ଆତ୍ମ - ସମୀକ୍ଷା ଓ ବାଧ୍ୟତା
ଆଜିର ଚିନ୍ତା
ଲୁକ ୬:୩୭-୪୯
ମୁଁ ନିଜ ଦୋଷକୁ ନ ଦେଖି ଅନ୍ୟର ଦୋଷକୁ ଦେଖି ଥାଏ କି?
ଆଜିର ଶାସ୍ତ୍ରରେ ଯୀଶୁ ଦୁଇଟି ବିଷୟକୁ ଗୁରୁତ୍ଵ ଦେଇ ଶିକ୍ଷା ଦେଇଛନ୍ତି । ୧. ଆତ୍ମ- ସମୀକ୍ଷା, ୨. ବାଧ୍ୟତା । ଆତ୍ମ ସମୀକ୍ଷାର ଶେଷରେ ସେ ଲେଖନ୍ତି, ହୃଦୟର ପୂର୍ଣ୍ଣତାରୁ ମୁଖ କଥା କହେ । ତା'ର ଅର୍ଥ ମନୁଷ୍ୟ ହୃଦୟରେ ଯାହା ଥାଏ, ତାହା ମୁଖ ଓ କାର୍ଯ୍ୟରେ ପ୍ରକାଶ ପାଏ ।
ହୃଦୟର ପୂର୍ଣ୍ଣତା : ଆମକୁ ସ୍ମରଣ ରଖିବାକୁ ହେବ ଯେ ଆମେ ବିଶେଷ ମୂଲ୍ୟରେ କିଣା ଯାଇଅଛୁ (୧ କରିନ୍ତୀ ୬:୧୯-୨୦) । ପରିବର୍ତ୍ତିତ ପ୍ରାଣଟି ଯୀଶୁଙ୍କର । ସେ ତାଙ୍କର ରକ୍ତ ବିନିମୟରେ ତାହା କିଣିଛନ୍ତି (୧ ପିତର ୧:୧୮-୧୯) । ତେଣୁ ଆମ ଶରୀର ଈଶ୍ୱରଙ୍କ ମନ୍ଦିର ଈଶ୍ୱର ସେଠାରେ ବାସ କରନ୍ତି (୨ କରିନ୍ତୀ ୬:୧୬) । ମାତ୍ର ଆମେ ତାହାକୁ ଦସ୍ୟୁର ଗହ୍ଵର କରି ରଖିଛୁ । ଦସ୍ୟୁର ଗହ୍ଵରରେ ଅନ୍ଧକାର ରାଜତ୍ୱ କରେ ଶୟତାନ ଅନ୍ଧକାରର ରାଜା, ସେ ଆମ ଅନ୍ତରରେ ବାସ କରେ ଫଳରେ ଜାଗତିକତା ପୂର୍ଣ୍ଣତାରୁ ମନ୍ଦତା ନିର୍ଗତ ହୋଇଥାଏ । ହୃଦୟରେ ପୂର୍ଣ୍ଣତା ପ୍ରାପ୍ତି ନିମନ୍ତେ ଆମ୍ଭମାନଙ୍କୁ ଚାରିଗୋଟି ବିଷୟ ଆବଶ୍ୟକ ।
(୧) ବିଶ୍ଵାସ (ଗାଲାତୀୟ ୩:୨),
(୨) ସମର୍ପଣ (ରୋମୀୟ୧୨:୧-୨),
(୩) ବାଧ୍ୟତା (ପ୍ରେରିତ ୫:୩୨),
(୪) ମାଗିବା ( ଲୁକ୧୧:୧୩) ।
ଆମେ ଅନ୍ୟକୁ ନ ଦେଖି, ନିଜକୁ ଦେଖୁ ଓ ଆତ୍ମ ସମୀକ୍ଷା ପୂର୍ବକ ପ୍ରଭୁଙ୍କଠାରେ ସମର୍ପିତ ହେଉ ।
ବାକ୍ୟ ପାଳନ: ଆମ୍ଭେମାନେ ଭୁଲିଯାଇଅଛୁ ଯେ ଈଶ୍ୱରଙ୍କ ବାକ୍ୟ ଆମର ପଥକୁ ପ୍ରଦୀପ ଦେଖାଏ ଏବଂ ଚରଣକୁ ଆଲୋକ ଦିଏ (ଗୀତ ୧୧୯:୧୦୫) । ଯୀଶୁ କହିଲେ, ଜାହାଲାଗୁଡିକ ପାଣିରେ ଭର୍ତ୍ତି କର (ଯୋହନ ୨:୧-୧୧) । ବିନା ଆପତ୍ତିରେ ସେମାନେ ବାକ୍ୟର ବାଧ୍ୟ ହେଲେ । ଯୀଶୁ କହିଲେ "ଲୋକମାନଙ୍କୁ ଧାଡ଼ିରେ ବସାଅ" । କେହି ସନ୍ଦେହ କଲେ ନାହିଁ ଯେ ପାଞ୍ଚୋଟି ରୋଟି ଓ ଦୁଇଟି ମାଛ ଏତେ ଲୋକ କିପରି ଖାଇବେ ? ସଙ୍ଗେ ସଙ୍ଗେ ବାକ୍ୟ ପାଳନ କଲେ (ଲୁକ୯:୧୦-୧୭) । ଯୀଶୁଙ୍କ ବାକ୍ୟର ଶକ୍ତି ଉପରେ ବିଶ୍ଵାସ କରି ଶତସେନାପତି ପ୍ରାଚୀନମାନଙ୍କୁ ପଠାଇଥିଲେ (ଲୁକ ୭:୧-୧୦) । ବାକ୍ୟ ପାଳନର ଫଳ ଆମେ ଜାଣୁ । ବାକ୍ୟପାଳନକାରୀ ପଥର ଉପରେ ଗୃହ ନିର୍ମାଣକାରୀସଦୃଶ (ଲୁକ୬:୪୮) । ଯେତେ ବାଧା ବିଘ୍ନ ଆସିଲେ ମଧ୍ୟ ତା'ର କିଛି କ୍ଷତି ହୁଏ ନାହିଁ। ପରୀକ୍ଷକ ଯୀଶୁଙ୍କୁ ପରୀକ୍ଷା କରିବା ସମୟରେ ଯୀଶୁ ଉତ୍ତର ଦେଲେ, "ମଣିଷ କେବଳ ରୋଟିରେ ବଞ୍ଚିବ ନାହିଁ, ମାତ୍ର ଈଶ୍ୱରଙ୍କ ମୁଖ ନିଃସୃତ ବାକ୍ୟରେ ବଞ୍ଚିବ" (ମାଥିଉ୪:୪) । ତେଣୁ ଆସନ୍ତୁ, ଈଶ୍ୱରଙ୍କ ବାକ୍ୟକୁ କେବଳ ଶୁଣି ବା ଜାଣି ନିରବ ନ ରହି ବାକ୍ୟର କର୍ମକାରୀ ହେବା ।