BN

ଶିଷ୍ୟ ମନୋନୟନ

 ଶିଷ୍ୟ ମନୋନୟନ 

ଆଜିର ଚିନ୍ତା

 ଲୂକ ୬:୧୨-୨୬


ଆମେ କ'ଣ ଯୀଶୁଙ୍କ ଶିଷ୍ୟ ହୋଇପାରିଛୁ ? 


ପ୍ରଭୁ ଯୀଶୁ ଖ୍ରୀଷ୍ଟ ପର୍ବତ ଉପରେ ସମସ୍ତ ରାତ୍ରୀ ପ୍ରାର୍ଥନା କଲେ ଓ ପ୍ରଭାତରେ ଆପଣା ଶିଷ୍ୟମାନଙ୍କୁ ମନୋନୀତ କଲେ। ଅର୍ଥାତ୍ ଏହି ମନୋନୟନରେ ଈଶ୍ୱରଙ୍କ ଇଚ୍ଛା ଓ ଯୋଜନାକୁ ସେ ପ୍ରାଧାନ୍ୟତା ଦେଇଥିଲେ । ଏହା ଆମ ପାଇଁ ଏକ ଶିକ୍ଷଣୀୟ ବିଷୟ ଅଟେ । ତେଣୁ ଆମର ପ୍ରାର୍ଥନାର ସମୟକୁ ଆମେ ବଢ଼ାଇବାକୁ ଯତ୍ନବାନ ହେଉ । କୌଣସି ଜରୁରୀ ସିଦ୍ଧାନ୍ତ ନେବା ପୁର୍ବରୁ ପ୍ରାର୍ଥନା ପୂର୍ବକ ଈଶ୍ବରଙ୍କ ଇଚ୍ଛାକୁ ବୁଝିବାକୁ ଯତ୍ନ କରୁ । 


ଶିଷ୍ୟ ହେବାର ଯୋଗ୍ୟତା : ଯୀଶୁ କହିଲେ, ଯେ ମୋହର ଶିଷ୍ୟ ହେବା ପାଇଁ ଇଛା କରେ, ସେ ନିଜର କ୍ରୃଶ ଘେନି ମୋତେ ଅନୁସରଣ କରୁ । ଅନେକ ଲୋକ ଯୀଶୁଙ୍କ ପଛେ ପଛେ ଯାଉଥିଲେ ସତ, ମାତ୍ର ସେ ୧୨ ଜଣଙ୍କୁ ନିଜର ପ୍ରେରିତ ଶିଷ୍ୟ ଭାବରେ ମନୋନୟନ କଲେ । ସେମାନଙ୍କ ଜୀବନରେ ଥିଲା ଯୀଶୁଙ୍କ ପ୍ରତି ପ୍ରଗାଢ ବିଶ୍ୱାସ ଓ ବାଧ୍ୟତା । ଡାକିବା ମାତ୍ରେ ପ୍ରଶ୍ନ ନ କରି ତାଙ୍କ ପଛରେ ଅନୁଗମନ କଲେ, ଏତଦ୍ ବ୍ୟତୀତ ସେମାନେ ପରିଶ୍ରମୀ ଓ କଷ୍ଟ ସ୍ବୀକାର କରିବାକୁ ପଚ୍ଛାଇ ନ ଥିଲେ । ଯୀଶୁଙ୍କର ଶିଷ୍ୟ ହେବା ପାଇଁ ବିଶେଷ ଯୋଗ୍ୟତାର ଆବଶ୍ୟକତା ନାହିଁ, ମାତ୍ର ଆବଶ୍ୟକତା ଅଛି ବାଧ୍ୟତରେ । 


ଯୀଶୁଙ୍କର କାର୍ଯ୍ୟ : ଲୋକସମୁହ ସବୁବେଳେ ଯୀଶୁଙ୍କ ପଛରେ ଯାଉଥିଲେ । ତାଙ୍କର ଆକର୍ଷଣୀୟ ଅଧିକାର ଯୁକ୍ତ ବାକ୍ୟ ଶୁଣିବାକୁ ମହଜନତା ଭଲ ପାଉଥିଲେ ଏବଂ ବିଭିନ୍ନ ବ୍ୟାଧିରୁ ସୁସ୍ଥ ମଧ୍ୟ ହେଉଥିଲେ । ତାଙ୍କୁ ସ୍ପର୍ଶ କରୁଥଲେ, କାରଣ ତାଙ୍କୁ ସ୍ପର୍ଶ କଲେ ସୁସ୍ଥତା ମିଳୁଥିଲା । ସେମାନଙ୍କର ଗଭୀର ବିଶ୍ଵାସ ଥିଲା ଯେ ସ୍ପର୍ଶ କଲେ, ସୁସ୍ଥତା ମିଳିବ । 


ଯୀଶୁଙ୍କର ଚେତାବନୀ : ଯୀଶୁ ଲୋକମାନଙ୍କୁ ଭଲ ମନ୍ଦର ଶିକ୍ଷା ଦେଉଥିଲେ । ଆତ୍ମାରେ ଦୀନହୀନ ଅବସ୍ଥା ଈଶ୍ୱରଙ୍କ ରାଜ୍ୟକୁ ରାସ୍ତା କଢ଼ାଏ । ଆତ୍ମାରେ  କ୍ଷୁଧିତ, ରୋଦନ କରୁଥିବା ଧର୍ଯ୍ୟବାନ ଲୋକ ଆର୍ଶୀବାଦର ଯୋଗ୍ୟ । ଯେଉଁମାନେ ଈଶ୍ୱରଙ୍କୁ ବିଶ୍ଵାସ କରନ୍ତି ଓ ତାଙ୍କ ପାଇଁ ନିନ୍ଦା ଭୋଗନ୍ତି, ସେମାନେ ଅକ୍ଷୟ ମୁକୁଟର ଅଧିକାରୀ ହେବେ । କିନ୍ତୁ ଯେଉଁମାନେ ଜାଗତିକ ଧନସମ୍ପତ୍ତି ପାଇଁ ଲୋଭ କରନ୍ତି ଅବା ଶାରୀରିକ ଅଭିଳାଷରେ ଖୁସି ହୁଅନ୍ତି ସେମାନେ ଦଣ୍ଡର ପାତ୍ର । ତେଣୁ ଆମେ ନିଜକୁ ପ୍ରଶ୍ନ କରିବା ଆମେ କେଉଁଥିପାଇଁ ଯୋଗ୍ୟ (ଦ୍ଵୀ. ବିବ. ୨୮:୧,୧୫)?

ଯଥାର୍ଥ ଆଚରଣ

ଯଥାର୍ଥ ଆଚରଣ

ଆଜିର ଚିନ୍ତା

ଲୂକ ୬:୨୭-୩୬


ମୁଁ ଯୀଶୁଙ୍କ ଉପଦେଶକୁ ମାନ୍ୟ କରୁଛି କି ?

 

ଆଜିର ପଠିତାଂଶରେ ଜଗତର ଲୋକମାନଙ୍କର ଆଚରଣର ବିପରୀତ ଆଚରଣ କରିବାକୁ ଯୀଶୁ ତାଙ୍କର ଶିକ୍ଷାରେ ଆମକୁ ଜଣାଉଛନ୍ତି । ଏହାହିଁ ପ୍ରତ୍ୟକ ବିଶ୍ୱାସୀ ନିମନ୍ତେ ଯଥାର୍ଥ ଆଚରଣ ଅଟେ । 

ବାଧ୍ୟତାପୂର୍ଣ୍ଣ ଆଚରଣ : ପ୍ରଭୁଯୀଶୁ କହିଲେ "ତୁମ୍ଭମାନଙ୍କ ପିତା ଯେପରି ଦୟାଳୁ, ତୁମ୍ଭେମାନେ ମଧ୍ୟ ସେପରି ଦୟାଳୁ ହୁଅ" (୩୬ପଦ) । ଶତ୍ରୁମାନଙ୍କୁ ପ୍ରେମ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ପାଇଁ ପ୍ରାର୍ଥନା କର । ଯେଉଁମାନେ ତୁମକୁ ଘୃଣା କରନ୍ତି ସେମାନଙ୍କର ମଙ୍ଗଳ କର । ଯେଉଁମାନେ ତୁମକୁ ଅଭିଶାପ ଦିଅନ୍ତି ସେମାନଙ୍କୁ ଆଶୀର୍ବାଦ କର । ଯେ ଗୋଟିଏ ଗାଲରେ ଚାପୁଡ଼ା ମାରେ ଅନ୍ୟ ଗାଲଟି ଦେଖାଇ ଦିଅ । ମାତ୍ର ଆମେ ଜାଗତିକତାରେ ମାତି ଯାଇଥିବାରୁ ଆମକୁ ଏହା ପାଳନ କରିବା କଷ୍ଟକର ହୁଏ । ମହାତ୍ମାଗାନ୍ଧୀ ପ୍ରଭୁଯୀଶୁଙ୍କୁ ଆଦର୍ଶ ମାନୁଥିବାରୁ ଓ ତାଙ୍କର ନୀତିବାକ୍ୟ ପାଳନ କରୁଥିବାରୁ ଅହିଂସାଦ୍ଵାରା ଭାରତକୁ ସ୍ବାଧୀନ କରିବାରେ ସଫଳ ହେଲେ । ଆମେ ବାଇବଲ ପଢୁଛୁ, ପ୍ରାର୍ଥନା କରୁଛୁ, ଗୀର୍ଜା ଉପାସନା ଯାଉଛୁ, ଦାନ ଦଶମାଂଶ ଦେଉଛୁ, ମାତ୍ର ତାଙ୍କ ବାକ୍ୟାନୁରୂପ ଆଚରଣ କରୁ ନାହୁଁ । ଏହା ଦୁଃଖର ବିଷୟ ନୁହେଁ କି ?

ପ୍ରେମପୂର୍ଣ୍ଣ ଆଚରଣ : ସାଧାରଣତଃ ଆମେ ଚାହୁଁ ଲୋକମାନେ ଆମ୍ଭମାନଙ୍କୁ ଭଲପାଆନ୍ତୁ, ସମ୍ମାନ ଦେଖାନ୍ତୁ । ମାତ୍ର ଆମେ କାହାରିକୁ ପ୍ରେମ କରୁନା । ତେଣୁ ଯୀଶୁ କହୁଛନ୍ତି "ପରସ୍ପରକୁ ପ୍ରେମ କର" । ମାତ୍ର ଆମେ ସେମାନଙ୍କୁ କରୁ ଯେଉଁମାନେ ଆମର କଥା ଶୁଣନ୍ତି, ଆମକୁ ସମ୍ମାନ ଦେଖାନ୍ତି । ଯେ ମୋତେ ୠଣ ଦିଏ, ଆନୁଗତ୍ୟ ପ୍ରକାଶ କରେ, ମୁଁ ତାକୁ ୠଣ ଦେଇଥାଏ ଓ ତାର ମଙ୍ଗଳ କରିଥାଏ । ପାଇବା ଆଶାରେ ଆମେ ୠଣ ଦେଉ । ସେଥିପାଇଁ ଆମେ ଯୀଶୁଙ୍କ ଶିକ୍ଷାର ବିପରୀତ ଆଚରଣ କରୁଛୁ । ତେଣୁ ଯୀଶୁଙ୍କର ଆଜ୍ଞାକୁ ମାନି ଅନ୍ୟମାନଙ୍କ ସହିତ ପ୍ରେମରେ ବାସ କରୁ ବର୍ତ୍ତମାନ ସୁଦ୍ଧା ସମୟ ଅଛି, ଆମ୍ଭମାନଙ୍କୁ ଅନୁତାପ ସହ ଯୀଶୁଙ୍କ ଚରଣ ତଳକୁ ଫେରିବା ଆବଶ୍ୟକ, ଯେମିତି ଲୋକେ ଆମ୍ଭମାନଙ୍କ ଆଚରଣ ଓ ଉଚ୍ଚାରଣରୁ ବୁଝିବେ ଯେ ଆମେ ଯୀଶୁଙ୍କର ଅଟୁ । 

ବିଶ୍ରାମବାରର ତାତ୍ପର୍ଯ୍ୟ

 ବିଶ୍ରାମବାରର ତାତ୍ପର୍ଯ୍ୟ

ଆଜିର ଚିନ୍ତା


ଲୁକ ୬:୧-୧୧


ବିଶ୍ରାମବାରକୁ ଆମେ କିପର ଭାବେ ପାଳନ କରୁଛୁ ? 


ମୋଶାଙ୍କ ଦ୍ଵାରା ପ୍ରଦତ୍ତ ଦଶ ଆଜ୍ଞା ଯାହା ଈଶ୍ଵର ଇସ୍ରାଏଲ ଜାତି ନିମନ୍ତେ ପ୍ରଦାନ କରିଥିଲେ, ତାହା ଯାତ୍ରା ୨୦:୧-୧୭ ଓ ଦ୍ଵି. ବିବ. ୫:୬-୨୧ରେ ଲିପିବଦ୍ଧ ହୋଇଅଛି । ସେଥିମଧ୍ୟରୁ ୪ର୍ଥ ଆଜ୍ଞାଟି ହେଉଛି, "ବିଶ୍ରାମ ଦିନ ପବିତ୍ର ରୂପେ ପାଳିବାକୁ ସ୍ମରଣ କର" (ଯାତ୍ରା ୨୦: ୮ପଦ) । 


ବିଶ୍ରାମବାରର ତାତ୍ପର୍ଯ୍ୟ : ଛଅ ଦିନ କାର୍ଯ୍ୟ କରିବା ପରେ ପରମେଶ୍ଵର ସପ୍ତମ ଦିନ ବିଶ୍ରାମ ନେଲେ ( ଆଦି ୨:୩) । ଈଶ୍ୱର ବିଶ୍ରାମବାରକୁ ପବିତ୍ର ରୂପେ ପାଳନ କରିବାକୁ ଯେ ଆଜ୍ଞା ଦେଇଥିଲେ କେବଳ ସେତିକି ନୁହେଁ ପୁତ୍ର କନ୍ୟା, ଦାସ ଦାସୀ, ପଶୁ ଆଦି କେହି ପରିଶ୍ରମ କରିବେ ନାହିଁ, ଯେହେତୁ ବିଶ୍ରାମବାର ସଦାପ୍ରଭୁଙ୍କ ଆର୍ଶୀବାଦର ଦିନ (ଯାତ୍ରା ୩୧:୧୭) । ଯୀଶୁ କହିଲେ, "ମନୁଷ୍ୟପୁତ୍ର ବିଶ୍ରାମବାରର ପ୍ରଭୁ ଅଟନ୍ତି" ଯାହା ଆଜି ଆମେ ଭୁଲି ଯାଇଛୁ । ଯେ ବ୍ୟବସ୍ଥା ଦେଲେ, ସେ କ'ଣ ବ୍ୟବସ୍ଥା ଭାଙ୍ଗି ପାରନ୍ତି ? ଯୀଶୁ ଏ ସ୍ଥାନରେ ବ୍ୟବସ୍ଥା ଅପେକ୍ଷା ମନୁଷ୍ୟର ଜୀବନକୁ ପ୍ରାଧାନ୍ୟ ଦେଇଛନ୍ତି, ମନୁଷ୍ୟକୁ ବଞ୍ଚିବାକୁ ହେଲେ ଖାଦ୍ୟର ଆବଶ୍ୟକତା ରହିଛି, ଖାଦ୍ୟ ଖାଇବା ବ୍ୟବସ୍ଥା ଲଂଘନ ନୁହେଁ ବୋଲି ଯୀଶୁ ଶିଖନ୍ତି । ତେଣୁ ଆମେ ବିଶ୍ରାମବାରକୁ ବୁଦ୍ଧିର ସହିତ ପାଳନ କରିବା ଆବ୍ୟଶ୍ୟକ, ଯେପରି ପ୍ରଭୁଙ୍କର ଗୌରବ ନଷ୍ଟ ନ ହୁଏ ଓ ଆମେ ତାଙ୍କ ସହିତ ସହଭାଗିତାରେ ରହୁ । 


ବିଶ୍ରାମବାରରେ କାର୍ଯ୍ୟ : ବିଶ୍ରାମବାରରେ ଜଣେ ଲୋକର ଶୁଷ୍କ ହାତ ସୁସ୍ଥ କରିଥିବାରୁ ଶାସ୍ତ୍ରୀ, ଫାରୁଶୀମାନେ ବାଦାନୁବାଦ ଓ ସମାଲୋଚନା କରିବାକୁ ଲାଗିଲେ । କିନ୍ତୁ ଯୀଶୁ ସେମାନଙ୍କୁ ବୁଝାଇ ଦେବାକୁ ଚେଷ୍ଟା କଲେ ଯେ, ବିଶ୍ରାମ ବାରରେ ଭଲ କରିବା ଉଚିତ ନା ମନ୍ଦ କରିବା ? ପ୍ରାଣରକ୍ଷା କରିବା ନା ବିନାଶ କରିବା ? ଯୀଶୁ ଏ ସ୍ଥାନରେ ବ୍ୟବସ୍ଥା ଅପେକ୍ଷା ମନୁଷ୍ୟର ସ୍ବାସ୍ଥ୍ୟକୁ ଗୁରୁତ୍ଵ ଦେଇଛନ୍ତି କିନ୍ତୁ ଶାସ୍ତ୍ରୀ ଓ ଫାରୁଶୀମାନେ ନିଜ ମଧ୍ୟରେ ଆଲୋଚନା କରି କ୍ରୋଧିତ ହେଲେ ଏବଂ ତାଙ୍କ ବିରୁଦ୍ଧରେ ଭବିଷ୍ୟତ କାର୍ଯ୍ୟପନ୍ଥା ଚିନ୍ତା କଲେ । ଈଶ୍ଵରଙ୍କ ଆଜ୍ଞା ପାଳନ କରିବା ଆମର ପ୍ରଥମ ଓ ପ୍ରଧାନ କାର୍ଯ୍ଯ ( ଦ୍ଵି. ବିବ.୫:୧୫) । ତେଣୁ ପ୍ରଭୁଙ୍କର ଏହି ଆଜ୍ଞାଟିକୁ ହାଲୁକା ଭାବରେ ନ ନେଇ, ପ୍ରଭୁଙ୍କ ସହିତ ଅଧିକ ସମୟ କାଟିବାକୁ ଯତ୍ନବାନ ହେଉ । ଯେହେତୁ ବିଶ୍ରାମବାରଟି ବିଶ୍ରାମ ପାଇଁ ଉଦ୍ଦିଷ୍ଟ, ତେଣୁ ଚେଷ୍ଟା କରୁ ସମସ୍ତ କାର୍ଯ୍ୟରୁ ନିଜକୁ ଅଲଗା କରି, ବିଶ୍ରାମ ନେଉ, କାରଣ ଏହା ଶରୀର ନିମନ୍ତେ ମଧ୍ୟ ଅତ୍ୟନ୍ତ ଜରୁରୀ ଅଟେ । 


ପାପୀଙ୍କର ବନ୍ଧୁ ଯୀଶୁ

 ପାପୀଙ୍କର ବନ୍ଧୁ ଯୀଶୁ

ଆଜିର ଚିନ୍ତା

ଲୁକ ୫:୨୭-୩୯


ମୁଁ ପ୍ରଭୁଙ୍କର ଆହ୍ବାନକୁ ସମ୍ମାନ ଦେଇଥାଏ କି ? 


ଆଜିର ଶାସ୍ତ୍ରାଂଶରେ ଆମେ ଲେବୀଙ୍କ (ମାଥିଉ)  ଆହ୍ବାନ ବିଷୟ ପାଠ କରୁ। କର ଆଦାୟ କରିବା ତାଙ୍କର ବୃତ୍ତି ଥିଲା । ସାଧାରଣତଃ କରଗ୍ରାହୀମାନଙ୍କୁ ଲୋକମାନେ ଘୃଣା କରୁଥିଲେ । ଯିହୁଦୀମାନେ ତାହାଙ୍କୁ ଜଣେ ପାପୀ ଲୋକ ବୋଲି କହୁଥିଲେ । ଯୀଶୁ ପାପୀମାନଙ୍କର ହୃଦୟକୁ ଜାଣି ପାରୁଥିଲେ । ପାପରୁ ଉଦ୍ଧାର ପାଇବା ପାଇଁ ମନ ପରିବର୍ତ୍ତନର ଆହ୍ବାନ  ସେମାନଙ୍କୁ ଦେଉଥିଲେ । 


ମନ ପରିବର୍ତ୍ତନର ନିମନ୍ତେ ଆହ୍ବାନ : ଯୀଶୁଙ୍କର ଅନୁଗମନ କରି ତାଙ୍କର ଶିଷ୍ୟ ହେବା ପାଇଁ ଲେବୀଙ୍କୁ ସେ ସୁଯୋଗ ଦେଇଥିଲେ । ସେ ଯୀଶୁଙ୍କର ଆହ୍ୱାନକୁ ଗ୍ରହଣ କରିଥିଲେ ଏବଂ ସମ୍ମାନ ଦେଇଥିଲେ । ସମସ୍ତ ବିଷୟ ପରିତ୍ୟାଗ କରି ଯୀଶୁଙ୍କର ପଛେ ପଛେ ଯାଇଥିଲେ । ସେ ଯୀଶୁଙ୍କ ଆହ୍ଵାନର ଆଜ୍ଞାବହ ହେଲେ । ଆମେ ବାକ୍ୟ ଶୁଣିଥାଉ କିନ୍ତୁ ବାକ୍ୟକୁ ଗ୍ରହଣ କରି ସମ୍ମାନ ଦେଇ ଅଜ୍ଞାବହ ହେବା ପାଇଁ ଗୁରୁତ୍ଵ ଦେଇ ନ ଥାଉ । ଏହାଦ୍ବାରା ଆମର ଆତ୍ମିକ ଜୀବନର ଦୁର୍ବଳତା ପ୍ରକାଶ ପାଇଥାଏ । ଏ ବିଷୟରେ ଆମକୁ ସାବଧାନ ହେବାକୁ ପଡିବ । ଲେବୀଙ୍କ ଜୀବନରେ ପରିତ୍ରାଣର ଆନନ୍ଦ ଦେଖି ପାରୁଛୁ । ସେଥିପାଇଁ ସେ ତାଙ୍କର ଗୃହରେ ଭୋଜିର ଆୟୋଜନ କରିଥିଲେ । ନିଜେ ପାଇଥିବା ଆନନ୍ଦକୁ ବାଣ୍ଟିବା ପାଇଁ ବହୁ ସଂଖ୍ୟକ ଲୋକମାନଙ୍କୁ ଭୋଜିରେ ସାମିଲ କରିଥିଲେ । ସେହି ଗୃହରେ ଯୀଶୁ ଜଗତକୁ ଆସିବାର ଉଦ୍ଦେଶ୍ୟ ସମସ୍ତଙ୍କୁ ଜଣାଇ କହିଲେ, ମନ ପରିବର୍ତ୍ତନ କରିବା ନିମନ୍ତେ ପାପୀମାନଙ୍କୁ  ଆହ୍ଵାନ କରିବା ପାଇଁ ମୁଁ ଆସିଅଛି । (୩୨ପଦ) 


ଉପବାସ ପ୍ରାର୍ଥନାର ଆବଶ୍ୟକତା : ବର୍ତ୍ତମାନ ଆମେ ବରଙ୍କର ଅନୁପସ୍ଥିତିର ସମୟ ମଧ୍ୟରେ ବାସ କରୁଅଛୁ । ଈଶ୍ଵରଙ୍କ ଇଚ୍ଛାକୁ ଜାଣିବା ପାଇଁ ଉପବାସ ଏବଂ ପ୍ରାର୍ଥନା କରିବା ଉଚିତ । କିନ୍ତୁ ଉପବାସ ପ୍ରାର୍ଥନାର ଗୁରୁତ୍ଵକୁ ନ ବୁଝି ପ୍ରାର୍ଥନା କରିବା ସଠିକ୍ ବିଷୟ ନୁହେଁ । ଏହାଛଡା ନୁଆ ଦ୍ରାକ୍ଷାରସ ଯୀଶୁଙ୍କର ସୁସମାଚାର ଏବଂ ପରିତ୍ରାଣର ସମ୍ବାଦକୁ ବୁଝାଏ । ଫାରୁଶୀମାନେ ନିଜର ପୁରାତନ ସ୍ଵଭାବକୁ ଦୂର କରି, ନୂତନ ସ୍ଵଭାବରେ ଆଚରଣ କରିବା ପାଇଁ ଆମକୁ ସଚେତନ କରେ । ଆମେ ଲେବୀଙ୍କ ଭଳି ଯୀଶୁଙ୍କ ଆହ୍ଵାନର ବାଧ୍ୟ ହେବା କି ? ଲେବୀଙ୍କ ଜୀବନରେ ପୁରାତନ ବିଷୟ ସବୁ ଲୋପ ପାଇ ନୂତନ ବିଷୟ ସବୁ ହୋଇଛି ବୋଲି ଆମେ ଜାଣିପାରିଛୁ । ଧନର ମାୟା ଏବଂ ଜଗତର ଆକର୍ଷଣ ତାଙ୍କର ଜୀବନରେ ରହିଲା ନାହିଁ । ସେ ସାରା ଜୀବନ ଯୀଶୁଙ୍କର ଅନୁଗମନ କରି ତାଙ୍କର ଶିଷ୍ୟତ୍ୱ ଗ୍ରହଣ କଲେ । 



ବିଶ୍ଵାସ ସହିତ କର୍ମ

 ବିଶ୍ଵାସ ସହିତ କର୍ମ

ଆଜିର ଚିନ୍ତା

ଲୂକ ୫:୧୨-୨୬


ମୋର ବିଶ୍ଵାସ କର୍ମ ଉପରେ ଆଧାରିତ ଅଟେ କି?


ଲୋକମାନେ ବାକ୍ୟ ଶୁଣିବା ପାଇଁ ଏବଂ ରୋଗରୁ ସୁସ୍ଥତା ପାଇବା ପାଇଁ ଯୀଶୁଙ୍କ ନିକଟରେ ଭିଡ କରୁଥିଲେ । ଯୀଶୁ କୌଣସି ବ୍ୟକ୍ତିକୁ ନିରାଶ କରୁ ନ ଥିଲେ । ତାଙ୍କ ମୁଖରେ ବାକ୍ୟ ଦ୍ଵାରା ଲୋକମାନେ ସୁସ୍ଥତା ଲାଭ କରୁଥିଲେ । ମୋର ବିଶ୍ଵାସର ଜୀବନ ଦ୍ଵାରା ଅନ୍ୟମାନେ ଉପକୃତ ହୋଇ ପାରୁଛନ୍ତି କି ?

ସୁସ୍ଥତା ପ୍ରଦାନକାରୀ ଯୀଶୁ : କୁଷ୍ଠୀ ଲୋକମାନେ ଅଶୁଚି ବୋଲି ନଗର ବାହାରେ ସେମାନଙ୍କୁ ରହିବାକୁ ପଡୁଥିଲା । ଲୋକମାନେ ସେମାନଙ୍କୁ ଘୃଣା କରୁଥିଲେ । କୁଷ୍ଠୀ ଲୋକଟି ନମ୍ର ଭାବରେ ଯୀଶୁଙ୍କ ନିକଟକୁ ଆସି ସୁସ୍ଥତା ପାଇବା ପାଇଁ ଅନୁରୋଧ କରିଥିଲା । ଯୀଶୁ ତାହାକୁ ସ୍ପର୍ଶ କରି କହିଲେ, ମୁଁ ଇଚ୍ଛା କରୁଅଛି ଶୁଚି ହୁଅ । ମନୁଷ୍ୟମାନଙ୍କ ପରି ତାଙ୍କଠାରେ ଘୃଣଭାବ ନ ଥିଲା । କାରଣ ସେ ଈଶ୍ୱର ଥିଲେ । ତାଙ୍କଠାରେ  ଯେଉଁ ଶକ୍ତି ଥିଲା, ସେଥିପାଇଁ ସେ ବଡିମା ଦେଖାଉ ନ ଥିଲେ । ସେ କହିଲେ, ଏ ବିଷୟ କାହାକୁ କୁହ ନାହିଁ । କିନ୍ତୁ ଯାଜକଙ୍କୁ  ଦେଖାଅ ଏବଂ ଧନ୍ୟବାଦର ନୈବେଦ୍ୟ ଉତ୍ସର୍ଗ କର ପ୍ରଭୁ ଯୀଶୁ ପ୍ରାର୍ଥନା କରିବା ପାଇଁ ନିର୍ଜ୍ଜନ ସ୍ଥାନ ଖୋଜୁଥିଲେ । ବାକ୍ୟରେ ଲେଖାଯାଏ, (୧୬ପଦ) ମାତ୍ର ସେ ନିର୍ଜ୍ଜନ ସ୍ଥାନମାନଙ୍କରେ ରହି ପ୍ରାର୍ଥନା କରୁଥିଲେ ଯେପରି ସେ ଶକ୍ତିରେ ପରିପୂର୍ଣ୍ଣ ହେବେ। 


ପାପକ୍ଷମକାରୀ ଯୀଶୁ: ଅନେକ ସମୟରେ ନିଜର ପାପ ପାଇଁ ଆମେ ଅସୁସ୍ଥତା ଭୋଗ କରିଥାଉ । ଗୀତ ୧୦୩:୩ରେ ଲେଖାଯାଏ, "ସେ ତୁମ୍ଭର ଅଧର୍ମ ସବୁ କ୍ଷମା କରନ୍ତି, ସେ ତୁମ୍ଭର ରୋଗସବୁ ସୁସ୍ଥ କରନ୍ତି ଏହାଛଡା ଅନେକ ସମୟରେ ଇଶ୍ଵରଙ୍କର ଗୌରବ ଏବଂ ମହିମା ପ୍ରକାଶ ପାଇଁ ମଧ୍ଯ ଅସୁସ୍ଥତା ଆସିଥାଏ । ସେଦିନ ଚାରି ଜଣ ବନ୍ଧୁ ପକ୍ଷାଘାତ ରୋଗୀକୁ ବିଶ୍ଵାସର ସହିତ ଯୀଶୁଙ୍କ ନିକଟକୁ ଆଣିଥିଲେ । ଭିଡ ସକାଶୁ ତାଙ୍କ ନିକଟରେ ପହଞ୍ଚିବା କଷ୍ଟକର ଥିଲେ ମଧ୍ୟ ସେମାନେ ବହୁ କଷ୍ଟ କରି ଯୀଶୁଙ୍କ ପାଖରେ ପହଞ୍ଚି ପାରିଥିଲେ । ଯୀଶୁ ସେମାନଙ୍କ ବିଶ୍ୱାସ ଦେଖି କହିଲେ, ହେ ମନୁଷ୍ୟ ତୁମ୍ଭର ପାପସବୁ କ୍ଷମା କରାଯାଇଅଛି (୨୦ପଦ) ସୁସ୍ଥତା ଦେବା ସହିତ ପାପ କ୍ଷମା କରିବାର ଅଧିକାର ଯେ ଯୀଶୁଙ୍କର ଅଛି ଏହା ସେଦିନ ଲୋକମାନେ ଜାଣିପାରିଥିଲେ । ବନ୍ଧୁମାନଙ୍କ ବିଶ୍ଵାସ ଦ୍ଵାରା ପକ୍ଷାଘାତ ରୋଗୀ ସୁସ୍ଥତା ପାଇଥିଲା । ମୋର ବିଶ୍ଵାସର ଜୀବନ ଅନ୍ୟମାନଙ୍କୁ କିପରି ପ୍ରଭାବିତ କରୁଛି ? ଆସନ୍ତୁ ନିଜକୁ ପରୀକ୍ଷା କରିବା ଓ ବିଶ୍ଵାସର ଜୀବନକାଟି ନିଜର ପୁଣି ଅନ୍ୟମାନଙ୍କର ଆର୍ଶୀବାଦର କାରଣ ହେବା ।