BN

ପାପୀଙ୍କର ବନ୍ଧୁ ଯୀଶୁ

 ପାପୀଙ୍କର ବନ୍ଧୁ ଯୀଶୁ

ଆଜିର ଚିନ୍ତା

ଲୁକ ୫:୨୭-୩୯


ମୁଁ ପ୍ରଭୁଙ୍କର ଆହ୍ବାନକୁ ସମ୍ମାନ ଦେଇଥାଏ କି ? 


ଆଜିର ଶାସ୍ତ୍ରାଂଶରେ ଆମେ ଲେବୀଙ୍କ (ମାଥିଉ)  ଆହ୍ବାନ ବିଷୟ ପାଠ କରୁ। କର ଆଦାୟ କରିବା ତାଙ୍କର ବୃତ୍ତି ଥିଲା । ସାଧାରଣତଃ କରଗ୍ରାହୀମାନଙ୍କୁ ଲୋକମାନେ ଘୃଣା କରୁଥିଲେ । ଯିହୁଦୀମାନେ ତାହାଙ୍କୁ ଜଣେ ପାପୀ ଲୋକ ବୋଲି କହୁଥିଲେ । ଯୀଶୁ ପାପୀମାନଙ୍କର ହୃଦୟକୁ ଜାଣି ପାରୁଥିଲେ । ପାପରୁ ଉଦ୍ଧାର ପାଇବା ପାଇଁ ମନ ପରିବର୍ତ୍ତନର ଆହ୍ବାନ  ସେମାନଙ୍କୁ ଦେଉଥିଲେ । 


ମନ ପରିବର୍ତ୍ତନର ନିମନ୍ତେ ଆହ୍ବାନ : ଯୀଶୁଙ୍କର ଅନୁଗମନ କରି ତାଙ୍କର ଶିଷ୍ୟ ହେବା ପାଇଁ ଲେବୀଙ୍କୁ ସେ ସୁଯୋଗ ଦେଇଥିଲେ । ସେ ଯୀଶୁଙ୍କର ଆହ୍ୱାନକୁ ଗ୍ରହଣ କରିଥିଲେ ଏବଂ ସମ୍ମାନ ଦେଇଥିଲେ । ସମସ୍ତ ବିଷୟ ପରିତ୍ୟାଗ କରି ଯୀଶୁଙ୍କର ପଛେ ପଛେ ଯାଇଥିଲେ । ସେ ଯୀଶୁଙ୍କ ଆହ୍ଵାନର ଆଜ୍ଞାବହ ହେଲେ । ଆମେ ବାକ୍ୟ ଶୁଣିଥାଉ କିନ୍ତୁ ବାକ୍ୟକୁ ଗ୍ରହଣ କରି ସମ୍ମାନ ଦେଇ ଅଜ୍ଞାବହ ହେବା ପାଇଁ ଗୁରୁତ୍ଵ ଦେଇ ନ ଥାଉ । ଏହାଦ୍ବାରା ଆମର ଆତ୍ମିକ ଜୀବନର ଦୁର୍ବଳତା ପ୍ରକାଶ ପାଇଥାଏ । ଏ ବିଷୟରେ ଆମକୁ ସାବଧାନ ହେବାକୁ ପଡିବ । ଲେବୀଙ୍କ ଜୀବନରେ ପରିତ୍ରାଣର ଆନନ୍ଦ ଦେଖି ପାରୁଛୁ । ସେଥିପାଇଁ ସେ ତାଙ୍କର ଗୃହରେ ଭୋଜିର ଆୟୋଜନ କରିଥିଲେ । ନିଜେ ପାଇଥିବା ଆନନ୍ଦକୁ ବାଣ୍ଟିବା ପାଇଁ ବହୁ ସଂଖ୍ୟକ ଲୋକମାନଙ୍କୁ ଭୋଜିରେ ସାମିଲ କରିଥିଲେ । ସେହି ଗୃହରେ ଯୀଶୁ ଜଗତକୁ ଆସିବାର ଉଦ୍ଦେଶ୍ୟ ସମସ୍ତଙ୍କୁ ଜଣାଇ କହିଲେ, ମନ ପରିବର୍ତ୍ତନ କରିବା ନିମନ୍ତେ ପାପୀମାନଙ୍କୁ  ଆହ୍ଵାନ କରିବା ପାଇଁ ମୁଁ ଆସିଅଛି । (୩୨ପଦ) 


ଉପବାସ ପ୍ରାର୍ଥନାର ଆବଶ୍ୟକତା : ବର୍ତ୍ତମାନ ଆମେ ବରଙ୍କର ଅନୁପସ୍ଥିତିର ସମୟ ମଧ୍ୟରେ ବାସ କରୁଅଛୁ । ଈଶ୍ଵରଙ୍କ ଇଚ୍ଛାକୁ ଜାଣିବା ପାଇଁ ଉପବାସ ଏବଂ ପ୍ରାର୍ଥନା କରିବା ଉଚିତ । କିନ୍ତୁ ଉପବାସ ପ୍ରାର୍ଥନାର ଗୁରୁତ୍ଵକୁ ନ ବୁଝି ପ୍ରାର୍ଥନା କରିବା ସଠିକ୍ ବିଷୟ ନୁହେଁ । ଏହାଛଡା ନୁଆ ଦ୍ରାକ୍ଷାରସ ଯୀଶୁଙ୍କର ସୁସମାଚାର ଏବଂ ପରିତ୍ରାଣର ସମ୍ବାଦକୁ ବୁଝାଏ । ଫାରୁଶୀମାନେ ନିଜର ପୁରାତନ ସ୍ଵଭାବକୁ ଦୂର କରି, ନୂତନ ସ୍ଵଭାବରେ ଆଚରଣ କରିବା ପାଇଁ ଆମକୁ ସଚେତନ କରେ । ଆମେ ଲେବୀଙ୍କ ଭଳି ଯୀଶୁଙ୍କ ଆହ୍ଵାନର ବାଧ୍ୟ ହେବା କି ? ଲେବୀଙ୍କ ଜୀବନରେ ପୁରାତନ ବିଷୟ ସବୁ ଲୋପ ପାଇ ନୂତନ ବିଷୟ ସବୁ ହୋଇଛି ବୋଲି ଆମେ ଜାଣିପାରିଛୁ । ଧନର ମାୟା ଏବଂ ଜଗତର ଆକର୍ଷଣ ତାଙ୍କର ଜୀବନରେ ରହିଲା ନାହିଁ । ସେ ସାରା ଜୀବନ ଯୀଶୁଙ୍କର ଅନୁଗମନ କରି ତାଙ୍କର ଶିଷ୍ୟତ୍ୱ ଗ୍ରହଣ କଲେ । 



ବିଶ୍ଵାସ ସହିତ କର୍ମ

 ବିଶ୍ଵାସ ସହିତ କର୍ମ

ଆଜିର ଚିନ୍ତା

ଲୂକ ୫:୧୨-୨୬


ମୋର ବିଶ୍ଵାସ କର୍ମ ଉପରେ ଆଧାରିତ ଅଟେ କି?


ଲୋକମାନେ ବାକ୍ୟ ଶୁଣିବା ପାଇଁ ଏବଂ ରୋଗରୁ ସୁସ୍ଥତା ପାଇବା ପାଇଁ ଯୀଶୁଙ୍କ ନିକଟରେ ଭିଡ କରୁଥିଲେ । ଯୀଶୁ କୌଣସି ବ୍ୟକ୍ତିକୁ ନିରାଶ କରୁ ନ ଥିଲେ । ତାଙ୍କ ମୁଖରେ ବାକ୍ୟ ଦ୍ଵାରା ଲୋକମାନେ ସୁସ୍ଥତା ଲାଭ କରୁଥିଲେ । ମୋର ବିଶ୍ଵାସର ଜୀବନ ଦ୍ଵାରା ଅନ୍ୟମାନେ ଉପକୃତ ହୋଇ ପାରୁଛନ୍ତି କି ?

ସୁସ୍ଥତା ପ୍ରଦାନକାରୀ ଯୀଶୁ : କୁଷ୍ଠୀ ଲୋକମାନେ ଅଶୁଚି ବୋଲି ନଗର ବାହାରେ ସେମାନଙ୍କୁ ରହିବାକୁ ପଡୁଥିଲା । ଲୋକମାନେ ସେମାନଙ୍କୁ ଘୃଣା କରୁଥିଲେ । କୁଷ୍ଠୀ ଲୋକଟି ନମ୍ର ଭାବରେ ଯୀଶୁଙ୍କ ନିକଟକୁ ଆସି ସୁସ୍ଥତା ପାଇବା ପାଇଁ ଅନୁରୋଧ କରିଥିଲା । ଯୀଶୁ ତାହାକୁ ସ୍ପର୍ଶ କରି କହିଲେ, ମୁଁ ଇଚ୍ଛା କରୁଅଛି ଶୁଚି ହୁଅ । ମନୁଷ୍ୟମାନଙ୍କ ପରି ତାଙ୍କଠାରେ ଘୃଣଭାବ ନ ଥିଲା । କାରଣ ସେ ଈଶ୍ୱର ଥିଲେ । ତାଙ୍କଠାରେ  ଯେଉଁ ଶକ୍ତି ଥିଲା, ସେଥିପାଇଁ ସେ ବଡିମା ଦେଖାଉ ନ ଥିଲେ । ସେ କହିଲେ, ଏ ବିଷୟ କାହାକୁ କୁହ ନାହିଁ । କିନ୍ତୁ ଯାଜକଙ୍କୁ  ଦେଖାଅ ଏବଂ ଧନ୍ୟବାଦର ନୈବେଦ୍ୟ ଉତ୍ସର୍ଗ କର ପ୍ରଭୁ ଯୀଶୁ ପ୍ରାର୍ଥନା କରିବା ପାଇଁ ନିର୍ଜ୍ଜନ ସ୍ଥାନ ଖୋଜୁଥିଲେ । ବାକ୍ୟରେ ଲେଖାଯାଏ, (୧୬ପଦ) ମାତ୍ର ସେ ନିର୍ଜ୍ଜନ ସ୍ଥାନମାନଙ୍କରେ ରହି ପ୍ରାର୍ଥନା କରୁଥିଲେ ଯେପରି ସେ ଶକ୍ତିରେ ପରିପୂର୍ଣ୍ଣ ହେବେ। 


ପାପକ୍ଷମକାରୀ ଯୀଶୁ: ଅନେକ ସମୟରେ ନିଜର ପାପ ପାଇଁ ଆମେ ଅସୁସ୍ଥତା ଭୋଗ କରିଥାଉ । ଗୀତ ୧୦୩:୩ରେ ଲେଖାଯାଏ, "ସେ ତୁମ୍ଭର ଅଧର୍ମ ସବୁ କ୍ଷମା କରନ୍ତି, ସେ ତୁମ୍ଭର ରୋଗସବୁ ସୁସ୍ଥ କରନ୍ତି ଏହାଛଡା ଅନେକ ସମୟରେ ଇଶ୍ଵରଙ୍କର ଗୌରବ ଏବଂ ମହିମା ପ୍ରକାଶ ପାଇଁ ମଧ୍ଯ ଅସୁସ୍ଥତା ଆସିଥାଏ । ସେଦିନ ଚାରି ଜଣ ବନ୍ଧୁ ପକ୍ଷାଘାତ ରୋଗୀକୁ ବିଶ୍ଵାସର ସହିତ ଯୀଶୁଙ୍କ ନିକଟକୁ ଆଣିଥିଲେ । ଭିଡ ସକାଶୁ ତାଙ୍କ ନିକଟରେ ପହଞ୍ଚିବା କଷ୍ଟକର ଥିଲେ ମଧ୍ୟ ସେମାନେ ବହୁ କଷ୍ଟ କରି ଯୀଶୁଙ୍କ ପାଖରେ ପହଞ୍ଚି ପାରିଥିଲେ । ଯୀଶୁ ସେମାନଙ୍କ ବିଶ୍ୱାସ ଦେଖି କହିଲେ, ହେ ମନୁଷ୍ୟ ତୁମ୍ଭର ପାପସବୁ କ୍ଷମା କରାଯାଇଅଛି (୨୦ପଦ) ସୁସ୍ଥତା ଦେବା ସହିତ ପାପ କ୍ଷମା କରିବାର ଅଧିକାର ଯେ ଯୀଶୁଙ୍କର ଅଛି ଏହା ସେଦିନ ଲୋକମାନେ ଜାଣିପାରିଥିଲେ । ବନ୍ଧୁମାନଙ୍କ ବିଶ୍ଵାସ ଦ୍ଵାରା ପକ୍ଷାଘାତ ରୋଗୀ ସୁସ୍ଥତା ପାଇଥିଲା । ମୋର ବିଶ୍ଵାସର ଜୀବନ ଅନ୍ୟମାନଙ୍କୁ କିପରି ପ୍ରଭାବିତ କରୁଛି ? ଆସନ୍ତୁ ନିଜକୁ ପରୀକ୍ଷା କରିବା ଓ ବିଶ୍ଵାସର ଜୀବନକାଟି ନିଜର ପୁଣି ଅନ୍ୟମାନଙ୍କର ଆର୍ଶୀବାଦର କାରଣ ହେବା ।

ସୁସମାଚାର କାର୍ଯ୍ୟ

 ସୁସମାଚାର କାର୍ଯ୍ୟ

ଆଜିର ଚିନ୍ତା


ଲୁକ ୫:୧-୧୧


ସୁସମାଚାର କାର୍ଯ୍ୟରେ ମୋର କି ଭୂମିକା ରହିଛି ? 


ଈଶ୍ଵରଙ୍କ ବାକ୍ୟ ଶୁଣିବା ପାଇଁ ଲୋକମାନେ ଯୀଶୁଙ୍କ ଉପରେ ମାଡ଼ି ପଡୁଥିଲେ । ବର୍ତ୍ତମାନ ସେହିପରି ଆଗ୍ରହ ନାହିଁ । ଧାରାବାହିକ ଜୀବନ ଏବଂ ଶିଥିଳତାର ଜୀବନ ଦେଖାଯାଉଛି । ସୁସମାଚାର କାର୍ଯ୍ୟକୁ ଆଗେଇ ନେବା ପାଇଁ ଈଶ୍ୱରଙ୍କ ବାକ୍ୟ ଅତି ଗୁରୁତ୍ବପୂର୍ଣ୍ଣ ଅଟେ । ସମସ୍ତଙ୍କ ନିକଟରେ ବାକ୍ୟ ଯେପରି ପହଞ୍ଚି ପାରିବ ଏଥିପାଇଁ ଖ୍ରୀଷ୍ଟୀୟ ବିଶ୍ଵାସୀର ଦାୟୀତ୍ଵ ରହିଛି । ମୁଁ ଉଦ୍ଧାର ପାଇଛି, ଅନ୍ୟମାନେ ଯେପରି ମନ ପରିବର୍ତ୍ତନ କରିବେ, ସେଥିପାଇଁ ମୋତେ ଉଦ୍ୟମ କାରିବାକୁ ପଡ଼ିବ । 


ସୁସମାଚାର କାର୍ଯ୍ୟରେ ସହଭାଗୀ: ଶିମୋନ ତାଙ୍କର ନୌକାକୁ ଦେଇ ଯୀଶୁଙ୍କର ସୁସମାଚାର କାର୍ଯ୍ୟରେ ସାହାଯ୍ୟ କରିଥିଲେ । ଗାଲିଲୀ ହ୍ରଦ କୂଳରେ ଦୁଇଟି ନୌକା ଥିଲା କିନ୍ତୁ ଯୀଶୁ ଶିମୋନଙ୍କର ନୌକାକୁ ମନୋନୀତ କଲେ । ସେ ଯେଉଁ କାର୍ଯ୍ୟ ପାଇଁ ପ୍ରେରିତ ହୋଇଥିଲେ ସେଥିପ୍ରତି ସେ ବିଶେଷ ମନୋଯୋଗୀ ଥିଲେ । ନୌକାଟି ଉତ୍ତମ କାର୍ଯ୍ୟରେ ବ୍ୟବହୃତ ହୋଇ ପାରିଥିଲା । ପ୍ରଭୁ ଆମର ଜୀବନରେ ଯାହା କିଛି ଦେଇଛନ୍ତି ସେହି ସମସ୍ତ ବିଷୟକୁ ସୁସମାଚାର କାର୍ଯ୍ୟରେ ଶିମୋନଙ୍କ ପରି ବ୍ୟବହାର କରିବାକୁ ପଡ଼ିବ । ତେବେ ଯାଇ ସୁସମାଚାର କାର୍ଯ୍ୟ ଆଗେଇ ପାରିବ । 


ଆଶୀର୍ବାଦର ଅଧିକାରୀ: ଶିମୋନ ଯୀଶୁଙ୍କର କଥାରେ ବାଧ୍ୟ ହେଲେ । ସାରା ରାତି ପରିଶ୍ରମ କରି ବିଫଳ ହୋଇଥିଲେ । କିନ୍ତୁ ସେ କହିଲେ "ଆପଣଙ୍କ କଥାରେ ମୁଁ ଜାଲ ପକାଇବି" (୫ପଦ) । ଯେଉଁ ଜାଗାରେ ବିଫଳ ହୋଇଥିଲେ, ସେହି ସ୍ଥାନରେ ସଫଳତା ପାଇ ପାରିଥିଲେ ବହୁତ ମାଛ ଦ୍ଵାରା ଜାଲ ଛିଣ୍ଡିବାକୁ ଲାଗିଲା । ସେ ବାଧ୍ୟ ହେଲେ ଏବଂ ବିଶ୍ଵାସ ମଧ୍ୟ କଲେ । ନୌକା ବୁଡ଼ିବାକୁ ଲାଗିଲା ଈଶ୍ଵର ଉଚ୍ଛୁଳା ଆଶୀର୍ବାଦ କରିଥାନ୍ତି । ଯୀଶୁଙ୍କର କାର୍ଯ୍ୟ ଏବଂ ଶିକ୍ଷା ଶିମୋନଙ୍କର ଜୀବନକୁ ପରିବର୍ତ୍ତନ କରିଥିଲା । ସେ ନିଜକୁ ପାପୀ ବୋଲି ଅନୁଭବ କଲେ ଏବଂ ନିଜର ପାପ ସ୍ଵୀକାର କଲେ । ସେ ଯୀଶୁଙ୍କର ଶିଷ୍ୟ ହେଲେ ଏବଂ ମନୁଷ୍ୟ ଧରିବା ପାଇଁ ତାଙ୍କୁ ମନୋନୀତ କରାଯାଇଥିଲା । ସେ ନିଜର ସମସ୍ତ ବିଷୟ ପରିତ୍ୟାଗ କରି ଯୀଶୁଙ୍କର ଅନୁଗମନ କଲେ । ଆମେ ଯଦି ପ୍ରଭୁଙ୍କର ଆଶୀର୍ବାଦ ପାଇଛୁ ତେବେ ଅନ୍ୟକୁ ସେଥିରେ ସହଭାଗୀ କରାଉ । 


ଶକ୍ତିର କାର୍ଯ୍ୟ

 ଶକ୍ତିର କାର୍ଯ୍ୟ

ଆଜିର ଚିନ୍ତା

ଲୁକ ୪:୩୧-୪୪


ଯୀଶୁଙ୍କ ଶକ୍ତିର କାର୍ଯ୍ୟକୁ ମୁଁ କିପରି ଅନୁଭବ କରିପାରିଛି ? 


ଯୀଶୁ ତାଙ୍କର ସେବାକାର୍ଯ୍ୟ ପାଇଁ ଗାଲିଲୀ ସମୁଦ୍ର କୂଳରୁ ପ୍ରଥମ ୪ ଜଣ ଶିଷ୍ୟଙ୍କୁ ମନୋନୀତ କରିଥିଲେ । ଗାଲିଲୀ ଏବଂ ଯିହୁଦା ଦେଶର ସମାଜ ଗୃହରେ ସେ ଶିକ୍ଷା ଦେଉଥିଲେ । ତାହାଙ୍କ ଶିକ୍ଷାରେ ଲୋକମାନେ ଆଶ୍ଚର୍ଯ୍ୟାନ୍ଵିତ ହେଉଥିଲେ କାରଣ ତାହାଙ୍କର ବାକ୍ୟ ଅଧିକାରଯୁକ୍ତ ଥିଲା । ପିତାଙ୍କଠାରୁ ସେ ଏକ ଈଶ୍ୱର ଦତ୍ତ ଅଧିକାର ପ୍ରାପ୍ତ ହୋଇଥିଲେ । ଶିଷ୍ୟମାନଙ୍କୁ ଏବଂ ତାଙ୍କର ଅନୁଗାମୀମାନଙ୍କୁ ମଧ୍ୟ ଯୀଶୁ ଅଧିକାର ଦେଇଥିଲେ । ଆଜିର ପଠନରେ ଦୁଇଟି ଘଟଣାରେ ଯୀଶୁଙ୍କ ଅସୀମ ଶକ୍ତି ଏବଂ ଅଧିକାର ବିଷୟ ଲେଖାଯାଇଛି ।


ଶକ୍ତିପୁର୍ଣ୍ଣ  କାର୍ଯ୍ୟ: ଆଶୁଚି ଆତ୍ମାମାନେ ଯୀଶୁଙ୍କୁ ଜାଣୁଥିଲେ ଏବଂ ସେ ଯେ ଈଶ୍ଵରଙ୍କ ପୁତ୍ର ଅଟନ୍ତି ଏହା ସ୍ୱୀକାର କରୁଥିଲେ । ଜଣେ ମନ୍ଦ ଆତ୍ମା ଦ୍ଵାରା ଆକ୍ରାନ୍ତ ବ୍ୟକ୍ତି ସମାଜ ଗୃହରେ ଉପସ୍ଥିତ ଥିଲେ । ଲୋକମାନେ ଯୀଶୁଙ୍କର ବାକ୍ୟ ଶୁଣିବା ସମୟରେ ସେ ଚିତ୍କାର କରୁଥିଲା । ଯୀଶୁଙ୍କ ମୁଖର ଧମକ ଦ୍ଵାରା ଲୋକଟି ସୁସ୍ଥତା ପାଇଥିଲା । ଯେଉଁମାନେ ତାଙ୍କର ସ୍ପର୍ଶ ପାଉଥିଲେ ସେମାନେ ସୁସ୍ଥତା ଲାଭ କରୁଥିଲେ । ଯୀଶୁଙ୍କ ବାକ୍ୟର ଯେଉଁ ଶକ୍ତି ରହିଛି ତାହା ମୁଁ କିପରି ଅନୁଭବ କରୁଛି । ବର୍ତ୍ତମାନ ମଧ୍ୟ ଜଗତର ମନ୍ଦ ଶକ୍ତି କାର୍ଯ୍ୟରତ ଅଛି । ଏହାକୁ ଦୂର କରିବା ପାଇଁ ଯୀଶୁଙ୍କର ନିକଟକୁ ଆସିବାକୁ ପଡ଼ିବ ପୁଣି ତାହାଙ୍କ ଶକ୍ତିରେ ବିଶ୍ଵାସ କରିବାକୁ ପଡ଼ିବ । 


ଶକ୍ତିରେ ପରିପୂର୍ଣ୍ଣ: ଏହି ସ୍ଥାନରେ ଯୀଶୁଙ୍କର ପ୍ରାର୍ଥନାର ଜୀବନକୁ ଦେଖି ପାରୁଛୁ । ସେ ନିର୍ଜ୍ଜନ ସ୍ଥାନରେ ପ୍ରାର୍ଥନା କରୁଥଲେ ଏବଂ ପିତାଙ୍କଠାରୁ ଶକ୍ତିପ୍ରାପ୍ତ ହେଉଥିଲେ । କ୍ରୃଶ ଉପରେ ତାହାଙ୍କୁ ଯେଉଁ ଯନ୍ତ୍ରଣା ସହ୍ୟ କରିବାକୁ ପଡ଼ିବ, ସେଥିପାଇଁ ସେ ପ୍ରାର୍ଥନା କରି ପିତାଙ୍କଠାରୁ ଶକ୍ତି ପାଇଥିଲେ । ଅନେକ ସମୟରେ ଆମର ଜୀବନରେ ଅସୁସ୍ଥତା ଆସିଥାଏ । ଶିମୋନଙ୍କର ଶାଶୁଙ୍କର ଶାରୀରିକ ଅସୁସ୍ଥତାକୁ ଧମକ ଦେଇ ଯୀଶୁ ଦୂର କରିଥିଲେ । ସୁସ୍ଥତା ପାଇଁ ଯୀଶୁଙ୍କ ନାମରେ ପ୍ରାର୍ଥନା କରିବା ବଦଳରେ ଆମେ ମନୁଷ୍ୟର ସାହାର୍ଯ୍ୟ ନେଇଥାଉ । ଆମର ପ୍ରାର୍ଥନାର ଜୀବନ ହିଁ ଆମକୁ ଶକ୍ତି ଦେଇଥାଏ । ଶକ୍ତିର ଜୀବନ ଏବଂ ପ୍ରାର୍ଥନାର ଜୀବନ ପ୍ରଭୁ ଆମଠାରୁ ଆଶା କରନ୍ତି । ଏଥିପାଇଁ ଆମେ ସଚେତନ ହେବା କି ? 

ପ୍ରାରମ୍ଭିକ ସେବାକାର୍ଯ୍ଯ

 ପ୍ରାରମ୍ଭିକ ସେବାକାର୍ଯ୍ଯ

ଆଜିର ଚିନ୍ତା


ଲୁକ ୪:୧୬-୩୦


ଯୀଶୁଙ୍କ ବିଷୟରେ ମୋର ମତ କ'ଣ


ବର୍ତ୍ତମାନ ଆମର ଉପାସନା ଗୃହ ପରି ଯୀଶୁଙ୍କ ସମୟରେ ଯୀହୁଦୀମାନଙ୍କର ଏକ ସମାଜ ଗୃହରେ ସେ ବାକ୍ୟ ପ୍ରଚାର କରିବା ପାଇଁ ସୁଯୋଗ ପାଇଥିଲେ । ଏହା ତାଙ୍କର ପୌତୃକ ନଗର ନାଜରିତର ସ୍ଥାନ ଥିଲା । ପଠିତ ଅଂଶରେ ଲୁକ ଯୀଶୁଙ୍କର ପ୍ରଥମ ପ୍ରଚାରିତ ବାକ୍ୟ ବିଷୟରେ ଲେଖିଛନ୍ତି  (ଯିଶାଇୟ ୬୧:୧) । ସମାଜ ଗୃହ ଯୀହୁଦୀମାନଙ୍କର ଧର୍ମ ଶିକ୍ଷାର ଏକ ପବିତ୍ର ଓ ଗୁରୁତ୍ଵପୁର୍ଣ୍ଣ ସ୍ଥାନ ଥିଲା । ଆଜିର ଖ୍ରୀଷ୍ଟୀୟ ସମାଜ ଉପାସନା ଗୃହର ପବିତ୍ରତାକୁ ରକ୍ଷା କରିପାରୁ ନାହାଁନ୍ତି । 


ବାକ୍ୟ ଶୁଣିବା ଏବଂ ଗ୍ରହଣ କରିବା: ନାଜରିତୀୟ ଯୀଶୁଙ୍କୁ ଈଶ୍ଵର ପବିତ୍ର ଆତ୍ମାଙ୍କ ଶକ୍ତିରେ ଅଭିଷିକ୍ତ କରିଥିଲେ । ବାକ୍ୟ ଶୁଣିବା ସହଜ ବିଷୟ ଅଟେ । ଯୀଶୁଙ୍କର ଶିକ୍ଷାକୁ ଲୋକମାନେ ଆଗ୍ରହର ସହିତ ଶୁଣୁଥିଲେ ଏବଂ ଚମତ୍କୃତ ହେଉଥିଲେ । କାରଣ ସେ ଅଧିକାର ପ୍ରାପ୍ତ ବ୍ୟକ୍ତି ପରି ଶିକ୍ଷା ଦେଉଥିଲେ । କିନ୍ତୁ ବାକ୍ୟକୁ ଗ୍ରହଣ କରିପାରୁ ନ ଥିଲେ । ଯିଶାଇୟ ଭବିଷ୍ୟତବକ୍ତା ତାଙ୍କର ପୁସ୍ତକରେ ଯେଉଁ ବିଷୟ ଲେଖିଥିଲେ ଧର୍ମଶାସ୍ତ୍ରର ସେହି ବାକ୍ୟ ସଫଳ ହେଲା । ଏ ବିଷୟ ଯୀଶୁ ସେଦିନ ପ୍ରଚାର କରିଥିଲେ । ଯୀଶୁ ଯେଉଁ ସମସ୍ତ ବିଷୟ ଘୋଷଣା କରିବା ପାଇଁ ପ୍ରେରିତ ହୋଇଥିଲେ ତାହା ସେ ପ୍ରକାଶ କରିଥିଲେ । ଲୋକମାନଙ୍କ ଯୀଶୁଙ୍କ ବିଷୟରେ ସାକ୍ଷ୍ୟ ଦେଲେ ସତ କିନ୍ତୁ ତାଙ୍କର କଥିତ ବାକ୍ୟକୁ ହେୟ ଜ୍ଞାନ କରିଥିଲେ । 


ସୁସମାଚାର କାର୍ଯ୍ୟରେ ପ୍ରତିକୂଳ ପରିସ୍ଥିତି: ଯୀଶୁଙ୍କର ଐଶ୍ୱରୀକ ଶକ୍ତି କୁ ଲୋକମାନେ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ନ ଥିଲେ । ତାଙ୍କର ବାକ୍ୟ ପଠନର ପ୍ରଣାଳୀ, ସୁସମାଚାର କହିବାର ଶୈଳୀ ସେମାନଙ୍କୁ ଆଚମ୍ବିତ କରୁଥିଲା, ହେଲେ ସେମାନେ ଯୀଶୁଙ୍କୁ ବିଶ୍ଵାସ କରି ନ ଥିଲେ, ପୁଣି ତାଙ୍କ ଉପରେ କ୍ରୋଧାନ୍ବିତ ହୋଇଥିଲେ (୨୮ପଦ) । ଅନେକ ସମୟରେ ଆମେ ପ୍ରଭୁଙ୍କର ବାକ୍ୟକୁ ଶୁଣି ଥାଉ ମାତ୍ର ତାହାକୁ ଗ୍ରହଣ କରି ନ ଥାଉ, ଫଳତଃ ଆତ୍ମିକ ଜୀବନରେ ଆମେ ଆଗେଇ ପାରି ନ ଥାଉ । ନାଜରିତର ଲୋକମାନେ ଯୀଶୁଙ୍କ ଶିକ୍ଷାରେ ପରିତ୍ରାଣର ସମ୍ବାଦକୁ ଗ୍ରହନ ନ କରି ଉପେକ୍ଷା କରିଥିଲେ । ବାକ୍ୟ ଶୁଣି ନିଜର ଜୀବନକୁ ସଜାଡିବାର ସୁଯୋଗକୁ ଆମେ ବିରୋଧ ନ କରୁ ।