BN

ଯଥାର୍ଥ ଆଚରଣ

ଯଥାର୍ଥ ଆଚରଣ

ଆଜିର ଚିନ୍ତା

ଲୂକ ୬:୨୭-୩୬


ମୁଁ ଯୀଶୁଙ୍କ ଉପଦେଶକୁ ମାନ୍ୟ କରୁଛି କି ?

 

ଆଜିର ପଠିତାଂଶରେ ଜଗତର ଲୋକମାନଙ୍କର ଆଚରଣର ବିପରୀତ ଆଚରଣ କରିବାକୁ ଯୀଶୁ ତାଙ୍କର ଶିକ୍ଷାରେ ଆମକୁ ଜଣାଉଛନ୍ତି । ଏହାହିଁ ପ୍ରତ୍ୟକ ବିଶ୍ୱାସୀ ନିମନ୍ତେ ଯଥାର୍ଥ ଆଚରଣ ଅଟେ । 

ବାଧ୍ୟତାପୂର୍ଣ୍ଣ ଆଚରଣ : ପ୍ରଭୁଯୀଶୁ କହିଲେ "ତୁମ୍ଭମାନଙ୍କ ପିତା ଯେପରି ଦୟାଳୁ, ତୁମ୍ଭେମାନେ ମଧ୍ୟ ସେପରି ଦୟାଳୁ ହୁଅ" (୩୬ପଦ) । ଶତ୍ରୁମାନଙ୍କୁ ପ୍ରେମ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ପାଇଁ ପ୍ରାର୍ଥନା କର । ଯେଉଁମାନେ ତୁମକୁ ଘୃଣା କରନ୍ତି ସେମାନଙ୍କର ମଙ୍ଗଳ କର । ଯେଉଁମାନେ ତୁମକୁ ଅଭିଶାପ ଦିଅନ୍ତି ସେମାନଙ୍କୁ ଆଶୀର୍ବାଦ କର । ଯେ ଗୋଟିଏ ଗାଲରେ ଚାପୁଡ଼ା ମାରେ ଅନ୍ୟ ଗାଲଟି ଦେଖାଇ ଦିଅ । ମାତ୍ର ଆମେ ଜାଗତିକତାରେ ମାତି ଯାଇଥିବାରୁ ଆମକୁ ଏହା ପାଳନ କରିବା କଷ୍ଟକର ହୁଏ । ମହାତ୍ମାଗାନ୍ଧୀ ପ୍ରଭୁଯୀଶୁଙ୍କୁ ଆଦର୍ଶ ମାନୁଥିବାରୁ ଓ ତାଙ୍କର ନୀତିବାକ୍ୟ ପାଳନ କରୁଥିବାରୁ ଅହିଂସାଦ୍ଵାରା ଭାରତକୁ ସ୍ବାଧୀନ କରିବାରେ ସଫଳ ହେଲେ । ଆମେ ବାଇବଲ ପଢୁଛୁ, ପ୍ରାର୍ଥନା କରୁଛୁ, ଗୀର୍ଜା ଉପାସନା ଯାଉଛୁ, ଦାନ ଦଶମାଂଶ ଦେଉଛୁ, ମାତ୍ର ତାଙ୍କ ବାକ୍ୟାନୁରୂପ ଆଚରଣ କରୁ ନାହୁଁ । ଏହା ଦୁଃଖର ବିଷୟ ନୁହେଁ କି ?

ପ୍ରେମପୂର୍ଣ୍ଣ ଆଚରଣ : ସାଧାରଣତଃ ଆମେ ଚାହୁଁ ଲୋକମାନେ ଆମ୍ଭମାନଙ୍କୁ ଭଲପାଆନ୍ତୁ, ସମ୍ମାନ ଦେଖାନ୍ତୁ । ମାତ୍ର ଆମେ କାହାରିକୁ ପ୍ରେମ କରୁନା । ତେଣୁ ଯୀଶୁ କହୁଛନ୍ତି "ପରସ୍ପରକୁ ପ୍ରେମ କର" । ମାତ୍ର ଆମେ ସେମାନଙ୍କୁ କରୁ ଯେଉଁମାନେ ଆମର କଥା ଶୁଣନ୍ତି, ଆମକୁ ସମ୍ମାନ ଦେଖାନ୍ତି । ଯେ ମୋତେ ୠଣ ଦିଏ, ଆନୁଗତ୍ୟ ପ୍ରକାଶ କରେ, ମୁଁ ତାକୁ ୠଣ ଦେଇଥାଏ ଓ ତାର ମଙ୍ଗଳ କରିଥାଏ । ପାଇବା ଆଶାରେ ଆମେ ୠଣ ଦେଉ । ସେଥିପାଇଁ ଆମେ ଯୀଶୁଙ୍କ ଶିକ୍ଷାର ବିପରୀତ ଆଚରଣ କରୁଛୁ । ତେଣୁ ଯୀଶୁଙ୍କର ଆଜ୍ଞାକୁ ମାନି ଅନ୍ୟମାନଙ୍କ ସହିତ ପ୍ରେମରେ ବାସ କରୁ ବର୍ତ୍ତମାନ ସୁଦ୍ଧା ସମୟ ଅଛି, ଆମ୍ଭମାନଙ୍କୁ ଅନୁତାପ ସହ ଯୀଶୁଙ୍କ ଚରଣ ତଳକୁ ଫେରିବା ଆବଶ୍ୟକ, ଯେମିତି ଲୋକେ ଆମ୍ଭମାନଙ୍କ ଆଚରଣ ଓ ଉଚ୍ଚାରଣରୁ ବୁଝିବେ ଯେ ଆମେ ଯୀଶୁଙ୍କର ଅଟୁ । 

ବିଶ୍ରାମବାରର ତାତ୍ପର୍ଯ୍ୟ

 ବିଶ୍ରାମବାରର ତାତ୍ପର୍ଯ୍ୟ

ଆଜିର ଚିନ୍ତା


ଲୁକ ୬:୧-୧୧


ବିଶ୍ରାମବାରକୁ ଆମେ କିପର ଭାବେ ପାଳନ କରୁଛୁ ? 


ମୋଶାଙ୍କ ଦ୍ଵାରା ପ୍ରଦତ୍ତ ଦଶ ଆଜ୍ଞା ଯାହା ଈଶ୍ଵର ଇସ୍ରାଏଲ ଜାତି ନିମନ୍ତେ ପ୍ରଦାନ କରିଥିଲେ, ତାହା ଯାତ୍ରା ୨୦:୧-୧୭ ଓ ଦ୍ଵି. ବିବ. ୫:୬-୨୧ରେ ଲିପିବଦ୍ଧ ହୋଇଅଛି । ସେଥିମଧ୍ୟରୁ ୪ର୍ଥ ଆଜ୍ଞାଟି ହେଉଛି, "ବିଶ୍ରାମ ଦିନ ପବିତ୍ର ରୂପେ ପାଳିବାକୁ ସ୍ମରଣ କର" (ଯାତ୍ରା ୨୦: ୮ପଦ) । 


ବିଶ୍ରାମବାରର ତାତ୍ପର୍ଯ୍ୟ : ଛଅ ଦିନ କାର୍ଯ୍ୟ କରିବା ପରେ ପରମେଶ୍ଵର ସପ୍ତମ ଦିନ ବିଶ୍ରାମ ନେଲେ ( ଆଦି ୨:୩) । ଈଶ୍ୱର ବିଶ୍ରାମବାରକୁ ପବିତ୍ର ରୂପେ ପାଳନ କରିବାକୁ ଯେ ଆଜ୍ଞା ଦେଇଥିଲେ କେବଳ ସେତିକି ନୁହେଁ ପୁତ୍ର କନ୍ୟା, ଦାସ ଦାସୀ, ପଶୁ ଆଦି କେହି ପରିଶ୍ରମ କରିବେ ନାହିଁ, ଯେହେତୁ ବିଶ୍ରାମବାର ସଦାପ୍ରଭୁଙ୍କ ଆର୍ଶୀବାଦର ଦିନ (ଯାତ୍ରା ୩୧:୧୭) । ଯୀଶୁ କହିଲେ, "ମନୁଷ୍ୟପୁତ୍ର ବିଶ୍ରାମବାରର ପ୍ରଭୁ ଅଟନ୍ତି" ଯାହା ଆଜି ଆମେ ଭୁଲି ଯାଇଛୁ । ଯେ ବ୍ୟବସ୍ଥା ଦେଲେ, ସେ କ'ଣ ବ୍ୟବସ୍ଥା ଭାଙ୍ଗି ପାରନ୍ତି ? ଯୀଶୁ ଏ ସ୍ଥାନରେ ବ୍ୟବସ୍ଥା ଅପେକ୍ଷା ମନୁଷ୍ୟର ଜୀବନକୁ ପ୍ରାଧାନ୍ୟ ଦେଇଛନ୍ତି, ମନୁଷ୍ୟକୁ ବଞ୍ଚିବାକୁ ହେଲେ ଖାଦ୍ୟର ଆବଶ୍ୟକତା ରହିଛି, ଖାଦ୍ୟ ଖାଇବା ବ୍ୟବସ୍ଥା ଲଂଘନ ନୁହେଁ ବୋଲି ଯୀଶୁ ଶିଖନ୍ତି । ତେଣୁ ଆମେ ବିଶ୍ରାମବାରକୁ ବୁଦ୍ଧିର ସହିତ ପାଳନ କରିବା ଆବ୍ୟଶ୍ୟକ, ଯେପରି ପ୍ରଭୁଙ୍କର ଗୌରବ ନଷ୍ଟ ନ ହୁଏ ଓ ଆମେ ତାଙ୍କ ସହିତ ସହଭାଗିତାରେ ରହୁ । 


ବିଶ୍ରାମବାରରେ କାର୍ଯ୍ୟ : ବିଶ୍ରାମବାରରେ ଜଣେ ଲୋକର ଶୁଷ୍କ ହାତ ସୁସ୍ଥ କରିଥିବାରୁ ଶାସ୍ତ୍ରୀ, ଫାରୁଶୀମାନେ ବାଦାନୁବାଦ ଓ ସମାଲୋଚନା କରିବାକୁ ଲାଗିଲେ । କିନ୍ତୁ ଯୀଶୁ ସେମାନଙ୍କୁ ବୁଝାଇ ଦେବାକୁ ଚେଷ୍ଟା କଲେ ଯେ, ବିଶ୍ରାମ ବାରରେ ଭଲ କରିବା ଉଚିତ ନା ମନ୍ଦ କରିବା ? ପ୍ରାଣରକ୍ଷା କରିବା ନା ବିନାଶ କରିବା ? ଯୀଶୁ ଏ ସ୍ଥାନରେ ବ୍ୟବସ୍ଥା ଅପେକ୍ଷା ମନୁଷ୍ୟର ସ୍ବାସ୍ଥ୍ୟକୁ ଗୁରୁତ୍ଵ ଦେଇଛନ୍ତି କିନ୍ତୁ ଶାସ୍ତ୍ରୀ ଓ ଫାରୁଶୀମାନେ ନିଜ ମଧ୍ୟରେ ଆଲୋଚନା କରି କ୍ରୋଧିତ ହେଲେ ଏବଂ ତାଙ୍କ ବିରୁଦ୍ଧରେ ଭବିଷ୍ୟତ କାର୍ଯ୍ୟପନ୍ଥା ଚିନ୍ତା କଲେ । ଈଶ୍ଵରଙ୍କ ଆଜ୍ଞା ପାଳନ କରିବା ଆମର ପ୍ରଥମ ଓ ପ୍ରଧାନ କାର୍ଯ୍ଯ ( ଦ୍ଵି. ବିବ.୫:୧୫) । ତେଣୁ ପ୍ରଭୁଙ୍କର ଏହି ଆଜ୍ଞାଟିକୁ ହାଲୁକା ଭାବରେ ନ ନେଇ, ପ୍ରଭୁଙ୍କ ସହିତ ଅଧିକ ସମୟ କାଟିବାକୁ ଯତ୍ନବାନ ହେଉ । ଯେହେତୁ ବିଶ୍ରାମବାରଟି ବିଶ୍ରାମ ପାଇଁ ଉଦ୍ଦିଷ୍ଟ, ତେଣୁ ଚେଷ୍ଟା କରୁ ସମସ୍ତ କାର୍ଯ୍ୟରୁ ନିଜକୁ ଅଲଗା କରି, ବିଶ୍ରାମ ନେଉ, କାରଣ ଏହା ଶରୀର ନିମନ୍ତେ ମଧ୍ୟ ଅତ୍ୟନ୍ତ ଜରୁରୀ ଅଟେ । 


ପାପୀଙ୍କର ବନ୍ଧୁ ଯୀଶୁ

 ପାପୀଙ୍କର ବନ୍ଧୁ ଯୀଶୁ

ଆଜିର ଚିନ୍ତା

ଲୁକ ୫:୨୭-୩୯


ମୁଁ ପ୍ରଭୁଙ୍କର ଆହ୍ବାନକୁ ସମ୍ମାନ ଦେଇଥାଏ କି ? 


ଆଜିର ଶାସ୍ତ୍ରାଂଶରେ ଆମେ ଲେବୀଙ୍କ (ମାଥିଉ)  ଆହ୍ବାନ ବିଷୟ ପାଠ କରୁ। କର ଆଦାୟ କରିବା ତାଙ୍କର ବୃତ୍ତି ଥିଲା । ସାଧାରଣତଃ କରଗ୍ରାହୀମାନଙ୍କୁ ଲୋକମାନେ ଘୃଣା କରୁଥିଲେ । ଯିହୁଦୀମାନେ ତାହାଙ୍କୁ ଜଣେ ପାପୀ ଲୋକ ବୋଲି କହୁଥିଲେ । ଯୀଶୁ ପାପୀମାନଙ୍କର ହୃଦୟକୁ ଜାଣି ପାରୁଥିଲେ । ପାପରୁ ଉଦ୍ଧାର ପାଇବା ପାଇଁ ମନ ପରିବର୍ତ୍ତନର ଆହ୍ବାନ  ସେମାନଙ୍କୁ ଦେଉଥିଲେ । 


ମନ ପରିବର୍ତ୍ତନର ନିମନ୍ତେ ଆହ୍ବାନ : ଯୀଶୁଙ୍କର ଅନୁଗମନ କରି ତାଙ୍କର ଶିଷ୍ୟ ହେବା ପାଇଁ ଲେବୀଙ୍କୁ ସେ ସୁଯୋଗ ଦେଇଥିଲେ । ସେ ଯୀଶୁଙ୍କର ଆହ୍ୱାନକୁ ଗ୍ରହଣ କରିଥିଲେ ଏବଂ ସମ୍ମାନ ଦେଇଥିଲେ । ସମସ୍ତ ବିଷୟ ପରିତ୍ୟାଗ କରି ଯୀଶୁଙ୍କର ପଛେ ପଛେ ଯାଇଥିଲେ । ସେ ଯୀଶୁଙ୍କ ଆହ୍ଵାନର ଆଜ୍ଞାବହ ହେଲେ । ଆମେ ବାକ୍ୟ ଶୁଣିଥାଉ କିନ୍ତୁ ବାକ୍ୟକୁ ଗ୍ରହଣ କରି ସମ୍ମାନ ଦେଇ ଅଜ୍ଞାବହ ହେବା ପାଇଁ ଗୁରୁତ୍ଵ ଦେଇ ନ ଥାଉ । ଏହାଦ୍ବାରା ଆମର ଆତ୍ମିକ ଜୀବନର ଦୁର୍ବଳତା ପ୍ରକାଶ ପାଇଥାଏ । ଏ ବିଷୟରେ ଆମକୁ ସାବଧାନ ହେବାକୁ ପଡିବ । ଲେବୀଙ୍କ ଜୀବନରେ ପରିତ୍ରାଣର ଆନନ୍ଦ ଦେଖି ପାରୁଛୁ । ସେଥିପାଇଁ ସେ ତାଙ୍କର ଗୃହରେ ଭୋଜିର ଆୟୋଜନ କରିଥିଲେ । ନିଜେ ପାଇଥିବା ଆନନ୍ଦକୁ ବାଣ୍ଟିବା ପାଇଁ ବହୁ ସଂଖ୍ୟକ ଲୋକମାନଙ୍କୁ ଭୋଜିରେ ସାମିଲ କରିଥିଲେ । ସେହି ଗୃହରେ ଯୀଶୁ ଜଗତକୁ ଆସିବାର ଉଦ୍ଦେଶ୍ୟ ସମସ୍ତଙ୍କୁ ଜଣାଇ କହିଲେ, ମନ ପରିବର୍ତ୍ତନ କରିବା ନିମନ୍ତେ ପାପୀମାନଙ୍କୁ  ଆହ୍ଵାନ କରିବା ପାଇଁ ମୁଁ ଆସିଅଛି । (୩୨ପଦ) 


ଉପବାସ ପ୍ରାର୍ଥନାର ଆବଶ୍ୟକତା : ବର୍ତ୍ତମାନ ଆମେ ବରଙ୍କର ଅନୁପସ୍ଥିତିର ସମୟ ମଧ୍ୟରେ ବାସ କରୁଅଛୁ । ଈଶ୍ଵରଙ୍କ ଇଚ୍ଛାକୁ ଜାଣିବା ପାଇଁ ଉପବାସ ଏବଂ ପ୍ରାର୍ଥନା କରିବା ଉଚିତ । କିନ୍ତୁ ଉପବାସ ପ୍ରାର୍ଥନାର ଗୁରୁତ୍ଵକୁ ନ ବୁଝି ପ୍ରାର୍ଥନା କରିବା ସଠିକ୍ ବିଷୟ ନୁହେଁ । ଏହାଛଡା ନୁଆ ଦ୍ରାକ୍ଷାରସ ଯୀଶୁଙ୍କର ସୁସମାଚାର ଏବଂ ପରିତ୍ରାଣର ସମ୍ବାଦକୁ ବୁଝାଏ । ଫାରୁଶୀମାନେ ନିଜର ପୁରାତନ ସ୍ଵଭାବକୁ ଦୂର କରି, ନୂତନ ସ୍ଵଭାବରେ ଆଚରଣ କରିବା ପାଇଁ ଆମକୁ ସଚେତନ କରେ । ଆମେ ଲେବୀଙ୍କ ଭଳି ଯୀଶୁଙ୍କ ଆହ୍ଵାନର ବାଧ୍ୟ ହେବା କି ? ଲେବୀଙ୍କ ଜୀବନରେ ପୁରାତନ ବିଷୟ ସବୁ ଲୋପ ପାଇ ନୂତନ ବିଷୟ ସବୁ ହୋଇଛି ବୋଲି ଆମେ ଜାଣିପାରିଛୁ । ଧନର ମାୟା ଏବଂ ଜଗତର ଆକର୍ଷଣ ତାଙ୍କର ଜୀବନରେ ରହିଲା ନାହିଁ । ସେ ସାରା ଜୀବନ ଯୀଶୁଙ୍କର ଅନୁଗମନ କରି ତାଙ୍କର ଶିଷ୍ୟତ୍ୱ ଗ୍ରହଣ କଲେ । 



ବିଶ୍ଵାସ ସହିତ କର୍ମ

 ବିଶ୍ଵାସ ସହିତ କର୍ମ

ଆଜିର ଚିନ୍ତା

ଲୂକ ୫:୧୨-୨୬


ମୋର ବିଶ୍ଵାସ କର୍ମ ଉପରେ ଆଧାରିତ ଅଟେ କି?


ଲୋକମାନେ ବାକ୍ୟ ଶୁଣିବା ପାଇଁ ଏବଂ ରୋଗରୁ ସୁସ୍ଥତା ପାଇବା ପାଇଁ ଯୀଶୁଙ୍କ ନିକଟରେ ଭିଡ କରୁଥିଲେ । ଯୀଶୁ କୌଣସି ବ୍ୟକ୍ତିକୁ ନିରାଶ କରୁ ନ ଥିଲେ । ତାଙ୍କ ମୁଖରେ ବାକ୍ୟ ଦ୍ଵାରା ଲୋକମାନେ ସୁସ୍ଥତା ଲାଭ କରୁଥିଲେ । ମୋର ବିଶ୍ଵାସର ଜୀବନ ଦ୍ଵାରା ଅନ୍ୟମାନେ ଉପକୃତ ହୋଇ ପାରୁଛନ୍ତି କି ?

ସୁସ୍ଥତା ପ୍ରଦାନକାରୀ ଯୀଶୁ : କୁଷ୍ଠୀ ଲୋକମାନେ ଅଶୁଚି ବୋଲି ନଗର ବାହାରେ ସେମାନଙ୍କୁ ରହିବାକୁ ପଡୁଥିଲା । ଲୋକମାନେ ସେମାନଙ୍କୁ ଘୃଣା କରୁଥିଲେ । କୁଷ୍ଠୀ ଲୋକଟି ନମ୍ର ଭାବରେ ଯୀଶୁଙ୍କ ନିକଟକୁ ଆସି ସୁସ୍ଥତା ପାଇବା ପାଇଁ ଅନୁରୋଧ କରିଥିଲା । ଯୀଶୁ ତାହାକୁ ସ୍ପର୍ଶ କରି କହିଲେ, ମୁଁ ଇଚ୍ଛା କରୁଅଛି ଶୁଚି ହୁଅ । ମନୁଷ୍ୟମାନଙ୍କ ପରି ତାଙ୍କଠାରେ ଘୃଣଭାବ ନ ଥିଲା । କାରଣ ସେ ଈଶ୍ୱର ଥିଲେ । ତାଙ୍କଠାରେ  ଯେଉଁ ଶକ୍ତି ଥିଲା, ସେଥିପାଇଁ ସେ ବଡିମା ଦେଖାଉ ନ ଥିଲେ । ସେ କହିଲେ, ଏ ବିଷୟ କାହାକୁ କୁହ ନାହିଁ । କିନ୍ତୁ ଯାଜକଙ୍କୁ  ଦେଖାଅ ଏବଂ ଧନ୍ୟବାଦର ନୈବେଦ୍ୟ ଉତ୍ସର୍ଗ କର ପ୍ରଭୁ ଯୀଶୁ ପ୍ରାର୍ଥନା କରିବା ପାଇଁ ନିର୍ଜ୍ଜନ ସ୍ଥାନ ଖୋଜୁଥିଲେ । ବାକ୍ୟରେ ଲେଖାଯାଏ, (୧୬ପଦ) ମାତ୍ର ସେ ନିର୍ଜ୍ଜନ ସ୍ଥାନମାନଙ୍କରେ ରହି ପ୍ରାର୍ଥନା କରୁଥିଲେ ଯେପରି ସେ ଶକ୍ତିରେ ପରିପୂର୍ଣ୍ଣ ହେବେ। 


ପାପକ୍ଷମକାରୀ ଯୀଶୁ: ଅନେକ ସମୟରେ ନିଜର ପାପ ପାଇଁ ଆମେ ଅସୁସ୍ଥତା ଭୋଗ କରିଥାଉ । ଗୀତ ୧୦୩:୩ରେ ଲେଖାଯାଏ, "ସେ ତୁମ୍ଭର ଅଧର୍ମ ସବୁ କ୍ଷମା କରନ୍ତି, ସେ ତୁମ୍ଭର ରୋଗସବୁ ସୁସ୍ଥ କରନ୍ତି ଏହାଛଡା ଅନେକ ସମୟରେ ଇଶ୍ଵରଙ୍କର ଗୌରବ ଏବଂ ମହିମା ପ୍ରକାଶ ପାଇଁ ମଧ୍ଯ ଅସୁସ୍ଥତା ଆସିଥାଏ । ସେଦିନ ଚାରି ଜଣ ବନ୍ଧୁ ପକ୍ଷାଘାତ ରୋଗୀକୁ ବିଶ୍ଵାସର ସହିତ ଯୀଶୁଙ୍କ ନିକଟକୁ ଆଣିଥିଲେ । ଭିଡ ସକାଶୁ ତାଙ୍କ ନିକଟରେ ପହଞ୍ଚିବା କଷ୍ଟକର ଥିଲେ ମଧ୍ୟ ସେମାନେ ବହୁ କଷ୍ଟ କରି ଯୀଶୁଙ୍କ ପାଖରେ ପହଞ୍ଚି ପାରିଥିଲେ । ଯୀଶୁ ସେମାନଙ୍କ ବିଶ୍ୱାସ ଦେଖି କହିଲେ, ହେ ମନୁଷ୍ୟ ତୁମ୍ଭର ପାପସବୁ କ୍ଷମା କରାଯାଇଅଛି (୨୦ପଦ) ସୁସ୍ଥତା ଦେବା ସହିତ ପାପ କ୍ଷମା କରିବାର ଅଧିକାର ଯେ ଯୀଶୁଙ୍କର ଅଛି ଏହା ସେଦିନ ଲୋକମାନେ ଜାଣିପାରିଥିଲେ । ବନ୍ଧୁମାନଙ୍କ ବିଶ୍ଵାସ ଦ୍ଵାରା ପକ୍ଷାଘାତ ରୋଗୀ ସୁସ୍ଥତା ପାଇଥିଲା । ମୋର ବିଶ୍ଵାସର ଜୀବନ ଅନ୍ୟମାନଙ୍କୁ କିପରି ପ୍ରଭାବିତ କରୁଛି ? ଆସନ୍ତୁ ନିଜକୁ ପରୀକ୍ଷା କରିବା ଓ ବିଶ୍ଵାସର ଜୀବନକାଟି ନିଜର ପୁଣି ଅନ୍ୟମାନଙ୍କର ଆର୍ଶୀବାଦର କାରଣ ହେବା ।

ସୁସମାଚାର କାର୍ଯ୍ୟ

 ସୁସମାଚାର କାର୍ଯ୍ୟ

ଆଜିର ଚିନ୍ତା


ଲୁକ ୫:୧-୧୧


ସୁସମାଚାର କାର୍ଯ୍ୟରେ ମୋର କି ଭୂମିକା ରହିଛି ? 


ଈଶ୍ଵରଙ୍କ ବାକ୍ୟ ଶୁଣିବା ପାଇଁ ଲୋକମାନେ ଯୀଶୁଙ୍କ ଉପରେ ମାଡ଼ି ପଡୁଥିଲେ । ବର୍ତ୍ତମାନ ସେହିପରି ଆଗ୍ରହ ନାହିଁ । ଧାରାବାହିକ ଜୀବନ ଏବଂ ଶିଥିଳତାର ଜୀବନ ଦେଖାଯାଉଛି । ସୁସମାଚାର କାର୍ଯ୍ୟକୁ ଆଗେଇ ନେବା ପାଇଁ ଈଶ୍ୱରଙ୍କ ବାକ୍ୟ ଅତି ଗୁରୁତ୍ବପୂର୍ଣ୍ଣ ଅଟେ । ସମସ୍ତଙ୍କ ନିକଟରେ ବାକ୍ୟ ଯେପରି ପହଞ୍ଚି ପାରିବ ଏଥିପାଇଁ ଖ୍ରୀଷ୍ଟୀୟ ବିଶ୍ଵାସୀର ଦାୟୀତ୍ଵ ରହିଛି । ମୁଁ ଉଦ୍ଧାର ପାଇଛି, ଅନ୍ୟମାନେ ଯେପରି ମନ ପରିବର୍ତ୍ତନ କରିବେ, ସେଥିପାଇଁ ମୋତେ ଉଦ୍ୟମ କାରିବାକୁ ପଡ଼ିବ । 


ସୁସମାଚାର କାର୍ଯ୍ୟରେ ସହଭାଗୀ: ଶିମୋନ ତାଙ୍କର ନୌକାକୁ ଦେଇ ଯୀଶୁଙ୍କର ସୁସମାଚାର କାର୍ଯ୍ୟରେ ସାହାଯ୍ୟ କରିଥିଲେ । ଗାଲିଲୀ ହ୍ରଦ କୂଳରେ ଦୁଇଟି ନୌକା ଥିଲା କିନ୍ତୁ ଯୀଶୁ ଶିମୋନଙ୍କର ନୌକାକୁ ମନୋନୀତ କଲେ । ସେ ଯେଉଁ କାର୍ଯ୍ୟ ପାଇଁ ପ୍ରେରିତ ହୋଇଥିଲେ ସେଥିପ୍ରତି ସେ ବିଶେଷ ମନୋଯୋଗୀ ଥିଲେ । ନୌକାଟି ଉତ୍ତମ କାର୍ଯ୍ୟରେ ବ୍ୟବହୃତ ହୋଇ ପାରିଥିଲା । ପ୍ରଭୁ ଆମର ଜୀବନରେ ଯାହା କିଛି ଦେଇଛନ୍ତି ସେହି ସମସ୍ତ ବିଷୟକୁ ସୁସମାଚାର କାର୍ଯ୍ୟରେ ଶିମୋନଙ୍କ ପରି ବ୍ୟବହାର କରିବାକୁ ପଡ଼ିବ । ତେବେ ଯାଇ ସୁସମାଚାର କାର୍ଯ୍ୟ ଆଗେଇ ପାରିବ । 


ଆଶୀର୍ବାଦର ଅଧିକାରୀ: ଶିମୋନ ଯୀଶୁଙ୍କର କଥାରେ ବାଧ୍ୟ ହେଲେ । ସାରା ରାତି ପରିଶ୍ରମ କରି ବିଫଳ ହୋଇଥିଲେ । କିନ୍ତୁ ସେ କହିଲେ "ଆପଣଙ୍କ କଥାରେ ମୁଁ ଜାଲ ପକାଇବି" (୫ପଦ) । ଯେଉଁ ଜାଗାରେ ବିଫଳ ହୋଇଥିଲେ, ସେହି ସ୍ଥାନରେ ସଫଳତା ପାଇ ପାରିଥିଲେ ବହୁତ ମାଛ ଦ୍ଵାରା ଜାଲ ଛିଣ୍ଡିବାକୁ ଲାଗିଲା । ସେ ବାଧ୍ୟ ହେଲେ ଏବଂ ବିଶ୍ଵାସ ମଧ୍ୟ କଲେ । ନୌକା ବୁଡ଼ିବାକୁ ଲାଗିଲା ଈଶ୍ଵର ଉଚ୍ଛୁଳା ଆଶୀର୍ବାଦ କରିଥାନ୍ତି । ଯୀଶୁଙ୍କର କାର୍ଯ୍ୟ ଏବଂ ଶିକ୍ଷା ଶିମୋନଙ୍କର ଜୀବନକୁ ପରିବର୍ତ୍ତନ କରିଥିଲା । ସେ ନିଜକୁ ପାପୀ ବୋଲି ଅନୁଭବ କଲେ ଏବଂ ନିଜର ପାପ ସ୍ଵୀକାର କଲେ । ସେ ଯୀଶୁଙ୍କର ଶିଷ୍ୟ ହେଲେ ଏବଂ ମନୁଷ୍ୟ ଧରିବା ପାଇଁ ତାଙ୍କୁ ମନୋନୀତ କରାଯାଇଥିଲା । ସେ ନିଜର ସମସ୍ତ ବିଷୟ ପରିତ୍ୟାଗ କରି ଯୀଶୁଙ୍କର ଅନୁଗମନ କଲେ । ଆମେ ଯଦି ପ୍ରଭୁଙ୍କର ଆଶୀର୍ବାଦ ପାଇଛୁ ତେବେ ଅନ୍ୟକୁ ସେଥିରେ ସହଭାଗୀ କରାଉ ।