BN

ସଠିକ୍ ସିଦ୍ଧାନ୍ତ

 ସଠିକ୍ ସିଦ୍ଧାନ୍ତ

ଆଜିର ଚିନ୍ତା

୧ମ ଶାମୁୟେଲ ୨୧: ୧-୧୫


ମୁଁ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଉଚିତ୍ ସିଦ୍ଧାନ୍ତ ନେଇପାରିଥାଏ  କି?


ଜୀବନ ଯାତ୍ରା ପଥରେ ଅଗ୍ରସର ହେଉ ହେଉ ଆମେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାଉ । ସେତେବେଳେ ବିଚଳିତ ହୋଇ ଆପଣା ସୁବିବେଚନା ଉପରେ ଆଉଜି ପଡୁ, ପୁଣି ଭୁଲ୍ ସିଦ୍ଧାନ୍ତ ମଧ୍ୟ ନେଇଥାଉ । ଦାଉଦ କିନ୍ତୁ ଜୀବନର ପ୍ରତିକୂଳ ପରିସ୍ଥିତିରେ କିପରି ସଠିକ୍ ସିଦ୍ଧାନ୍ତ ସବୁ ନେଇପାରିଛନ୍ତି, ତାହା ଆମ ସମସ୍ତଙ୍କ ପାଇଁ ଅନୁକରଣୀୟ ଅଟେ । 


ଯୁକ୍ତିଯୁକ୍ତ ସିଦ୍ଧାନ୍ତ (୧) : 

ସଦାପ୍ରଭୁ ଦାଉଦଙ୍କର ସହିତରେ ଥିଲେ । ସମଗ୍ର ଇସ୍ରାଏଲ ଓ ଯିହୁଦା ତାଙ୍କୁ ପ୍ରେମ କରୁଥିଲେ । ସେ ବୁଦ୍ଧିମତ୍ତାର ସହିତ ସମସ୍ତ କାର୍ଯ୍ୟ କରିପାରୁଥିଲେ । ସେ ଚାହିଁଥିଲେ  ଶାଉଲଙ୍କ ବିରୁଦ୍ଧରେ  ଯୁଦ୍ଧ ଘୋଷଣା କରି ରାଜସିଂହାସନର ଅଧିକାରୀ ହୋଇପାରିଥା'ନ୍ତେ  । ମାତ୍ର ସଦାପ୍ରଭୁଙ୍କ ଦ୍ଵାରା ଅଭିଷିକ୍ତ ରାଜାଙ୍କୁ ବଧ ନ କରିବାକୁ ସେ ସ୍ଥିର କଲେ । ତାଙ୍କ ହୃଦୟରେ ରାଜସିଂହାସନର ଲୋଭ ନ ଥିଲା । ନିଜ ବନ୍ଧୁଙ୍କର ପିତା, ନିଜ ସ୍ତ୍ରୀଙ୍କର ପିତା ବିରୁଦ୍ଧରେ ଯିବା ପାଇଁ ସେ ଚାହିଁ ନ ଥିଲେ । ନିଜେ କଷ୍ଟ ସ୍ଵୀକାର କରି, ଅନ୍ୟତ୍ର ପଳାୟନ କରିବା ଶେୟସ୍କର ବୋଲି ସିଦ୍ଧାନ୍ତ ନେଲେ । ଏହା ଦାଉଦଙ୍କର ନମ୍ରତା ଓ ମହନୀୟତାକୁ ପ୍ରମାଣିତ କରେ । ଶାନ୍ତି ସ୍ଥାପନ ପାଇଁ ଏହା ଥିଲା ତାଙ୍କର ଯୁକ୍ତିଯୁକ୍ତ ସିଦ୍ଧାନ୍ତ ।


ସିଦ୍ଧାନ୍ତ (୨) : 

ଦାଉଦଙ୍କ ହୃଦୟରେ ଅନ୍ୟମାନଙ୍କ ପାଇଁ ପ୍ରେମ ଥିଲା । ତାଙ୍କ ସହିତ ଥିବା ଅନ୍ୟ ଯୁବାମାନଙ୍କ ପାଇଁ ସେ ଖାଦ୍ୟ ଖୋଜିବାକୁ ଗଲେ । ଅହୀମେଲକ ଯାଜକଙ୍କଠାରୁ ଦର୍ଶନୀୟ ରୋଟି ମାଗି ଆଣି ସେମାନଙ୍କୁ ଖୁଆଇଲେ ।  ସଦାପ୍ରଭୁ ତାଙ୍କ ସହିତ ଥିବାରୁ,ଏହା ସେ ପ୍ରାପ୍ତ ହୋଇପାରିଥିଲେ । ପୁଣି ତାଙ୍କର ସଙ୍ଗୀମାନଙ୍କର ପ୍ରାଣ ରକ୍ଷା ହୋଇପାରିଥିଲା ।


ସିଦ୍ଧାନ୍ତ (୩) :

 ଦାଉଦ ଆତ୍ମଗୋପନ କରି ପଲେଷ୍ଟୀୟମାନଙ୍କ ନଗର ଗାଥରେ ପହଞ୍ଚିଲେ । ଆଖୀଶଙ୍କର ଦାସମାନେ ତାଙ୍କୁ ଚିହ୍ନିପାରି ତାଙ୍କର ବିଷୟରେ ରାଜାଙ୍କ ସମ୍ମୁଖରେ ବ୍ୟାଖ୍ୟା କଲେ।  ଦାଉଦ ନିଜକୁ ଗୋପନ ରଖିବା ପାଇଁ ଚତୁରତାର ସହିତ ପାଗଳର ଅଭିନୟ କରି ସେଠାରୁ ଖସି ଆସିଲେ ।


ସଦାପ୍ରଭୁ ଯାହାର ଆଶ୍ରୟ ଓ ବଳ ସେ କେବେହେଁ ବିଚଳିତ ହେବ ନାହିଁ । ଯେତେ ପ୍ରତିକୂଳ ପରିସ୍ଥିତିହେଉନା କାହିଁକି, ପ୍ରଭୁଙ୍କ ଉପରେ ନିର୍ଭର ରଖି ସଠିକ୍ ସିଦ୍ଧାନ୍ତ ନେବାକୁ ଆମେ ଯତ୍ନବାନ୍ ହେଉ ।

ନିଃସ୍ୱାର୍ଥପର ବନ୍ଧୁ

 ନିଃସ୍ୱାର୍ଥପର ବନ୍ଧୁ

ଆଜିର ଚିନ୍ତା

୧ ଶାମୁୟେଲ ୨୦:୨୪-୪୨

ମୁଁ ସ୍ୱାର୍ଥ ଚିନ୍ତା ନ କରି, ସତ୍ୟର ସପକ୍ଷରେ ଠିଆ ହୁଏ କି ? 


ରାଜା ଶାଉଲଙ୍କର ସ୍ୱାର୍ଥପର ମନୋଭାବ ନିକଟରେ ଯୋନାଥନଙ୍କର ନିଃସ୍ୱାର୍ଥପର ବନ୍ଧୁତା ବିଜୟ ଲାଭ କରିଥିଲା ।

ସତ୍ୟର ସପକ୍ଷବାଦୀ ଯୋନାଥାନ :

ଦାଉଦ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ଥିଲେ । ଶାଉଲଙ୍କ ବିରୁଦ୍ଧରେ କୌଣସି ପାପ କରି ନ ଥିଲେ । ସଦାପ୍ରଭୁ ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଦାଉଦଙ୍କୁ ଛିଡ଼ା କରାଇ ଇସ୍ରାଏଲ ନିମନ୍ତେ ମହାଉଦ୍ଧାର ସାଧନର ବ୍ୟବସ୍ଥା କରିସାରିଥିଲେ । ଏହା ଯୋନାଥାନ ସ୍ପଷ୍ଟଭାବେ ଜାଣିସାରିଥିଲେ । ସେଥିପାଇଁ ତାଙ୍କର ପ୍ରାଣ ଦାଉଦଙ୍କ ପ୍ରାଣରେ ସଂଲଗ୍ନ ହୋଇସାରିଥିଲା । ଶାଉଲ ସିଂହାସନ ହରାଇବା ସହିତ, ତାଙ୍କର ଉତ୍ତରାଧିକାରୀମାନେ ମଧ୍ୟ ତାହା ଭୋଗ କରିପାରିବେ ନାହିଁ, ଏହି ବିଷୟ ତାଙ୍କୁ ହିତାହିତ ଜ୍ଞାନଶୂନ୍ୟ କରି ଦେଇଥିଲା । ସଦାପ୍ରଭୁ ଦାଉଦଙ୍କୁ ମନୋନୀତ କରିସାରିଛନ୍ତି । ଏହା ଅନ୍ୟଥା ମଧ୍ୟ ହୋଇପାରିବ ନାହିଁ । ଶାଉଲ ରାଜସିଂହାସନର ଲୋଭରେ ଅନ୍ଧ ହୋଇସାରିଥିଲେ । ଯୋନାଥନ ଯେ ଦାଉଦଙ୍କ ସପକ୍ଷବାଦୀ ତାହା ମଧ୍ୟ ଜାଣିସାରିଥିଲେ । ଯୋନାଥନଙ୍କ ମନରେ ରାଜସିଂହାସନ ହରାଇବାର ଭୟ ଦେଖାଇ ଦାଉଦଙ୍କୁ ତାଙ୍କ ନିକଟକୁ ଆଣିବା ପାଇଁ ଶାଉଲ ପ୍ରବର୍ତ୍ତାଇଲେ । ନିଃସ୍ୱାର୍ଥପର ଯୋନାଥନ ସତ୍ୟ ଓ ନ୍ୟାୟର ସପକ୍ଷରେ ଠିଆ ହେବାକୁ ଭୟ କଲେ ନାହିଁ । ବନ୍ଧୁଙ୍କୁ ଦେଇଥିବା ପ୍ରତିଜ୍ଞାନୁସାରେ, ଦାଉଦଙ୍କୁ ଲୁଚି ପଳାଇବାରେ ସାହାଯ୍ୟ କଲେ । ନିଜ ଜୀବନକୁ ପ୍ରିୟଜ୍ଞାନ ନ କରି ଦାଉଦଙ୍କ ସପକ୍ଷରେ ଆପଣା ପିତା ଶାଉଲଙ୍କ ନିକଟରେ ମନ୍ତବ୍ୟ ରଖିଥିଲେ । 


ବିଦାୟକାଳୀନ ଦୃଶ୍ୟ :

ଶେଷରେ ଯୋନାଥନ ଓ ଦାଉଦ ପରସ୍ପରଠାରୁ ବିଦାୟ ନେଲେ । ସେହି ଦୃଶ୍ୟ ଅତ୍ୟନ୍ତ ହୃଦୟସ୍ପର୍ଶୀ ତଥା ମର୍ମାନ୍ତିକ ଥିଲା । ଏହିପରି ଜଣେ ପ୍ରେମିକ ନିଃସ୍ୱାର୍ଥପର ବନ୍ଧୁଙ୍କ ଆଗରେ ଦାଉଦଙ୍କର ମଥା ନମ୍ରତାର ସହିତ ନତ ହେଲା । ସେ ତିନିଥର ଆପଣା ବନ୍ଧୁଙ୍କୁ ଭୂମିଷ୍ଟ ପ୍ରଣାମ କଲେ । ସେମାନେ ପରସ୍ପରକୁ ଚୁମ୍ବନ କରି ରୋଦନ କଲେ । ଦାଉଦଙ୍କ ଚକ୍ଷୁରୁ କୃତଜ୍ଞତାର ଅଶ୍ରୁ ଝରିପଡ଼ିଲା । ଅତି ସୁନ୍ଦର ଭାବରେ ସେଥିପାଇଁ ଲେଖାଯାଏ, "ମାତ୍ର ଦାଉଦ ବଳି ପଡ଼ିଲେ" । ସେମାନେ ସଦାପ୍ରଭୁଙ୍କୁ ନିଜର ମଧ୍ୟବର୍ତ୍ତୀ ବୋଲି ସ୍ଵୀକାର କରିଥିଲେ । 


ସେହିପରି ଆମର ପରମ ବନ୍ଧୁ ଯେ ଖ୍ରୀଷ୍ଟ, ପିତାଙ୍କ ଦକ୍ଷିଣ ପାର୍ଶ୍ୱରେ ବସି ନିତ୍ୟ ଆମ୍ଭମାନଙ୍କୁ ପିତାଙ୍କ ସହିତ ମିଳିତ କରିବା ପାଇଁ ନିବେଦନ ପ୍ରାର୍ଥନା କରିଆସୁଛନ୍ତି । ଆମେ ତାଙ୍କ ପାଖରେ କୃତଜ୍ଞ କି ? 

ଘନିଷ୍ଟ ବନ୍ଧୁ

 ଘନିଷ୍ଟ ବନ୍ଧୁ

ଆଜିର ଚିନ୍ତା

୧ ମ ଶାମୁୟେଲ ୨୦:୧-୨୩


ଅନ୍ୟମାନଙ୍କ ସହିତ ମୋର ବନ୍ଧୁତା ଜାଗତିକ ସ୍ୱାର୍ଥ ଉପରେ ଆଧାରିତ କି? 


ପ୍ରକୃତ ବନ୍ଧୁତା, ପ୍ରେମର ନିବିଡତା ଓ ସରଳ ବିଶ୍ଵାସ ଉପରେ ଆଧାରିତ । ଦାଉଦ ଓ ଯୋନାଥନଙ୍କ ମଧ୍ୟରେ ସେହିପରି ବନ୍ଧୁତା ଥିଲା  । ବର୍ତ୍ତମାନ ଜଗତରେ ଖ୍ରୀଷ୍ଟଙ୍କ ବିନା ସେପରି ବନ୍ଧୁ ଆଉ କେହି ନାହାଁନ୍ତି । ବିପଦ ସମୟରେ ଆମର ଅସହାୟତାର ହାତ କେବଳ ଆମର ପରମବନ୍ଧୁ ଖ୍ରୀଷ୍ଟ ହିଁ ଧରିଥା' ନ୍ତି । 


ଉତ୍ତମ ବନ୍ଧୁର ପରିଚୟ : 

ଦାଉଦ ଈଶ୍ଵରଙ୍କ ମନର ମତ ବ୍ୟକ୍ତି ଥିଲେ । ସଦାପ୍ରଭୁଙ୍କ ଉପରେ ତାଙ୍କର ନିର୍ଭର ଥିଲା ।  ଈଶ୍ଵର ଜଗତ କ୍ଷେତ୍ରରେ ତାଙ୍କୁ ଜଣେ ଉପଯୁକ୍ତ ବନ୍ଧୁ ଭାବରେ ଯୋନାଥନଙ୍କୁ ଯୋଗାଇଥିଲେ । ପଠିତ ଶାସ୍ତ୍ରାଂଶରେ ଆମେ ଯୋନାଥନଙ୍କ ଉପରେ ଦାଉଦଙ୍କର ବିଶ୍ଵାସ, ଭରସା ଓ ପ୍ରେମ ଦେଖିବାକୁ ପାଉଛୁ । ଦାଉଦ ସେଥିପାଇଁ ନିର୍ଭୟରେ ଶାଉଲଙ୍କର ଷଡ଼ଯନ୍ତ୍ର ସମ୍ପର୍କରେ ତାଙ୍କୁ ଜଣାଇବାକୁ ଭୟ କଲେ ନାହିଁ । ସେ ଯୋନାଥନଙ୍କ ଦୃଷ୍ଟିରେ ଅନୁଗ୍ରହ ପ୍ରାପ୍ତ ହେଲେ । ଆଉ ଯୋନାଥନ ତାଙ୍କୁ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ଦେଇ କହିଥିଲେ ଯେ, "ତୁମ୍ଭ ପ୍ରାଣ ଯାହା ବାଞ୍ଛା କରେ, ତାହା ମୁଁ ତୁମ୍ଭ ପାଇଁ କରିବି" । ଆମର ଛୋଟ ବଡ ସମସ୍ୟାସବୁକୁ ନେଇ, ଆମେ ଯେତେବେଳେ ଆମର ପରମବନ୍ଧୁ ଖ୍ରୀଷ୍ଟଙ୍କ ନିକଟକୁ ଯାଉ, ତାଙ୍କ ସହିତ କଥାବାର୍ତ୍ତା କରୁ, ସେ ସମସ୍ୟାର ସମାଧାନରେ ସହାୟକ ହୁଅନ୍ତି ।


ଉତ୍ତମ ବନ୍ଧୁର ମନୋଭାବ : 

ପ୍ରକୃତ ବନ୍ଧୁତା ଉପକାର କରିବାରେ ଓ ମଙ୍ଗଳସାଧନ କରିବାରେ ନିହିତ ଥାଏ । ଯୋନାଥନ ରାଜପୁତ୍ର ହେଲେ ମଧ୍ୟ ନିଃସ୍ଵାର୍ଥପର ଭାବରେ ନିଜ ବନ୍ଧୁର ମଙ୍ଗଳ ସାଧନ କରିବା ପାଇଁ ପ୍ରତିଜ୍ଞାବଦ୍ଧ ହେଲେ । ସଦାପ୍ରଭୁ ଯେପରି ତାଙ୍କର ପିତାଙ୍କର ସଙ୍ଗୀ ହୋଇଅଛନ୍ତି, ସେପରି ଦାଉଦଙ୍କର ସହବର୍ତ୍ତୀ ହେଉନ୍ତୁ ବୋଲି ମଙ୍ଗଳ କାମନା କଲେ । ଦାଉଦଙ୍କୁ ସେ ଆପଣା ପ୍ରାଣ ସମାନ ପ୍ରେମ କରୁଥିଲେ । ସେଥିପାଇଁ ଯଦି ସେ ତାଙ୍କ ପିତାଙ୍କର ଇଚ୍ଛା ନ ଜଣାଇବେ, ତେବେ ସେ ସଦାପ୍ରଭୁଙ୍କ ଦ୍ଵାରା ଦଣ୍ଡିତ ହେବେ ବୋଲି ଶପଥ କଲେ । ଦାଉଦଙ୍କ ନିକଟରେ ଯୋନାଥନ ମଧ୍ୟ ଆପଣାର ବିନତି ଜଣାଇଲେ ।


ସଦାପ୍ରଭୁ ପରମେଶ୍ୱର ମଧ୍ୟ ଆମ୍ଭମାନଙ୍କୁ ଆପଣାର ବନ୍ଧୁ ରୂପେ ଗ୍ରହଣ କରିଛନ୍ତି । ଆମ୍ଭମାନଙ୍କ ସହିତ ଆପଣା ପ୍ରତିଜ୍ଞା ରକ୍ଷା କରିବାରେ ସେ ସଦାବିଶ୍ଵସ୍ତ ଅଟନ୍ତି । ସେ ଆମ୍ଭମାନଙ୍କର ମୁକ୍ତିର ମୂଲ୍ୟ ସ୍ବରୂପ ହୋଇଅଛନ୍ତି ପୁଣି ଆମ୍ଭମାନଙ୍କର ନିରାପତ୍ତାର ଭାର ବହନ କରିଛନ୍ତି ।

ସଦାପ୍ରଭୁ ରକ୍ଷକ

 ସଦାପ୍ରଭୁ ରକ୍ଷକ

ଆଜିର ଚିନ୍ତା

୧ ଶାମୁୟେଲ ୧୯:୧-୨୪

ମୁଁ କ'ଣ ସଦାପ୍ରଭୁଙ୍କ ସୁରକ୍ଷା ଉପରେ ନିର୍ଭର ରଖେ ?


ଆଜିର ଶସ୍ତ୍ରାଂଶରେ ପ୍ରଭୁ ଯେ ଆମକୁ ସମସ୍ତ ଗତିରେ ସୁରକ୍ଷା ଦେବାକୁ ସମର୍ଥ ତାହା ଦାଉଦଙ୍କ ଜୀବନ ମାଧ୍ୟମରେ ପ୍ରକାଶ କରିଛନ୍ତି ।


ଘନିଷ୍ଟ ବନ୍ଧୁର ଆଚରଣ :

ଯୋନାଥନ ଦାଉଦଙ୍କ ଅତି ଅନ୍ତରଙ୍ଗ ବନ୍ଧୁ ଥିଲେ । ପ୍ରତିଟି ପ୍ରତିକୂଳ ପରିସ୍ଥିତିରେ ସେ ଦାଉଦଙ୍କୁ ସାହାଯ୍ୟ ଓ ସହଯୋଗର ହାତ ବଡ଼ାଇଥିଲେ ଏବଂ ଏଥିପାଇଁ ସେ ପ୍ରତିଜ୍ଞାବଦ୍ଧ ଥିଲେ । ଈଶ୍ଵର ହେଉଛନ୍ତି ଆମର ଉତ୍ତମ ବନ୍ଧୁ । ସେ ଅବ୍ରାହମ୍ ଙ୍କ ବନ୍ଧୁ ଥିଲେ । ଗୀତ ରଚକ କହନ୍ତି "ଯେ ତୁମକୁ ରକ୍ଷା କରନ୍ତି, ସେ ଘୁମାଇବେ ନାହିଁ….. କି ନିଦ୍ରା ଯିବେ ନାହିଁ"ଯୀଶୁ ଆମର ଘନିଷ୍ଟ ବନ୍ଧୁ, କାରଣ ସେ ଆମକୁ ପ୍ରେମ କରି ଆମ ପାଇଁ ନିଜର ପ୍ରାଣଦାନ କରି ବନ୍ଧୁର ପରିଚୟ ଦେଇଛନ୍ତି (ଯୋହନ ୧୫:୧୩-୧୪) । ମୁଁ ଯୀଶୁଙ୍କୁ ନିଜର ଘନିଷ୍ଟ ବନ୍ଧୁ ହିସାବରେ ମୋ ହୃଦୟରେ ଗ୍ରହଣ କରିପାରିଛି କି ?


ଜ୍ଞାନବତୀ ସ୍ତ୍ରୀର ଅବଦାନ : 

ଦାଉଦଙ୍କୁ ଶାଉଲଙ୍କ ହାତର ରକ୍ଷା କରିବା ଲାଗି ସର୍ବଦର୍ଶୀ ପରମେଶ୍ୱର ମିଖଲଙ୍କୁ ତାଙ୍କ ସ୍ତ୍ରୀ ଭାବେ ଯୋଗାଇଥିଲେ । ବାକ୍ୟରେ ଲେଖାଯାଏ "ଜ୍ଞାନବତୀ ସ୍ତ୍ରୀ ଆପଣା ଗୃହ ଗୁନ୍ଥାଇ" (ହିତ ୧୪:୧) । ଆହୁରି ମଧ୍ୟ ଲେଖାଯାଏ "ଯେଉଁ ଲୋକ ଭାର୍ଯ୍ୟା ପାଏ….ସଦାପ୍ରଭୁଙ୍କଠାରୁ ଅନୁଗ୍ରହ ପାଏ" (ହିତ ୧୮:୨୨) । ନିଜ ପାଇଁ ବିପଦ ଥିଲେ ମଧ୍ୟ ତାହାକୁ ଭ୍ରୁକ୍ଷେପ ନ କରି ମୀଖଲ ନିଜର ଉପସ୍ଥିତି ବୁଦ୍ଧି ପ୍ରୟୋଗ କରି ଶାଉଲଙ୍କ ଠାରୁ ଦାଉଦଙ୍କ ଜୀବନକୁ ରକ୍ଷା କରିଥିଲେ । ହେଲେ ଆଜିର ଜଗତ ସେପରି ସ୍ତ୍ରୀ ମାନଙ୍କୁ ଚାହିଁ ନ ଥାଏ । କେବଳ ଉଚ୍ଚ ଶିକ୍ଷା, ରୂପ ସୌନ୍ଦର୍ଯ୍ୟ, ପରିବାର ମର୍ଯ୍ୟାଦା ଆଦିକୁ ଅଧିକ ପ୍ରାଧାନ୍ୟ ଦିଆଯାଏ । ୧ ପିତର ୩:୩-୪ ରେ ଲେଖାଯାଏ ହୃଦୟର ଯେଉଁ କୋମଳ ଓ ଶାନ୍ତିଯୁକ୍ତ ଗୁପ୍ତ ସ୍ଵଭାବ ଈଶ୍ୱରଙ୍କ ଦୃଷ୍ଟିରେ ବହୁମୂଲ୍ୟ ତାହା ହିଁ ସ୍ତ୍ରୀ ମାନଙ୍କ ଅକ୍ଷୟ ଭୂଷଣ ହେଉ । ଆମେ ଯଦି ସୁରକ୍ଷା ପାଇବାକୁ ଚାହୁ, ତେବେ ସଦାପ୍ରଭୁଙ୍କ ଡେଣା ତଳେ ଆଶ୍ରୟ ନେବା । ଗୀତ ୩୨:୭ ରେ ଲେଖାଯାଏ ତୁମ୍ଭେ ସଙ୍କଟରୁ ମତେ ରକ୍ଷା କରିବ …. ।

ବିଜୟୀର ପୁରସ୍କାର

 ବିଜୟୀର ପୁରସ୍କାର

ଆଜିର ଚିନ୍ତା

୧ ଶାମୁୟେଲ ୧୮:୧-୧୬

ମୁଁ ଆଜି ପାପ ଉପରେ ବିଜୟ ଲାଭ କରିପାରିଛି କି ? 


ଦାଉଦଙ୍କୁ ଶାଉଲ ଏବଂ ତାଙ୍କ ଲୋକମାନେ ପ୍ରଥମେ ଭଲ ଭାବରେ ଜାଣି ନ ଥିଲେ କିନ୍ତୁ ଗଲୀୟାତକୁ ବଧ କଲା ଉତ୍ତାରେ ସମସ୍ତେ ତାଙ୍କୁ ଜାଣିଲେ ଓ ତାଙ୍କର ସୁଖ୍ୟାତି ଚାରିଆଡ଼େ ବ୍ୟାପିଗଲା । 


ବିଜୟ ସମ୍ମାନ ପ୍ରଦାନ କରେ :

ଗଲୀୟାତକୁ ବଧ କଲା ପରେ ଦାଉଦଙ୍କର ସମ୍ମାନ ଓ ଖ୍ୟାତି ବୃଦ୍ଧି ପାଇଲା l ଶାଉଲଙ୍କ ପ୍ରଶ୍ନ "ଏ ଯୁବା କାହାର ପୁଅ" ଇଙ୍ଗିତ କରେ ଯେ, ଦାଉଦଙ୍କ ସଫଳତାରେ ତାଙ୍କ ପିତାମାତା ମଧ୍ୟ ସମ୍ମାନ ଓ ଗୌରବର ଅଧିକାରୀ ହୋଇଥିଲେ । ଏଥି ସହ ଯୋନାଥାନଙ୍କ ପରି ଜଣେ ଉତ୍ତମ ବନ୍ଧୁଙ୍କୁ ପାଇଲେ, ଯେ ଦାଉଦଙ୍କୁ ଆପଣା ଚୋଗା, ବସ୍ତ୍ର, ଖଡ୍ଗ, ଧନୁ ଓ କଟିବନ୍ଧନ ଦେଇ ନିଜ ପ୍ରାଣଠାରୁ ଅଧିକ ପ୍ରେମ କଲେ । ଶାଉଲ ଯୋଦ୍ଧାମାନଙ୍କ ଉପରେ ଦାଉଦଙ୍କୁ ନିଯୁକ୍ତି ଦେଲେ ଏବଂ ଶେଷରେ ଶାଉଲଙ୍କର ସେ ସେନାପତି ହେଲେ । ସର୍ବୋପରି ସମସ୍ତ ଇସ୍ରାଏଲ ଓ ଯିହୂଦାର ଲୋକମାନେ ଦାଉଦଙ୍କୁ ପ୍ରେମ କଲେ ।


ଈର୍ଷା ଶତ୍ରୁତା ସୃଷ୍ଟି କରେ :

ପଲେଷ୍ଟୀୟମାନଙ୍କୁ ବଧ କରି ଫେରିବା ବେଳେ ସ୍ତ୍ରୀ ମାନଙ୍କ ପ୍ରଶଂସା "ଶାଉଲ….. ଦାଉଦ ବଧ କଲେ ଅୟୁତ ଅୟୁତ" ଶୁଣି ଶାଉଲ ଈର୍ଷାନ୍ଵୀତ ହୋଇ ତାଙ୍କ ପ୍ରତି କ୍ରୋଧ କଲେ ଏବଂ ତାଙ୍କ ପ୍ରତି କ୍ରୋଧ କଲେ ଏବଂ ତାଙ୍କ ପ୍ରତି କୁଦୃଷ୍ଟି ରଖିଲେ । ଶତ୍ରୁ ହୋଇ ନିଜର ବର୍ଚ୍ଛା ଦ୍ଵାରା ଦାଉଦଙ୍କୁ ଦୁଇଥର ଆକ୍ରମଣ କରିଥିଲେ । ମାତ୍ର ସଦାପ୍ରଭୁ ଦାଉଦଙ୍କୁ ରକ୍ଷା କରିଥିଲେ । ଏହି ଈର୍ଷା ମନୋଭାବ ଯୋଗୁଁ ଶାଉଲଙ୍କର ଅବନତି ଘଟିଥିଲା । ବାକ୍ୟରେ ଲେଖାଯାଏ "ଈର୍ଷା ହାଡ଼ର କ୍ଷୟ ସ୍ଵରୂପ" (ହିତ ୧୪:୩୦ଖ) । ଏହି ପ୍ରତିକୂଳ ପରିସ୍ଥିତିରେ ଭାଙ୍ଗି ନ ପଡ଼ି, ପ୍ରତିଶୋଧ ପରାୟଣ ନ ହୋଇ ଦାଉଦ ନିଜର କର୍ତ୍ତବ୍ୟ ଯଥାର୍ଥ ଭାବେ ସମ୍ପନ୍ନ କରିଥିଲେ । ପ୍ରତିକୂଳ ପରିସ୍ଥିତିରେ ମୁଁ କ'ଣ ଭାଙ୍ଗି ପଡ଼େ ନା ତା'ର ମୁକାବିଲା କରିବାକୁ ପ୍ରଭୁଙ୍କ ଦୟା ସିଂହାସନରୁ ଶକ୍ତି ସଂଗ୍ରହ କରି ଯଥାର୍ଥ କାର୍ଯ୍ୟ କରିବାକୁ ନିଜକୁ ପ୍ରସ୍ତୁତ ରଖେ ।