BN

ସଜାଗ ଶ୍ରୋତା

 ସଜାଗ ଶ୍ରୋତା

ପ୍ରେରିତ ୧୭:୧-୧୫

ଆଜିର ଚିନ୍ତା

ଖ୍ରୀଷ୍ଟଙ୍କ ବାକ୍ୟ ଶ୍ରବଣ କରିବାରେ ମୁଁ ଜଣେ ଉତ୍ତମ ଶ୍ରୋତା ଅଟେ କି ? 


ଥେସଲନୀକୀ ଫିଲିସ୍ପ ଠାରୁ ପ୍ରାୟ ୧୦୦ ମାଇଲ୍ ଦୂରରେ ଅବସ୍ଥିତ । ପାଉଲ ଓ ଶୀଲା ପ୍ରଥମେ ୩ ବିଶ୍ରାମବାର ପର୍ଯ୍ୟନ୍ତ ଏଠାରେ ପ୍ରଚାର କରି ତା' ପରେ ୫୦ ମାଇଲ୍ ଦୂରରେ ଅବସ୍ଥିତ ବେରୟାରେ ମଧ୍ୟ ବାକ୍ୟ ପ୍ରଚାର କଲେ । 


ସକାରତ୍ମକ ଶ୍ରବଣ :

ଉଭୟ ଥେସଲନୀକୀ ଓ ବେରୟାରେ ଅନେକ ଯିହୁଦୀ ମତାବଲମ୍ବି ଗ୍ରୀକ୍ ଓ ଅନେକ ସମ୍ଭ୍ରାନ୍ତ ମହିଳା ଓ ପୁରୁଷ ପାଉଲ ଓ ଶୀଲାଙ୍କର ବାକ୍ୟ ଶୁଣିବାକୁ ଆସିଲେ । ଯେପରି (ରୋମୀ ୧୦:୧୭) ରେ ଲେଖାଅଛି, ବିଶ୍ଵାସ ଶ୍ରବଣରୁ ଜାତ ହୁଏ ଓ ଶ୍ରବଣ ଖ୍ରୀଷ୍ଟଙ୍କ ବାକ୍ୟ ଦ୍ଵାରା ହୁଏ । ପାଉଲ ଓ ଶୀଲା ଖ୍ରୀଷ୍ଟଙ୍କ ମୃତ୍ୟୁ ଓ ପୁନରୁତ୍ଥାନ ବାକ୍ୟ ସେମାନଙ୍କ ନିକଟରେ ପ୍ରଚାର କଲେ ଓ ସେମାନେ ଶୁଣି ବିଶ୍ଵାସ କଲେ । ପୁଣି ବେରୟାର ବିଶ୍ବାସୀମାନେ ଆଗ୍ରହର ସହ ତାହା ଗ୍ରହଣ କରି ତାହା ସତ୍ୟ କି ମିଥ୍ୟା ତାହା ପ୍ରତିଦିନ ଶାସ୍ତ୍ର ଅନୁସନ୍ଧାନ କରି ଜାଣିବାକୁ ଚାହିଁଲେ । ଏଠାରେ ୨ ଟି କଥା ପ୍ରକାଶିତ ହୁଏ । ଖ୍ରୀଷ୍ଟଙ୍କର ବାକ୍ୟ ପ୍ରମାଣସିଦ୍ଧ ଓ ଆମକୁ ତାହା ଅନୁସନ୍ଧାନ କରି ନିଜ ଜୀବନରେ ଗ୍ରହଣ କରିବାକୁ ହେବ । କାରଣ ଦୁଃସମୟ ଆସୁଅଛି, ଯେତେବେଳେ ଅନେକ ଭଣ୍ଡ ଭାବବାଦୀ ଓ ଭଣ୍ଡ ଖ୍ରୀଷ୍ଟଙ୍କର ସମ୍ମୁଖୀନ ହେବାକୁ ପଡିବ ।  ତେଣୁ ଆମେ ଏକ ସଜାଗ ଓ ସକାରତ୍ମକ ଶ୍ରୋତା ହେବା ଆବଶ୍ୟକ । 


ନକାରତ୍ମକ ଶ୍ରବଣ :

ପାଉଲ ଓ ଶୀଲାଙ୍କ ବାକ୍ୟ ଦ୍ଵାରା ଅନେକେ ଖ୍ରୀଷ୍ଟଙ୍କର ନିକଟବର୍ତ୍ତୀ ହେବା ସମୟରେ ଯିହୁଦୀମାନେ ଈର୍ଷାରେ ଜଳି ଉଠିଲେ ଓ ଲୋକଗହଳ କରି ନଗରରେ ଗଣ୍ଡଗୋଳ ଲଗାଇ ଦେଲେ । ପୁଣି ସେମାନେ, ପାଉଲ ଓ ଶୀଲା ବେରୟାରେ ପ୍ରଚାର କରୁଅଛନ୍ତି ବୋଲି ଶୁଣି ସେଠାରେ ମଧ୍ୟ ଉପସ୍ଥିତ ହୋଇ ଲୋକସମୂହକୁ ଉତ୍ତେଜିତ ଓ ଉଦବିଗ୍ନ କଲେ । (ଯାକୁବ ୧:୧୯) ରେ ଲେଖାଅଛି, ପ୍ରତ୍ୟେକ ଜଣ ଶୁଣିବାରେ ତତ୍ପର ଓ କହିବାରେ ଧୀର ପୁଣି କ୍ରୋଧ କରିବାରେ ଧୀର ହେଉ, କାରଣ ମନୁଷ୍ୟର କ୍ରୋଧ ଈଶ୍ୱରଙ୍କ ଗ୍ରାହ୍ୟ ଧାର୍ମିକତା ସାଧନ କରେ ନାହିଁ । ଯିହୁଦୀମାନଙ୍କର ଈର୍ଷା ଓ କ୍ରୋଧ ସେଦିନ ଈଶ୍ୱରଙ୍କର ଗ୍ରାହ୍ୟ ଧାର୍ମିକତା ସାଧନରେ ବାଧା ସୃଷ୍ଟି କଲା । ଆଜି ଆମେ ଜାଣତରେ କିମ୍ବା ଅଜାଣତରେ ଈଶ୍ୱରଙ୍କର କାର୍ଯ୍ୟରେ ବାଧା ସୃଷ୍ଟି କରୁ ନାହୁ ତ ? 

ସୁସମାଚାର ପ୍ରଚାର

 ସୁସମାଚାର ପ୍ରଚାର

ଆଜିର ଚିନ୍ତା

ପ୍ରେରିତ ୧୬:୧୧-୨୪

ଅନ୍ୟ ନିକଟରେ ସୁସମାଚାର ବିତରଣ କରିବାକୁ ମୁଁ କଣ ଆଗ୍ରହୀ ଅଟେ ।


ଫିଲିସ୍ପ ମାକିଦାନିଆର ଏକ ପ୍ରଧାନ ନଗରୀ ଥିଲା । ସେଠାରେ ଗ୍ରୀକ୍ ଓ ରୋମୀୟ ଲୋକମାନେ ବସବାସ କରୁଥିଲେ । ପାଉଲ ତାଙ୍କର ୨ୟ ମିଶନାରୀ ଯାତ୍ରା ସମୟରେ ଫିଲିସ୍ପକୁ ଆସିଥିଲେ ।  ମାତ୍ର ସେ କାରାଗାରରେ ବନ୍ଦୀ ଥିବା ସମୟରେ ଏହି ଫିଲିସ୍ପ ମଣ୍ଡଳୀକୁ ପତ୍ର ଲେଖିଥିଲେ ।


ଦକ୍ଷ ସୁସମାଚାର ବିତରକ : 

ପାଉଲ ଜଣେ ଦକ୍ଷ ସୁସମାଚାର ବିତରକ ଥିଲେ, କାରଣ ସେ ଈଶ୍ୱରଙ୍କ ଚାଳନାରେ ଚାଳିତ ହୋଇ କାର୍ଯ୍ୟ କରୁଥିଲେ । ପ୍ରଭୁ ତାଙ୍କୁ ମାକିଦାନିଆକୁ ଯିବାକୁ କହିଲେ ଓ ସେ ବାଧ୍ୟ ହୋଇ ସେଠାକୁ ଗଲେ । କେଉଁ ସ୍ଥାନରେ ପ୍ରଭୁଙ୍କର ଅନ୍ଵେଷଣକାରୀ ମାନେ ଅଛନ୍ତି, ସେ ଫିଲିସ୍ପରେ ତାହା ଖୋଜି ବାହାର କରିଥିଲେ ଓ ନଗର ବାହାରେ ନଦୀକୂଳରେ ଯାଇ ସେମାନଙ୍କ ସହିତ ସାକ୍ଷାତ କରିଥିଲେ । ଦାସୀଜଣକ ଯେ ମନ୍ଦ ଆତ୍ମା ଦ୍ଵାରା ଅବିଷ୍ଟ ତାହା ମଧ୍ୟ ପାଉଲ ଜାଣିପାରିଥିଲେ । ଏହି ସମସ୍ତ ଗୁଣ ପାଉଲଙ୍କୁ ଏକ ଦକ୍ଷ ସୁସମାଚାର ବିତରକ କରିଥିଲା ସତ, ମାତ୍ର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଲା ଯେ, ପାଉଲ ସୁସମାଚାର ନିମନ୍ତେ ଅନେକ ଦୁଃଖ ଓ ତାଡ଼ନାର ସମ୍ମୁଖୀନ ହେଲେ ଓ ସେ ଆନନ୍ଦର ସହିତ ତାହା ନିଜ ଶରୀରରେ ଗ୍ରହଣ କରିଥିଲେ । 


ସୁସମାଚାର ଦ୍ଵାରା ପରିବର୍ତ୍ତିତ ବ୍ୟକ୍ତିଙ୍କ ସେବାକାର୍ଯ୍ୟ : 

ଲୁଦିଆ ଜଣେ ବ୍ୟବସାୟୀ ଓ ଈଶ୍ୱର ଭକ୍ତା ଥିଲେ । ପ୍ରଭୁଙ୍କର ସୁସମାଚାର ଗ୍ରହଣ କରିବା ନିମନ୍ତେ ପ୍ରଭୁ ତାଙ୍କର ହୃଦୟ ଫିଟାଇ ଦେଲେ । ଲୁଦିଆ ନିଜେ ବାକ୍ୟ ଗ୍ରହଣ କରି ପରିତ୍ରାଣ ପ୍ରାପ୍ତ ହେଲେ ଓ ନିଜର ପରିବାରର ସମସ୍ତଙ୍କୁ ଅଂଶୀ କରାଇଲେ ଲୁଦିଆ ଓ ତାଙ୍କ ପରିବାର ସୁସମାଚାର ବିତରକମାନଙ୍କୁ ନିଜ ପରିବାରରେ ସ୍ଥାନ ଦେଇ ସେମାନଙ୍କର ଆତିଥ୍ୟ କଲେ ଓ ସେମାନଙ୍କ ଯତ୍ନ ନେଲେ । 


ଆଜି ଆମେ ବ୍ୟକ୍ତିଗତ ଜୀବନରେ ସୁସମାଚାର ପ୍ରଚାରକମାନଙ୍କର ଆବଶ୍ୟକତା ନିମନ୍ତେ ଚିନ୍ତିତ ଓ ବୋଝଗ୍ରସ୍ତ ହେବା ଆବଶ୍ୟକ । 

ଆଂଶିକ ବାଧ୍ୟତା

 ଆଂଶିକ ବାଧ୍ୟତା 

ଆଜିର ଚିନ୍ତା

୧ ଶାମୁୟେଲ ୧୫:୧-୩୫

ମୋ' ଜୀବନରେ ସମ୍ପୂର୍ଣ୍ଣ ବାଧ୍ୟତା ଦେଖାଯାଏ କି ?


ଇସ୍ରାଏଲୀୟ ମାନେ କିଣାନକୁ ଯାତ୍ରା କରିବା ପଥ ମଧ୍ୟରେ ଅମାଲେକୀୟମାନଙ୍କ ବାରମ୍ବାର ଆକ୍ରମଣ ଯୋଗୁ ସେମାନେ ଶାନ୍ତିରେ ବାସ କରିପାରୁ ନ ଥିଲେ । ତେଣୁ ସେମାନଙ୍କୁ ଆଘାତ କରି ସେମାନଙ୍କର ସର୍ବସ୍ବ ବର୍ଜିତରୂପେ ବିନାଶ କରିବାକୁ ଈଶ୍ଵର ଶାଉଲଙ୍କୁ ଆଦେଶ ଦେଇଥିଲେ । 


ଆଂଶିକ ବାଧ୍ୟତା :

ଶାଉଲ ସଦାପ୍ରଭୁଙ୍କ ଆଦେଶନୁଯାୟୀ ଯୁଦ୍ଧ କଲେ । ମାତ୍ର ସର୍ବସ୍ବ ବର୍ଜିତରୂପେ ବିନାଶ ନ କରି ଈଶ୍ୱରଙ୍କ ଅବାଧ୍ୟ ହେଲେ (୩ପଦ) । ତେଣୁ ଈଶ୍ଵର ଦୁଃଖିତ ହେଲେ (୧୧ପଦ) । ସେ ସଦାପ୍ରଭୁଙ୍କ ଆଦେଶକୁ ଆଂଶିକ ଭାବେ ପାଳନ କରିଥିଲେ । ମନେରଖୁ ଆଂଶିକ ବାଧ୍ୟତା ଅବଧ୍ୟତା ଅଟେ । ତେଣୁ ମହାବିଜୟ ହାସଲ କରିବେ ବୋଲି ଶାଉଲ ଭାବିଥିଲେ, ମାତ୍ର ତାହା ତାଙ୍କ ଜୀବନରେ ମହା ବିଫଳତା ଆଣିଥିଲା । ନିଜର ଭୁଲ ଧରା ପଡ଼ିବ ନାହିଁ ବୋଲି ସେ ଭାବିଥିଲେ, ମାତ୍ର ସେ ମନୁଷ୍ୟ ଏବଂ ଈଶ୍ୱରଙ୍କ ନିକଟରେ ଅବିଶ୍ୱସ୍ତ ବୋଲି ପ୍ରମାଣିତ ହେଲେ । ଆମେ ଯେତେବେଳେ ……. ସ୍ୱେଚ୍ଛାପୂର୍ବକ ପାପ କରୁ ତେବେ ପାପାର୍ଥକ ବଳି ଆଉ ଅବଶିଷ୍ଟ ନ ଥାଏ (ଏବ୍ରୀ ୧୦:୨୬)  ।


ଅବାଧ୍ୟତାର ପରିଣତି :

ସମସ୍ତ ବର୍ଜିତରୂପେ ବିନାଶ କରିବା ପରିବର୍ତ୍ତେ ସେ କିଛି ଉତ୍ତମ ବସ୍ତୁକୁ ରଖିଲେ । ରାଜା ଅଗାଗଙ୍କ ପ୍ରତି ଅଯଥା ଦେଖାଇ ସେ ତାଙ୍କ ଅଧିକାରର ଅପବ୍ୟବହାର କରିଥିଲେ । ଏପରିକି ଶାମୁୟେଲ ତାଙ୍କ ଭୁଲ୍ କୁ ଦେଖାଇବା ପରେ ମଧ୍ୟ ସେ ବିଭିନ୍ନ ଆଳ ଦେଖାଇ ଥିଲେ । ବାକ୍ୟରେ ଲେଖାଯାଏ, ଦେଖ ଶୁଣିବା ଅପେକ୍ଷା (ବଧ୍ୟତା) ବଳିଦାନ ଠାରୁ ...ଉତ୍ତମ (୨୨ପଦ) । ଈଶ୍ଵର ଆମଠାରୁ ବଳିଦାନ ଅପେକ୍ଷା ବାଧ୍ୟତାକୁ ଅଧିକ ପସନ୍ଦ କରନ୍ତି । ଆମଠାରେ ଈଶ୍ୱରଙ୍କ ପ୍ରେମ ଓ ବାଧ୍ୟତା ନ ଥାଇ ଯଦି ଆମେ ନାନା ପ୍ରକାର ପାରମ୍ପରିକ ପ୍ରଥା (ଧର୍ମକର୍ମ) ପାଳନ କରିବାରେ ଲାଗିରହୁ, ସେ ସବୁ ଈଶ୍ୱରଙ୍କ ନିକଟରେ ମୂଲ୍ୟହୀନ ଅଟେ । ଲେଖାଯାଏ, ବିଦ୍ରୋହ ମନ୍ତ୍ରପାଠ ତୁଲ୍ୟ ଏବଂ ଅବଧ୍ୟତା ଅବସ୍ତୁର ଓ ଠାକୁର ପୂଜା ତୁଲ୍ୟ (୨୩ପଦ) । ଈଶ୍ୱରଙ୍କ ଆଦେଶକୁ ତୁଚ୍ଛ କରିଥିବାରୁ ଈଶ୍ଵର ତାଙ୍କୁ ରାଜା ହୋଇ ରହିବାକୁ ତୁଚ୍ଛ କଲେ । 

ଭୁଲ୍ ପଦକ୍ଷେପର ପରିଣାମ

 ଭୁଲ୍ ପଦକ୍ଷେପର ପରିଣାମ

ଆଜିର ଚିନ୍ତା

୧ ଶାମୁୟେଲ ୧୩:୧-୨୩

ସମସ୍ୟା ଆସିଲେ ମୁଁ କାହା ଉପରେ ନିର୍ଭର କରେ?


ଶାଉଲ ରାଜା ହେଲେ ମଧ୍ୟ ଅତ୍ୟନ୍ତ ଭୟଭୀତ ଓ ଉଦବିଗ୍ନ ଥିଲେ । ମାତ୍ର ଈଶ୍ୱରଙ୍କ ଉପରେ ଯୋନଥନଙ୍କର ଦୃଢ଼ ବିଶ୍ଵାସ ଓ ନିର୍ଭରତା ଥିବାରୁ ସେ ପଲେଷ୍ଟୀୟ ପ୍ରହରୀ ସୈନ୍ୟଦଳକୁ ପରାସ୍ତ କରି ଇସ୍ରାଏଲ ପାଇଁ ବିଜୟ ଆଣିଥିଲେ (୩ ଓ ୪) ।

 

ଅହଂକାର ପତନର କାରଣ ହୋଇଥାଏ : 

ଯୋନାଥନ ବିଜୟ ଆଣିଥିଲେ ମଧ୍ୟ ଶାଉଲ ବିଜୟର ବାହାଦୂରୀ ନିଜେ ନେଇ ଗର୍ବିତ ହୋଇଥିଲେ । ଏହି ଗୁଣ କ୍ରମେ ବୃଦ୍ଧି ପାଇ ଶେଷରେ ତାଙ୍କର ବିନାଶ, ତାଙ୍କ ପରିବାରର ବିଚ୍ଛିନ୍ନତା ଓ ଇସ୍ରାଏଲ ଜାତି ବିପଦଗ୍ରସ୍ତ ହେବାର କାରଣ ହୋଇଥିଲା । ଆଜି ମୋ' ଜୀବନରେ ମୁଁ ଅହଙ୍କାରକୁ ପ୍ରଶୟ ଦିଏ କି ? କାରଣ ଲେଖାଅଛି "ଅହଙ୍କାର ସର୍ବନାଶର ସମ୍ମୁଖରେ ଥାଏ"..... (ହିତୋ ୧୬:୧୮ କ) । କିନ୍ତୁ ସେ ନମ୍ର ଲୋକମାନଙ୍କୁ ଅନୁଗ୍ରହ ପ୍ରଦାନ କରନ୍ତି (ଯାକୁବ ୪:୬ ଖ) ।


ବ୍ୟସ୍ତତା ଭୁଲ୍ କରାଇଥାଏ : 

ଯୁଦ୍ଧ ପୂର୍ବରୁ ଶାଉଲ ଈଶ୍ୱରଙ୍କ ଶରଣାପନ୍ନ ହେବାକୁ ହୋମବଳିର ଆୟୋଜନ କରି, ବଳି ଉତ୍ସର୍ଗ ପାଇଁ ଶାମୁୟେଲଙ୍କୁ ଡକାଇ ପଠାଇଲେ । ମାତ୍ର ଶାମୁୟେଲଙ୍କ ସାତଦିନ ବିଳମ୍ବ ଯୋଗୁଁ ଅଧୈର୍ଯ୍ୟ ହୋଇ ନିଜେ ହୋମବଳି ଉତ୍ସର୍ଗ କରି ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କଲେ । ଅନେକ ସମୟରେ ସେ ଆମର ଧୈର୍ଯ୍ୟ ଓ ବାଧ୍ୟତାର ପରୀକ୍ଷା କରିଥାନ୍ତି । ଅବାଧ୍ୟତାର ଯୋଗୁଁ ସେ ଈଶ୍ୱରଙ୍କ ବ୍ୟବସ୍ଥା ଲଙ୍ଘନ କରି ରାଜା ହେବା ପାଇଁ  ଅଯୋଗ୍ୟ ବୋଲି ଗଣିତ ହୋଇଥିଲେ । ଆମର କାର୍ଯ୍ୟ ଈଶ୍ୱରଙ୍କ ଦୃଷ୍ଟିରେ ଯଥାର୍ଥ କି ନୁହେଁ ପରୀକ୍ଷା କରୁ ଓ ଭୁଲ୍ ଥିଲେ ନିଜର ପାପ ସ୍ଵୀକାର କରୁ ।


ନିର୍ଭର ଯୋଗ୍ୟ ଈଶ୍ୱର :

 ପଲେଷ୍ଟୀୟମାନଙ୍କ ସହ ଯୁଦ୍ଧ କରିବା ପାଇଁ ଇସ୍ରାଏଲୀୟମାନଙ୍କ ନିକଟରେ ଅସ୍ତ୍ରଶସ୍ତ୍ର ନ ଥିଲା । ବାକ୍ୟରୂପକ ଆତ୍ମିକ ଅସ୍ତ୍ରଶସ୍ତ୍ର ଦ୍ଵାରା ଆମେ ଯଦି ସଜ୍ଜିତ ନ ହେଉ ଶତ୍ରୁକୁ ପ୍ରତିବାଧା କରିବା ଆମ ପାଇଁ ଅତ୍ୟନ୍ତ କଷ୍ଟକର ହୋଇପଡେ । ଭୟଭୀତ ଇସ୍ରାଏଲୀୟମାନଙ୍କ ପାଇଁ କେବଳ ଈଶ୍ୱର ହିଁ ଏକମାତ୍ର ଭରସା ଥିଲେ  (ଗୀତ ୪୬:୧) । ଏହି ବିଶ୍ଵାସରେ ସ୍ଥିର ରହି ପ୍ରଭୁଙ୍କଠାରେ ନିର୍ଭର ରଖିଲେ ଆମେ ଆମ ସମସ୍ୟାଗୁଡ଼ିକ ଉପରେ ଜୟଲାଭ କରିପାରିବା ।

ଆଦର୍ଶ ନେତା

 ଆଦର୍ଶ ନେତା

ଆଜିର ଚିନ୍ତା

୧ ଶାମୁୟେଲ ୧୨:୧-୨୫

ମୋତେ ପ୍ରଦତ୍ତ ଦାୟିତ୍ବ ବହନ କରିବାରେ ମୁଁ ଆଜି କେତେ ବିଶ୍ଵସ୍ତ ?


ଶାମୁୟେଲ ଏକାଧାରରେ ଇସ୍ରାଏଲର ଜଣେ ବିଶ୍ଵସ୍ତ ଯାଜକ, ଭବିଷ୍ୟତବକ୍ତା ଓ ବିଚାରକର୍ତ୍ତା ରୂପେ କାର୍ଯ୍ୟ କରି ଆସିଥିଲେ । ସେ ନିଜର ଖୋଲାକଥା ମାଧ୍ୟମରେ ସ୍ଵୀକାରୋକ୍ତି ଦ୍ଵାରା ଇସ୍ରାଏଲ ଜାତି ନିକଟରେ ନିଜର ବିଶ୍ଵସ୍ତତା ତଥା କର୍ତ୍ତବ୍ୟ  ନିଷ୍ଠା କାର୍ଯ୍ୟକୁ ସର୍ବ ସମ୍ମୁଖରେ ପ୍ରମାଣିତ କରିଥିଲେ (୩ ଓ ୪ ପଦ) l


ଆଦର୍ଶ ନେତୃତ୍ୱ : 

ଶାମୁୟେଲ ଈଶ୍ୱରଙ୍କ ଜଣେ ବିଶ୍ଵସ୍ତ ପ୍ରତିନିଧି ଥିଲେ । ସଦାପ୍ରଭୁଙ୍କ ଆହ୍ଵାନ କ୍ରମେ ସେ ଶୈଶବାବସ୍ଥାରୁ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ଲୋକମାନଙ୍କ ସେବା କରି ଆସିଛନ୍ତି, ତେଣୁ ସେ ନିଜ କର୍ମରୁ ଅବସର ନେବା ପୂର୍ବରୁ ସେମାନଙ୍କୁ ପ୍ରଭୁଙ୍କ ସେବା କରିବାକୁ ଓ ନୂତନ ରାଜା (ନେତା) ଙ୍କ ବଶୀଭୂତ ହେବାକୁ ଏବଂ ପରୋକ୍ଷରେ ଶାଉଲଙ୍କୁ ମଧ୍ୟ ତାଙ୍କ ପରି ବିଶ୍ଵସ୍ତ ଦାୟିତ୍ବବାନ ନେତା ହୋଇ ଇସ୍ରାଏଲର ପ୍ରତିନିଧି କରିବାକୁ ଆହ୍ଵାନ ଦେଇଥିଲେ । 


ସ୍ମରଣୀୟ କର୍ମସକଳ :

ଶାମୁୟେଲ ଇସ୍ରାଏଲୀୟମାନଙ୍କୁ ସଦାପ୍ରଭୁଙ୍କ ମହତ୍ କର୍ମସକଳ ସ୍ମରଣ କରାଇ ପ୍ରଭୁଙ୍କଠାରେ ବିଶ୍ଵସ୍ତ ରହିବା ପାଇଁ ଆହ୍ଵାନ ଦେଇଥିଲେ । ସଦାପ୍ରଭୁଙ୍କ ଆଶୀର୍ବାଦ ପାଇବା ନିମନ୍ତେ ସେ ସେମାନଙ୍କୁ ୫ଟି ବିଷୟ ପ୍ରତି ଦୃଷ୍ଟି ଦେବାକୁ କହିଥିଲେ (୧୪ପଦ) । ସେମାନେ ଯେପରି ସଦାପ୍ରଭୁଙ୍କୁ ଭୟ କରିବେ, ତାହାଙ୍କ ସେବା କରିବେ ତାହାଙ୍କ ରବ ଶୁଣିବେ, ପାଳନ କରିବେ ଓ ସଦାପ୍ରଭୁଙ୍କ ବିରୁଦ୍ଧରେ ବିଦ୍ରୋହ ନ କରିବେ ।


ମଧ୍ୟସ୍ଥି ପ୍ରାର୍ଥନା : 

(୧୯ପଦ) ଲୋକମାନଙ୍କ ନିମନ୍ତେ ପ୍ରାର୍ଥନା କରିବାକୁ ଉତ୍ସାହ ଦେଇ ଶାମୁୟେଲ କହିଥିଲେ :


 (କ) ସଦାପ୍ରଭୁଙ୍କ ପଶ୍ଚାତଗମନରୁ ବିମୁଖ ନ ହୁଅ


(ଖ) ସମସ୍ତ ଅନ୍ତକରଣ ସହ ଈଶ୍ୱରଙ୍କ ସେବା କର (୨୦ପଦ)


(ଗ) ଅବସ୍ତୁ ଅର୍ଥାତ ପ୍ରତିମାର ଅନୁଗାମୀ ନ ହୁଅ । ୨୩ ପଦରେ ସେ ଦୁଇଟି ମହାନ୍ ଶିକ୍ଷା ଦେଇଥିଲେ । ପ୍ରଥମରେ ଅନ୍ୟମାନଙ୍କ ପାଇଁ ଭାରଗ୍ରସ୍ତ ହୋଇ ପ୍ରାର୍ଥନା କରିବା (ଏଫିସୀୟ ୬:୧୮) ଓ ଦ୍ଵିତୀୟରେ ଈଶ୍ୱରଙ୍କ ବାକ୍ୟରୁ ସତ୍ୟମାର୍ଗ ବିଷୟରେ ଅନ୍ୟମାନଙ୍କୁ ଶିକ୍ଷା ଦେବା (୨ତିମଥି ୨:୨) ।


ପ୍ରଭୁ ଯୀଶୁ ଆଜି ଆମର ମଧ୍ୟସ୍ଥି ଓ ପରାମର୍ଶଦାତା ହୋଇ ପିତାଙ୍କ ଦକ୍ଷିଣ ପାର୍ଶ୍ୱରେ ବସି ଆମ ପାଇଁ ନିରନ୍ତର ନିବେଦନ କରୁଛନ୍ତି । ମୁଁ ଆଜି ଅନ୍ୟମାନଙ୍କ ପାଇଁ ମଧ୍ୟସ୍ଥି ପ୍ରାର୍ଥନା କରିବା ଓ ସତ୍ ମାର୍ଗ ବିଷୟରେ ଶିକ୍ଷା ଦେବାରେ ଅଧିକ ଯତ୍ନଶୀଳ କି ?