୍ତା


ଯାତ୍ରା ୮:୧୬-୩୨


ଈଶ୍ଵରଙ୍କ ପ୍ରେମ, କାର୍ଯ୍ୟ ଓ ଗୁଣ କାହା ସହିତ ତୁଳନୀୟ ନୁହେଁ । 


ଈଶ୍ୱର ତାଙ୍କ ଲୋକମାନଙ୍କୁ ତାଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ପାଇଁ ଛାଡ଼ି ଦେବାକୁ ବାରମ୍ବାର ଫାରୋଙ୍କୁ କହିଲେ ମଧ୍ୟ ସେଥିରେ ସେ ସମ୍ମତ ହୋଇନାହାନ୍ତି । 


ଅବଧ୍ୟତାର ଦଣ୍ଡ :

 ଫାରୋଙ୍କ ହୃଦୟରେ ଯଦିଓ ସଦାପ୍ରଭୁ କଠିନତା ଦେଇଥିଲେ ତଥାପି ଫାରୋ ଈଶ୍ୱରଙ୍କ ଦଣ୍ଡ ପରେ ଦଣ୍ଡ ପ୍ରେରଣକୁ ଅତି ହାଲୁକା ଭାବରେ ଗ୍ରହଣ କରିଥିଲେ । ଉକୁଣିଆ ପୋକ ମିସରୀୟମାନଙ୍କ ଦୁଃଖର କାରଣ ହେଲା । ମିସରୀୟ ମନ୍ତ୍ରଜ୍ଞମାନେ ଜଳକୁ ରକ୍ତ କଲେ, ବେଙ୍ଗ ମଧ୍ୟ କଲେ ମାତ୍ର ଉକୁଣିଆ ପୋକ କରିପାରିଲେ ନାହିଁ । ସେତେବେଳେ ସେମାନେ ବୁଝିଲେ ଏହା କେବଳ ସେମାନଙ୍କ ପ୍ରତି ଈଶ୍ୱରଙ୍କ ଦଣ୍ଡ ଅଟେ ।


ଅପରିବର୍ତ୍ତନୀୟ ମନ : 

ଈଶ୍ଵର ସର୍ବେସର୍ବା, ସର୍ବଶକ୍ତିମାନ, ସର୍ବ ବିଷୟ ତାଙ୍କର ନିୟନ୍ତ୍ରଣାଧୀନ, ତାଙ୍କ ତୁଲ୍ୟ କେହି ନାହିଁ । ଏହାର ଚାକ୍ଷୁସ ପ୍ରମାଣ ପାଇଲେ ମଧ୍ୟ, ମନ୍ତ୍ରଜ୍ଞମାନେ ଈଶ୍ୱରଙ୍କ ଶକ୍ତିକୁ ସ୍ଵୀକାର କଲେ ମଧ୍ୟ ଫାରୋ ଆପଣା ହୃଦୟକୁ ଆହୁରି କଠିନ କଲେ । ଏହାପରେ ସଦାପ୍ରଭୁ ଦଂଶକାଦିର ବୃହତ୍ ଝାଙ୍କ ପଠାଇଲେ । ତାହା ଦେଶର ବହୁତ କ୍ଷତି ଘଟାଇଲା । ଦଣ୍ଡ ପ୍ରବଳରୁ ପ୍ରବଳତର ହେବାକୁ ଲାଗିଲା । ଫାରୋ ତାହା ଅନୁଭବ କଲେ ମଧ୍ୟ ମନକୁ ପରିବର୍ତ୍ତନ କଲେ ନାହିଁ ।


ଅବିଶ୍ବାସର ମନ : 

ଆମର ପରମେଶ୍ୱର ସତ୍ୟ ଓ ଜୀବତ, ତାଙ୍କର କର୍ମ ସକଳ ଆଶ୍ଚର୍ଯ୍ୟ ଓ ଅବର୍ଣ୍ଣନୀୟ, ସେ ଅସାଧ୍ୟ ସାଧନକାରୀ ପରମେଶ୍ୱର । ସେଦିନ ମିସରୀୟ ମନ୍ତ୍ରଜ୍ଞମାନେ ଏହା ବିଶ୍ଵାସ କଲେ କିନ୍ତୁ ଫାରୋଙ୍କ ବିଶ୍ଵାସ ଜନ୍ମିଲା ନାହିଁ ।


ଆଜି ମଧ୍ୟ ଈଶ୍ଵରଙ୍କର ଏହିପରି ଅନେକ ଆଶ୍ଚର୍ଯ୍ୟକର୍ମ ଓ ଘଟଣା ଦେଖିଲେ ମଧ୍ୟ ଅନେକଙ୍କ ହୃଦୟ ଆଜି କଠିନ ହୋଇ ରହିଛି । କଷ୍ଟ, ଦଣ୍ଡ ଆସିଲେ ମଧ୍ୟ ଆମେ ମନ ପରିବର୍ତ୍ତନ କରୁ ନାହୁ । ଆଜିର ଏ ମହାମାରୀ ସମୟରେ ପ୍ରଭୁ ପ୍ରତ୍ୟେକଙ୍କୁ ମନ ପରିବର୍ତ୍ତନର ଜୀବନ ପ୍ରଦାନ କରନ୍ତୁ । 

ଶକ୍ତଗ୍ରୀବ ଫାରୋ

 ଶକ୍ତଗ୍ରୀବ ଫାରୋ

ଆଜିର ଚିନ୍ତା


ଯାତ୍ରା ୭:୧୪-୮:୧୫


ଜଟିଳ ପରିସ୍ଥିତିରେ ମୁ ଈଶ୍ୱରଙ୍କ ଚାଳନା ବୁଝିବାକୁ ଚେଷ୍ଟା କରିଛି କି ?


ଅନେକ ସମୟରେ ଈଶ୍ୱରଙ୍କ ପ୍ରତିଜ୍ଞା ସାଙ୍ଗେ ସାଙ୍ଗେ ସଫଳ ହୋଇ ନ ଥାଏ । ସେଥିପାଇଁ ନିରାଶ ନ ହୋଇ ଧର୍ଯ୍ୟର ସହ ଅପେକ୍ଷା କରିବାକୁ ହେବ, କାରଣ ଈଶ୍ୱରଙ୍କ ସମୟ ଆମ ସମୟଠାରୁ  ଭିନ୍ନ । 


ଈଶ୍ଵରଙ୍କ ବାର୍ତ୍ତା : ସଦାପ୍ରଭୁ ମୋଶାଙ୍କୁ କହିଲେ ତୁମ୍ଭେ ଫାରୋଙ୍କୁ ନୀଳ ନଦୀ କୂଳରେ ସାକ୍ଷାତ କରି କୁହ, ତୁମ୍ଭେ ଆମ୍ଭ ଲୋକମାନଙ୍କୁ ପ୍ରାନ୍ତରରେ ସେବା କରିବାକୁ ଛାଡ଼ିଦିଅ, କିନ୍ତୁ ତୁମ୍ଭେ ଏ ପର୍ଯ୍ୟନ୍ତ ମନୋଯୋଗ କରି ନାହ, ତେଣୁ ଆମ୍ଭେ ଯଷ୍ଟି ନଦୀର ଜଳ ଉପରେ ପକାଇ ତାକୁ ରକ୍ତମୟ କରିବା, ତେବେ ତୁମ୍ଭେ ସଦାପ୍ରଭୁଙ୍କୁ ଜାଣିବ । 


ଈଶ୍ଵରଙ୍କ ନିର୍ଦ୍ଦେଶ ପାଳନ : ହାରୋଣ ଆପଣା ଯଷ୍ଟି ଘେନି ମିସରର ସମସ୍ତ ଜଳାଶୟ ଉପରେ ହସ୍ତ ବିସ୍ତାର କରନ୍ତେ ସମୁଦାୟ ଜଳ ରକ୍ତ ହେଲା । ଏହା ଦେଖି ଫାରୋ ମନ୍ତ୍ରଜ୍ଞମାନଙ୍କ ଦ୍ଵାରା ଜଳକୁ ରକ୍ତ କଲେ ସତ କିନ୍ତୁ ମିସର ପ୍ରତି ଏହି ପ୍ରଥମ କ୍ଳେଶ ସେମାନଙ୍କୁ ଭୟଭୀତ କଲା ଏବଂ ସେମାନଙ୍କ ଧର୍ମୀୟ ବିଶ୍ଵାସ ପ୍ରତି ଏକ ଧକ୍କା ଥିଲା ।


ଈଶ୍ଵରଙ୍କ ନିର୍ଦ୍ଦେଶ ଉଲଙ୍ଘନ : ପ୍ରଥମ କ୍ଳେଶ ଶେଷ ହେବାକୁ ୭ ଦିନ ଲାଗିଲା । ତା' ପରେ ଦ୍ଵିତୀୟ ଦଣ୍ଡ ସଦାପ୍ରଭୁ ପ୍ରେରଣ କରି ଦେଶକୁ ବେଙ୍ଗରେ ପରିପୂର୍ଣ୍ଣ କଲେ । ସମଗ୍ର ମିସର ବେଙ୍ଗମୟ ହେଲା । ମନ୍ତ୍ରଜ୍ଞମାନେ ସମସ୍ୟା ବୃଦ୍ଧି କଲେ ସିନା ଲାଘବ କରିପାରିଲେ ନାହିଁ । ଫାରୋ ବିଶ୍ଵାସ କରୁଥିଲେ ମୋଶା ଓ ହାରୋଣ ସଦାପ୍ରଭୁଙ୍କ ନିର୍ଦ୍ଦେଶରେ ଆଶ୍ଚର୍ଯ୍ୟକର୍ମ କରୁଛନ୍ତି ଓ କରିବେ, ତେଣୁ ସେ ସେମାନଙ୍କୁ ଅନୁରୋଧ କଲେ ବେଙ୍ଗଦୂରୀକରଣ ନିମନ୍ତେ ପ୍ରାର୍ଥନା କର, ତେବେ ଆମ୍ଭେ ତୁମ୍ଭ ଲୋକମାନଙ୍କୁ ବଳିଦାନ କରିବା ନିମନ୍ତେ ଛାଡ଼ିବା । ମୋଶାଙ୍କର ବିଶ୍ଵାସଯୁକ୍ତ ପ୍ରାର୍ଥନା ପ୍ରଭୁ ଶୁଣିଲେ । ବିପଦମୁକ୍ତ ହେବାରୁ ଫାରୋଙ୍କର ହୃଦୟ ପୁଣି କଠିନ ହେଲା ଓ ସେମାନଙ୍କ ବାକ୍ୟରେ ମନଯୋଗ ନ କରି ଈଶ୍ୱରଙ୍କ ନିର୍ଦ୍ଦେଶକୁ ଉଲଂଙ୍ଗନ କଲେ ।


ବିଶ୍ୱାସୀମାନଙ୍କର ବିଶ୍ଵାସଯୁକ୍ତ ସରଳ ପ୍ରାର୍ଥନା ଆଜି ଅନେକ କଠିନମନାଙ୍କ ଜୀବନରେ ଆଶ୍ଚର୍ଯ୍ୟକର୍ମ ସାଧିତହେଉଛି, କିନ୍ତୁ ଫାରୋଙ୍କ ପରି ସେମାନଙ୍କ ହୃଦୟ ପରିବର୍ତ୍ତନ ହେଉ ନାହିଁ । 

ଈଶ୍ଵରଙ୍କ ମନୋନୀତ

 ଈଶ୍ଵରଙ୍କ ମନୋନୀତ

ଆଜିର ଚିନ୍ତା

ଯାତ୍ରା ୬:୨୮-୭:୧୩

ଈଶ୍ୱର ତାଙ୍କ ବ୍ୟବହାର ନିମନ୍ତେ ମୋତେ ମନୋନୀତ କରିଛନ୍ତି କି ?


ସଦାପ୍ରଭୁ ତାଙ୍କର ବ୍ୟବହାର ଯୋଗ୍ୟ ପାତ୍ରଙ୍କୁ ବିଭିନ୍ନ ପ୍ରକାର ଦାନ ଦେଇ ତାଙ୍କ ଗୌରବ ନିମନ୍ତେ ବ୍ୟବହାର କରିଥାନ୍ତି । ସଦାପ୍ରଭୁ ମୋଶା ଏବଂ ହାରଣଙ୍କୁ ତାଙ୍କର ବକ୍ତବ୍ୟ କଥା ଫାରୋଙ୍କ ନିକଟରେ ପ୍ରକାଶ କରିବା ପାଇଁ ନିଯୁକ୍ତ କରିଥିଲେ । 


ଈଶ୍ଵରଙ୍କ ନିର୍ଦ୍ଦେଶ : ଈଶ୍ଵର ମୋଶାଙ୍କୁ ଫାରୋଙ୍କ ନିକଟରେ ଈଶ୍ୱରଙ୍କ ମୁଖପାତ୍ର ହୋଇ କାର୍ଯ୍ୟ କରିବାକୁ ନିଯୁକ୍ତ କଲେ, ଯେପରି ଈଶ୍ୱରଙ୍କ ମୁଖର କଥା ଇସ୍ରାଏଲୀୟମାନଙ୍କ ନିକଟରେ ପ୍ରକାଶିତ ହେବ । ମୋଶା ଓ ହାରୋଣ ଈଶ୍ଵରଙ୍କ ନାମରେ କଥା କହିଲେ । ଈଶ୍ୱର ଯାହା ଆଜ୍ଞା ଓ ନିର୍ଦ୍ଦେଶ ଦେଲେ, ତାହା ସବୁ ମୋଶା ହାରୋଣଙ୍କୁ କହିଲେ, ଯେପରି ସେ ତାହା ଫାରୋଙ୍କୁ କହିବେ ।


ଈଶ୍ଵରଙ୍କ ଆଶ୍ଚର୍ଯ୍ୟ ଶକ୍ତି : ଈଶ୍ଵର ତାଙ୍କ ସେବକମାନଙ୍କୁ ଆଶ୍ଚର୍ଯ୍ୟକର୍ମ କରିବାରେ ଶକ୍ତି ପ୍ରଦାନ କରିଥାନ୍ତି । ଫାରୋ ଏହି ସ୍ଥାନରେ ଚିହ୍ନ ଦେଖିବାକୁ ଇଚ୍ଛା କଲେ । ସଦାପ୍ରଭୁଙ୍କ ଆଜ୍ଞା ପ୍ରମାଣେ ହାରୋଣ ଯଷ୍ଟିକୁ ଦାସମାନଙ୍କ ସମ୍ମୁଖରେ ତଳେ ପକାଇଲେ, ତହିଁରେ ତାହା ସର୍ପ ହେଲା । ମିସରୀୟ ମନ୍ତ୍ରଜ୍ଞ ଓ ପଣ୍ଡିତମାନେ ମଧ୍ୟ ଆପଣା ଆପଣା ଯଷ୍ଟି ସବୁକୁ ସର୍ପ କଲେ । ମାତ୍ର ହାରୋଣଙ୍କ ଯଷ୍ଟି ଦ୍ଵାରା ସେମାନଙ୍କର ଯଷ୍ଟି ସବୁ ଗ୍ରାସିତ ହେଲେ । ଏଥିରୁ ପ୍ରମାଣିତ ହେଲା ଯେ, ସଦାପ୍ରଭୁଙ୍କ ଶକ୍ତି ସବୁଠାରୁ ଉର୍ଦ୍ଧ୍ବରେ । ତାଙ୍କ ଶକ୍ତି ଆଗରେ ସବୁକିଛି ହାରମାନେ । 


ଈଶ୍ୱର ଯାହାକୁ ଆହ୍ବାନ କରନ୍ତି, ସେମାନଙ୍କୁ ଆଶ୍ଚର୍ଯ୍ୟରୂପେ ବ୍ୟବହାର କରିଥାନ୍ତି । ଯେପରି ଯିରିମିୟ କହିଲେ "କାରଣ ମୁଁ

ତ ବାଳକ" ଯିଶାଇୟ କହିଲେ "ମୁଁ ଅଶୁଚି ଓଷ୍ଟାଧର ବିଶିଷ୍ଟ ମନୁଷ୍ୟ", ମୋଶା କହିଲେ "ମୁଁ ବାକ୍ୟ ପତି ନୁହେଁ"  ଯାତ୍ରା (୪:୧୦) । ଶମିରୋଣୀୟା ସ୍ତ୍ରୀ ମସୀହଙ୍କୁ ଚିହ୍ନି ଯେଉଁ ସାକ୍ଷ୍ୟ ଦେଲେ ତଦ୍ୱାରା ସେହି ନଗରର ଅନେକ ଲୋକ ଯୀଶୁଙ୍କୁ ବିଶ୍ଵାସ କଲେ । ପ୍ରଭୁ ଯୀଶୁ ଯଦି ଆମକୁ ଆହ୍ଵାନ ଦେଇ ମନୋନୀତ କରିଛନ୍ତି, ତେବେ ଆମର ବାକ୍ୟ ଓ ସାକ୍ଷ୍ୟ ଦ୍ଵାରା ସେ ଗୌରବାନ୍ଵିତ ହେବେ ।