BN

ତୁମ୍ଭେମାନେ ବିଶ୍ୱାସରେ ଅଛ କି?

ତୁମ୍ଭେମାନେ ବିଶ୍ୱାସରେ ଅଛ କି?

ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ବାସୀ ପରିତ୍ରାଣଜନକ ସତ୍ୟ ବିଶ୍ୱାସ, ସକ୍ରିୟ ବିଶ୍ୱାସର ଅଧିକାରୀ ଅଟେ ନା ନାହିଁ, ଏହା ଜାଣିବା ନିମନ୍ତେ ନିଜ ଜୀବନ ଓ ହୃଦୟକୁ ପରୀକ୍ଷା କରିବା ଆବଶ୍ୟକ। "ତୁମ୍ଭେମାନେ ବିଶ୍ୱାସରେ ଅଛ କି ନାହିଁ, ସେ ବିଷୟରେ ଆପଣା ଆପଣାକୁ ପରୀକ୍ଷା କର, ଆପଣା ଆପଣାର ବିଚାର କର (୨ୟ କରିନ୍ଥୀୟ ୧୩:୫)"। ଶୟତାନ ସବୁଠାରୁ ବଡ଼ ପ୍ରତାରକ ଅଟେ; ସେ ଅନୁକରଣ କରିବା ଦ୍ୱାରା ପ୍ରତାରଣା କରିଥାଏ, ଯଦି ଶଠତାପୂର୍ଣ୍ଣ ନକଲି ବିଶ୍ୱାସକୁ ସତ୍ୟ ବିଶ୍ଵାସ ରୂପେ ଜଣେ ବ୍ୟକ୍ତିଙ୍କୁ ହୃଦୟଙ୍ଗମ କରାଇଦିଏ, ତେବେ ସେହି ବ୍ୟକ୍ତି ସମ୍ପୂର୍ଣ୍ଣ ରୂପେ ତାହାର ନିୟନ୍ତ୍ରଣରେ ରହେ । 

ଆମ୍ଭେମାନେ ନିଜ ନିଜ ହୃଦୟକୁ ଅନୁସନ୍ଧାନ କରିବା ସମୟରେ ନିଜକୁ କେତୋଟି ପ୍ରଶ୍ନ ପଚାରିପାରୁ: 

୧। ମୁଁ ଜଣେ ପାପୀ, ଏହା ପ୍ରକୃତରେ ମୁଁ ଅନୁଭବ କରିଛି କି? ଏହି ଅନୁଭବକୁ ମୁଁ ମୋ ନିଜ ନିକଟରେ ଓ ଈଶ୍ୱରଙ୍କ ନିକଟରେ ସ୍ବୀକାର କରିଛି କି? 

୨। ଆଗାମୀ କ୍ରୋଧରୁ ପଳାୟନ କରିବା ନିମନ୍ତେ ମୋ ହୃଦୟ ମୋତେ କେବେ ଆନ୍ଦୋଳିତ କରିଛି କି? ମୋ ପାପ ବିଷୟରେ ମୁଁ କେବେ ବିବେଚନା କରିଛି କି? 

୩। ମୋ ପାପଗୁଡ଼ିକ ନିମନ୍ତେ ମୁଁ କଣ ପ୍ରକୃତରେ ଅନୁତପ୍ତ? ମୁଁ କ'ଣ ସେଥିରୁ ସମ୍ପୂର୍ଣ୍ଣ ରୂପେ ମନ ଫେରଣ କରିଛି? କିମ୍ବା, ମୁଁ ଗୋପନରେ ପାପକୁ ପ୍ରେମ କରୁଛି ଓ ତାହାକୁ ଉପଭୋଗ କରିବାକୁ ଇଚ୍ଛା କରୁଛି? ମୁଁ କଣ ପାପକୁ ଘୃଣା ଓ ଈଶ୍ୱରଙ୍କୁ ପ୍ରେମ କରୁଛି? 

୪। ଖ୍ରୀଷ୍ଟ ଯେ ମୋ ପାପର ନିମନ୍ତେ ମୃତ୍ୟୁଭୋଗ କଲେ ଓ ପୁନରୁତ୍ଥିତ ହେଲେ, ଏହି ସୁସମାଚାରକୁ ମୁଁ ପ୍ରକୃତରେ ବୁଝିପାରିଛି କି? 

୫। ମୋର ପରିତ୍ରାଣ ନିମନ୍ତେ ମୁଁ କଣ କେବଳ ଖ୍ରୀଷ୍ଟଙ୍କଠାରେ ହିଁ ଭରସା କରିଛି? ତାହାଙ୍କର ବାକ୍ୟ ଓ ଆତ୍ମାଙ୍କ ମାଧ୍ୟମରେ ତାହାଙ୍କ ସହିତ ମୋହର ଅତ୍ୟନ୍ତ ସଜୀବ ସମ୍ପର୍କ ରହିଛି କି? 

୬। ମୋହର ଜୀବନରେ ଏକ ପରିବର୍ତ୍ତନ ଘଟିଛି କି? ମୁଁ କଣ ସର୍ବଦା ଉତ୍ତମ କର୍ଯ୍ୟମାନ କରିଥାଏ, ନା ତାହା କେବଳ ସାମୟିକ ଓ ଶକ୍ତିହୀନ ହୋଇଥାଏ ? ପ୍ରୁଭୁଙ୍କଠାରେ ବୃଦ୍ଧି ପ୍ରାପ୍ତ ହେବାକୁ ମୁଁ ଇଚ୍ଛା କରେ କି? ମୋହର ଜୀବନ ଯୀଶୁଙ୍କଠାରେ ସଂଲଗ୍ନ ଅଟେ, ଅନ୍ୟମାନେ ମୋ ବିଷୟରେ ଏହା କହି ପାରିବେ କି? 

୭। ଖ୍ରୀଷ୍ଟଙ୍କ ବିଷୟ ଅନ୍ୟମାନଙ୍କୁ ଜଣାଇବା ନିମନ୍ତେ ମୁଁ ଇଚ୍ଛା କରେ ନା ତାହାଙ୍କ ସମ୍ବନ୍ଧରେ ଲଜ୍ଜାବୋଧ କରେ? 

୮। ଈଶ୍ବରଙ୍କ ଲୋକମାନଙ୍କ ସହଭାଗିତା ମୋତେ ଭଲ ଲାଗେ କି? ଈଶ୍ବରଙ୍କ ଉପାସନା କରିବାରେ ମୁଁ ଆନନ୍ଦବୋଧ କରେ କି? 

୯। ପ୍ରଭୁଙ୍କ ପୁନରାଗମନ ନିମନ୍ତେ ମୁଁ ପ୍ରସ୍ତୁତ କି? କିମ୍ଵା ସେ ମୋ ନିମନ୍ତେ ଯେତେବେଳେ ଆସିବେ, ସେତେବେଳେ ମୁଁ ଲଜ୍ଜାବୋଧ କରିବି? 

ପ୍ରତ୍ୟେକ ଖ୍ରୀଷ୍ଟିଆନ ଏକ ପ୍ରକାର ଅନୁଭୂତି ପ୍ରାପ୍ତ ହୋଇ ନଥାନ୍ତି। ପ୍ରତ୍ୟେକଙ୍କ ପବିତ୍ରୀକୃତ ହେବାର ପରିଣାମ ମଧ୍ୟ ଭିନ୍ନ। ତେଣୁ ଉପୋରୋକ୍ତ ଆତ୍ମିକ ଅନୁସନ୍ଧାନ ମୂଳକ ପ୍ରଶ୍ନଗୁଡ଼ିକ ଦ୍ୱାରା ଜଣେ ବ୍ୟକ୍ତି ଈଶ୍ବରଙ୍କ ସମ୍ମୁଖରେ ନିଜର ପ୍ରକୃତ ଅବସ୍ଥିତି ସମ୍ବନ୍ଧରେ ନିଶ୍ଚିତ ଜ୍ଞାନ ପାଇପାରିବ। 

"ହେ ପରମେଶ୍ବର, ମୋହର ଅନୁସନ୍ଧାନ କର ଓ ମୋ ଅନ୍ତଃକରଣର ପରିଚୟ ନିଅ, ମୋତେ ପରୀକ୍ଷା କର ଓ ମୋହର ସଂକଳ୍ପ ସବୁ ଜ୍ଞାତ ହୁଅ; ଆଉ ମୋ ଅନ୍ତରରେ ଦୁଷ୍ଟତାର କୌଣସି ମାର୍ଗ ଅଛି କି ନାହିଁ, ଏହା ଦେଖ, ପୁଣି ଅନନ୍ତ ପଥରେ ମୋତେ ଗମନ କରାଅ" (ଗୀତ ୧୩୯: ୨୩-୨୪)

No comments:

Post a Comment

Kindly give your suggestions or appreciation!!!