ବିଶ୍ଵାସ ଓ ନମ୍ରତା
ଆଜିର ଚିନ୍ତା
ଲୁକ ୭:୧-୧୦
ଆମ୍ଭମାନଙ୍କର ବିଶ୍ଵାସର ଗଭୀରତା କେତେ ?
ଶତସେନାପତି ଜଣେ ଦାୟୀତ୍ଵ ସମ୍ପନ୍ନ ବ୍ୟକ୍ତି ତଥା ଶହ ଶହ ସେନାଙ୍କର ଅଧିପତି ହେଲେ ହେଁ, ତାଙ୍କର ଯୀଶୁଙ୍କ ପ୍ରତି ବିଶ୍ବାସ ଥିଲା ଓ ସେ ଜଣେ ନମ୍ର ଲୋକ ଥିଲେ ।
ବିଶ୍ବାସର ଜୀବନ : ଶତସେନାପତିଙ୍କର ବିଶ୍ଵାସ ଥିଲା ଯେ, ଯୀଶୁ ହିଁ ଏକମାତ୍ର ସୁସ୍ଥକାରୀ । ତେଣୁ ସେ ପ୍ରାଚୀନମାନଙ୍କୁ ଯୀଶୁଙ୍କ ନିକଟକୁ କହି ପଠେଇଲେ ଯେ, ତାଙ୍କର ଦାସ ଅସୁସ୍ଥ । ତାଙ୍କର ବିଶ୍ବାସ ଥିଲା ଯେ, ଯୀଶୁଙ୍କର ପଦେ କଥାରେ ତାଙ୍କ ଦାସ ସୁସ୍ଥ ହୋଇଯିବ । ଆମେ କ'ଣ ଯୀଶୁଙ୍କୁ ଏହିଭଳି ବିଶ୍ଵାସ କରୁ ? ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେ, ସିଦ୍ଧିଦାତା ଏହା ଆମ୍ଭମାନଙ୍କୁ ବିଶ୍ଵାସ କରିବାକୁ ହେବ (ଏବ୍ରୀ ୧୨:୧) । ଶାସ୍ତ୍ରରେ ଆମେ ଦେଖୁ ନୋହ, ଅବ୍ରାହମ, ଇସହାକ, ଯାକୁବ, ଇତ୍ୟାଦି ସେମାନଙ୍କ ବିଶ୍ୱାସ ହେତୁ ଧାର୍ମିକ ଗଣିତ ହେଲେ । ବିଶ୍ୱାସୀ ବୀରମାନେ ବିଶ୍ଵାସ ଦ୍ଵାରା ଆଶୀର୍ବାଦ ପ୍ରାପ୍ତ ହେଲେ, ରାଜ୍ୟ ଜୟ କଲେ, ଧର୍ମ ସାଧନ କଲେ ଓ ପ୍ରତିଜ୍ଞାର ଫଳ ପ୍ରାପ୍ତ ହେଲେ । କାରଣ "ବିଶ୍ଵାସ ପ୍ରତ୍ୟାଶିତ ବିଷୟର ମୂଳଭୂମି ଓ ଅଦୃଶ୍ୟ ବିଷୟର ନିଶ୍ଚିତ ଜ୍ଞାନ" (ଏବ୍ରୀ ୧୧:୧) । ହବକ୍କୂକ କହିଲେ, "ଧାର୍ମିକ ବିଶ୍ୱାସ ଦ୍ଵାରା ବଞ୍ଚିବ" (୨:୪) । ସେଦିନ ଶତସେନାପତିଙ୍କ ବିଶ୍ଵାସର ପୁରସ୍କାର ସେ ପାଇଥିଲେ ।
ନମ୍ରତାର ଜୀବନ : ଶତସେନାପତି ଯୀଶୁଙ୍କୁ କହିଲା "ଆପଣ ଯେ ମୋ ଘରକୁ ଆସିବେ ଏମିତି ଯୋଗ୍ୟତା ମୋର ନାହିଁ" ଏହା ତାଙ୍କ ନମ୍ରତାର ପ୍ରମାଣ ଦେଇଥାଏ । ଯୀଶୁ ତାଙ୍କ ନମ୍ରତାରେ ଚମକ୍ରୃତ ହେଲେ ଏବଂ ଦାସଟିକୁ ସୁସ୍ଥ କରିଦେଲେ । ଖ୍ରୀଷ୍ଟ ବିଶ୍ୱାସୀ ହିସାବରେ ଆମ୍ଭମାନଙ୍କର ନମ୍ରତା ହି ପ୍ରଧାନ ଓ ପ୍ରଥମ ଗୁଣ ହେବା ଆବଶ୍ୟକ । ନମ୍ର ଲୋକ କୁ ଈଶ୍ବର ରକ୍ଷା କରିବେ (ଆୟୁବ ୨୨:୨୯) । ନମ୍ରତାର ଆଚରଣ ଈଶ୍ୱରଙ୍କ କୋପ ନାଶ କରେ (୧ ବଂଶାବଳୀ ୩୨:୨୬) । ଯେ କେହି ନିଜକୁ ଉନ୍ନତି ଦେଖାଏ, ତାକୁ ନତ କରାଯିବ (ମାଥିଉ ୨୩:୧୨) । ଯୀଶୁ ଖ୍ରୀଷ୍ଟ ନମ୍ରତାର ଚରମ ପ୍ରତୀକ । ଜଗତରେ ରହଣୀକାଳରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନମ୍ରତାର ଉଦାହରଣ ଦେଖାଇ ଦେଇ ଯାଇଛନ୍ତି । ଈଶ୍ଵରଙ୍କ ସନ୍ତାନ ଓ ଗୁରୁ ହୋଇ ମଧ୍ଯ, ଶିଷ୍ୟମାନଙ୍କର ଗୋଡ଼ ଧୋଇ ଦେଲେ (ଯୋହନ ୧୩:୧୨-୧୪) । ଯେଉଁମାନେ ତାଙ୍କୁ ଚୋର ଭଳି ଧରିଲେ, ଚାବୁକ୍ ମାରିଲେ, ଛେପ ପକାଇଲେ, ବର୍ଚ୍ଛା ମାରିଲେ, କ୍ରୁଶରେ ଚଢ଼ାଇଲେ, ସେମାନଙ୍କୁ କ୍ଷମା କରିବା ପାଇଁ ସେ ପିତା ଈଶ୍ୱରଙ୍କୁ ପ୍ରାର୍ଥନା କଲେ । (ଲୁକ ୨୩:୩୪) ପୁଣି କ୍ରୁଶୀୟ ମୃତ୍ୟୁ ପର୍ଯ୍ୟନ୍ତ ନିଜକୁ ନମ୍ର କଲେ (ଫିଲିପ୍ପୀୟ ୨:୮) । ତେଣୁ ଆସନ୍ତୁ, ଆମେ ଯୀଶୁଙ୍କୁ ଆଦର୍ଶ ଭାବରେ ମାନି ନିଜକୁ ନମ୍ର କରି, ଈଶ୍ୱରଙ୍କ ଅନୁଗ୍ରହ ଲାଭ କରିବା ।