ପ୍ରାରମ୍ଭିକ ସେବାକାର୍ଯ୍ଯ
ଆଜିର ଚିନ୍ତା
ଲୁକ ୪:୧୬-୩୦
ଯୀଶୁଙ୍କ ବିଷୟରେ ମୋର ମତ କ'ଣ
ବର୍ତ୍ତମାନ ଆମର ଉପାସନା ଗୃହ ପରି ଯୀଶୁଙ୍କ ସମୟରେ ଯୀହୁଦୀମାନଙ୍କର ଏକ ସମାଜ ଗୃହରେ ସେ ବାକ୍ୟ ପ୍ରଚାର କରିବା ପାଇଁ ସୁଯୋଗ ପାଇଥିଲେ । ଏହା ତାଙ୍କର ପୌତୃକ ନଗର ନାଜରିତର ସ୍ଥାନ ଥିଲା । ପଠିତ ଅଂଶରେ ଲୁକ ଯୀଶୁଙ୍କର ପ୍ରଥମ ପ୍ରଚାରିତ ବାକ୍ୟ ବିଷୟରେ ଲେଖିଛନ୍ତି (ଯିଶାଇୟ ୬୧:୧) । ସମାଜ ଗୃହ ଯୀହୁଦୀମାନଙ୍କର ଧର୍ମ ଶିକ୍ଷାର ଏକ ପବିତ୍ର ଓ ଗୁରୁତ୍ଵପୁର୍ଣ୍ଣ ସ୍ଥାନ ଥିଲା । ଆଜିର ଖ୍ରୀଷ୍ଟୀୟ ସମାଜ ଉପାସନା ଗୃହର ପବିତ୍ରତାକୁ ରକ୍ଷା କରିପାରୁ ନାହାଁନ୍ତି ।
ବାକ୍ୟ ଶୁଣିବା ଏବଂ ଗ୍ରହଣ କରିବା: ନାଜରିତୀୟ ଯୀଶୁଙ୍କୁ ଈଶ୍ଵର ପବିତ୍ର ଆତ୍ମାଙ୍କ ଶକ୍ତିରେ ଅଭିଷିକ୍ତ କରିଥିଲେ । ବାକ୍ୟ ଶୁଣିବା ସହଜ ବିଷୟ ଅଟେ । ଯୀଶୁଙ୍କର ଶିକ୍ଷାକୁ ଲୋକମାନେ ଆଗ୍ରହର ସହିତ ଶୁଣୁଥିଲେ ଏବଂ ଚମତ୍କୃତ ହେଉଥିଲେ । କାରଣ ସେ ଅଧିକାର ପ୍ରାପ୍ତ ବ୍ୟକ୍ତି ପରି ଶିକ୍ଷା ଦେଉଥିଲେ । କିନ୍ତୁ ବାକ୍ୟକୁ ଗ୍ରହଣ କରିପାରୁ ନ ଥିଲେ । ଯିଶାଇୟ ଭବିଷ୍ୟତବକ୍ତା ତାଙ୍କର ପୁସ୍ତକରେ ଯେଉଁ ବିଷୟ ଲେଖିଥିଲେ ଧର୍ମଶାସ୍ତ୍ରର ସେହି ବାକ୍ୟ ସଫଳ ହେଲା । ଏ ବିଷୟ ଯୀଶୁ ସେଦିନ ପ୍ରଚାର କରିଥିଲେ । ଯୀଶୁ ଯେଉଁ ସମସ୍ତ ବିଷୟ ଘୋଷଣା କରିବା ପାଇଁ ପ୍ରେରିତ ହୋଇଥିଲେ ତାହା ସେ ପ୍ରକାଶ କରିଥିଲେ । ଲୋକମାନଙ୍କ ଯୀଶୁଙ୍କ ବିଷୟରେ ସାକ୍ଷ୍ୟ ଦେଲେ ସତ କିନ୍ତୁ ତାଙ୍କର କଥିତ ବାକ୍ୟକୁ ହେୟ ଜ୍ଞାନ କରିଥିଲେ ।
ସୁସମାଚାର କାର୍ଯ୍ୟରେ ପ୍ରତିକୂଳ ପରିସ୍ଥିତି: ଯୀଶୁଙ୍କର ଐଶ୍ୱରୀକ ଶକ୍ତି କୁ ଲୋକମାନେ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ନ ଥିଲେ । ତାଙ୍କର ବାକ୍ୟ ପଠନର ପ୍ରଣାଳୀ, ସୁସମାଚାର କହିବାର ଶୈଳୀ ସେମାନଙ୍କୁ ଆଚମ୍ବିତ କରୁଥିଲା, ହେଲେ ସେମାନେ ଯୀଶୁଙ୍କୁ ବିଶ୍ଵାସ କରି ନ ଥିଲେ, ପୁଣି ତାଙ୍କ ଉପରେ କ୍ରୋଧାନ୍ବିତ ହୋଇଥିଲେ (୨୮ପଦ) । ଅନେକ ସମୟରେ ଆମେ ପ୍ରଭୁଙ୍କର ବାକ୍ୟକୁ ଶୁଣି ଥାଉ ମାତ୍ର ତାହାକୁ ଗ୍ରହଣ କରି ନ ଥାଉ, ଫଳତଃ ଆତ୍ମିକ ଜୀବନରେ ଆମେ ଆଗେଇ ପାରି ନ ଥାଉ । ନାଜରିତର ଲୋକମାନେ ଯୀଶୁଙ୍କ ଶିକ୍ଷାରେ ପରିତ୍ରାଣର ସମ୍ବାଦକୁ ଗ୍ରହନ ନ କରି ଉପେକ୍ଷା କରିଥିଲେ । ବାକ୍ୟ ଶୁଣି ନିଜର ଜୀବନକୁ ସଜାଡିବାର ସୁଯୋଗକୁ ଆମେ ବିରୋଧ ନ କରୁ ।