BN

ସ୍ଥିର ବିଶ୍ଵାସ

 ସ୍ଥିର ବିଶ୍ଵାସ 

ଆଜିର ଚିନ୍ତା

୧ ଶାମୁୟେଲ ୨୬:୧-୨୫


ସବୁ ଅବସ୍ଥାରେ ସଦାପ୍ରଭୁଙ୍କ ଉପରେ ନିର୍ଭର ରଖିବାକୁ ମୁଁ ଚେଷ୍ଟା କରୁଛି କି ?


ଦାଉଦ ଭୟଭକ୍ତି ସହିତ ସଦାପ୍ରଭୁଙ୍କୁ ପ୍ରେମ କରୁଥିଲେ । ତାଙ୍କର ଇଚ୍ଛାମତ ଜୀବନଯାପନ କରି ତାଙ୍କର ମନର ମତ ହୋଇପାରିଥିଲେ । କ୍ଳେଶ ଓ ତାଡ଼ନାର ସମ୍ମୁଖୀନ ହେବା ସମୟରେ ସେ ମନୁଷ୍ୟ ଉପରେ ନିର୍ଭର ରଖିବା ଅପେକ୍ଷା ସଦାପ୍ରଭୁଙ୍କ ଶରଣାଗତ ହେବା ଉତ୍ତମ (ଗୀତ ୧୧୮:୮) ଜାଣି, କାର୍ଯ୍ୟ କରି ସଦାପ୍ରଭୁଙ୍କ ସୁରକ୍ଷାବଳୟ ମଧ୍ୟରେ ବାସ କରୁଥିଲେ । 


ମହାନ ବ୍ୟକ୍ତିତ୍ଵ :

ଶାଉଲ ସଦାପ୍ରଭୁଙ୍କ ଦ୍ଵାରା ଅଭିଷିକ୍ତ ରାଜା ଥିଲେ । ମାତ୍ର ସେ ସଦାପ୍ରଭୁଙ୍କ ଉପରେ ନିର୍ଭର ରଖିଲେ ନାହିଁ । ନିଜକୁ ଅସୁରକ୍ଷିତ ମନେ କଲେ । ସଦାପ୍ରଭୁଙ୍କ ଆଜ୍ଞା ଅମାନ୍ୟ କରି ଦାଉଦଙ୍କୁ ବଧ କରିବା ପାଇଁ ଷଡ଼ଯନ୍ତ୍ର କରିବାକୁ ଲାଗିଲେ। ଦାଉଦଙ୍କ ପଛେ ପଛେ ଗୋଡ଼ାଇଲେ । ବନଛାଗର ଶୈଳ ସବୁରେ ତାଙ୍କୁ ଖୋଜୁଥିବା ସମୟରେ, ଗୋଟିଏ ଗୁମ୍ଫା ଭିତରେ, ସଦାପ୍ରଭୁ ଶାଉଲଙ୍କୁ ଦାଉଦଙ୍କ ହସ୍ତରେ ସମର୍ପଣ କଲେ । ହେଲେ ଦାଉଦ ତାଙ୍କୁ ବଧ କରି ନ ଥିଲେ । ପୁନଃ ସିଫୀୟମାନଙ୍କ ଠାରୁ ସୂଚନା ପାଇଁ ସୀଫ୍ ପ୍ରାନ୍ତରରେ ଉପସ୍ଥିତ ହୋଇ ତିନି ସହସ୍ର ଯୋଦ୍ଧାଙ୍କ ସହିତ ହଖୀଲା ପର୍ବତରେ ଛାଉଣୀ ସ୍ଥାପନ କଲେ । ସେସମୟରେ ମଧ୍ୟ ସଦାପ୍ରଭୁ ଶାଉଲଙ୍କୁ ନିଦ୍ରାଗ୍ରସ୍ତ ଅବସ୍ଥାରେ ଦାଉଦଙ୍କ ହସ୍ତରେ ସମର୍ପି ଦେଲେ । ତଥାପି ଦାଉଦ, ସଦାପ୍ରଭୁଙ୍କର ଅଭିଷିକ୍ତଙ୍କ ପ୍ରତି ହସ୍ତ ଉଠାଇ ନ ଥିଲେ । ସେ ଜାଣିଥିଲେ, ସଦାପ୍ରଭୁ ତାଙ୍କୁ ସୁରକ୍ଷା ଦେବେ । ଶାଉଲଙ୍କ ପ୍ରତି ଉଦାର ମନୋଭାବ ପୋଷଣ କରି, ଦାଉଦ ନିଜର ମହାନତା ପ୍ରକାଶ କରିଥିଲେ ।


ମହାନ୍ ବିଶ୍ଵାସ :

ଦାଉଦ ଜାଣିଥିଲେ ଯେ ସଦାପ୍ରଭୁଙ୍କ ପ୍ରତିକୂଳରେ ହସ୍ତ ଉଠାଇବା ଏକ ଅକ୍ଷମଣୀୟ ଅପରାଧ । କେବଳ ସଦାପ୍ରଭୁ ହିଁ ତାଙ୍କର ମୃତ୍ୟୁ କିପରି ହେବ, ତାହା ସ୍ଥିର କରି ଥା' ନ୍ତି । ଅଭିଷିକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଯିଏ ଯାଏ, ସେ ଶାପଗ୍ରସ୍ତ ହୁଏ । ଆଉ ଯେକେହି ଅଭିଷିକ୍ତ ବ୍ୟକ୍ତିଙ୍କର ଜୀବନକୁ ବହୁମୂଲ୍ୟ ମନେ କରେ, ତାର ଜୀବନ ମଧ୍ୟ ସଦାପ୍ରଭୁଙ୍କ ଦୃଷ୍ଟିରେ ମୂଲ୍ୟବାନ ହୋଇଯାଏ । ସଦାପ୍ରଭୁ ପ୍ରତ୍ୟେକ ମନୁଷ୍ୟକୁ ତାହାର ଧାର୍ମିକତା ଓ ବିଶ୍ଵସ୍ତତା ପ୍ରମାଣେ ଫଳ ଦିଅନ୍ତି । ଏସମସ୍ତ ବିଷୟ ଜାଣି, ଦାଉଦ ପରମେଶ୍ୱରଙ୍କ ଅଧିକାରକୁ ନିଜ ହାତକୁ ନେଇ ନ ଥିଲେ । 


କଥା ଏବଂ କାର୍ଯ୍ୟ ଉଭୟରେ ଦାଉଦ ସଦାପ୍ରଭୁଙ୍କୁ ଗୌରବ ଦେଇ ଆଶୀର୍ବାଦ ପ୍ରାପ୍ତ ହେଲେ ଓ ଶାଉଲଙ୍କୁ ସଦାପ୍ରଭୁ ପରିତ୍ୟାଗ କଲେ ।

ସୁବିବେଚନାଯୁକ୍ତ ଜ୍ଞାନ

 ସୁବିବେଚାନାଯୁକ୍ତ ଜ୍ଞାନ

ଆଜିର ଚିନ୍ତା

୧ ଶାମୁୟେଲ ୨୫:୨୩-୪୪

ମୁଁ ଘଡ଼ିସନ୍ଧି ମୁହୂର୍ତ୍ତରେ ସୁବିବେଚାନାଯୁକ୍ତ ଜ୍ଞାନର ବ୍ୟବହାର କରେ କି ?


ଜ୍ଞାନ ଓ ସୁବିବେଚନା ପରସ୍ପର ପରିପୂରକ । ସୌନ୍ଦର୍ଯ୍ୟ ସହିତ ଅବୀଗଲଙ୍କୁ ସଦାପ୍ରଭୁ ଜ୍ଞାନ ଓ ସୁବିବେଚନା ପ୍ରଦାନ କରିଥିଲେ । ତେଣୁ ନିଜର ସ୍ବାମୀ ତଥା ପରିବାରର ମଙ୍ଗଳ କରିବା ପାଇଁ ଠିକ୍ ସମୟରେ ସେ ଉପଯୁକ୍ତ ପଦକ୍ଷେପ ନେଇ ପାରିଥିଲେ । 


ଶାନ୍ତି ସ୍ଥାପନକାରିଣୀ ଅବୀଗଲ :

ଦାଉଦଙ୍କ ଅନୁରୋଧକୁ ନାବଲ କିପରି ପ୍ରତ୍ୟାଖ୍ୟାନ କରି ଆପଣା ସହିତ ପରିବାରର ସମସ୍ତ ପୁରୁଷ ପିଲାଙ୍କର ବିନାଶର କାରଣ ହେବାକୁ ଯାଉଛନ୍ତି, ଏହା ଶୁଣିବାମାତ୍ରେ ଅବିଗଲ ପ୍ରଚୁର ଉତ୍ତମ ଦ୍ରବ୍ୟ ସହିତ ଦାଉଦଙ୍କୁ ଭେଟି ଭୂମିଷ୍ଠ ପ୍ରଣାମ ଜଣାଇଲେ । ଆପଣା ସ୍ବାମୀଙ୍କର ଅନ୍ୟାୟ କାର୍ଯ୍ୟର ଦୋଷ ନିଜ ଉପରକୁ ନେଇ ଅତି ବିନମ୍ର ଭାବରେ ଦାଉଦଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ । ଶାନ୍ତିକାରକ ହୋଇ ଧନ୍ୟ ବୋଲି ପ୍ରଶଂସିତା ହେଲେ ।


ସୁରକ୍ଷାଦାତ୍ରୀ ଆବୀଗଲ :

ସଦାପ୍ରଭୁ ବିଷୟକ ଭୟ ଅବୀଗଲଙ୍କ ଜୀବନରେ ଥିଲା । ତେଣୁ ସଦାପ୍ରଭୁ ଯେ ଦାଉଦଙ୍କ ସପକ୍ଷରେ ଅଛନ୍ତି ପୁଣି ତାଙ୍କୁ ଇସ୍ରାଏଲର ଅଗ୍ରଣୀ କରି ନିଯୁକ୍ତ କରିବେ, ଏହା ସେ ଜାଣିଥିଲେ । ଦ୍ଵିତୀୟରେ, ଦାଉଦଙ୍କୁ ସଦାପ୍ରଭୁଙ୍କ ଯୋଜନା ଓ ମଙ୍ଗଳଦାନସବୁକୁ ସ୍ମରଣ କରାଇ ଦେଇ ରକ୍ତପାତ ଦୋଷରୁ ଏବଂ ନିଜ ହସ୍ତରେ ଆତ୍ମ ପ୍ରତିକାର କରିବାରୁ ରକ୍ଷା କଲେ । ଅବୀଗଲ ନିଜ ପରିବାରକୁ ସୁରକ୍ଷା ଦେବା ସହିତ ଦାଉଦଙ୍କୁ ମଧ୍ୟ ପ୍ରତିଶୋଧ ନେବାରୁ କ୍ଷାନ୍ତ କରାଇ, ସଦାପ୍ରଭୁଙ୍କ କ୍ରୋଧରୁ ସୁରକ୍ଷା ଦେଲେ । 


ଅବୀଗଲଙ୍କର ଅନୁଯୋଗ ଦାଉଦ ଗ୍ରହଣ କରି ମହାନୁଭବତାର ପରିଚୟ ଦେଇଥିଲେ । ନାବଲ କିନ୍ତୁ ନିଜର ପତ୍ନୀଠାରୁ ସମସ୍ତ ଘଟଣା ଶୁଣିବା ପରେ କେବଳ ଦୁଃଖ ପ୍ରକାଶ କଲା । ପ୍ରତିକାର ସ୍ୱରୂପ ଅନ୍ୟ କୌଣସି ପଦକ୍ଷେପ ନେଲା ନାହିଁ । ଫଳରେ ଦାଉଦ ସୁରକ୍ଷିତ ହେଲେ । ନାବଲକୁ ସଦାପ୍ରଭୁ ଆଘାତ କଲେ । ଆମ୍ଭେମାନେ ମଧ୍ୟ ନିଜ ଅପରାଧରୁ ଫେରିଲେ, ବିନଷ୍ଟ ନ ହୋଇ ରକ୍ଷା ପାଇପାରିବା (ଯିହିଜିକଲ ୧୮:୨୮) ।

ଅସଂଜତ ଜିହ୍ୱା

 ଅସଂଜତ ଜିହ୍ୱା

ଆଜିର ଚିନ୍ତା

୧ ଶାମୁୟେଲ ୨୫:୧-୨୨


ମୁଁ କଟୁଭାଷା ବ୍ୟବହାର କରି ଅନ୍ୟର ଦୁଃଖର କାରଣ ହୋଇଅଛି କି ?


ଆମ୍ଭମାନଙ୍କ ଅଙ୍ଗସମୂହ ମଧ୍ୟରେ ଜିହ୍ୱା, ସମସ୍ତ ଅଧର୍ମର ମୂଳଧାର ସ୍ୱରୁପେ ଅବସ୍ଥିତ ଅଟେ (ଯାକୁବ ୩:୬) । ତାକୁ ଆମେ ନିୟନ୍ତ୍ରଣରେ ନ ରଖୁ, ତେବେ ତାହା ଆମର ଅନିଷ୍ଟ ସାଧନ କରେ । ମିଷ୍ଟଭାଷୀ ଜିହ୍ୱା ମଧୁଚାକ ସଦୃଶ୍ୟ ଅଟେ । ତାହା ଆମ୍ଭମାନଙ୍କୁ ଆଶୀର୍ବାଦର ଅଂଶୀ କରାଏ । 


ସଂଜତ ଜିହ୍ୱା :

ନାବଲ ଜଣେ କଟୁଭାଷୀ, କୁକର୍ମକାରୀ ସମ୍ଭ୍ରାନ୍ତ ବ୍ୟକ୍ତି  ଥିଲେ । ଦାଉଦ ପର୍ବତ ପ୍ରାନ୍ତରରେ ଲୁଚି ବୁଲୁଥିବା ସମୟରେ, ତାଙ୍କର ହିତାକାଂକ୍ଷୀମାନେ ସେମାନଙ୍କୁ ଖାଦ୍ୟ ପଦାର୍ଥ ଯୋଗାଇ ଦେଉଥିଲେ । ଲୋମଛେଦନ ଦିନ କରି ଏକ ଶୁଭ ଦିନରେ ଦାଉଦ ସମ୍ମାନ ଓ ସମଦର ସହିତ ୧୦ଜଣ ଯୁବାଙ୍କୁ ତାଙ୍କ ନିକଟକୁ ପଠାଇଲେ । ତାଙ୍କର  ମେଷପାଳକମାନଙ୍କ ପ୍ରତି କରିଥିବା ଉପକାର ସ୍ମରଣ କରାଇଥିଲେ । ନମସ୍କାର ସହିତ ଦୀର୍ଘ ଜୀବନର ଆଶୀର୍ବାଦ ଓ ମଙ୍ଗଳ କାମନା କରି କିଛି ଖାଦ୍ୟଦ୍ରବ୍ୟ ଦେବା ପାଇଁ  ଅନୁରୋଧ କରି କହି ପଠାଇଲେ, "ତୁମ୍ଭ ହସ୍ତରେ ଯାହା ଆସେ, ତାହା ତୁମ୍ଭେ ଆପଣା ଦାସମାନଙ୍କୁ ଓ ଆପଣା ପୁତ୍ର ଦାଉଦଙ୍କୁ ଦିଅ" । ଏଥିରୁ ଆମେ ଦାଉଦଙ୍କର କୋମଳ, ନିଷ୍ଠାଜନକ, ହିତକର ବାକ୍ୟକୁ ଉପଲବଧି କରୁଛୁ ।


ଅସଂଜତ ଜିହ୍ୱା : 

ନାବଲ ଧନ ଗର୍ବରେ ଅନ୍ଧ ହୋଇ, ଜିହ୍ୱାକୁ ବଶରେ ରଖି ନ ପାରି, ନିଜର ଅନିଷ୍ଟ ସାଧନ କରିଥିଲେ । ଦାଉଦଙ୍କ ଅନୁରୋଧର ଅପ୍ରୀତିକର ପ୍ରତ୍ୟୁତ୍ତର ଦାଉଦଙ୍କ ମନରେ ଗଭୀର ଆଘାତ ଦେଲା । ଫଳରେ ଦାଉଦ, ଆପଣାର ଚାରିଶହ ଲୋକଙ୍କ ସହିତ ଅସ୍ତ୍ରଶସ୍ତ୍ର ନେଇ ନାବଲର ବିପକ୍ଷରେ ଉଠିଲେ । କାହାରି ଉପକାର ବଦଳରେ ଅପକାର କଲେ, ଈଶ୍ୱରଙ୍କ କ୍ରୋଧର ପାତ୍ରପାତ୍ରୀ ହେବା । ଯେପରି ଏବ୍ରୀ ୧୩:୧୬ ପଦରେ ଲେଖାଯାଏ, ପରୋପକାର ଓ ଦାନ କରିବାକୁ ନ ପାସୋର; କାରଣ ଏପରି ବଳିରେ ଈଶ୍ୱରଙ୍କ ପରମ ସନ୍ତୋଷ । ଆମ୍ଭେମାନେ ଜାଗ୍ରତ ହେଉ, "ଯେପରି  ଆମ୍ଭମାନଙ୍କ ମୁଖରୁ କୌଣସି କୁବାକ୍ୟ ନିର୍ଗତ ନ ହେଉ, ବରଞ୍ଚ ଆବଶ୍ୟକାନୁସାରେ ନିଷ୍ଠାଜନକ ବାକ୍ୟ ନିର୍ଗତ ହେଉ, ଯେପରି ତାହା ଶ୍ରୋତାମାନଙ୍କ ଅନୁଗ୍ରହ ପକ୍ଷରେ ହିତଜନକ ହୁଏ" (ଏଫିସୀୟ ୪:୨୯) ।

କ୍ଷମା ଦେବାର ମନୋଭାବ

 କ୍ଷମା ଦେବାର ମନୋଭାବ

ଆଜିର ଚିନ୍ତା

୧ ମ ଶାମୁୟେଲ ୨୪:୧-୨୨

ମୁଁ ମୋ ' ଶତ୍ରୁକୁ କ୍ଷମା କରିପାରୁଛି କି?


ଶତ୍ରୁକୁ ପ୍ରେମ କର ବୋଲି କହିବା ସହଜ; କିନ୍ତୁ ବାସ୍ତବ ଜୀବନରେ ଏହା କରିବା କଷ୍ଟକର ହୋଇଥାଏ । ହୃଦୟର ସହିତ ଶତ୍ରୁକୁ କ୍ଷମା କରିପାରିଲେ ଯାଇ ଆମେ ତାକୁ ପ୍ରେମ କରିପାରିବା । ଯେପରି ଶାଉଲଙ୍କର ସମସ୍ତ ପ୍ରକାର ନିଷ୍ଠୁର ଓ ହୃଦୟହୀନ ବ୍ୟବହାର ସତ୍ତ୍ୱେ ଦାଉଦ ତାଙ୍କୁ କ୍ଷମା କଲେ ।


ଶତ୍ରୁ ପ୍ରତି ପ୍ରେମ : 

ଦାଉଦଙ୍କର ଅନ୍ଵେଷଣ କରୁ କରୁ ଶାଉଲ ଯେଉଁ ଗୁମ୍ଫାରେ ବିଶ୍ରାମ ନେଲେ, ଦାଉଦ ପୂର୍ବରୁ ତହିଁର  ଅନ୍ତଭାଗରେ ଥିଲେ । ସଦାପ୍ରଭୁ, ଶାଉଲଙ୍କୁ ଦାଉଦଙ୍କ ହସ୍ତରେ ଦେଲେ; କିନ୍ତୁ ସେ ତାଙ୍କ ପ୍ରତିକୂଳରେ ହସ୍ତ ଉଠାଇଲେ ନାହିଁ । ପ୍ରମାଣ ପାଇଁ କେବଳ ବସ୍ତ୍ର ଧଡି କାଟି ଦେଲେ । ସେଥିପାଇଁ ମଧ୍ୟ ସେ ଅନ୍ତରରେ ଖେଦିତ ହେଲେ । ପରବର୍ତ୍ତୀ ସମୟରେ ଶାଉଲଙ୍କୁ ପଛପଟୁ 'ହେ ମୋହର ପ୍ରଭୁ' ବୋଲି ସମ୍ବୋଧନ କରି ଡାକି ଭୂମିଷ୍ଠ ପ୍ରଣାମ କଲେ । ନମ୍ରତାର ସହିତ କହିଲେ, ଆପଣ ମୋତେ ଧରିବା ପାଇଁ ଅନ୍ଵେଷଣ କରୁଥିଲେ ହେଁ, ମୁଁ ଆପଣଙ୍କ ବିରୁଦ୍ଧରେ ପାପ କରିନାହିଁ  । ପିତା ବୋଲି ସମ୍ବୋଧନ କରି ସେ ଆପଣାକୁ ନିତାନ୍ତ ନତ କଲେ । ନିଜକୁ ମଲା କୁକୁରଠାରୁ ମଧ୍ୟ ଅଧିକ ତୁଚ୍ଛ ବୋଲି କହିଲେ  । ପୁଣି ସଦାପ୍ରଭୁ ବିଚାର କରନ୍ତୁ ଓ ଆପଣଙ୍କ ହସ୍ତରୁ ମୋତେ ରକ୍ଷା କରନ୍ତୁ ବୋଲି କହିଲେ । ଶତ୍ରୁକୁ କ୍ଷମା କରିବା ତଥା ପ୍ରେମ କରିବା ଆମର କର୍ତ୍ତବ୍ୟ; ଆଉ ପ୍ରତିଶୋଧ ନେବା ସଦାପ୍ରଭୁଙ୍କ ଅଧିକାର (ରୋମୀ ୧୨:୧୯) । 


ଶାଉଲଙ୍କର ହୃଦୟର ପରିବର୍ତ୍ତନ :

 ଶାଉଲ ହୃଦୟଙ୍ଗମ କଲେ ଯେ, ଦାଉଦ ତାଙ୍କୁ ପ୍ରକୃତରେ ପ୍ରେମ କରୁଛନ୍ତି । ସେଥିପାଇଁ ତାଙ୍କର ନିର୍ଦ୍ଦୟ ବ୍ୟବହାରକୁ ସହ୍ୟ କରୁଛନ୍ତି । ତାଙ୍କର କଠିନ ହୃଦୟ ତରଳି ଗଲା । ସେ ସ୍ଵୀକାର କଲେ ଯେ ଦାଉଦ ତାଙ୍କଠାରୁ ଅଧିକ ଧାର୍ମିକ । ମନ୍ଦ ପରିବର୍ତ୍ତେ ଉତ୍ତମ ବ୍ୟବହାର ପ୍ରଦର୍ଶନ କରି, ଶତ୍ରୁର ହୃଦୟକୁ ସେ ଜିଣିପାରିଲେ । ଧାର୍ମିକ ବ୍ୟକ୍ତି ହିଁ ଶତ୍ରୁକୁ କ୍ଷମା ଦେଇପାରେ ଓ ମଙ୍ଗଳ କାମନା କରିପାରେ ପୁଣି ସଦାପ୍ରଭୁ ତାଙ୍କୁ ସମସ୍ତ ସଙ୍କଟରୁ ଉଦ୍ଧାର କରନ୍ତି ।


ଆସନ୍ତୁ, ଆମ୍ଭେମାନେ ଈଶ୍ୱରଙ୍କ ବାକ୍ୟର ଅନୁଗାମୀ ହୋଇ ସବୁବେଳେ ସୁକ୍ରିୟାରେ କୁକ୍ରିୟାକୁ ପରାଜିତ କରି, ଶତ୍ରୁକୁ କ୍ଷମା ଦେଇ ନିଜର କରିବାର ପ୍ରୟାସ କରୁ ।

ପରମେଶ୍ବରଙ୍କ ଆଦେଶକୁ ଅପେକ୍ଷା

 ପରମେଶ୍ବରଙ୍କ ଆଦେଶକୁ ଅପେକ୍ଷା

ଆଜିର ଚିନ୍ତା 

୧ ଶାମୁୟେଲ ୨୨:୧-୨୩


ମୁଁ ପ୍ରତି କ୍ଷେତ୍ରରେ ଈଶ୍ୱରଙ୍କ ଆଦେଶକୁ ଅପେକ୍ଷା କରୁଛି କି ? 


ଦାଉଦ ପରମେଶ୍ବରଙ୍କ ଉପରେ ନିଜର ଚିନ୍ତାର ଭାର ସମର୍ପଣ କରିଥିଲେ । ରାଜା ଶାଉଲ କିନ୍ତୁ ଆପଣାର ଶକ୍ତି ଓ ସାମର୍ଥ୍ୟ ଉପରେ ନିର୍ଭର କରି ଆଗେଇ ଚାଲିଲେ । 


ଈଶ୍ୱରଙ୍କ ନିର୍ଦ୍ଦେଶର ଅପେକ୍ଷା :

ଶାଉଲଙ୍କ କୋପରୁ ରକ୍ଷା ପାଇବା ପାଇଁ ଦାଉଦ ପଳାୟନ କଲେ । ବଣ, ଜଙ୍ଗଲ, ପାହାଡ଼, ପର୍ବତ ଗୁମ୍ଫାରେ ଯାଇ ଲୁଚିଲେ । ଧୈର୍ଯ୍ୟର ସହିତ ପରମେଶ୍ୱରଙ୍କ ଇଚ୍ଛା ଜାଣିବାକୁ ଅପେକ୍ଷା କଲେ । ଅଦୁଲ୍ଲମ୍ ଗୁମ୍ଫାରେ ଆତ୍ମଗୋପନ କଲେ । ଏହି ଖବର ପାଇ ତାଙ୍କ ପରିବାରର ସମସ୍ତେ ତାଙ୍କ ନିକଟରେ ପହଞ୍ଚିଲେ । ଶାଉଲ ରାଜାଙ୍କ ଦ୍ଵାରା ତାଡ଼ିତ, ଋଣଗ୍ରସ୍ତ, ତିକ୍ତ ମନା ପ୍ରାୟ ଚାରିଶହ ଲୋକ ଆସି ଦାଉଦଙ୍କ ସହିତ ମିଳିତ ହେଲେ । ଦାଉଦଙ୍କର ଅନୁରୋଧକ୍ରମେ ମୋୟାବର ରାଜା ଦାଉଦଙ୍କ ପିତାମାତା ଓ ପରିବାରର ନିରାପତ୍ତା ତଥା ରକ୍ଷଣାବେକ୍ଷଣର ଭାର ବହନ କଲେ । ପରମେଶ୍ବର ଗାଦ୍ ଭବିଷ୍ୟତବକ୍ତାଙ୍କ ମାଧ୍ୟମରେ ଦାଉଦଙ୍କୁ, ଯିହୁଦା ଦେଶକୁ ଯାଇ ଜନସାଧରଣଙ୍କ ନିକଟରେ ଆତ୍ମପ୍ରକାଶ କରିବା ପାଇଁ କହିଲେ । ସଦାପ୍ରଭୁ ଯେ ତାଙ୍କର ସହବର୍ତ୍ତୀ ଏହା ଜାଣି ସେ ଆଉ ନିଜକୁ ଅସୁରକ୍ଷିତ ମନେ କଲେ ନାହିଁ । 


ଆତ୍ମ ନିର୍ଭରଶୀଳତା : 

ରାଜା ଶାଉଲ, ଦାଉଦ ଓ ତାଙ୍କର ସଙ୍ଗୀମାନଙ୍କ ବିଷୟରେ ସନ୍ଧାନ ପାଇଲେ ନାହିଁ । ଏହାପରେ ତାଙ୍କର ଦାସ ଦୋୟେଗ୍ ଠାରୁ ଶୁଣିଲେ ଯେ, ଯାଜକ ଅହୀମେଲକ ତାଙ୍କୁ ଖାଦ୍ୟ ଏବଂ ଗଲୀୟାତ ଖଡ୍ଗ ଦେଇଛନ୍ତି । ଏଥିରେ ଖୁବ୍ ରାଗିଯାଇ, ତାଙ୍କ ବଂଶର ୮୫ ଜଣ ଯାଜକ ଓ ନୋବ ନଗରର ସମସ୍ତ ପୁରୁଷ, ସ୍ତ୍ରୀ, ନିରୀହ ଶିଶୁ, ଗୃହପାଳିତ ପଶୁ ସମସ୍ତଙ୍କୁ ନିର୍ଦ୍ଦୟ ଭାବରେ ହତ୍ୟା କଲେ । ଅହୀମେଲକ ଯାଜକଙ୍କର, ଅବିୟାଥର ନାମକ ଗୋଟିଏ ପୁତ୍ର ଖସି ପଳାଇ ଆସି, ଦାଉଦଙ୍କ ନିକଟରେ ଆଶ୍ରୟ ନେଲା । 


ପରଶ୍ରୀକାତରତା ଶାଉଲଙ୍କୁ, ଈଶ୍ଵରଙ୍କ ଇଚ୍ଛା ବିରୁଦ୍ଧରେ ରକ୍ତପାତ କରିବାକୁ ପ୍ରବର୍ତ୍ତାଇ ଥିଲା । ଅପରପକ୍ଷରେ ଦାଉଦଙ୍କର ନମ୍ରତା, ସହୁଷ୍ଣୁତା, ଧୈର୍ଯ୍ୟ ଓ ପରମେଶ୍ବରଙ୍କ ଇଚ୍ଛା ଉପରେ ନିର୍ଭରଶୀଳତା ତାଙ୍କୁ ସୁରକ୍ଷା ପ୍ରଦାନ କରିଥିଲା ।