BN

ସମର୍ପିତ ଜୀବନ

 ସମର୍ପିତ ଜୀବନ

ପଠନ: ଗୀତ ୩୧:୧-୨୪

ଆଜିର ଚିନ୍ତା

 କ୍ଳେଶ ଓ ଦୁଃଖରେ ଆମେ ଆତଙ୍କିତ ହୋଇ ପଡୁ କି? 

        

        ସମଗ୍ର ବିଶ୍ବ ୨୦୧୯ ଡିସେମ୍ବର ଠାରୁ ଅଦ୍ୟାବଧି କୋଭିଡ ୧୯ ପରି ମହାମାରୀ ଦ୍ଵାରା ଆକ୍ରାନ୍ତ ହୋଇ ଅକଥନୀୟ ଦୁଃଖ ଯନ୍ତ୍ରଣା ମଧ୍ୟରେ ଗତି କରି ଆସିଛି ।ଆମେ କେତେ ପ୍ରିୟଜନଙ୍କୁ ହରେଇଛୁ ଅକାଳରେ ।ଏସବୁ ସମ୍ପୂର୍ଣ୍ଣ ଭାବରେ ଆମର ମାନସିକ ଅବସ୍ଥାକୁ ବିପର୍ଯ୍ୟସ୍ତ କରିଛି । କିନ୍ତୁ ଧନ୍ୟ ସେ ଈଶ୍ୱର ସମୟର କର୍ତ୍ତା, ଅନୁଗ୍ରହରେ ଆମ୍ଭମାନଙ୍କୁ ଏକ ନୂତନ ବର୍ଷର ପ୍ରଥମ ଦିନରେ ପଦାର୍ପଣ କରାଇଅଛନ୍ତି ।

  

ଯନ୍ତ୍ରଣାଗ୍ରସ୍ତର ଅନ୍ତରର କଥା (୧-୮): ରଚକ ଦାଉଦ ତାଙ୍କ ଜୀବନରେ ଅଙ୍ଗେ ନିଭାଇଥିବା ଦୁର୍ଦ୍ଦଶା,ଦୁଃଖ,ପରୀକ୍ଷା, ଆକ୍ରମଣର ନିଚ୍ଛକ ସତ ଅନୁଭୂତିର ପୃଷ୍ଠ ଭୂମିରୁ ଆଜିକାର ଗୀତକୁ ରୂପ ଦେଇଛନ୍ତି ।ସେ ନିଜେ ଭାଙ୍ଗି ପଡିନାହାନ୍ତି କି ଆମକୁ ଭୟାତୁର କରିନାହାନ୍ତି । ସେ ନିଜର ଆତ୍ମାକୁ ଅଟଳ ବିଶ୍ଵାସରେ ମହସୁରକ୍ଷା ଦାତାଙ୍କ ନିକଟରେ ସମ୍ପୂର୍ଣ୍ଣ ସର୍ମପଣ କରି ଦେଇଅଛନ୍ତି (୫ପଦ) । ଖ୍ରୀଷ୍ଟ ମଧ୍ଯ କ୍ରୁଶର ଅସହ୍ୟ ଯନ୍ତ୍ରଣାକୁ ଅତିକ୍ରମ କରି ପିତାଙ୍କ ହସ୍ତରେ ନିଜକୁ ସମର୍ପଣ କରିଦେଲେ (ଲୁକ ୨୩:୪୬) ।ତାଙ୍କ ହାତଧରି ଯାତ୍ରା ଆରମ୍ଭ କରୁ ।ସେ ଆମ ପ୍ରାଣର ତତ୍ତ୍ୱ ନେବେ - ପ୍ରଶସ୍ତ ସ୍ଥାନରେ ଚରଣ ସ୍ଥାପନ କରିବେ । ସମ୍ପୂର୍ଣ୍ଣ ସମର୍ପଣ,ଆମକୁ ଗୌରବମଣ୍ଡିତ ଆନନ୍ଦଭରା ଜୀବନ ଦେବ ।   

  

ସମସ୍ତ ସମୟ ଈଶ୍ୱରଙ୍କ ହାତରେ (୯-୧୮): ସେ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତକୁ ରୂପ ଦେବର ଏକମାତ୍ର ପରମେଶ୍ଵର।  ଅତୀତରେ ଘଟିଯାଇଥିବା ବିପଦ,ରୋଗ ଦୁର୍ବଳତା, ନିନ୍ଦା ସମସ୍ତ ସେ ଜାଣିଛନ୍ତି। କାରଣ ସେ ସର୍ବଜ୍ଞତା।ଆମର ଦାୟିତ୍ବ କାତୋରୋକ୍ତି  କରି ତାଙ୍କ ଉପରେ ନିର୍ଭର କରିବା । ସ୍ନେହପୂର୍ଣ୍ଣ କରୁଣାରେ ତାଙ୍କ ହସ୍ତଗତ ସମୟକୁ ଅପେକ୍ଷା କରିବା। ଶତ୍ରୁ ଶୟତାନର ତାଡନା, ଫାନ୍ଦ ମଧ୍ୟରୁ ଉଦ୍ଧାର କରିବା ନିମନ୍ତେ ସେ ସମର୍ଥ ଈଶ୍ୱର।ସେ ଆମ ପ୍ରତି ଅହରହ ଦୃଷ୍ଟି ରଖି ଆମ୍ଭମାନଙ୍କୁ ପ୍ରତିଷ୍ଠିତ କରିବେ।


ସମର୍ପିତକାରୀର ପୁରସ୍କାର (୧୯-୨୪): ଶରଣାଗତଙ୍କ ପାଇଁ ସେ ମଙ୍ଗଳ ସଞ୍ଚୟ କରିଛନ୍ତି। ନିଜର ଆବାସରେ, ଶ୍ରୀ  ଛାମୁରେ ଆମକୁ ଗୋପନ କରି ରଖିବେ। ସ୍ନେହପୂର୍ଣ୍ଣ କରୁଣା ପ୍ରକାଶ କରି ସମର୍ପିତକାରୀର ନିବେଦନ ଶୁଣିବେ। ବିଳମ୍ବ ନକରି ତାଙ୍କ ନିକଟରେ ଆମେ ନିଜକୁ ସମର୍ପଣ କରିଦେବା। ନୂତନ ବର୍ଷର ପ୍ରତ୍ୟେକ ମୁହୂର୍ତ୍ତ ସେ ଆମକୁ ବଳବାନ କରିବେ ଓ ସାହସିକ ଅନ୍ତଃକରଣ ଦେବେ ପୁଣି ଏହି ନୂତନ ବର୍ଷର ଯାତ୍ରାରେ ସେ ସହବର୍ତ୍ତି ହେବେ।

ଅଭିଯୋଗ ନାହିଁ

 ଅଭିଯୋଗ ନାହିଁ 

ଗଣନା ୧୪:୧-୧୨


ବଚସା ଓ ତର୍କବିତର୍କ ବିନା ସମସ୍ତ କାର୍ଯ୍ୟ କର । (ଫିଲୀପ୍ପୀୟ ୧:୧୪)


ଯଦି ଆମେ ଗୋଟିଏ ଦିନ ପାଇଁ ଆମ କଥାବାର୍ତ୍ତାର ଏକ ରେକର୍ଡିଂ ଶୁଣିବା, ତେବେ ଆମେ ଯେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବା, ଏଥିରେ ସନ୍ଦେହ ନାହିଁ । ଆମେ କେତେ ବିରକ୍ତ ହୋଇଛୁ ଓ କେତେ ଅଭିଯୋଗ କରିଛୁ ତାହା ଶୁଣି ଆମେ ଆଚମ୍ବିତ ହେବା । 


ପିଲାମାନେ ଗୃହ କାର୍ଯ୍ୟ କିମ୍ବା ବାସନ ଧୋଇବା ବିଷୟରେ ଅଭିଯୋଗ କରନ୍ତି । ପରିବାରର ପ୍ରତ୍ୟେକ ଜଣଙ୍କ ପଛରେ ଏତେ ଅଧିକ ସମୟ କାଟୁଥିବାରୁ ମା' ଅଭିଯୋଗ କରନ୍ତି । ପିତା ଗୃହକୁ ଫେରି ନିଜର କର୍ତ୍ତା ଓ କାର୍ଯ୍ୟ ବିଷୟରେ କଟୁ ମନ୍ତବ୍ୟ ଦିଅନ୍ତି । ଆଉ ଏହିପରି ଦିନସାରା ଲାଗିରହେ ।


 ଆଜିର ବାଇବଲ ପାଠରେ, ଆମେ ମିଶରରୁ ବାହାରି ଆସିଥିବା ଇସ୍ରାଏଲ ସନ୍ତାନଗଣର ଅଭିଯୋଗ ଶୁଣୁ (ଗଣନା ୧୪:୨-୩) । ସେମାନଙ୍କ ନିମନ୍ତେ ଈଶ୍ଵର କରି ସାରିଥିବା ସମସ୍ତ କାର୍ଯ୍ୟପରେ ସେମାନେ କୃତଜ୍ଞ ରହିବା ଓ ତାଙ୍କର ଆଜ୍ଞପାଳନ କରିବା ଉଚିତ୍ ଥିଲା । ମାତ୍ର ସେମାନଙ୍କର ଅବିଶ୍ବାସ ଓ ଅବଧ୍ୟତା ଯୋଗୁ, ଗୋଟିଏ ସମଗ୍ର ପିଢ଼ୀ ପ୍ରତିଜ୍ଞାତ ଦେଶରେ  ପହଞ୍ଚି ପାରି ନ ଥିଲେ (୨୩ପଦ)


ଆଜି ମଧ୍ୟ, ଅଭିଯୋଗକାରୀମାନେ ଈଶ୍ଵରଙ୍କର ଆଶୀର୍ବାଦ ହରାଇ ସେମାନଙ୍କ ଚତୁଃପାଶ୍ୱସ୍ଥ ଲୋକମାନଙ୍କ ମଧ୍ୟରେ ନିରୁତ୍ସାହ ପ୍ରସାରଣ କରୁଛନ୍ତି । ସେହି ପ୍ରକାର ମନୋଭାବ ଜଣେ ଖ୍ରୀଷ୍ଟ ଅନୁଗାମୀ ପାଇଁ ଅନୁପଯୁକ୍ତ ଅଟେ । ଅଗ୍ରଣୀ ମିଶନାରୀ ହଡ୍ ସନ୍ ଟେଲର୍ କହିଥିଲେ, "ତୁମେ ଜଣେ ଖ୍ରୀଷ୍ଟିୟାନ ହେଲେ ମଧ୍ୟ ତୁମର ପିତା ଓ ମାତା, ତୁମର ଭଉଣୀ ଓ ଭାଇ, ହଁ ଏପରିକି ତୁମ ଗୃହରେ ଥିବା ବିଲେଇ ଓ କୁକୁର ସୁଦ୍ଧା ଯଦି ସୁଖୀ ନୁହଁନ୍ତି, ତେବେ ତୁମେ ବାସ୍ତବରେ ଖ୍ରୀଷ୍ଟିୟାନ ଅଟ କିମ୍ବା ନୁହଁ, ଏହା ଏକ ପ୍ରଶ୍ନ ଅଟେ।"


ଆମର ବାକ୍ୟ ପ୍ରଭୁଙ୍କୁ ଗୌରବ ଦିଏ କି ? ତାଙ୍କୁ ବିଶ୍ଵାସ କରି ତାଙ୍କର ବାଧ୍ୟ ହେବା ପାଇଁ ଆମେ ଆନନ୍ଦ ଓ  ଉତ୍ସାହ ପ୍ରସାରଣ କରୁ କି ? 

ଝର୍କାରେ ତାରକା

 ଝର୍କାରେ ତାରକା


ଏଫିସୀୟ ୨:୧-୧୦

କାରଣ ଈଶ୍ଵର ଜଗତକୁ ଏଡେ ପ୍ରେମ କଲେ ଯେ, ସେ ଆପଣାର ଅଦ୍ୱିତୀୟ ପୁତ୍ରଙ୍କୁ ଦେଲେ...। (ଯୋହନ ୩:୧୬)


ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟରେ, ଗୋଟିଏ ପରିବାର ପାଇଁ ଯୁକ୍ତରାଷ୍ଟ୍ର ଆମେରିକାରେ ଗୋଟିଏ ପ୍ରଥା ଥିଲା ଯେ ଯାହାର ପୁତ୍ର ସୈନ୍ୟ ବାହିନୀରେ କାମ କରୁଥିଲା, ତାହାର ଗୃହର ଝର୍କାରେ ସମ୍ମୁଖଭାଗରେ ଗୋଟିଏ ତାରକା ଲଗାଇବାକୁ ପଡୁଥିଲା । ମାତ୍ର ଗୋଟିଏ ସ୍ଵର୍ଣ୍ଣ ତାରକା ଏହା ସୂଚାଉଥିଲା ଯେ ପୁତ୍ରଟି ନିଜ ଦେଶର ସ୍ବାର୍ଥ ରକ୍ଷା ପାଇଁ ମୃତ୍ୟୁବରଣ କରିଥିଲା । 

ବହୁବର୍ଷ ପୂର୍ବେ, ସାର୍ ହ୍ୟାରୀ ଲଡ଼ର୍ ଏହି ପ୍ରଥା ବିଷୟରେ ଏକ ହୃଦୟ ସ୍ପର୍ଶୀ କାହାଣୀ କହିଥିଲେ । ସେ କହିଥିଲେ ଯେ, ଦିନେ ରାତିରେ ଜଣେ ବ୍ୟକ୍ତି ନିଜର ୫ ବର୍ଷୀୟ ପୁତ୍ର ସହିତ ନ୍ୟୁୟର୍କ ସହରର ଏକ ଗଳି ରାସ୍ତାରେ ଚାଲୁଥିଲେ । ସେହି ଛୋଟ ପିଲାଟି ଗୃହଗୁଡ଼ିକର ଉଜ୍ଜ୍ୱଳ ଭାବରେ ଆଲୋକିତ ଝର୍କାଗୁଡିକୁ ଦେଖି କୌତୁହଳ ହେଲା ଓ କେତେଗୁଡ଼ିଏ ଗୃହର ଝର୍କାରେ କାହିଁକି ତାରକା ଲାଗିଅଛି ବୋଲି ଜାଣିବାକୁ ଇଛା କଲା । ସେହି ପରିବାରଗୁଡ଼ିକରେ ଏପରି ଏକ ପୁତ୍ର ଥିଲା, ଯିଏ ଯୁଦ୍ଧରେ ଯୋଗ ଦେଇଥିଲା ବୋଲି ବାପା ବୁଝାଇ ଦେଲେ । ଏହାପରେ ଗୋଟିଏ ପରେ ଗୋଟିଏ ଝର୍କାରେ ତାରକା ଦେଖିବା ମାତ୍ରେ ପିଲାଟି ତାଳିମାରି ଚିତ୍କାର କରୁଥିଲା, " ବାପା, ଦେଖ, ଆଉ ଗୋଟିଏ ପରିବାର, ଯିଏ ନିଜ ଦେଶ ପାଇଁ ଗୋଟିଏ ପୁତ୍ରକୁ ଦେଇ ଦେଇଛି ।" 


ଶେଷରେ ସେମାନେ ଗୋଟିଏ ଶୂନ୍ୟ ଅଞ୍ଚଳକୁ ଆସିଲେ ଓ ଏହି ଅଞ୍ଚଳଟିରେ ଆଉ ଧାଡ଼ି ଧାଡ଼ି ଗୃହ ନ ଥିଲା । ଏହି ସ୍ଥାନରୁ ଆକାଶରେ ଗୋଟିଏ ତାରା ଚକ୍ ଚକ୍ କରୁଥିବାର ଦିଶୁଥିଲା । ଛୋଟ ପିଲାଟି ଅଣନିଶ୍ବାସୀ ହୋଇ କହି ଉଠିଲା, " ଓଃ, ବାପା, ସ୍ବର୍ଗର ଝର୍କାରେ ସେହି ତାରାଟିକୁ ଦେଖ ! ଈଶ୍ୱର ମଧ୍ୟ ତାଙ୍କର ପୁତ୍ରଙ୍କୁ ଦେଇଥିବେ।"


ହଁ, ବାସ୍ତବରେ ! ଈଶ୍ୱରଙ୍କ ଝର୍କାରେ ଗୋଟିଏ ତାରକା ଅଛି । ସେ ଆପଣଙ୍କ ପାଇଁ କ'ଣ କରିଥିଲେ, ତାହା ଆପଣ ଉପଲବ୍ଧ କରିଛନ୍ତି କି? ଆମ ପାଇଁ ଈଶ୍ଵରଙ୍କ ପ୍ରେମ ଯୋଗୁ, ସେ ତାଙ୍କର ପୁତ୍ରଙ୍କୁ ଦେଇଥିଲେ (ଏଫୀ ୨:୪)


ଇତିହାସରେ ବିଶ୍ଵାସର ଚେର

 ଇତିହାସରେ ବିଶ୍ଵାସର ଚେର

ଯୋହନ ୨୦:୧୯-୨୯

ଯଦି ଖ୍ରୀଷ୍ଟ ଉତ୍ଥିତ ହୋଇ ନାହାନ୍ତି, ତେବେ ତୁମର ବିଶ୍ଵାସ ନିଷ୍ଫଳ।

(୧ କର ୧୫:୧୭)


ଆମେରିକାର ପୂର୍ବତନ ପ୍ରେସିଡେଣ୍ଟ ଜନ୍ ଏଫ୍ କେନ୍ନେଡିଙ୍କ ଜୀବନୀ ଉପରେ ଆଲିଭର ଷ୍ଟୋନ ଏକ ଚଳଚ୍ଚିତ୍ର ନିର୍ମାଣ କଲେ। ସେଥିରେ ସେ ଏନେକ ତଥ୍ୟକୁ ଅତିରଞ୍ଜିତ କଲେ, ଆଉ ଏହାକୁ ସଠିକ୍ ପ୍ରମାଣିତ କରିବା ନିମନ୍ତେ ସେ ସେ ଐତିହାସିକ ତଥ୍ୟଗୁଡ଼ିକୁ ଯେଉଁ ଦୃଷ୍ଟିକୋଣରୁ ତର୍ଜ୍ଜମା କରିଛନ୍ତି ସେଥିରେ ଥିବା ଐତିହାସିକ ସଠିକତାର କୌଣସି ଗୁରୁତ୍ଵ ନାହିଁ ବୋଲି କହିଲେ।

ପ୍ରଥମ ଶତାବ୍ଦୀରେ କେତେକ ଧାର୍ମିକ ନେତା ଯୀଶୁଙ୍କ ପୁନରୁତ୍ଥାନର ଅବତାରଣା କରିବା ନିମନ୍ତେ ଠିକ୍ ଏହି ପ୍ରକାରର ପଦ୍ଧତି ଅବଲମ୍ବନ କରିଥିଲେ। ଯେଉଁ ଅନ୍ୟ ଧର୍ମଗୁଡ଼ିକ ଶାରିରୀକ ବାସ୍ତବତାକୁ ସଙ୍କୁଚିତ କରୁଥିଲେ,ସେମାନଙ୍କ ଦ୍ବାରା ପ୍ରଭାବିତ ହୋଇ ସେମାନେ ଦାବୀ କଲେ ଯେ, ଯୀଶୁ ଶାରିରୀକ ରୂପେ ଉତ୍ଥିତ ନ ହୋଇ ବରଂ ଆତ୍ମିକ ରୂପେ ଉତ୍ଥିତ ହୋଇଥିଲେ।


ପ୍ରେରିତ ପାଉଲ ଏହାକୁ ମନଗଢା କାହାଣୀ କହିଲେ। ସେ କରିନ୍ତୀୟମାନଙ୍କ ନିକଟକୁ ସଠିକ୍ ଐତିହାସିକ ପ୍ରମାଣର ଗୁରୁତ୍ବ ବିଷୟରେ ଲେଖିଲେ। ସେ ସେମାନଙ୍କୁ ସ୍ମରଣ କରାଇଦେଲେ ଯେ, ଯୀଶୁ ପିତର, ଅନ୍ୟ ପ୍ରେରିତ, ଯାକୁବ ଏବଂ ୫୦୦ରୁ ଉର୍ଦ୍ଧ୍ବ ଅନ୍ୟ ଲୋକମାନଙ୍କୁ ଏକ ସମୟରେ ଦେଖା ଦେଇଥିଲେ (୧ କର ୧୫:୫-୮)। ଏହି ପ୍ରତ୍ୟକ୍ଷଦର୍ଶୀମାନଙ୍କ ମଧ୍ୟରୁ ଅଧିକାଂଶ ସେ ପର୍ଯ୍ୟନ୍ତ ଜୀବିତ ଥିଲେ। ଏଣୁ ଯୀଶୁଙ୍କ ପୁନଉତ୍ଥିତ ଶରୀର ଯେ ତାଙ୍କର ମୃତ୍ୟୁ ପୂର୍ବ ଶରୀର ସଦୃଶ୍ୟ ଥିଲା, ଏବଂ ଏହା ନୂତନ ଶକ୍ତି ଗୁଡ଼ିକରେ ପରିପୂର୍ଣ୍ଣ ଥିଲା, ଏହି ବିଷୟରେ ସେମାନେ ସେତେବେଳେ ସେମାନଙ୍କୁ ସାକ୍ଷ୍ୟ ଦେଇଥିଲେ।

ଖ୍ରୀଷ୍ଟିୟ ବିଶ୍ୱାସର ସତ୍ୟତା ନିମନ୍ତେ ଐତିହାସିକ ସଠିକତା  ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ପପୁନଉତ୍ଥାନ ଯୀଶୁଙ୍କ ଇଶ୍ୱରତ୍ଵ, ତାଙ୍କର ମୁକ୍ତି ପ୍ରଦାନକାରୀ  ମୃତ୍ୟୁର ପୂର୍ଣ୍ଣତା, ଆଉ ଅନନ୍ତ ଜୀବନର ଆଶା ବିଷୟ ପ୍ରମାଣ ସିଦ୍ଧ କରେ। ଯୀଶୁ ଙ୍କ ଠାରେ ବିଶ୍ଵାସ ରଖିବା ଅର୍ଥ ସତ୍ୟକୁ ବିଶ୍ଵାସ କରିବା। କାରଣ ଏହି ସତ୍ୟ ଐତିହାସିକ।

ନେତୃତ୍ଵ ଶିକ୍ଷା

 ନେତୃତ୍ଵ ଶିକ୍ଷା

ଯିହୋଶୂୟ ୧:୧-୯

…...ବାକ୍ୟରେ, ଆଚରଣରେ, ପ୍ରେମରେ, ବିଶ୍ଵାସରେ ଓ ପବିତ୍ରତାରେ ବିଶ୍ବାସୀମାନଙ୍କର ଆଦର୍ଶସ୍ୱରୂପ ହୁଅ। 

(୧ ତିମଥି ୪:୧୨)

ଆପଣ ଜଣେ ନେତା ଅଟନ୍ତି । ହଁ, ଆପଣ ! ଆପଣ ହୁଏତ ରାଷ୍ଟ୍ରପତି କିମ୍ବା ଗୋଟିଏ  ଅନୁଷ୍ଠାନର ପରିଚାଳକ ହୋଇ ନ ପାରନ୍ତି।  ମାତ୍ର ଅନ୍ୟମାନଙ୍କର ନେତୃତ୍ଵ ନେବା ପାଇଁ ଅପଣଙ୍କୁ ଆହ୍ୱାନ କରାଯିବ। 


       ଆପଣ ବିଦ୍ୟାଳୟରେ ଶିକ୍ଷା ଦେଉଛନ୍ତି କି ? ତେବେ ଆପଣ ଜଣେ ନେତା । ଆପଣ ଜଣେ ପିତା କିମ୍ବା ମାତା ଅଟନ୍ତି କି? ତେବେ ଆପଣ ଜଣେ ନେତା । ଚାକିରୀ କରନ୍ତି କି? ଆପଣ ଜଣେ ନେତା । ଆପଣଙ୍କ ବନ୍ଧୁମାନେ ଅଛନ୍ତି କି ? ତେବେ ଆପଣ ଜଣେ ନେତା । ଆପଣ ଯାହା ହୋଇଥାନ୍ତୁ, ଅନ୍ୟମାନେ ଆପଣଙ୍କୁ ଦେଖୁଛନ୍ତି ଓ ଆପଣଙ୍କ ଦୃଷ୍ଟାନ୍ତ ଦ୍ଵାରା ପ୍ରଭାବିତ ହେଉଛନ୍ତି । କେହି ଜଣେ କହିଛନ୍ତି, "ଜଣେ ଉତ୍ତମ ନେତା ସେ ଅଟନ୍ତି, ଯିଏ ପଥ ଜାଣନ୍ତି, ସେହି ପଥରେ ଯାଆନ୍ତି ଓ ସେହି ପଥ ଦେଖାନ୍ତି ।"

ଯିହୋଶୂୟ ସେହିପରି ଥିଲେ। ସେ ପଥ ଜାଣିଥିଲେ ଓ ସଦାପ୍ରଭୁଙ୍କର ଆଜ୍ଞାବହ ହୋଇ ସେହି ପଥରେ ଯାଇଥିଲେ ଓ ଦାସ- ନେତୃତ୍ଵ ଯୋଗାଇବା ଦ୍ଵାରା ସେ ପଥ ପ୍ରଦର୍ଶନ କରିଥିଲେ । 

ଯିହୋଶୂୟଙ୍କୁ ଈଶ୍ଵର ଯାହା କହିଥିଲେ, ତା' ପ୍ରତି ଦୃଷ୍ଟିପାତ କରନ୍ତୁ-

  • ବଳବାନ୍ ଓ ସାହସିକ ହୁଅ (୬ପଦ) ।

  • ଜୀବନ ଯାପନ ପାଇଁ ଈଶ୍ଵରଙ୍କ ସମସ୍ତ ବ୍ୟବସ୍ଥା ପାଳନ କର (୭ପଦ)

  • ଈଶ୍ୱର ଯାହା କହିଛନ୍ତି, ସେ ବିଷୟରେ ପ୍ରାୟ ଚିନ୍ତା କର (୮ପଦ)

  • ଈଶ୍ୱର ତୁମର ସହବର୍ତ୍ତୀ ବୋଲି ମନେରଖ (୯ପଦ)


     ଆମେ ନେତୃତ୍ୱର ଏହି ସମସ୍ତ ଶିକ୍ଷାକୁ ମନ ମଧ୍ୟରେ ରଖିବା ଆବଶ୍ୟକ, କାରଣ ଲୋକମାନେ ଆମର ଦୃଷ୍ଟାନ୍ତ ଅନୁସରଣ କରୁଛନ୍ତି।ଯଦି ଆମେ ସେଗୁଡିକୁ ଉତ୍ତମ ଭାବେ ଶିକ୍ଷା କରିବା, ତେବେ ଆମେ ସେହି ମାର୍ଗ ଜାଣିବା, ସେଥିରେ ଗମନ କରିବା ଓ ଅନ୍ୟମାନଙ୍କୁ ଦେଖାଇବା, ଯାହା ଈଶ୍ଵରଙ୍କୁ ସନ୍ତୁଷ୍ଟ କରେ - ପୁଣି ଆମେ ଉତ୍ତମ ନେତା ହୋଇପାରିବା ।