BN

ଯଥୋଚିତ ବ୍ୟବହାର

 ଯଥୋଚିତ ବ୍ୟବହାର 

ଆଜିର ଚିନ୍ତା


ଯାତ୍ରା ୨୧: ୩୩-୨୨:୧୫


ମୁଁ ପରମେଶ୍ୱରଙ୍କ ନିୟମ ଓ ଦେଶର ଆଇନ୍ କୁ  ସମ୍ମାନ ଦେଇ ଜୀବନ କାଟୁଛି କି ?


ପରମେଶ୍ୱର ଇସ୍ରାଏଲୀୟମାନଙ୍କର ସାମାଜିକ ଜୀବନକୁ ଶୃଙ୍ଖଳିତ ଓ ସେମାନଙ୍କ ମଧ୍ୟରେ କିଛି ବିବାଦ ଉପୁଜିଲେ ତାହାର ନ୍ୟାୟସଂଗତ ସମାଧାନ କରିବା ପାଇଁ ଏହିସବୁ ଆଇନ୍ ବା ନିୟମ ମୋଶାଙ୍କ ଦ୍ଵାରା ପ୍ରଦାନ କରିଥିଲେ । ଏହି ଆଇନ୍ ଅନୁସାରେ ଈଶ୍ୱରଙ୍କ ଲୋକମାନେ ଅନ୍ୟ ପ୍ରତି କୋମଳ ଓ ଦୟାର ମନୋଭାବ ପୋଷଣ କରିବା ପାଇଁ ସର୍ବଦା ପ୍ରସ୍ତୁତ ରହିବା ଆବଶ୍ୟକ।  କାରଣ ଈଶ୍ୱରଙ୍କ ଆତ୍ମିକ ଶକ୍ତି ଆମ୍ଭମାନଙ୍କୁ ଅଧର୍ମ ଓ ସାଂସାରିକ ଅଭିଳାଷ ଦ୍ଵାରା ପରିଚାଳିତ ହେବାକୁ ନ ଦେଇ ବର୍ତ୍ତମାନ ଜଗତର ସୁବୁଦ୍ଧି, ଧାର୍ମିକ ଓ ଈଶ୍ଵର ପରାୟଣ ଜୀବନ କାଟିବା ପାଇଁ ସାହାଯ୍ୟ କରିଥାଏ (ତୀତସ ୨:୧୨) । 


ବ୍ୟକ୍ତିଗତ ଧନ ସମ୍ପତ୍ତିର ସୁରକ୍ଷା ନିମନ୍ତେ ଆଇନ୍ : 

ଚୋରି ନ କରିବା ପାଇଁ ପରମେଶ୍ୱର ଦଶ ଆଜ୍ଞାରେ କହିଥିଲେ । ଏଠାରେ ଇସ୍ରାଏଲୀୟମାନଙ୍କର ବିଚାର କରିବା ସମୟରେ ବିଚାରକର୍ତ୍ତାମାନଙ୍କୁ ଏକ ସ୍ଵତନ୍ତ୍ର ନିୟମକୁ ଅନୁସରଣ କରିବାକୁ ଆଜ୍ଞା ଦିଆଯାଇଛି । ଯଦ୍ଦ୍ୱାରା ସେମାନଙ୍କର ଦୈନନ୍ଦିନ ଜୀବନକୁ ଦେଶର ଶାସନ ବ୍ୟବସ୍ଥା  ନ୍ୟାୟ ଓ ସୁରକ୍ଷା ଦେଇପାରିବ । ଯଦି ଜଣେ ବ୍ୟକ୍ତି ଅନ୍ୟର ବିରୁଦ୍ଧରେ ଭୁଲ କରି ତାହାର ଜୀବନ, ଜୀବିକା ଉପରେ ଆଞ୍ଚ ଆଣେ ତେବେ ସେ ତାହାର ବହୁଗୁଣ ଫେରାଇ ଭୁଲ ସ୍ୱୀକାର କରି ଦଣ୍ଡିତ ହେବ । 


ଅନ୍ୟର କ୍ଷତି ନ କରିବା ଆଇନ୍ : 

ନୈତିକତା ଦଷ୍ଟିକୋଣରୁ ଜଣେ ବ୍ୟକ୍ତି ସ୍ୱାର୍ଥପର ନ ହୋଇ ନିଜର ସମ୍ପତ୍ତିକୁ ଯେପରି ସୁରକ୍ଷା ଦେଇଥାଏ, ସେହିପରି ପଡ଼ୋଶୀର ଧନ ସମ୍ପତ୍ତିକୁ ମଧ୍ୟ କ୍ଷତି ନ ପହଞ୍ଚାଇ ସୁରକ୍ଷା ଦେବା ଉଚିତ୍ । ଯଦି ଆମ୍ଭେମାନେ ପଡ଼ୋଶୀର କୌଣସି ଦ୍ରବ୍ୟ ବ୍ୟବହାର କରିବାକୁ ଆଣିଥାଉ, ତେବେ ତାହାକୁ ଉପଯୁକ୍ତ ଯତ୍ନ ସହକାରେ ବ୍ୟବହାର କରି ଫେରାଇ ଦେବା ଉଚିତ୍ । ଯଦି ଆମ୍ଭମାନଙ୍କ ବିରୁଦ୍ଧରେ କେହି କିଛି ଅନ୍ୟାୟ ବା ଭୁଲ୍ କାର୍ଯ୍ୟ କରେ, ତେବେ ଆମ୍ଭେମାନେ ବିଚାରାଳୟରେ ତାହା ବିରୁଦ୍ଧରେ ଅଭିଯୋଗ କରିବା ପାଇଁ ଅବା ଅବିଶ୍ୱାସୀମାନଙ୍କ ନିକଟକୁ ତାହା ସମାଧାନ କରିବାକୁ ନ ଯାଇ ମଣ୍ଡଳୀରେ ଥିବା ଜ୍ଞାନୀ ଲୋକମାନଙ୍କ ଦ୍ବାରା ତାହାର ସମାଧାନ  କରିବା ଉଚିତ୍ । 


ଶେଷରେ ଈଶ୍ୱରଙ୍କ ବାକ୍ୟ ଆମ୍ଭମାନଙ୍କୁ ଏହି ଶିକ୍ଷା ଦିଏ ଯେ, ଈଶ୍ଵର ଯଦି ଆମ୍ଭମାନଙ୍କ ସହିତରେ ଅଛନ୍ତି, ତେବେ ତାହା ଆମ୍ଭମାନଙ୍କ ଆତ୍ମାର ସମସ୍ତ ଆବଶ୍ୟକତାକୁ ପୂର୍ଣ୍ଣ କରିବା ପାଇଁ ଯଥେଷ୍ଟ ଅଟେ ।

ଦାସ ନା ପୁତ୍ର

 ଦାସ ନା ପୁତ୍ର

ଆଜିର ଚିନ୍ତା


ଯାତ୍ରା ୨୧:।  ୧-୩୨


ଈଶ୍ୱରଙ୍କ ସନ୍ତାନ ଭାବେ ମୋର ଅନ୍ୟମାନଙ୍କ ପ୍ରତି ବ୍ୟବହାର କିପରି ?


ଈଶ୍ଵର ମିସର ଦେଶର ଦାସତ୍ୱ ବନ୍ଧନରୁ ଇସ୍ରାଏଲୀୟମାନଙ୍କୁ ଉଦ୍ଧାର କରିଥିବାରୁ, ସେମାନେ ସେହି ଦୁଃଖ ଦିନ ସମୂହକୁ ସ୍ମରଣ କରି, ନିଜ କ୍ରୀତଦାସମାନଙ୍କର ଅଧିକାର ଓ ସ୍ବାଭିମାନକୁ ମଧ୍ୟ ସମ୍ମାନ ଦେବା ଉଚିତ୍ ବୋଲି  ପରମେଶ୍ୱର ସୂଚାଇ ଦେଉଛନ୍ତି । ଯେ ତୁମ୍ଭକୁ ଦାସଗୃହ ସ୍ୱରୂପ ମିସର ଦେଶରୁ ବାହାର କରି ଆଣିଛନ୍ତି, ତୁମ୍ଭର ସେହି ସଦାପ୍ରଭୁ ପରମେଶ୍ୱର ଆମ୍ଭେ (ଯାତ୍ରା ୨୦:୧) ।


ବନ୍ଧନ ନୁହେଁ ମାତ୍ର ପ୍ରେମ :

 ଈଶ୍ଵର ଆପଣା ଲୋକମାନଙ୍କୁ ଦାସତ୍ଵ ଯୁଆଳିରୁ ମୁକ୍ତ କରିଥିବାରୁ ଦାସମାନଙ୍କ ପ୍ରତି କୋମଳ ମନୋଭାବ ପ୍ରକାଶ କରିବା ନିମନ୍ତେ କୁହାଯାଇଛି । କାରଣ ପ୍ରଭୁ ଯୀଶୁ ମଧ୍ୟ କହନ୍ତି, ମୁଁ ତୁମ୍ଭମାନଙ୍କୁ ଆଉ ଦାସ ବୋଲି କହୁ ନାହିଁ….. କିନ୍ତୁ ମୁଁ ତୁମ୍ଭମାନଙ୍କୁ ବନ୍ଧୁ ବୋଲି କହିଅଛି….(ଯୋହନ୧୫:୧୫)। ଜଣେ ପ୍ରକୃତ ଖ୍ରୀଷ୍ଟ ବିଶ୍ୱାସୀ ନିଜ ଦାସକୁ ଭାଇ ବନ୍ଧୁ ପରି ସମାଦର କରିବା ଉଚିତ୍ । ଦାସ ମୁନିବର ବଶୀଭୂତ ହେବା ଯେତିକି ପ୍ରୟୋଜନ, ମୁନିବ ମଧ୍ୟ ଦାସର ବିଶ୍ଵସ୍ତତା ହେତୁ ତାକୁ ଦୟା ପ୍ରଦର୍ଶନ କରିବା ସେତିକି ପ୍ରୟୋଜନ । ମୁନିବର ବ୍ୟବହାର ତାକୁ ପରିବର୍ତ୍ତନ କରିବ । ପାଉଲ ମଧ୍ୟ ଫୀଲିମୋନଙ୍କ ନିକଟକୁ ପତ୍ର ଲେଖିଲେ, ଯେପରି ସେ ଅନୀସିମକୁ ଦାସ ପରି ନୁହେଁ, ମାତ୍ର ପ୍ରିୟ ଭ୍ରାତା ପରି ଗ୍ରହଣ କରନ୍ତି (ଫିଲିମୋନ ୧୧-୧୨)


ବନ୍ଧନ ନୁହେଁ ମାତ୍ର ସ୍ଵାଧୀନତା : 

ଦାସତ୍ୱ ବନ୍ଧନରୁ ମୁକ୍ତ ହେବାକୁ ନ ଚାହିଁବା ଦାସର ମୁନିବ ପ୍ରତି ତା'ର ଆନୁଗତ୍ୟକୁ ପ୍ରକାଶ କରେ । ଯେତେବେଳେ ଜଣେ ବ୍ୟକ୍ତି ପରିତ୍ରାଣ ପାଏ, ସେ ଅନୁଭବ କରେ ଯେ, ସେ ନିଜ ନିଜର ନୁହେଁ । ସେତେବେଳେ ସେ ଏହି ମହାନ ସ୍ଵାଧୀନତାକୁ ପାଇଥାଏ । ଶିଷ୍ୟମାନଙ୍କ ଭଳି ଆମେ କହିବାକି, ପ୍ରଭୁ ତୁମ୍ଭକୁ ଛାଡ଼ି କେଉଁଆଡେ ଯିବୁ ? ତୁମ୍ଭଠାରେ ଅନନ୍ତ ଜୀବନର ବାକ୍ୟ ଅଛି । ଏହି ମୋର ପ୍ରତିକ୍ରିୟା କି ? ଅପବ୍ୟୟୀ ପୁତ୍ର ପରି ମୁଁ ପିତାଙ୍କ ନିକଟକୁ ଫେରି ଆସିବି କି ?


ଆଜ୍ଞାପାଳନ

 ଆଜ୍ଞାପାଳନ

ଆଜିର ଚିନ୍ତା


ଯାତ୍ରା ୨୦:୧-୨୬


ମୁଁ ଈଶ୍ୱରଙ୍କ ଆଜ୍ଞା ପାଳନ କରୁଛି କି ? 


ଆଧ୍ୟାତ୍ମିକ ଭାବେ ପରିଚାଳିତ ହେବା ନିମନ୍ତେ ଈଶ୍ୱରଙ୍କ ବାକ୍ୟ ଆମର ପଥ ପ୍ରଦର୍ଶକ । ମନୁଷ୍ୟର ଧର୍ମମୟ ଜୀବନ, ଓ ଆଚରଣକୁ ଈଶ୍ୱରଙ୍କ ଆଜ୍ଞା ପ୍ରଭାବିତ କରିଥାଏ । ସ୍ୱର୍ଗସ୍ଥ ପିତା ଆମର ନୈତିକ ଆଚରଣ ଦ୍ଵାରା ତାହାଙ୍କ ଆଜ୍ଞା ପ୍ରତି ଥିବା ବିଶ୍ଵସ୍ତତାକୁ ପରଖି ଥା' ନ୍ତି । ଈଶ୍ଵର ଆମ ବାଧ୍ୟତା ଅବାଧ୍ୟତାର ପରିମାପକ ଅଟନ୍ତି । ସେ ଆମ ବାଧ୍ୟତାର ପୁରସ୍କାର ଦାତା ଓ ଅବାଧ୍ୟତାର ପ୍ରତିଫଳଦାତା । 


ଯାତ୍ରା ୨୦ ପର୍ବରେ ବର୍ଣ୍ଣିତ ଈଶ୍ଵରଦତ୍ତ ୧୦ ଗୋଟି ଆଜ୍ଞା ମଧ୍ୟରୁ ପ୍ରଥମ ଚାରୋଟି ଆଜ୍ଞା ଈଶ୍ୱରଙ୍କ ପ୍ରତି ଆମର ଆଚରଣ ଓ ପରବର୍ତ୍ତୀ ଛଅଟି ଆଜ୍ଞା ଆମର ପରସ୍ପର ପ୍ରତି ବ୍ୟବହାରକୁ ଦର୍ଶାଇଥିଲେ । 


ଈଶ୍ୱରଙ୍କ ପ୍ରତି ମନୁଷ୍ୟର କର୍ତ୍ତବ୍ୟ : 

ଈଶ୍ୱରଙ୍କ ବାକ୍ୟ ପବିତ୍ର ନ୍ୟାୟସଙ୍ଗତ ଓ ଉତ୍ତମ (ରୋମୀ ୭:୧୨) । ଏହି ଆଜ୍ଞାଗୁଡିକ ଇସ୍ରାଏଲ ଓ ସମଗ୍ର ମାନବ ଜାତି ନିମନ୍ତେ ଈଶ୍ୱରଙ୍କ ଉପହାର ସ୍ୱରୂପ । ଯଦି ଆମେ ଏହି ଆଦେଶଗୁଡ଼ିକ ପାଳନ କରୁ ତେବେ ଜଗତ ପରିବର୍ତ୍ତିତ ଓ ସୁନ୍ଦର ହେବା ସହ ଈଶ୍ଵରଙ୍କ ନିମନ୍ତେ ଆମ ଜୀବନ ପବିତ୍ର ହେବ ଓ ଆମେ ଈଶ୍ୱରଙ୍କ ରାଜ୍ୟର ପ୍ରଜା ହୋଇପାରିବା । ମନୁଷ୍ୟ ପ୍ରତି ଈଶ୍ୱରଙ୍କ ମନୋଭାବ ଓ ଇଚ୍ଛାକୁ ପ୍ରକାଶ କରୁଥିବା ଏହି ଦଶଗୋଟି ଆଜ୍ଞା ମନୁଷ୍ୟକୁ ପଥ କଢ଼ାଇ ନେଉଥିବା ଏକ ଦୀପ ସଦୃଶ୍ୟ । ଏହା ଆମ ନୈତିକ ବିଫଳତା ଓ ତ୍ରାଣକର୍ତ୍ତାଙ୍କ ଆବଶ୍ୟକତାକୁ ଦର୍ଷାଉଥିବା ଦର୍ପଣ ଅଟେ । ତେଣୁ ସେହି ଅଦ୍ୱିତୀୟ ଈଶ୍ୱରଙ୍କୁ ଆମେ ପ୍ରେମ ଓ ସମାଦର କରିବା ଆବଶ୍ୟକ ।


ସହମାନବ ପ୍ରତି କର୍ତ୍ତବ୍ୟ :

 ଖ୍ରୀଷ୍ଟଙ୍କ ଈଶ୍ଵରତତ୍ତ୍ୱକୁ ଗ୍ରହଣ, ସ୍ଵୀକାର ଓ ଈଶ୍ୱରଙ୍କ ଆଜ୍ଞପାଳନ ଖ୍ରୀଷ୍ଟୀୟ ବିଶ୍ଵାସ ମୂଳତତ୍ତ୍ୱ । ଫିଲିପୀୟ ୩:୬ - ନିଜକୁ ବ୍ୟବସ୍ଥାଗତ ଧାର୍ମିକତା ସମ୍ବନ୍ଧରେ ନିର୍ଦ୍ଦୋଷ ପରିଚୟ ଦେଉଥିବା ପାଉଲ, ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ ଦ୍ଵାରା ଧାର୍ମିକତା ପ୍ରାପ୍ତି ବିଷୟରେ ସୂଚନା ଦେଇଛନ୍ତି । ତେଣୁ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ ସହ ବାକ୍ୟକୁ ପାଳନ କରିବା ଦ୍ୱାରା ଜଣେ ଉପଯୁକ୍ତ ଖ୍ରୀଷ୍ଟୀୟ ଜୀବନ କାଟିପାରିବ । ଯଦ୍ଵାରା ସହମାନବ ପ୍ରତିଥିବା ତା' ର କର୍ତ୍ତବ୍ୟକୁ ପାଳନ କରିପାରିବ ।


ଈଶ୍ୱରଙ୍କ ସହ ଚୁକ୍ତି

ଈଶ୍ୱରଙ୍କ ସହ ଚୁକ୍ତି

ଆଜିର ଚିନ୍ତା

ଯାତ୍ରା ୧୯:୧-୨୫

ମୋର ଈଶ୍ୱରଙ୍କ ସହିତ ଚୁକ୍ତିର ସର୍ତ୍ତଗୁଡ଼ିକ ମୁଁ ମାନିବାକୁ ପ୍ରସ୍ତୁତ କି ? 

ଇସ୍ରାଏଲୀୟମାନେ ମିସର ଦେଶରୁ ବାହାର ହୋଇ ସୀନୟ ପ୍ରାନ୍ତରରେ ଉପସ୍ଥିତ ହେବା ପରେ, ଈଶ୍ଵର ମୋଶାଙ୍କୁ ଡାକି ଇସ୍ରାଏଲ ସନ୍ତାନଗଣ ନିକଟରେ ତାଙ୍କର ନିୟମର ଚୁକ୍ତିକୁ ପ୍ରକାଶ କରିବାକୁ ଆଜ୍ଞା ଦେଲେ । ପୂର୍ବରୁ ଈଶ୍ଵର ଅବ୍ରାହମ ଓ ତାଙ୍କର ବଂଶଧରମାନଙ୍କ ସହିତ ମଧ୍ୟ ଏହିପ୍ରକାର ନିୟମ କରିଥିଲେ (ଆଦି ୧୭:୧-୯) ବର୍ତ୍ତମାନ ଇସ୍ରାଏଲୀୟମାନେ ଯେପରି ସେହି ନିୟମକୁ ମାନି ଜୀବନଯାପନ କରିବେ ଓ ଈଶ୍ୱରଙ୍କର ଆଶୀର୍ବାଦ ପ୍ରାପ୍ତ ହେବେ, ତାହା ସେ ଇଛା କରୁଥଲେ । 

ଈଶ୍ୱରଙ୍କ ରବରେ ମନଯୋଗ କରିବା : 

ଈଶ୍ଵର କିପରି ମୋଶାଙ୍କ ଦ୍ଵାରା ଆଶ୍ଚର୍ଯ୍ୟକର୍ମ କରି ମିସର ଦେଶରୁ ଇସ୍ରାଏଲୀୟମାନଙ୍କୁ ବାହାର କରୁ ଆଣିଲେ ଓ ସେମାନଙ୍କର ଯତ୍ନ ନେଲେ, ଏହା ତାଙ୍କର ମହାନ୍ ପ୍ରେମକୁ ପ୍ରକାଶ କରେ। ଆମ୍ଭମାନଙ୍କର ପ୍ରତ୍ୟେକଙ୍କର ଜୀବନରେ ଈଶ୍ୱରଙ୍କ ଏକ ଯୋଜନା ରହିଛି । ଯଦି ଆମ୍ଭେମାନେ ତାଙ୍କର ବାକ୍ୟ ଶୁଣି ସେହି ବାକ୍ୟରେ ମନଯୋଗ କରିବା, ତେବେ ସେ ଆମ୍ଭମାନଙ୍କର ପରମେଶ୍ୱର ହେବେ । ସେ ଆମ୍ଭମାନଙ୍କୁ ପ୍ରଚୁର ଆଶୀର୍ବାଦ କରିବେ ଓ ଆମ୍ଭମାନଙ୍କ ଦ୍ଵାରା ଅନ୍ୟମାନେ ମଧ୍ୟ ଆଶୀର୍ବାଦପ୍ରାପ୍ତ ହେବେ । 

ଈଶ୍ୱରଙ୍କ ଆଜ୍ଞା ପାଳନ କରିବା :

 ଈଶ୍ୱରଙ୍କ ମନୋନୀତ ଲୋକମାନେ ତାଙ୍କର ଆଜ୍ଞା ଓ ନିୟମଗୁଡ଼ିକୁ ପାଳନ କରନ୍ତୁ ବୋଲି ଈଶ୍ଵର ଇଚ୍ଛା କରନ୍ତି । ଯଦ୍ୱାରା ସେମାନେ ସଦାସର୍ବଦା ତାଙ୍କର ଲୋକ ହୋଇ ରହିବେ। ଇସ୍ରାଏଲର ବାଧ୍ୟତା ସେମାନଙ୍କ ନିମନ୍ତେ ଈଶ୍ଵରଙ୍କର ଭବିଷ୍ୟତ ଉଦ୍ଦେଶ୍ୟକୁ ସଫଳ କରିବାରେ ସବୁଠାରୁ ଗୁୁରୁତ୍ୱପୂର୍ଣ୍ଣ ବିଷୟ ଥିଲା । ଈଶ୍ଵର ମିସରରୁ ସେମାନଙ୍କୁ ବାହାର କରି ଆଣିବା ଦିନଠାରୁ ତାଙ୍କର ପ୍ରେମ, ଦୟା, ସୁରକ୍ଷା ବଦଳରେ ସେମାନଙ୍କଠାରୁ ସେ ମଧ୍ୟ ପ୍ରେମ, ବାଧ୍ୟତା ଆଶା କରୁଥିଲେ (ଦ୍ଵି.ବିବରଣ ୬:୫) । ନୂତନ ନିୟମରେ ମଧ୍ୟ ପ୍ରଭୁ ଯୀଶୁ ଆମ୍ଭମାନଙ୍କୁ ତାଙ୍କର ଆଜ୍ଞାଗୁଡ଼ିକୁ ପାଳନ କରି ପାପରୁ ପୃଥକୀକୃତ ଜୀବନ କାଟିବା ପାଇଁ ଆହ୍ଵାନ କରିଛନ୍ତି । 

ନିଜକୁ ପବିତ୍ର କରିବା :

 ଈଶ୍ୱରଙ୍କ ସମସ୍ତ ସର୍ତ୍ତଗୁଡ଼ିକୁ ଇସ୍ରାଏଲୀୟମାନେ ମାନିବା ପାଇଁ ସମ୍ମତ ହେଲେ । ତେଣୁ ସଦାପ୍ରଭୁଙ୍କୁ ସାକ୍ଷାତ କରିବାକୁ ଯିବା ପୂର୍ବରୁ ଲୋକମାନଙ୍କୁ ପବିତ୍ର କରିବା ପାଇଁ ଓ ପ୍ରସ୍ତୁତ ହେବା ପାଇଁ ପରମେଶ୍ୱର ମୋଶାଙ୍କୁ ଆଜ୍ଞା ଦେଲେ । କାରଣ ପବିତ୍ରତା ବିନୁ ଈଶ୍ୱରଙ୍କ ଦର୍ଶନ କରିବା ଅସମ୍ଭବ ।  ଆଜି ଆମ୍ଭେମାନେ ପବିତ୍ର ଈଶ୍ଵରଙ୍କ ଛାମୁକୁ ଆସିବା ସମୟରେ ନିଜର ଜୀବନକୁ କେତେ ଅଧିକ ପବିତ୍ର ରଖିବା ଆବଶ୍ୟକ ତାହା ଚିନ୍ତାର ବିଷୟ । 

ଘଟଣାଗୁଡ଼ିକର କ୍ରମ : ପୁନରୁତ୍ଥାନ ସକାଳ

 Events Order: Resurrection Day

ଘଟଣାଗୁଡ଼ିକର କ୍ରମ : ପୁନରୁତ୍ଥାନ ସକାଳ (ରବିବାର ସକାଳ)
ଚାରୋଟି ସୁସମାଚାରକୁ ମିଶ୍ରଣ କରି ପୁନରୁତ୍ଥାନ ସକାଳର ଘଟଣାଗୁଡ଼ିକର କ୍ରମ ନିମ୍ନଲିଖିତ ପରି ଦେଖାଯାଏ:
ପ୍ରଭାତରେ, ମହିଳାମାନେ ଯୀଶୁଙ୍କ ସମାଧିରେ ତାଙ୍କ ଶରୀରକୁ ଅଭିଷେକ କରିବାକୁ ଯାଇଥିଲେ, ଯଦିଓ ସେମାନେ ଜାଣି ନଥିଲେ ଯେ ସେମାନେ କବର ଭିତରକୁ କିପରି ପ୍ରବେଶ କରିପାରିବେ (ମାର୍କ ୧୬:୨-୩) | ଏହି ତିନିଜଣ ଥିଲେ, ମଗ୍ଦଲୀନୀ ମରିୟମ, ମରିୟମ (ଯାକୁବଙ୍କ ମାତା, ମାର୍କ ୧୬:୧; ଲୂକ ୨୪:୧୦), ଏବଂ ଶାଲୋମୀ, ଏବଂ ଅନ୍ୟ ମହିଳାମାନେ ଗାଲିଲୀରୁ ଯୀଶୁଙ୍କୁ ସାଙ୍ଗରେ ଆସିଥିଲେ (ଲୂକ ୨୩:୫୫-୨୪:୧) |
ତିନିଜଣ ମହିଳା ଦେଖିବାକୁ ପାଇଲେ ଯେ ଜଣେ ଦୂତଙ୍କ ଦ୍ୱାରା ପଥରଟି ଖୋଲାଯାଇଅଛି (ମାଥିଉ ୨୮:୨) |
ମଗ୍ଦଦଲୀନୀ ମରିୟମ କବର ଆଡକୁ ଦୌଡ଼ିଥିବା ପିତର ଏବଂ ଯୋହନଙ୍କୁ ଜଣାଇବାକୁ ଶୀଘ୍ର ଗଲେ (ଯୋହନ ୨୦:୨-୪) |
ଏହି ସମୟରେ, ଯାକୁବଙ୍କ ମାତା ମରିୟମ, ଶାଲୋମୀ ଏବଂ ପରେ ଅନ୍ୟ ମହିଳାମାନେ କବରରେ ପହଞ୍ଚି ସେଠାରେ ପ୍ରବେଶ କଲେ ଏବଂ ଦୂତମାନଙ୍କୁ ଦେଖିଲେ ଯେଉଁମାନେ ଯୀଶୁ ପୁନରୁ‌ତ୍‌ଥିତ ହୋଇଛନ୍ତି ବୋଲି ନିଶ୍ଚିତ କରିଥିଲେ | ସେମାନେ ଶିଷ୍ୟମାନଙ୍କୁ ଜଣାଇବା ପାଇଁ ଭୟ ଓ ଆନନ୍ଦରେ କବରରୁ ଦୌଡ଼ିଲେ (ମାଥିଉ ୨୮:୮) |
ପିତର ଏବଂ ଯୋହନ କବରରେ ପହଞ୍ଚିଲେ, ପ୍ରବେଶ କରି ଦେଖିଲେ ଏବଂ ଚାଲିଗଲେ (ଯୋହନ ୨୦:୪-୧୦)
ମଗ୍ଦଲୀନୀ ମରିୟମ କବରକୁ ଫେରି ଠିଆ ହୋଇ କାନ୍ଦିବାକୁ ଲାଗିଲେ, ଏବଂ ଯୀଶୁ ତାହାଙ୍କ ନିକଟରେ ନିଜକୁ ପ୍ରକାଶ କଲେ (ଯୋହନ ୨୦:୧-୧୮) |
ଯେତେବେଳେ ଅନ୍ୟ ମହିଳାମାନେ ତାଙ୍କ ଶିଷ୍ୟମାନଙ୍କୁ କହିବାକୁ ଯାଉଥିଲେ, ଯୀଶୁ ସେମାନଙ୍କୁ ଦେଖା କଲେ (ମାଥିଉ ୨୮:୯-୧୦) |