BN

ପରିତ୍ରାଣର ଆନନ୍ଦ

 ପରିତ୍ରାଣର ଆନନ୍ଦ

ଆଜିର ଚିନ୍ତା


ଗୀତ ୪୦:୧-୧୭


ମୁଁ ମୋର ପରିତ୍ରାଣ ଓ ଏହାର ନିଶ୍ଚୟତା ବିଷୟରେ ସୁସ୍ଥିର କି ?


ଜୀବନର ସାକ୍ଷ୍ୟ (୧-୩): ସେ ଦିନ ଅନ୍ଧର ସାକ୍ଷ୍ୟ ଥିଲା, "ମୁଁ ଅନ୍ଧ ଥିଲି ଓ ଦେଖିବାକୁ ପାଉଅଛି" (ଯୋହନ ୫:୨୫) । ଦାଉଦ ଲେଖନ୍ତି, "ମୁଁ ଭୟଙ୍କର ଗର୍ତ୍ତ ଓ ଦହଲା କାଦୁଅ ମଧ୍ୟରେ ଥିଲି, ପ୍ରଭୁ ମୋହର ଚରଣ ଶୈଳ ଉପରେ ରଖିଲେ ଓ ମୋ' ପାଦଗତି ଦୃଢ଼ କଲେ । ଜୀବନର ଚଲାପଥରେ ପ୍ରତ୍ୟେକଟି ପାଦ ପଡ଼ିଲା ବେଳେ ସେ ଧର୍ମ ପଥରେ ମୋତେ କଢାଇ ନେଉଅଛନ୍ତି । ମୁଁ ଜାଣେ ଯେ, ନୂତନ ଜନ୍ମ ଲାଭ ପରେ, ପବିତ୍ର ଆତ୍ମା ମୋ' ଅନ୍ତରରେ ବାସ କଲାପରେ ଏକ ନୂତନ ଧନ୍ୟବାଦ ଓ ପ୍ରଶଂସାର ଗୀତ ମୋ' ଅନ୍ତରରୁ ଉଚ୍ଛୁଳି ଉଠୁଅଛି । ଏହା ମୋ' ଜୀବନର ସାକ୍ଷ୍ୟ ଅଟେ କି ?


ଭଗ୍ନ ଆତ୍ମା ଈଶ୍ଵରଙ୍କ ଗ୍ରାହ୍ୟ ବଳି ( ୪:୬): ବଳିଦାନ ଓ ନୈବେଦ୍ୟରେ ତାଙ୍କର ସନ୍ତୋଷ ନାହିଁ, ପୁଣି ହୋମାର୍ଥକ ବଳି ଓ ପାପାର୍ଥକ ବଳି ସେ ଚାହାଁନ୍ତି ନାହିଁ (୬) । ସେ ଆଶ୍ଚର୍ଯ୍ୟକର୍ମ କାରୀ ପରମେଶ୍ଵର (୫) ମାତ୍ର ଯିଏ ପାପ ସ୍ୱୀକାର କରେ ଓ ତାଙ୍କୁ ବିଶ୍ଵାସଭୂମି କରେ, ସେ ଧନ୍ୟ (୪), ସେ ହିଁ ପରିତ୍ରାଣ ପାଇବ ( ଏବ୍ରି ୧୦:୫-୯) ।


ଯୀଶୁ ହିଁ  ପରିତ୍ରାଣକର୍ତ୍ତା (୭-୧୧): ଏହି ପଦ ଗୁଡ଼ିକରେ ଯୀଶୁଙ୍କ ଜୀବନରେ  ଘଟିଥିବା ଘଟଣାର ଆଭାସ ମିଳେ । ଯୀଶୁ କିପରି ତାଙ୍କ ପିତାଙ୍କର ବାଧ୍ୟ ହୋଇଥିଲେ, ତାହା ଦେଖିବାକୁ ମିଳେ । ପରିତ୍ରାଣ କାର୍ଯ୍ଯ ସାଧନ ପାଇଁ ସେ କହିଲେ, "ମୁଁ ଉପସ୍ଥିତ" (୭) ଶେଷ ରାତ୍ରରେ ଗେଥ୍ସିମନି ବଗିଚାରେ କହିଲେ, ମୋହର ଇଛା ନୁହେଁ, ମାତ୍ର ତୁମ୍ଭର ଇଛା ସଫଳ ହେଉ (୮) ସେ ଗ୍ରାମେ ଗ୍ରାମେ ପରିତ୍ରାଣର ସମ୍ବାଦ ଦେଲେ (୧୦) 


ନିନବେଦ ପ୍ରାର୍ଥନା (୧୨-୧୫): ଦାଉଦ ପ୍ରାର୍ଥନା କରୁଥଲେ, ମୋହର ଅପରାଧ ମୋ' ମସ୍ତକର କେଶରୁ ଅଧିକ ଓ ମୋର ହୃଦୟ ମୋତେ ପରିତ୍ୟାଗ କରିଅଛି । ମୋତେ ଦୟାକରି ଉଦ୍ଧାର କର (୧୨,୧୩) । ପାପ କ୍ଷମା ଓ ପରିତ୍ରାଣ ପାଇବା ନିମନ୍ତେ ଏପରି ଅନ୍ତର ଖୋଲା ପ୍ରାର୍ଥନା ଆବଶ୍ୟକ । 


ଧନ୍ୟବାଦରୂପ ବଳି (୧୬:୧୭): ଯେଉଁମାନେ ପରିତ୍ରାଣପ୍ରାପ୍ତ, ସେମାନେ ଈଶ୍ୱରଙ୍କୁ ମହିମାନ୍ଵିତ କରନ୍ତି (ଗୀତ ୫୦:୨୩) । ସଦାପ୍ରଭୁ ସେମାନଙ୍କର ନିଶ୍ଚୟତା ଓ ସଦପ୍ରଭୁଙ୍କର ସହାୟ ଓ ଉଦ୍ଧାରକର୍ତ୍ତା (୧୭) । ଆମେ ଯଦି ପରିତ୍ରାଣ ପ୍ରାପ୍ତ ତେବେ ଈଶ୍ୱରଙ୍କୁ ଧନ୍ୟବାଦ ହେଉ ।


ଅନ୍ତିମ କାଳର ଚିନ୍ତା

 ଅନ୍ତିମ କାଳର ଚିନ୍ତା

 ଆଜିର ଚିନ୍ତା

ଗୀତ ୩୯:୧-୧୩

 ମୋର ଭରସା କାହା ଉପରେ ନ୍ୟସ୍ତ?

 

ଜ୍ଞାନୀ ଶଲୋମନ ଲେଖନ୍ତି, "ତୁମ୍ଭେ ଆପଣା ଦୃଷ୍ଟିରେ ଜ୍ଞାନବାନ ହୁଅ ନାହିଁ" (ହିତୋପଦେଶ ୩:୭) । ଏଠାରେ ଦାଉଦ ଲେଖନ୍ତି, ମନୁଷ୍ୟ ଆତ୍ମ ନିର୍ଭରଶୀଳ ହୋଇ ପାପ ନ କରିବା ପାଇଁ ନିଜେ ଚେଷ୍ଟା କଲେ, ମୁଖରେ ଲଗାମ ଦେଲେ, ମୌନବ୍ରତ ଅବଲମ୍ବନ କଲେ ମଧ୍ଯ ପରିମାଣ ହେଲା ପ୍ରବଳ ଦୁଃଖ, ହୃଦୟ ଉତ୍ତପ୍ତ ଓ ଅଗ୍ନି ପ୍ରଜ୍ବଳିତ (୨:୩) । ଏହାର ଅର୍ଥ ସୂର୍ଯ୍ୟ ତଳେ ସମସ୍ତ ବିଷୟ ଅସାର  ଏହିଭଳି ପରିସ୍ଥିତରେ ଆମକୁ ନିଜ ଉପରେ ନିର୍ଭର ନ କରି, ଈଶ୍ୱରଙ୍କ ଶରଣାଗତ  ହେବା ଉତ୍ତମ ।


ଅନୁଶୋଚନା: ଯେତେବେଳେ ମନୁଷ୍ୟର ସମସ୍ତ ପ୍ରଚେଷ୍ଟା, ବିଫଳତା, ମନସ୍ତାପ ଓ ଶୀରପୀଡାରେ ପରିଣତ  ହୁଏ ଓ ସେ ବୁଝିନିଏ, ମୋହର ଆୟୁ ଅବସ୍ତୁ ତୁଲ୍ୟ ମନୁଷ୍ୟର ସର୍ବୋତ୍ତମ ଅବସ୍ଥା ନିତାନ୍ତ ଅସାର । ତାହାର ଜୀବନ କ୍ଷଣକାଳସ୍ଥାୟୀ ଓ ସେ ଅସାରରେ ବ୍ୟସ୍ତ । ସେ ଧନଗଦା କରେ, କିନ୍ତୁ କିଏ ଭୋଗ କରିବ, ସେ ଜାଣେ ନାହିଁ । ତାହାର ଅପରାଧ ଓ ଅଧର୍ମ ନିମନ୍ତେ ଅନୁଯୋଗ କଲେ, ସେ ଦୁଃଖୀ ହୁଏ । ଏହା  ଏକ ଚିନ୍ତାର ବିଷୟ ନୁହେଁ କି, ଏହିପରି ସମୟରେ ଆମେ କ'ଣ କରିବା ଦରକାର ତାହା ପରବର୍ତ୍ତୀ ପଦ ଦୁଇଟିରେ ଆଲୋଚନା କରିବା ।


ସଦାପ୍ରଭୁଙ୍କୁ  ଭୟ କର ଓ ମନ୍ଦତାରୁ ବିମୁଖ  ହୁଅ : ଆପଣାର ସବୁ ଗତିରେ ତାହାଙ୍କୁ ସ୍ଵୀକାର କର, ତହିଁରେ ସେ ତୁମ୍ଭର ପଥସବୁ  ସରଳ କରିବେ (ହିତୋ ୩:୬) । ଆପଣାର ସକଳ  ଗତିରେ ଈଶ୍ୱରଙ୍କୁ ସ୍ଵୀକାର କଲେ, ସେ ଆମକୁ ନିଶ୍ଚୟ ଅନନ୍ତକାଳୀନ ଭରସାରେ ଆଶାନ୍ଵିତ କରି ପ୍ରଫୁଲ୍ଲିତ ହେବାକୁ ଦେବେ ।


ଆଜି ମୁଁ ମୋର ଅନ୍ତିମକାଳର ଚିନ୍ତାରେ ବ୍ୟାକୁଳିତ ନା ଭରସାଯୁକ୍ତ? ଆତ୍ମ ନିର୍ଭରଶୀଳତା, ଆତ୍ମ ପ୍ରଚେଷ୍ଟାର ପରିଣତି ଅସୁରକ୍ଷିତ ଓ  ଅନ୍ଧକାରମୟ, ଏହା ମୁଁ ବୁଝିଛି କି ? ଯାକୁବ ଲେଖନ୍ତି, ମନୁଷ୍ୟ ଜୀବନ ପାଣି ଫୋଟକା (ବାଷ୍ପ) ଭଳି (ଯାକୁବ ୪:୧୪)।ଏହା ଅତ୍ୟନ୍ତ କ୍ଷଣ ଭଙ୍ଗୁର ଅଟେ, ତଥାପି ମନୁଷ୍ୟ ସବୁ ଜାଣି ସୁଦ୍ଧା ନିଜର ଅନ୍ତିମ କାଳ ବିଷୟରେ ଜାଗ୍ରତ ହେଉ ନାହିଁ, ଆଜିର ଶାସ୍ତ୍ରାଂଶ ଆମକୁ ସଦା ପ୍ରସ୍ତୁତ ରହିବାକୁ ଆହ୍ବାନ ଦିଏ ।

ପାପରୁ ଦୂରେଇ ରହିବା

 ପାପରୁ  ଦୂରେଇ ରହିବା

ଆଜିର ଚିନ୍ତା

ଗୀତ ୩୮:୧-୨୨


ଜାଣି ଜାଣି ପାପ କରି ଦୁଃଖ ଯନ୍ତ୍ରଣାକୁ ନିମନ୍ତ୍ରଣ କରୁଛୁ କି ?


ଦାଉଦ ପାପ କରି ଈଶ୍ଵରଙ୍କ କ୍ରୋଧ ଓ ଦଣ୍ଡର ସମ୍ମୁଖିନ ହୋଇ ଭୟଙ୍କର ଭାବେ ଲଜ୍ଜିତ ଓ କଷ୍ଟ ପାଇଛନ୍ତି । ସେ ଭଲ କରି ଜାଣନ୍ତି ଈଶ୍ଵରଙ୍କ କ୍ରୋଧ ନ୍ୟାୟ ସଙ୍ଗତ ଈଶ୍ଵରଙ୍କ  କ୍ରୋଧ ମଣିଷର ଅପାର କ୍ଷତି ଘଟାଏ (ଗୀତ ୯୦:୭) । ସେଥିପାଇଁ ଦାଉଦ ଏହାର ସନ୍ଧାନ ପାଇ ଅନୁନୟ ପ୍ରାର୍ଥନା କରୁଥଲେ "ତୁମ କୋପରେ ମତେ ଅନୁଯୋଗ କର ନାହିଁ । ତୁମ ବିରକ୍ତିରେ ମୋତେ ଶାସ୍ତି ଦିଅ ନାହିଁ" । 


ସଦାପ୍ରଭୁଙ୍କର କୋପ (୩-୧୦): ଏହା ମନୁଷ୍ୟ ଶରୀରର ଅନେକ କ୍ଷତି ସାଧନ କରେ । ଅସୁସ୍ଥତା ଆକ୍ରମଣ କରି ଶାନ୍ତି ହରଣ କରିଦିଏ । ସମସ୍ତ ଚେଷ୍ଟା ତାକୁ ଆରୋଗ୍ୟ କରିପାରେନା ବରଂ ବୃଦ୍ଧି କରି ତାକୁ ସଂପୂଣ୍ଣ ଅସହାୟ ଓ ନିରାଶ କରିଦିଏ । ପବିତ୍ର ଶାସ୍ତ୍ର ଅନେକଙ୍କ ଜୀବନ ମାଧ୍ୟମରେ ଆମକୁ ସଚେତନ କରିବା ସଙ୍ଗେ ସଙ୍ଗେ ସଦାପ୍ରଭୁଙ୍କ କୋପ ନ ଜନ୍ମାଇବା ପାଇଁ ପରାମର୍ଶ ଦିଏ । ତଥାପି ଏହା କରି ଆମେ ନିଜେ ନିଜେ କଷ୍ଟ ପାଉ ଓ ଚତୁଃପାଶ୍ୱର୍ରେ ଥିବା ଅନେକଙ୍କୁ ମଧ୍ୟ ଯନ୍ତ୍ରଣାଗ୍ରସ୍ତ କରିଦେଉ । କେବଳ ଗୋଟିଏ ପଥ ଉନ୍ମୁକ୍ତ ଅଛି । ଅନୁତାପ, ପାପସ୍ଵୀକାର, କତୋରୋକ୍ତି ଓ କ୍ଷମା ପ୍ରାର୍ଥନା । 


ବିଷମୟ ପରିସ୍ଥିତି: ଦାଉଦଙ୍କ କତୋରୋକ୍ତି - ବଳ କ୍ଷୀଣ ହୋଇଯାଉଛି  ବ୍ୟାଧି ଯୋଗୁ ଶରୀର କ୍ଷୟ ପାଉଛି । ପ୍ରିୟ ମାନେ, ମିତ୍ରମାନେ, ଜ୍ଞାତିବର୍ଗ ବ୍ୟାଧି ଯୋଗୁ ତାଙ୍କଠାରୁ ଦୂରେଇ ଯାଉଛନ୍ତି । ଦୁଃସମୟ ଦେଖି ଶତ୍ରୁମାନେ ଫାନ୍ଦ ପାତନ୍ତି ପ୍ରାଣ ନେବା ପାଇଁ ପଶ୍ଚାତପଦ ହୁଅନ୍ତି ନାହିଁ । ସବୁ ବିଷମୟ  ହୋଇଯାଏ । ସେ ନିର୍ବାକ ହୋଇଯାଏ ଓ ତାର ଶ୍ରବଣ ରୁଦ୍ଧ ହୋଇଯାଏ । ପ୍ରତିବାଦ କରିବା ପାଇଁ ସମ୍ପୂର୍ଣ୍ଣ ଅସମର୍ଥ ହୋଇଯାଏ ।


ଉଦ୍ଧରର ପଥ: ତାଙ୍କର ଲୋକମାନଙ୍କୁ ନଷ୍ଟ କରି ଦେବା, ସଦାପ୍ରଭୁଙ୍କର ଉଦ୍ଦେଶ୍ୟ ନୁହେଁ। ମାତ୍ର ଶୃଙ୍ଖଳିତ କରିବା ପାଇଁ, ପାପର କଷାଘାତ ଅସ୍ୱାଦନ କରିବା ପାଇଁ ସେ ଏହା କରିଥାନ୍ତି । ନିଜେ କଷ୍ଟ ନ ପାଇଲେ ମନୁଷ୍ୟ ପାପର ଦୂରବସ୍ଥା ବୁଝି ପାରିବନି । ଯେତେବେଳେ ସେ ଅଙ୍ଗେ ନିଭାଏ, ସେ  ଫେରେ । ଦାଉଦଙ୍କୁ ଏହା ମଧ୍ୟରେ ସେ ଲାଭ କଲେ । ଅପବ୍ୟୟୀ ପୁତ୍ରକୁ ବାପା ଗ୍ରହଣ କଲାପରି ଈଶ୍ୱର ଆମକୁ ପୁନଃଗ୍ରହଣ କରନ୍ତି । ସଦାପ୍ରଭୁ ପାପଗୁଡ଼ିକ ସ୍ମରଣରେ ଆଣନ୍ତି ନାହିଁ (ଗୀତ ୭୯:୮, ଯିଶାଇୟ ୪୯:୨୫) । ତେଣୁ ଅପରାଧ ଲୁଚାଇବା ନାହିଁ (୧୮) । ସଦାପ୍ରଭୁ ଆମର ପରିତ୍ରାଣ (୨୧-୨୨)


ଧ୍ଵଂସରୁ ସୁରକ୍ଷା

 ଧ୍ଵଂସରୁ ସୁରକ୍ଷା


ଆଜିର ଚିନ୍ତା


ଗୀତ ୩୭:୨୫-୪୦


ନିଜେ ସୁରକ୍ଷିତ ହୋଇ ଆତ୍ମ ସନ୍ତୋଷ ଲାଭ କରୁଛି କି?


ଦାଉଦ ଅନେକ ସୁଖଦ ଓ ଦୁଃଖଦ ଅନୁଭୂତିକୁ ନିଜ ଜୀବନରେ ଅଙ୍ଗେ ନିଭେଇ ବୃଦ୍ଧ ସମୟରେ ଏହି ଗୀତ ରଚନା କରିଛନ୍ତି । ଅନେକ ଆଶିର୍ବାଦର ଅଧିକାରୀ ହେବା ସତ୍ତ୍ୱେ ଯଦି ଦୁଷ୍କର୍ମକାରୀମାନେ ତାଙ୍କର ଏତେ ଅପକାର କରିପାରିଲେ ତେବେ ସାଧାରଣ ସରଳମନା ପ୍ରଭୁ ବିଶ୍ୱାସୀମାନଙ୍କର ସେମାନେ କେତେ କ୍ଷତି ସାଧନ ନ କରିବେ । ସେଥିପାଇଁ ଏହି ୩୭ ଗୀତର ଅଧ୍ୟୟନ ଓ ଅନୁଶୀଳନ ପ୍ରଭୁ ନିର୍ଭରକାରୀଙ୍କୁ ଅନେକ ବଳ ଓ ଦୃଢ଼ ବିଶ୍ବାସ ଦେବ । ଏହି ଗୀତ ସଂପୂର୍ଣ୍ଣ ବ୍ୟବହାରିକ ଓ ଅନୁଭୁତି ଜନ୍ମିତ ହୋଇଥିବାରୁ ଆମ ସମସ୍ତଙ୍କର ପାଥେୟ ହୋଇପାରିବ ।


ଦୟାପ୍ରାପ୍ତ ଧାର୍ମିକ ବ୍ୟକ୍ତି: ଦାଉଦ ରାଜା କହନ୍ତି, "ମୁଁ ଯୁବା ଥିଲି,ଏବେ ବୃଦ୍ଧ ହୋଇଅଛି ମାତ୍ର ଧାର୍ମିକକୁ ପରିତ୍ୟକ୍ତ ଅବା ତାହାର ବଂଶକୁ ଖାଦ୍ୟ ଭିକ୍ଷା କରିବାର ଦେଖି ନାହିଁ" (୨୫ ପଦ) । କେତେ ଆକାଟ୍ୟ ପ୍ରମାଣ ପତ୍ର ଜଣେ ପ୍ରଭୁ ନିର୍ଭରକାରୀ ରାଜାଙ୍କର । ଧାର୍ମିକ ଦୟା ପାଇ ଅନ୍ୟମାନଙ୍କୁ ଆର୍ଥିକ ସାହାଯ୍ୟ ଦେଇଥାଏ । ତା'ର ବଂଶ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ (୨୬ପଦ) ସଦାପ୍ରଭୁ ସଦଭକ୍ତମାନଙ୍କୁ ପରିତ୍ୟାଗ କରନ୍ତି ନାହିଁ (୨୮ପଦ) । ପରମେଶ୍ଵରଙ୍କ  ବ୍ୟବସ୍ଥା ସେ ଅନ୍ତରରେ ସାଇତି ରଖି, ତାକୁ ବ୍ୟବହାର କରେ ତେଣୁ ତା'ର ପାଦ ଖସିଯିବ ନାହିଁ । ତାର ମୁଖ ଜ୍ଞାନ ଓ ଜିହ୍ୱା ନ୍ୟାୟ ଓ ନିରପେକ୍ଷ କଥା କହିବ (୩୦,୩୧) । ସେ ଈଶ୍ଵରଙ୍କ ଶରଣାଗତ ହୋଇ ପରିତ୍ରାଣ ଲଭିବ, ସଂକଟ ସମୟ ଓ ଦୁଷ୍ଟମାନଙ୍କ ହସ୍ତରୁ ରକ୍ଷା ପାଇବ (୩୯,୪୦) । ଦାଉଦଙ୍କ ଜୀବନରଅନେକ ଘଟଣା ପ୍ରମାଣିତ କରିଛି ଯେ ଧର୍ମିକର ବଳିଷ୍ଟ ଜୀବନ ଦୁଷ୍ଟକୁ ଧିକ୍କାର ଓ ଅଧମୁଖ କରାଇଛି । ମୋଶା ଓ ଇସ୍ରାଏଲର ବିଶାଳ ଜନତାର ସୁଫସାଗର ମଧ୍ୟରେ ଶୁଷ୍କ ପଥର ସୁରକ୍ଷିତ ଯାତ୍ରା ଓ ଦୁଷ୍ଟ ପ୍ରତିହିଂସା ପରାୟଣ ଶକ୍ତିଶାଳୀ ମିସର ରାଜା ଓ ଏହାର ବଳିଷ୍ଠ  ସୌନ୍ୟ ଶ୍ରେଣୀର ସଲିଳ ସମାଧି- ଏକଥା ପ୍ରମାଣିତ କରେ ନାହିଁ କି ? 



ଧ୍ଵଂସମୁଖୀ ଅଧର୍ମାଚାରି: ଦୟାବାନ୍ ଈଶ୍ବର ଦୁଷ୍ଟର ମରଣରେ ସନ୍ତୋଷ ପାଆନ୍ତି ନାହିଁ କାରଣ ସେ ଦୁଷ୍ଟ ଓ ଶିଷ୍ଟ କରି ମଣିଷକୁ ଏହି ପୃଥିବୀକୁ ପ୍ରେରଣ କରି ନାହାନ୍ତି। ଏହା ମଣିଷର ସ୍ୱଅର୍ଜୀତ। ଯୀଶୁ ଦୁଷ୍ଟ, ପାପୀକୁ ଉଦ୍ଧାର କରି ସ୍ବର୍ଗ ରାଜ୍ୟରେ ସ୍ଥାନିତ କରିବା ପାଇଁ ନିଜର ପବିତ୍ର ପ୍ରାଣ ଦେଲେ। ତାଙ୍କଠାରେ ନିଜ ନିଜକୁ ସମର୍ପଣ କରିବା କି? ସେ ହିଁ ଆମକୁ ଉଦ୍ଧାର କରିବେ ଓ ଶକ୍ତି ଦେବେ । 

ପ୍ରେମିକ ଓ ନ୍ୟାୟବାନ୍ ଈଶ୍ବର

 ପ୍ରେମିକ ଓ ନ୍ୟାୟବାନ୍ ଈଶ୍ବର

ଆଜିର ଚିନ୍ତା

ଗୀତ ୩୫:୧-୨୮


ପ୍ରତିକୂଳ ପରିସ୍ଥିତିରେ ମୁଁ ଈଶ୍ୱରଙ୍କ ନିକଟରେ ଆର୍ତ୍ତସ୍ୱର କରୁଛି ନା ବଚସା କରୁଛି?


ଦାଉଦଙ୍କର ସମସ୍ୟା ତାଙ୍କର ଶକ୍ତିର ବର୍ହିଭୂତ ହୋଇଯାଇଥିଲେ ମଧ୍ୟ ସେ ଭାଙ୍ଗି ପଡ଼ି ନାହାଁନ୍ତି ବରଂ ଉଦ୍ଧାର ପାଇବା ନିମନ୍ତେ ଈଶ୍ୱରଙ୍କଠାରେ ପ୍ରାର୍ଥନା କରୁଛନ୍ତି ।


ଈଶ୍ବରଙ୍କଠାରେ ସମସ୍ତଭାର ଅର୍ପଣ କର: ଅନ୍ୟାୟରେ ଦାଉଦଙ୍କର ଶତ୍ରୁମାନେ ତାଙ୍କୁ ବଧ କରିବା ପାଇଁ ତାଙ୍କ ପଛରେ ଧାବମାନ ହେଲେ। ଫଳରେ ତାଙ୍କ ମନରେ ନାନାପ୍ରକାର ବ୍ୟବସ୍ତା ଆସିଲା। କିନ୍ତୁ ସେହି ସମୟରେ ସେ ଈଶ୍ୱରଙ୍କଠାରେ ସମସ୍ତଭାର ଅର୍ପଣ କରି ତାଙ୍କଠାରୁ ସାହାଯ୍ୟ ଭିକ୍ଷା କରୁଛନ୍ତି। ଈଶ୍ୱର ସେହି ଦେଶରୁ ଦୁଷ୍ଟ ଲୋକମାନଙ୍କୁ ଉଚ୍ଛିନ୍ନ କରିବା ନିମନ୍ତେ ତାଙ୍କୁ ରାଜାଭିଷିକ୍ତ କରିଥିଲେ। କିନ୍ତୁ ସମସ୍ୟାର ଜଟିଳତା ତାଙ୍କୁ ବିଚଳିତ କରି ଦେଉଥିଲା। ବେଳେ ବେଳେ ଆମେ ଏହିପରି ଅନୁଭୁତି ଭିତରେ ଦେଇ ଯାଇଥାଉ। କୌଣସି ବିଷୟରେ ଚିନ୍ତିତ କିମ୍ବା ବ୍ୟସ୍ତ ନ ହୋଇ ପ୍ରଭୁଙ୍କଠାରେ ସମସ୍ତ ଭାର ଅର୍ପଣ କଲେ ସେ ଆମକୁ ସାହାଯ୍ୟ କରିବେ।


ଅନ୍ତର ସହ ପ୍ରାର୍ଥନା କର: ଦାଉଦ ମନୁଷ୍ୟମାନଙ୍କ ସାହାଯ୍ୟ ନ ଲୋଡ଼ି ଈଶ୍ୱରଙ୍କର ନ୍ୟାୟକୁ କାମନା କଲେ। ଶତ୍ରୁମାନଙ୍କ ଠାରୁ ପ୍ରତିଶୋଧ ନେଲେ ନାହିଁ। ମାତ୍ର ଈଶ୍ଵରଙ୍କ ମନର ମତ ଏକ ଦେଶ ହେବ ଏଥିପାଇଁ ଆର୍ତ୍ତସ୍ୱର କଲେ। ଦେଶରୁ ଅନ୍ୟାୟ ଦୂରୀଭୂତ ହୋଇ ନ୍ୟାୟ ପ୍ରତିଷ୍ଠିତ ହେଉ ବୋଲି ଆମେ ଅନ୍ତର ସହ ପ୍ରାର୍ଥନା କରିବା ଉଚିତ।


ଈଶ୍ୱରଙ୍କ ଇଛା ପୂରଣ କର: ଦାଉଦ ସବୁଭାର କେବଳ ପ୍ରଭୁଙ୍କଠାରେ ଅର୍ପଣ କଲେ ତାହା ନୁହେଁ, ମାତ୍ର ସେ ତାଙ୍କର ଇଚ୍ଛାକୁ ମଧ୍ୟ ପ୍ରଭୁଙ୍କଠାରେ ସମର୍ପଣ କଲେ। ଈଶ୍ୱର ତାଙ୍କ ଇଛାନୁସାରେ ଆମ ଜୀବନରେ କାର୍ଯ୍ୟ କରନ୍ତୁ ବୋଲି ଆମେ ନିବେଦନ କରିବା ଆବଶ୍ୟକ। ଏହି ଗୀତ ମାଧ୍ୟମରେ ଦାଉଦ ପାପ ବିରୁଦ୍ଧରେ ଦୃଢଭାବରେ ଠିଆ ହେବା ନିମନ୍ତେ ପ୍ରେରଣା ଯୋଗାଇଛନ୍ତି। ଈଶ୍ୱର ଦୁଃଖୀଲୋକମାନଙ୍କୁ ସାହାଯ୍ୟ କରିବାକୁ ପ୍ରତିଜ୍ଞା କରିଛନ୍ତି, ମାତ୍ର ଯେଉଁମାନେ ମନ୍ଦରୁ ବିମୁଖ ହୁଅନ୍ତି ନାହିଁ, ସେମାନଙ୍କର ସେ ନିତାନ୍ତ ବିଚାର କରିବେ।