ସୁରକ୍ଷାଦାତା ଈଶ୍ଵର
ଆଜିର ଚିନ୍ତା
ଯାତ୍ରା ୨:୧-୧୦
ଈଶ୍ଵରଙ୍କ ଯୋଜନାକୁ ସଫଳ କରିବା ଦିଗରେ ମୋର ଭୂମିକା କ'ଣ ?
ଇସ୍ରାଏଲର ଉଦ୍ଧାର ନିମନ୍ତେ, ପରମେଶ୍ୱର ମୋଶାଙ୍କୁ ବାଛିଲେ, କିନ୍ତୁ ଯାହାଙ୍କ ଦ୍ଵାରା ଇସ୍ରାଏଲର ଉଦ୍ଧାର ହେବାକୁ ଯାଉଥିଲା ସେହି ମୋଶାଙ୍କ ଶିଶୁ ଅବସ୍ଥା ଅତି ବିପଦପୂର୍ଣ୍ଣ ଥିଲା । କେତୋଟି ବିଶେଷ କାରଣରୁ ମୋଶାଙ୍କ ଜୀବନ ରକ୍ଷା ପାଇଥିଲେ ।
ପରମେଶ୍ଵରଙ୍କ ସାହାଯ୍ୟ : ଯେତେବେଳେ ଫାରୋ ଇସ୍ରାଏଲର ସମସ୍ତ ନବଜାତ ପୁତ୍ର ସନ୍ତାନ ମାନଙ୍କୁ ମାରିଦେବା ପାଇଁ ଆଜ୍ଞା ଦେଲେ (ଆଦି ୧:୨୨) । ସେହି ସମୟରେ ମୋଶାଙ୍କର ଜନ୍ମ ହୋଇଥିଲା । ସେ ଅତି ସୁନ୍ଦର ଥିବାରୁ ତାଙ୍କ ମାତା ତାଙ୍କୁ ଲୁଚାଇ ରଖିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଆଉ ଲୁଚାଇ ନ ପାରି ମୋଶାଙ୍କୁ ଜୀବିତ ରଖିବା ପାଇଁ ଏକ ଯୋଜନା ପ୍ରସ୍ତୁତ କଲେ । ମୋଶାଙ୍କୁ ଗୋଟିଏ ନଳନିର୍ମିତ ପେଡ଼ି ମଧ୍ୟରେ ନଦୀ ତୀରସ୍ଥ ନଳବନରେ ରଖିଲେ, ଆଉ ସମସ୍ତ ବିଷୟ ପ୍ରଭୁଙ୍କ ଉପରେ ଛାଡ଼ିଦେଲେ । ଯେତେବେଳେ ଫାରୋଙ୍କ କନ୍ୟା ମୋଶାଙ୍କୁ ପାଇଲେ, ସେତେବେଳେ ମୋଶାଙ୍କ ଭଉଣୀ ଶିଶୁଟିର ଯତ୍ନ ନେବା ପାଇଁ ଜଣେ ଏବ୍ରୀୟା ଧାତ୍ରୀକି ଡାକିକି ଆଣିଲେ, ଯେ ପ୍ରକୃତରେ ମୋଶାଙ୍କ ମାତା ଥିଲେ । ସେଦିନ ସେମାନଙ୍କ ଉପସ୍ଥିତ ବୃଦ୍ଧି ଏବଂ ପରମେଶ୍ଵରଙ୍କ ସାହାଯ୍ୟ ଦ୍ଵାରା ମୋଶାଙ୍କୁ ଗୋଟିଏ ନୂତନ ଜୀବନ ମିଳିଥିଲା । ଆମ ଜୀବନରେ ମଧ୍ୟ ଅନେକ ସମୟରେ ବଡ଼ ବଡ଼ ସମସ୍ୟା ସବୁ ଆସିଥାଏ । ତାହାର ସମ୍ମୁଖୀନ ହୋଇ ଉପଯୁକ୍ତ ପଦକ୍ଷେପ ଯେପରି ଆମେ ନେଇପାରିବା, ସେଥିପାଇଁ ପ୍ରଭୁଙ୍କଠାରୁ ଜ୍ଞାନ ଓ ବୁଦ୍ଧି ଭିକ୍ଷା କରୁ ପୁଣି ପ୍ରଭୁଙ୍କ ସାହାଯ୍ୟ ପ୍ରାର୍ଥନା କରୁ ।
ପରମେଶ୍ଵରଙ୍କ ଯୋଜନା : ପରମେଶ୍ୱର ଫାରୋଙ୍କର କନ୍ୟାଙ୍କ ହୃଦୟରେ ଶିଶୁ ମୋଶାଙ୍କ ପ୍ରତି ଦୟାର ଅନ୍ତକରଣ ଦେଲେ । ସେ ମୋଶାଙ୍କୁ ଏବ୍ରୀୟ ଜାଣି ମଧ୍ୟ ନିଜ ପୁତ୍ର ସ୍ୱରୂପେ ଗ୍ରହଣ କରିଲେ । ପରମେଶ୍ବର ତାଙ୍କୁ ଫାରୋଙ୍କ ଗୃହରେ ସୁରକ୍ଷିତ ରଖିଲେ କାରଣ ଫାରୋଙ୍କ ଗୃହ ଛଡ଼ା ମୋଶାଙ୍କ ପାଇଁ ସୁରକ୍ଷିତ ସ୍ଥାନ ହୁଏତ ଅନ୍ୟତ୍ର ନ ଥିଲା । ସେହି ବାଳକ ଦିନେ ଫାରୋଙ୍କ ଗୃହରେ ରହି ବୃଦ୍ଧି ପାଇବ ଓ ପରବର୍ତ୍ତୀ ସମୟରେ ଇସ୍ରାଏଲ ଜାତି ପ୍ରତି ଉଦ୍ଧାର କାର୍ଯ୍ୟ ସାଧନ କରିବ, ତାହାର କଳ୍ପନା ମଧ୍ୟ କେହି କରି ନ ଥିବେ । ତେଣୁ ପ୍ରଭୁଙ୍କର ଆଶ୍ଚର୍ଯ୍ୟ ଯୋଜନାକୁ ବୁଝିବା ମନୁଷ୍ୟ ପକ୍ଷରେ କଷ୍ଟକର । ଯେଉଁମାନେ ଈଶ୍ୱରଙ୍କୁ ଭୟ କରନ୍ତି, ଈଶ୍ଵର ସେମାନଙ୍କୁ ଉଦ୍ଧାର କରିବାକୁ ବହୁପୂର୍ବରୁ ଯୋଜନାଗୁଡିକ ପ୍ରସ୍ତୁତ କରନ୍ତି । ଏଣୁ ଆସନ୍ତୁ ଈଶ୍ୱରଙ୍କ ସାର୍ବଭୌମତ୍ୱକୁ ସ୍ଵୀକାର କରି ତାହାଙ୍କ ନିକଟରେ ଆପଣା ଗତି ସମର୍ପଣ କରୁ ।