BN

ଚୁକ୍ତିର ନିଶ୍ଚିତତା

 ଚୁକ୍ତିର ନିଶ୍ଚିତତା


ଆଜିର ଚିନ୍ତା


ଯାତ୍ରା ୨୪:୧-୧୮


ମୁଁ ଯୀଶୁଙ୍କ ପବିତ୍ର ରକ୍ତରେ ନିଜକୁ ଧୌତ ଓ ପରିଷ୍କୃତ କରିଛି କି ? 


ସଦାପ୍ରଭୁ ମୋଶାଙ୍କୁ ପର୍ବତ ଉପରକୁ ଡାକି ଇସ୍ରାଏଲ ଲୋକମାନଙ୍କୁ ଜଣାଇବା ନିମନ୍ତେ ଅନେକ ବାକ୍ୟ ଓ ଶାସନର ବିଷୟ ପ୍ରକାଶ କଲେ । ମୋଶା ଲୋକମାନଙ୍କୁ ତାହା ଜଣାଇବାରୁ ସେମାନେ ତାହା ପାଳନ କରିବା ପାଇଁ ନିଜର ସ୍ଵୀକୃତି ପ୍ରକାଶ କଲେ । ପୁଣି ମୋଶା ସଦାପ୍ରଭୁଙ୍କର ସମସ୍ତ ବାକ୍ୟକୁ ଲେଖି ରଖିଲେ । 


ନିୟମର ରକ୍ତ : 

ମୋଶା ପର୍ବତ ତଳେ ଗୋଟିଏ ଯଜ୍ଞ ବେଦି ନିର୍ମାଣ କରି ଯୁବାମାନଙ୍କୁ ପଠାଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କଲେ । ସେହି ବଳିର ରକ୍ତ ନେଇ ସେ ଲୋକମାନଙ୍କ ଉପରେ ଛିଞ୍ଚି କହିଲେ, ସଦାପ୍ରଭୁ ତୁମ୍ଭମାନଙ୍କ ସହିତ ଏହି ସମସ୍ତ ବାକ୍ୟ ସମ୍ବନ୍ଧୀୟ ଯେଉଁ ନିୟମ ବା ଚୁକ୍ତି କରିଛନ୍ତି, ସେହି ନିୟମର ରକ୍ତ ଏହି । ରକ୍ତପାତ ବିନା ପାପମୋଚନ ହୁଏ ନାହିଁ (ଏବ୍ରୀ ୯:୧୯-୨୨) । ପୁରାତନ ନିୟମରେ ଯେପରି ଗୋଟିଏ ନିଖୁନ୍ତ ପଶୁର ବଳିଦାନଦ୍ଵାରା ଜଣେ ବ୍ୟକ୍ତିର ପାପମୋଚନ ହୁଏ,ସେହିପରି ଯୀଶୁଖ୍ରୀଷ୍ଟ ନିଖୁନ୍ତ ମେଷଶାବକ ସଦୃଶ୍ୟ ଆମ୍ଭମାନଙ୍କର ପାପ ନିମନ୍ତେ କ୍ରୁଶ ଉପରେ ଆପଣାର ରକ୍ତ ଢାଳି ଦେଇ ଆମ୍ଭମାନଙ୍କୁ ପାପରୁ କ୍ଷମା ପ୍ରଦାନ କଲେ ଓ ପିତାଙ୍କ ସହିତ ଆମ୍ଭମାନଙ୍କୁ ପୁନଃମିଳିତ କଲେ । ସେ ଆମ୍ଭମାନଙ୍କ ସହିତ ଏକ ନିୟମ ବା ଚୁକ୍ତି କଲେ । ଯେତେବେଳେ ଜଣେ ପାପୀ ଅନୁତାପ ସହ ନିଜର ପାପକୁ ଯୀଶୁଙ୍କ ନିକଟରେ ସ୍ବୀକାର କରେ, ସେତେବେଳେ ସେ ପରିତ୍ରାଣ ପାଏ । 


ନିୟମ ପୁସ୍ତକ :

 ସଦାପ୍ରଭୁଙ୍କ ଦ୍ଵାରା ପ୍ରଦତ୍ତ ସମସ୍ତ ଆଜ୍ଞା, ବିଧି ଓ ଶାସନ ସମ୍ବନ୍ଧୀୟ ବାକ୍ୟକୁ ମୋଶା ଲୋକମାନଙ୍କ ନିକଟରେ ନିୟମ ପୁସ୍ତକରୁ ପାଠ କରି ଶୁଣାଇବା ପରେ ଲୋକମାନେ କହିଲେ, ସଦାପ୍ରଭୁ ଯାହା ଯାହା କହିଛନ୍ତି ଆମ୍ଭେମାନେ ତାହା ପାଳନ କରିବା ଓ ଆଜ୍ଞାବହ ହେବା । ଲୋକମାନେ ଈଶ୍ୱରଙ୍କ ଆଜ୍ଞା ପାଳନ କରିବା ପାଇଁ ଶପଥ କରିବା ପରେ, ସେହି ଉତ୍ସର୍ଗୀକୃତ ରକ୍ତ ଦ୍ଵାରା ଈଶ୍ୱରଙ୍କ ସହ ସେମାନଙ୍କ ନିୟମ ବା ଚୁକ୍ତିକୁ  ମୁଦ୍ରାଙ୍କିତ କରାଗଲା । ଈଶ୍ଵର ଆମ୍ଭମାନଙ୍କୁ ପାପର ଅନନ୍ତ ବିନାଶରୁ ମୁକ୍ତ କରି ରକ୍ଷା କରିବା ଲାଗି ଯୀଶୁ ଖ୍ରୀଷ୍ଟଙ୍କ ରକ୍ତ ଦ୍ଵାରା ଭଗ୍ନ ହୋଇଥିବା ସମ୍ପର୍କକୁ ପୁନଃସ୍ଥାପନ କରିବା ଲାଗି, ନୂତନ ଚୁକ୍ତି ବା ନିୟମ ଅନୁସାରେ ଈଶ୍ଵର ତାଙ୍କର ବ୍ୟବସ୍ଥା ଗୁଡିକୁ ଆମ୍ଭମାନଙ୍କ ମନ ଓ ହୃଦୟରେ ସ୍ଥାନିତ କରିବାକୁ ପ୍ରତିଜ୍ଞା ଦେଇଛନ୍ତି । ଆଜି ଆମ୍ଭେମାନେ ତାଙ୍କର ସେହି ଚୁକ୍ତିରେ ନିଜକୁ ସାମିଲ କରି, ତାଙ୍କର ଆଜ୍ଞାଗୁଡ଼ିକ ପାଳନ କରିବାକୁ ମନୋଯୋଗୀ ହୋଇଛୁ କି ? 

ପର୍ବ ପାଳନ

 ପର୍ବ ପାଳନ

ଆଜିର ଚିନ୍ତା

ଯାତ୍ରା ୨୩:୧୦-୧୯


ପର୍ବ ପାଳନ ସମୟରେ ମୁଁ ତାହାର ଗୁରୁତ୍ୱକୁ ବୁଝି ପାଳନ କରେ କି ? 

ସଦାପ୍ରଭୁ ପରମେଶ୍ୱର ଇସ୍ରାଏଲୀୟମାନଙ୍କୁ ଛଅ ଦିନ କର୍ମ କରି ସପ୍ତମ ଦିନ ବିଶ୍ରାମ କରିବା ପାଇଁ ମୋଶାଙ୍କ ଦ୍ଵାରା ଆଜ୍ଞା ଦେଇଥିଲେ । ଏହାର କାରଣ ବିଶ୍ରାମ ସମସ୍ତଙ୍କ ସ୍ୱାସ୍ଥ୍ୟ ପକ୍ଷେ ହିତଜନକ । ଏହାପରେ ପରେଶ୍ବର ଇସ୍ରାଏଲୀୟମାନଙ୍କୁ ୩ଟି ପର୍ବ ପାଳନ କରିବା ପାଇଁ ଆଜ୍ଞା ଦେଇଥିଲେ । 


୧. ତାଡିଶୁନ୍ୟ ରୋଟିର ପର୍ବ :

 ଏହି ପର୍ବ ଆବୀବ୍ ମାସର ଏକ ନିରୂପିତ ଦିନରେ ୭ ଦିନ ଧରି ପାଳନ କରାଯାଏ (ଯାତ୍ରା ୧୨:୧୭) । ଏହାକୁ ମଧ୍ୟ "ନିସ୍ତାରପର୍ବ" କୁହାଯାଏ । ଏହାଦ୍ବାରା ସେମାନେ ସଦାପ୍ରଭୁଙ୍କ ଦ୍ଵାରା ମିସର ଦେଶର ଦାସତ୍ୱ ବନ୍ଧନରୁ କି ପ୍ରକାର ମୁକ୍ତ ହୋଇଥିଲେ ତାହା ସ୍ମରଣ କରନ୍ତି । ତାଡ଼ି ବା ଖମୀରକୁ ପାପ ସହିତ ତୁଳନା କରାଯାଇଛି । ପାପ ଯାହାର ଜୀବନରେ ପ୍ରବେଶ କରେ ତାକୁ ବିନାଶ ପଥରେ ନେଇଯାଏ । ତାଡ଼ିଶୁନ୍ୟ ରୋଟୀ ଅନୁତାପ ବା ପାପଶୂନ୍ୟ ଜୀବନକୁ ବୁଝାଏ । ଈଶ୍ଵର ଆମ୍ଭମାନଙ୍କୁ ପାପର ଦାସତ୍ୱ ବନ୍ଧନରୁ ମୁକ୍ତ କରି ତାଙ୍କର ନିଜସ୍ୱ ପ୍ରଜା କରି ପରିତ୍ରାଣ ଅଂଶୀ କରାଇଛନ୍ତି, ତାହାକୁ ସ୍ମରଣ କରିବା ଏକ ଆନନ୍ଦର ବିଷୟ । 


୨. ଶସ୍ୟ ଛେଦନ ପର୍ବ : 

ଏହି ପର୍ବ ପାଳନ କରିବାକୁ ଯାଇ ପ୍ରତ୍ୟେକ ଇସ୍ରାଏଲୀୟମାନେ କୃଷିକାର୍ଯ୍ୟ ଦ୍ଵାରା ଅମଳ କରିବା ସମୟରେ ପ୍ରଥମ କଟା ଶସ୍ୟର ଏକ ବିଡ଼ା ଯାଜକଙ୍କ ପାଖକୁ ଆଣିବେ ଓ ଯାଜକ ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ (ଯାତ୍ରା ୩୪:୨୨) । କାରଣ ପରମେଶ୍ୱର ବୃଷ୍ଟି ଦେଇ କ୍ଷେତ୍ରରେ ଫଳ ଉତ୍ପନ କରିବା ପାଇଁ ଯେଉଁ ଅନୁଗ୍ରହ କରିଛନ୍ତି, ତାହାର ପ୍ରଥମ ଅଂଶ ଆମ୍ଭେମାନେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ଉଚିତ୍ । ଯାହାଦ୍ଵାରା ଈଶ୍ଵର ଆମ୍ଭମାନଙ୍କର ପରିଶ୍ରମ ଉପରେ ଓ କ୍ଷେତ୍ର ଉପରେ ଆଶୀର୍ବାଦ କରି, ଆମ୍ଭମାନଙ୍କ ଆବଶ୍ୟକତା ଯୋଗାଇବେ। କେବଳ କୃଷିକାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କ ନିମନ୍ତେ ନୁହେଁ ମାତ୍ର ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱସୀମାନେ ଈଶ୍ୱରଙ୍କୁ ଗୌରବ ଦେଇ ଆୟର ପ୍ରଥମ ଅଂଶ ଦେବା ଆବଶ୍ୟକ । 


୩. ଫଳ ସଞ୍ଚୟର ପର୍ବ : 

ଇସ୍ରାଏଲୀୟମାନେ ବର୍ଷର ଶେଷ ଭାଗରେ ଫଳ ସଞ୍ଚୟ ପର୍ବ ପାଳନ କରିଥାନ୍ତି । ସେମାନେ କ୍ଷେତ୍ରର ଉତ୍ପନ କରାଯାଇଥିବା ଶସ୍ୟକୁ ସଂଗ୍ରହ କରି ଗୃହକୁ ଆଣିବା ପରେ ବୃକ୍ଷର ଫଳ, ଖଜୁରୀ ବାହୁଙ୍ଗା, ବାଇଶି ବୃକ୍ଷ ନେଇ ଆନନ୍ଦ କରିଥାନ୍ତି (ଦ୍ଵୀ. ବିବରଣ ୧୪:୨୧) । ଏହାଦ୍ବାରା ସେମାନେ ଈଶ୍ୱରଙ୍କୁ ଆଶୀର୍ବାଦକୁ ସ୍ମରଣ କରି ଆନନ୍ଦ ଉତ୍ସବ ପାଳନ କରନ୍ତି । ପରମେଶ୍ୱର ଇସ୍ରାଏଲୀୟମାନଙ୍କୁ ଭୂମିର ପ୍ରଥମ ଜାତ ଫଳ ସଦାପ୍ରଭୁଙ୍କ ଗୃହକୁ ଆଣିବାକୁ ଆଜ୍ଞା ଦେଇଥିଲେ । ଆଜି ଆମ୍ଭେମାନେ ଈଶ୍ୱରଙ୍କ ଆଶୀର୍ବାଦକୁ ସ୍ମରଣ କରି ତାଙ୍କୁ କିପ୍ରକାର ପ୍ରତିଦାନ ଦେଉଛୁ ?

ନୈତିକ ଦାୟିତ୍ବ

 ନୈତିକ ଦାୟିତ୍ବ

ଆଜିର ଚିନ୍ତା

ଯାତ୍ରା - ୨୨:୧୬-୨୪:୯

ମୋ' ମଣ୍ଡଳୀର ଅଭିବୃଦ୍ଧିରେ ମୋର ଯୋଗଦାନ କିପରି ?


ପରମେଶ୍ୱର ଇସ୍ରାଏଲୀୟମାନଙ୍କର ସାମାଜିକ ଜୀବନରେ ଥିବା କର୍ତ୍ତବ୍ୟକୁ ପାଳନ କରିବା ପାଇଁ ଏହି ଅଂଶରେ ସ୍ମରଣ କରାଇ ଦେଇଛନ୍ତି । ସମାଜ ମଧ୍ୟରେ ଥିବା ଆମ୍ଭମାନଙ୍କର ଦାୟିତ୍ବକୁ ଆମ୍ଭେମାନେ କିପ୍ରକାର ଭାବରେ ସଂପାଦନ କରି ସାମାଜିକ ଶୃଙ୍ଖଳା ଓ ନିଜର ସହିତ ଅନ୍ୟର ମଙ୍ଗଳ ସାଧନ କରିପାରିବା ତାହା ଈଶ୍ଵର ଶିକ୍ଷା ଦେଇଛନ୍ତି । 


ଈଶ୍ୱରଙ୍କ ବିରୁଦ୍ଧରେ ଅପରାଧ : ଯଦି ଜଣେ ମନୁଷ୍ୟ ଅସଙ୍ଗତ କାର୍ଯ୍ୟ କରେ ବା ସଦାପ୍ରଭୁ ଯାହା ଘୃଣା କରନ୍ତି, ସେ ପ୍ରକାର କାର୍ଯ୍ୟ କରେ କିମ୍ବା ସଦାପ୍ରଭୁଙ୍କୁ ଛାଡ଼ି ଅନ୍ୟ ଦେବତାର ନିକଟରେ ବଳିଦାନ କରେ, ତେବେ ତାହା ସତ୍ୟ, ଜୀବିତ ପରମେଶ୍ୱରଙ୍କ ବିରୁଦ୍ଧରେ ଏକ ଦଣ୍ଡନୀୟ ଅପରାଧ ଅଟେ (ଗାଲାତୀୟ ୧:୬-୯) । ତେଣୁ ସମାଜରେ ଆମ୍ଭେମାନେ ନୈତିକ ମୂଲ୍ୟବୋଧକୁ ଗୁରୁତ୍ଵ ଦେଇ ନିଜର ଜୀବନକୁ ସୁଧାରି ଉପଯୁକ୍ତ କାର୍ଯ୍ୟ କରିବା ସହ ଈଶ୍ୱରଙ୍କ ଜୀବନରେ ପ୍ରଥମ ଓ ପ୍ରଧାନ ସ୍ଥାନ ଦେବା ଉଚିତ୍ । 


ସହମାନବ ବିରୁଦ୍ଧରେ ଅପରାଧ : ଆମ୍ଭେମାନେ ସମାଜରେ ବାସ କରୁଥିବା ସମୟରେ ଆମ୍ଭମାନଙ୍କ ଜୀବନରେ ମାନବିକତାର ଗୁଣଗୁଡ଼ିକ ରହିବା ଆବଶ୍ୟକ । ଯଦି ଆମ୍ଭେମାନେ ଅମାନବୀୟ ବ୍ୟବହାର କରୁ, ପରମେଶ୍ୱର ସେମାନଙ୍କର ପ୍ରାର୍ଥନା ଶୁଣି ଆମ୍ଭମାନଙ୍କୁ ଦଣ୍ଡିତ କରିବେ (ଯିରିମିୟ ୭:୫-୭) । କାରଣ ଯେ ଦୟା କରେ ନାହିଁ, ସେ ନିର୍ଦ୍ଧୟରୂପେ ବିଚରିତ ହେବ (ଯାକୁବ ୨:୧୩) । ବିଧବା, ଦରିଦ୍ର, ଅଭାବଗ୍ରସ୍ତ ପାଇଁ ଈଶ୍ୱର ଗଭୀର ଦୟା, ଓ ପ୍ରେମ ପ୍ରକାଶ କରନ୍ତି । ସେମାନଙ୍କୁ ସୁରକ୍ଷା ଦେବା ପାଇଁ ଆଜି ଆମ୍ଭେମାନେ ସେମାନଙ୍କ ପ୍ରତି କିପ୍ରକାର ବ୍ୟବହାର କରୁଛୁ, ତାହା ଚିନ୍ତା କରିବା । 


ଈଶ୍ୱରଙ୍କୁ ଓ ଆଇନ୍ କୁ ସମ୍ମାନ ଦେବା : ଆମ୍ଭେମାନେ ସର୍ବଦା ପରମେଶ୍ବରଙ୍କ ଆଜ୍ଞାକୁ ଜୀବନରେ ପାଳନ କରି ତାଙ୍କୁ ଓ ତାଙ୍କ ଦ୍ଵାରା ପ୍ରଦତ୍ତ ନିୟମ ବା ଆଇନ୍ କୁ ସମ୍ମାନ ଦେବା ଉଚିତ୍ । ନିଜର ପ୍ରଥମ ଜାତ ପୁତ୍ରମାନଙ୍କୁ ତାଙ୍କରି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ଉଚିତ୍ । ପୁଣି ଅନ୍ୟାୟ ଭାବରେ ଦରିଦ୍ର ବିରୁଦ୍ଧରେ ଯାଉଥିବା ଦୁଷ୍ଟକୁ ସାହାଯ୍ୟ କରିବା । ଜଣେ ବିଶ୍ୱାସୀ ଭାବରେ କୌଣସି କାର୍ଯ୍ୟ ପାଇଁ ଲାଞ୍ଚ ନେବା ଅନୁଚିତ୍ ଅଟେ । କାରଣ ଈଶ୍ଵର ସମସ୍ତ ବିଷୟ ଦେଖୁଛନ୍ତି । ସେ ମୁଖାପେକ୍ଷା ନ କରି ପ୍ରତ୍ୟେକ ଲୋକର କର୍ମନୁସାରେ ବିଚାର କରିବେ (୧ ପିତର ୧:୧୭) । ପୁଣି ମିଥ୍ୟା ବିଷୟରୁ ନିଜକୁ ଦୂରେଇ ରଖିବା ସହ ଦୟା ଓ ନ୍ୟାୟସଙ୍ଗତ ଅନ୍ୟ ପ୍ରତି ବ୍ୟବହାର କରିବା ଆବଶ୍ୟକ । 

ଯୀଶୁ ଖ୍ରୀଷ୍ଟଙ୍କର ସାତୋଟି ସନ୍ତାପ

 SEVEN OWES OF JESUS CHRIST

ଯୀଶୁ ଖ୍ରୀଷ୍ଟଙ୍କର ସାତୋଟି ସନ୍ତାପ
ସନ୍ଦର୍ଭବିଶ୍ଳେଷଣ
ମାଥିଉ ୨୩:୧୩ସ୍ଵର୍ଗରାଜ୍ୟ ପ୍ରବେଶ କରିବାକୁ ଇଚ୍ଛା କରୁଥିବା ଲୋକମାନଙ୍କୁ ସୁଦ୍ଧା ପ୍ରବେଶ କରାଇ ଦେଉ ନାହଁ କି ନିଜେ ମଧ୍ୟ ପ୍ରବେଶ କରୁ ନାହଁ
ମାଥିଉ ୨୩:୧୫ତୁମ୍ଭେମାନେ ଅନ୍ୟ ଜଣକୁ ତୁମ୍ଭମାନଙ୍କର ଧର୍ମାବଲମ୍ବୀ କରିବା ପାଇଁ ଭ୍ରମଣ କରୁଥାଅ
ମାଥିଉ ୨୩:୧୬-୨୨ଈଶ୍ବରଙ୍କ ବାକ୍ୟ ବଦଳରେ ମନୁଷ୍ୟକୃତ ପରମ୍ପରାକୁ ଅନୁସରଣ କରିବାକୁ ଈଶ୍ବରଙ୍କ ଲୋକଙ୍କୁ ଅନ୍ଧ ଭାବରେ ଆଗେଇ ନିଅ |
ମାଥିଉ ୨୩: ୨୩, ୨୪ପ୍ରତ୍ୟେକ ଶେଷ ବିବରଣୀରେ ନିଜକୁ ଜଡିତ ଏବଂ ପ୍ରକୃତରେ ଥିବା ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଅଣଦେଖା କରିଥାଅ: ନ୍ୟାୟ, ଦୟା ଏବଂ ବିଶ୍ୱାସ |
ମାଥିଉ ୨୩: ୨୫, ୨୬ତୁମର ବ୍ୟକ୍ତିଗତ ଜୀବନ ଦୁର୍ନୀତିଗ୍ରସ୍ତ ଥିବାବେଳେ ସତ୍ତ୍ୱେ ତୁମ୍ଭେ ତୁମ୍ଭର ବାହ୍ୟ ଜୀବନ ଦୃଶ୍ୟମାନ କରିଥାଅ
ମାଥିଉ ୨୩: ୨୭, ୨୮ବାହାରେ ଲୋକଙ୍କ ଦୃଷ୍ଟିରେ ଧାର୍ମିକ ଦେଖାଯାଅ, କିନ୍ତୁ ଭିତରେ କପଟ ଓ ଅଧର୍ମରେ ପରିପୂର୍ଣ୍ଣ
ମାଥିଉ ୨୩: ୨୯-୩୬ତୁମ୍ଭେ ଅତୀତର ଇତିହାସରୁ ଶିଖିବାର ଛଳନା କରିଥାଅ, କିନ୍ତୁ ତୁମର ବର୍ତ୍ତମାନର ଆଚରଣ ଦର୍ଶାଏ ଯେ ତୁମେ କିଛି ଶିଖି ନାହଁ |
ଯେତେବେଳେ ଯୀଶୁ ଧାର୍ମିକ ନେତାମାନଙ୍କୁ “ସାତ ସନ୍ତାପ” ବିଷୟରେ କହିଥିଲେ ସେତେବେଳେ ସେ ଈଶ୍ବରଙ୍କ କ୍ରୋଧର ଗ୍ୟାରେଣ୍ଟି ଦେବା ପାଇଁ ଯୀଶୁ ସାତୋଟି ଉପାୟ ଉଲ୍ଲେଖ କରିଥିଲେ | ଏହି ସାତଟି ବକ୍ତବ୍ୟ ଦୃଢ ଏବଂ ଅବିସ୍ମରଣୀୟ ଥିଲା | ସେଗୁଡିକ ଏପର୍ଯ୍ୟନ୍ତ ମଧ୍ୟ ପ୍ରଯୁଜ୍ୟ ଯେତେବେଳେ ଆମେ ଧର୍ମର ଅଭ୍ୟାସକୁ ସିଦ୍ଧ କରିବାରେ ଜଡିତ ହେଉ । ଏବଂ ଆମେ ଭୁଲିଯାଉ ଯେ ଈଶ୍ଵର ଦୟା, ପ୍ରକୃତ ପ୍ରେମ ଏବଂ କ୍ଷମା ସହିତ ମଧ୍ୟ ଚିନ୍ତିତ |

ଯଥୋଚିତ ବ୍ୟବହାର

 ଯଥୋଚିତ ବ୍ୟବହାର 

ଆଜିର ଚିନ୍ତା


ଯାତ୍ରା ୨୧: ୩୩-୨୨:୧୫


ମୁଁ ପରମେଶ୍ୱରଙ୍କ ନିୟମ ଓ ଦେଶର ଆଇନ୍ କୁ  ସମ୍ମାନ ଦେଇ ଜୀବନ କାଟୁଛି କି ?


ପରମେଶ୍ୱର ଇସ୍ରାଏଲୀୟମାନଙ୍କର ସାମାଜିକ ଜୀବନକୁ ଶୃଙ୍ଖଳିତ ଓ ସେମାନଙ୍କ ମଧ୍ୟରେ କିଛି ବିବାଦ ଉପୁଜିଲେ ତାହାର ନ୍ୟାୟସଂଗତ ସମାଧାନ କରିବା ପାଇଁ ଏହିସବୁ ଆଇନ୍ ବା ନିୟମ ମୋଶାଙ୍କ ଦ୍ଵାରା ପ୍ରଦାନ କରିଥିଲେ । ଏହି ଆଇନ୍ ଅନୁସାରେ ଈଶ୍ୱରଙ୍କ ଲୋକମାନେ ଅନ୍ୟ ପ୍ରତି କୋମଳ ଓ ଦୟାର ମନୋଭାବ ପୋଷଣ କରିବା ପାଇଁ ସର୍ବଦା ପ୍ରସ୍ତୁତ ରହିବା ଆବଶ୍ୟକ।  କାରଣ ଈଶ୍ୱରଙ୍କ ଆତ୍ମିକ ଶକ୍ତି ଆମ୍ଭମାନଙ୍କୁ ଅଧର୍ମ ଓ ସାଂସାରିକ ଅଭିଳାଷ ଦ୍ଵାରା ପରିଚାଳିତ ହେବାକୁ ନ ଦେଇ ବର୍ତ୍ତମାନ ଜଗତର ସୁବୁଦ୍ଧି, ଧାର୍ମିକ ଓ ଈଶ୍ଵର ପରାୟଣ ଜୀବନ କାଟିବା ପାଇଁ ସାହାଯ୍ୟ କରିଥାଏ (ତୀତସ ୨:୧୨) । 


ବ୍ୟକ୍ତିଗତ ଧନ ସମ୍ପତ୍ତିର ସୁରକ୍ଷା ନିମନ୍ତେ ଆଇନ୍ : 

ଚୋରି ନ କରିବା ପାଇଁ ପରମେଶ୍ୱର ଦଶ ଆଜ୍ଞାରେ କହିଥିଲେ । ଏଠାରେ ଇସ୍ରାଏଲୀୟମାନଙ୍କର ବିଚାର କରିବା ସମୟରେ ବିଚାରକର୍ତ୍ତାମାନଙ୍କୁ ଏକ ସ୍ଵତନ୍ତ୍ର ନିୟମକୁ ଅନୁସରଣ କରିବାକୁ ଆଜ୍ଞା ଦିଆଯାଇଛି । ଯଦ୍ଦ୍ୱାରା ସେମାନଙ୍କର ଦୈନନ୍ଦିନ ଜୀବନକୁ ଦେଶର ଶାସନ ବ୍ୟବସ୍ଥା  ନ୍ୟାୟ ଓ ସୁରକ୍ଷା ଦେଇପାରିବ । ଯଦି ଜଣେ ବ୍ୟକ୍ତି ଅନ୍ୟର ବିରୁଦ୍ଧରେ ଭୁଲ କରି ତାହାର ଜୀବନ, ଜୀବିକା ଉପରେ ଆଞ୍ଚ ଆଣେ ତେବେ ସେ ତାହାର ବହୁଗୁଣ ଫେରାଇ ଭୁଲ ସ୍ୱୀକାର କରି ଦଣ୍ଡିତ ହେବ । 


ଅନ୍ୟର କ୍ଷତି ନ କରିବା ଆଇନ୍ : 

ନୈତିକତା ଦଷ୍ଟିକୋଣରୁ ଜଣେ ବ୍ୟକ୍ତି ସ୍ୱାର୍ଥପର ନ ହୋଇ ନିଜର ସମ୍ପତ୍ତିକୁ ଯେପରି ସୁରକ୍ଷା ଦେଇଥାଏ, ସେହିପରି ପଡ଼ୋଶୀର ଧନ ସମ୍ପତ୍ତିକୁ ମଧ୍ୟ କ୍ଷତି ନ ପହଞ୍ଚାଇ ସୁରକ୍ଷା ଦେବା ଉଚିତ୍ । ଯଦି ଆମ୍ଭେମାନେ ପଡ଼ୋଶୀର କୌଣସି ଦ୍ରବ୍ୟ ବ୍ୟବହାର କରିବାକୁ ଆଣିଥାଉ, ତେବେ ତାହାକୁ ଉପଯୁକ୍ତ ଯତ୍ନ ସହକାରେ ବ୍ୟବହାର କରି ଫେରାଇ ଦେବା ଉଚିତ୍ । ଯଦି ଆମ୍ଭମାନଙ୍କ ବିରୁଦ୍ଧରେ କେହି କିଛି ଅନ୍ୟାୟ ବା ଭୁଲ୍ କାର୍ଯ୍ୟ କରେ, ତେବେ ଆମ୍ଭେମାନେ ବିଚାରାଳୟରେ ତାହା ବିରୁଦ୍ଧରେ ଅଭିଯୋଗ କରିବା ପାଇଁ ଅବା ଅବିଶ୍ୱାସୀମାନଙ୍କ ନିକଟକୁ ତାହା ସମାଧାନ କରିବାକୁ ନ ଯାଇ ମଣ୍ଡଳୀରେ ଥିବା ଜ୍ଞାନୀ ଲୋକମାନଙ୍କ ଦ୍ବାରା ତାହାର ସମାଧାନ  କରିବା ଉଚିତ୍ । 


ଶେଷରେ ଈଶ୍ୱରଙ୍କ ବାକ୍ୟ ଆମ୍ଭମାନଙ୍କୁ ଏହି ଶିକ୍ଷା ଦିଏ ଯେ, ଈଶ୍ଵର ଯଦି ଆମ୍ଭମାନଙ୍କ ସହିତରେ ଅଛନ୍ତି, ତେବେ ତାହା ଆମ୍ଭମାନଙ୍କ ଆତ୍ମାର ସମସ୍ତ ଆବଶ୍ୟକତାକୁ ପୂର୍ଣ୍ଣ କରିବା ପାଇଁ ଯଥେଷ୍ଟ ଅଟେ ।