ବିଜୟୀ ଜୀବନ
ଆଜିର ଚିନ୍ତା
ଲୂକ ୪:୧-୧୫
ମୁଁ ବିଜୟୀ ଜୀବନ କାଟିବା ପାଇଁ ସକ୍ଷମ ହୋଇ ପାରିଛି କି?
ସମସ୍ତଙ୍କ ଜୀବନରେ ପରୀକ୍ଷା ଆସିଥାଏ । ଆମର ଦୁର୍ବଳ ସମୟରେ ଶୟତାନ ଆମର ନିକଟକୁ ଆସିଥାଏ । ଦୁର୍ବଳ ସମୟରେ ସୁଯୋଗକୁ ଶୟତାନ ଅପେକ୍ଷା କରିଥାଏ। ଯେତେବେଳେ ଆମେ ଶାରୀରିକ ଓ ଆତ୍ମିକ ଭାବେ ଦୁର୍ବଳ ସେତେବେଳେ ଶୟତାନ ତା'ର ସୁଯୋଗ ନିଏ । ଯୀଶୁ ପ୍ରାନ୍ତରରେ ୪୦ ଦିନ ଉପବାସରେ କଟାଇବା ପରେ ଶୟତାନ ଦ୍ଵାରା ପରୀକ୍ଷିତ ହୋଇଥିଲେ ।
ବାକ୍ୟର ଶକ୍ତି: ଶୟତାନ ଯୀଶୁଙ୍କୁ ପରୀକ୍ଷା କରିବା ସମୟରେ ଯୀଶୁ ପବିତ୍ର ଆତ୍ମାଙ୍କ ଶକ୍ତିରେ ପରିପୂର୍ଣ୍ଣ ଥିଲେ । ୩ଥର ଶୟତାନ ଯୀଶୁଙ୍କୁ ପରୀକ୍ଷା କରିଥିଲା, ପ୍ରତ୍ୟେକ ଥର ସେ ପ୍ରକାଶ କରିଥିଲେ" ବାକ୍ୟରେ ଏହା ଲେଖାଅଛି" । ବାକ୍ୟକୁ ମୁଖରେ ପ୍ରକାଶ କରିବ ପାଇଁ ପ୍ରତ୍ୟେକ ଦିନ ବାକ୍ୟକୁ ଅଧ୍ୟୟନ ଏବଂ ଧ୍ୟାନ କରି ସ୍ମରଣରେ ରଖିବାକୁ ପଡିବ।ତେବେ ଆବଶ୍ୟକ ସମୟରେ ବାକ୍ୟକୁ ବ୍ୟବହାର କରିପାରିବା ଆତ୍ମାଙ୍କର ଖଡ୍ଗ ବାକ୍ୟ ଅଟେ । (ଏଫୀସୀୟ ୬:୧୭) । ଖଡ୍ଗ ପରି ଏହା କାର୍ଯ୍ଯ କରିଥାଏ ବାକ୍ୟ ଦ୍ଵାରା ଯୀଶୁ ଶୟତାନକୁ ପରାଜିତ କରିବା ପାଇଁ ସକ୍ଷମ ହୋଇଥିଲେ । ଆଦମ ଏବଂ ହବାଙ୍କୁ ପରୀକ୍ଷା କରି ଶୟତାନ ଜୟଯୁକ୍ତ ହୋଇଥିଲା । କିନ୍ତୁ ଯୀଶୁଙ୍କୁ ପରୀକ୍ଷା କରି ସେ ପରାଜିତ ହୋଇଥିଲା ।
ଜୀବନର ଅଭିଳାଷ: ମନୁଷ୍ୟ ଶରୀର ପାଇଁ ଅନ୍ନ, ବସ୍ତ୍ର ଏବଂ ବାସଗୃହ ଆବଶ୍ୟକ । ଧୂଳିରୁ ଶରୀରକୁ ଈଶ୍ଵର ତିଆରି କରିଥିଲେ ଏବଂ ଏହି ଶରୀର ଧୂଳିରେ ଲୀନ ହୋଇଯିବ । ଖାଦ୍ୟ ମନୁଷ୍ୟର ପ୍ରାଥମିକ ଆବଶ୍ୟତା ଅଟେ । ଯୀଶୁ କ୍ଷୁଧିତ ଥିବା ସମୟରେ ତାଙ୍କ ନିକଟକୁ ଶୟତାନ ଆସିଥିଲା। ମନୁଷ୍ୟ ଆଜି ଜୀବନର ଅଭିଳାଷକୁ ପୂର୍ଣ୍ଣ କରିବା ପାଇଁ ବ୍ୟସ୍ତ । ସେ କିପରି ଉତ୍ତମ ଖାଦ୍ୟ ଖାଇବ, ଉତ୍ତମ ବସ୍ତ୍ର ପିନ୍ଧିବ,ଉତ୍ତମ ଗୃହ ନିର୍ମାଣ କରିବ ଏହାହିଁ ତା'ର ଜୀବନର ଲକ୍ଷ୍ୟ ହୋଇଯାଇଛି । ଶରୀରର ବିଭିନ୍ନ ଅଙ୍ଗ ଗୁଡ଼ିକର ମଧ୍ୟ ଅଭିଳାଷ ରହିଛି । ଚକ୍ଷୁର ଅଭିଳାଷ ଦ୍ଵାରା ଆଦମ ହବା ପାପ କଲେ । ପରୀକ୍ଷାରେ ଜୟଲାଭ କରିବା ପାଇଁ ପବିତ୍ର ଆତ୍ମାଙ୍କର ସହାୟତା ଓ ଈଶ୍ଵରଙ୍କ ବାକ୍ୟକୁ ଜାଣିବାର ଆବଶ୍ୟକତା ରହିଛି । ଯୀଶୁ ପରୀକ୍ଷିତ ହୋଇଥିବାରୁ ଆମର ଜୀବନରେ ପରୀକ୍ଷା ଆସିଲେ ସେ ଆମକୁ ପରୀକ୍ଷାରୁ ରକ୍ଷା କରିବାକୁ ସାହାଯ୍ୟ କରିଥାନ୍ତି ।