BN

ପ୍ରାରମ୍ଭିକ ସେବାକାର୍ଯ୍ଯ

 ପ୍ରାରମ୍ଭିକ ସେବାକାର୍ଯ୍ଯ

ଆଜିର ଚିନ୍ତା


ଲୁକ ୪:୧୬-୩୦


ଯୀଶୁଙ୍କ ବିଷୟରେ ମୋର ମତ କ'ଣ


ବର୍ତ୍ତମାନ ଆମର ଉପାସନା ଗୃହ ପରି ଯୀଶୁଙ୍କ ସମୟରେ ଯୀହୁଦୀମାନଙ୍କର ଏକ ସମାଜ ଗୃହରେ ସେ ବାକ୍ୟ ପ୍ରଚାର କରିବା ପାଇଁ ସୁଯୋଗ ପାଇଥିଲେ । ଏହା ତାଙ୍କର ପୌତୃକ ନଗର ନାଜରିତର ସ୍ଥାନ ଥିଲା । ପଠିତ ଅଂଶରେ ଲୁକ ଯୀଶୁଙ୍କର ପ୍ରଥମ ପ୍ରଚାରିତ ବାକ୍ୟ ବିଷୟରେ ଲେଖିଛନ୍ତି  (ଯିଶାଇୟ ୬୧:୧) । ସମାଜ ଗୃହ ଯୀହୁଦୀମାନଙ୍କର ଧର୍ମ ଶିକ୍ଷାର ଏକ ପବିତ୍ର ଓ ଗୁରୁତ୍ଵପୁର୍ଣ୍ଣ ସ୍ଥାନ ଥିଲା । ଆଜିର ଖ୍ରୀଷ୍ଟୀୟ ସମାଜ ଉପାସନା ଗୃହର ପବିତ୍ରତାକୁ ରକ୍ଷା କରିପାରୁ ନାହାଁନ୍ତି । 


ବାକ୍ୟ ଶୁଣିବା ଏବଂ ଗ୍ରହଣ କରିବା: ନାଜରିତୀୟ ଯୀଶୁଙ୍କୁ ଈଶ୍ଵର ପବିତ୍ର ଆତ୍ମାଙ୍କ ଶକ୍ତିରେ ଅଭିଷିକ୍ତ କରିଥିଲେ । ବାକ୍ୟ ଶୁଣିବା ସହଜ ବିଷୟ ଅଟେ । ଯୀଶୁଙ୍କର ଶିକ୍ଷାକୁ ଲୋକମାନେ ଆଗ୍ରହର ସହିତ ଶୁଣୁଥିଲେ ଏବଂ ଚମତ୍କୃତ ହେଉଥିଲେ । କାରଣ ସେ ଅଧିକାର ପ୍ରାପ୍ତ ବ୍ୟକ୍ତି ପରି ଶିକ୍ଷା ଦେଉଥିଲେ । କିନ୍ତୁ ବାକ୍ୟକୁ ଗ୍ରହଣ କରିପାରୁ ନ ଥିଲେ । ଯିଶାଇୟ ଭବିଷ୍ୟତବକ୍ତା ତାଙ୍କର ପୁସ୍ତକରେ ଯେଉଁ ବିଷୟ ଲେଖିଥିଲେ ଧର୍ମଶାସ୍ତ୍ରର ସେହି ବାକ୍ୟ ସଫଳ ହେଲା । ଏ ବିଷୟ ଯୀଶୁ ସେଦିନ ପ୍ରଚାର କରିଥିଲେ । ଯୀଶୁ ଯେଉଁ ସମସ୍ତ ବିଷୟ ଘୋଷଣା କରିବା ପାଇଁ ପ୍ରେରିତ ହୋଇଥିଲେ ତାହା ସେ ପ୍ରକାଶ କରିଥିଲେ । ଲୋକମାନଙ୍କ ଯୀଶୁଙ୍କ ବିଷୟରେ ସାକ୍ଷ୍ୟ ଦେଲେ ସତ କିନ୍ତୁ ତାଙ୍କର କଥିତ ବାକ୍ୟକୁ ହେୟ ଜ୍ଞାନ କରିଥିଲେ । 


ସୁସମାଚାର କାର୍ଯ୍ୟରେ ପ୍ରତିକୂଳ ପରିସ୍ଥିତି: ଯୀଶୁଙ୍କର ଐଶ୍ୱରୀକ ଶକ୍ତି କୁ ଲୋକମାନେ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ନ ଥିଲେ । ତାଙ୍କର ବାକ୍ୟ ପଠନର ପ୍ରଣାଳୀ, ସୁସମାଚାର କହିବାର ଶୈଳୀ ସେମାନଙ୍କୁ ଆଚମ୍ବିତ କରୁଥିଲା, ହେଲେ ସେମାନେ ଯୀଶୁଙ୍କୁ ବିଶ୍ଵାସ କରି ନ ଥିଲେ, ପୁଣି ତାଙ୍କ ଉପରେ କ୍ରୋଧାନ୍ବିତ ହୋଇଥିଲେ (୨୮ପଦ) । ଅନେକ ସମୟରେ ଆମେ ପ୍ରଭୁଙ୍କର ବାକ୍ୟକୁ ଶୁଣି ଥାଉ ମାତ୍ର ତାହାକୁ ଗ୍ରହଣ କରି ନ ଥାଉ, ଫଳତଃ ଆତ୍ମିକ ଜୀବନରେ ଆମେ ଆଗେଇ ପାରି ନ ଥାଉ । ନାଜରିତର ଲୋକମାନେ ଯୀଶୁଙ୍କ ଶିକ୍ଷାରେ ପରିତ୍ରାଣର ସମ୍ବାଦକୁ ଗ୍ରହନ ନ କରି ଉପେକ୍ଷା କରିଥିଲେ । ବାକ୍ୟ ଶୁଣି ନିଜର ଜୀବନକୁ ସଜାଡିବାର ସୁଯୋଗକୁ ଆମେ ବିରୋଧ ନ କରୁ । 



ବିଜୟୀ ଜୀବନ

  ବିଜୟୀ ଜୀବନ

ଆଜିର ଚିନ୍ତା


ଲୂକ ୪:୧-୧୫


ମୁଁ ବିଜୟୀ ଜୀବନ କାଟିବା ପାଇଁ ସକ୍ଷମ ହୋଇ ପାରିଛି କି?


 ସମସ୍ତଙ୍କ ଜୀବନରେ ପରୀକ୍ଷା ଆସିଥାଏ । ଆମର ଦୁର୍ବଳ ସମୟରେ ଶୟତାନ ଆମର ନିକଟକୁ ଆସିଥାଏ । ଦୁର୍ବଳ ସମୟରେ ସୁଯୋଗକୁ ଶୟତାନ  ଅପେକ୍ଷା କରିଥାଏ। ଯେତେବେଳେ ଆମେ ଶାରୀରିକ ଓ ଆତ୍ମିକ ଭାବେ ଦୁର୍ବଳ ସେତେବେଳେ ଶୟତାନ ତା'ର ସୁଯୋଗ ନିଏ । ଯୀଶୁ  ପ୍ରାନ୍ତରରେ ୪୦ ଦିନ ଉପବାସରେ କଟାଇବା ପରେ ଶୟତାନ ଦ୍ଵାରା ପରୀକ୍ଷିତ ହୋଇଥିଲେ ।


ବାକ୍ୟର ଶକ୍ତି: ଶୟତାନ ଯୀଶୁଙ୍କୁ ପରୀକ୍ଷା କରିବା ସମୟରେ ଯୀଶୁ ପବିତ୍ର ଆତ୍ମାଙ୍କ ଶକ୍ତିରେ ପରିପୂର୍ଣ୍ଣ ଥିଲେ । ୩ଥର ଶୟତାନ ଯୀଶୁଙ୍କୁ ପରୀକ୍ଷା କରିଥିଲା, ପ୍ରତ୍ୟେକ ଥର ସେ ପ୍ରକାଶ କରିଥିଲେ" ବାକ୍ୟରେ ଏହା ଲେଖାଅଛି" । ବାକ୍ୟକୁ  ମୁଖରେ ପ୍ରକାଶ କରିବ ପାଇଁ ପ୍ରତ୍ୟେକ ଦିନ ବାକ୍ୟକୁ  ଅଧ୍ୟୟନ ଏବଂ ଧ୍ୟାନ କରି ସ୍ମରଣରେ ରଖିବାକୁ ପଡିବ।ତେବେ ଆବଶ୍ୟକ ସମୟରେ ବାକ୍ୟକୁ ବ୍ୟବହାର କରିପାରିବା ଆତ୍ମାଙ୍କର ଖଡ୍ଗ ବାକ୍ୟ ଅଟେ । (ଏଫୀସୀୟ ୬:୧୭) । ଖଡ୍ଗ ପରି ଏହା କାର୍ଯ୍ଯ କରିଥାଏ ବାକ୍ୟ ଦ୍ଵାରା ଯୀଶୁ ଶୟତାନକୁ ପରାଜିତ କରିବା ପାଇଁ ସକ୍ଷମ ହୋଇଥିଲେ । ଆଦମ ଏବଂ ହବାଙ୍କୁ ପରୀକ୍ଷା କରି ଶୟତାନ ଜୟଯୁକ୍ତ ହୋଇଥିଲା । କିନ୍ତୁ ଯୀଶୁଙ୍କୁ ପରୀକ୍ଷା କରି ସେ ପରାଜିତ ହୋଇଥିଲା ।


ଜୀବନର ଅଭିଳାଷ: ମନୁଷ୍ୟ ଶରୀର ପାଇଁ ଅନ୍ନ, ବସ୍ତ୍ର ଏବଂ ବାସଗୃହ ଆବଶ୍ୟକ । ଧୂଳିରୁ ଶରୀରକୁ ଈଶ୍ଵର ତିଆରି କରିଥିଲେ ଏବଂ ଏହି ଶରୀର ଧୂଳିରେ ଲୀନ ହୋଇଯିବ । ଖାଦ୍ୟ ମନୁଷ୍ୟର ପ୍ରାଥମିକ ଆବଶ୍ୟତା ଅଟେ । ଯୀଶୁ କ୍ଷୁଧିତ ଥିବା ସମୟରେ ତାଙ୍କ ନିକଟକୁ ଶୟତାନ ଆସିଥିଲା। ମନୁଷ୍ୟ ଆଜି ଜୀବନର ଅଭିଳାଷକୁ ପୂର୍ଣ୍ଣ କରିବା ପାଇଁ ବ୍ୟସ୍ତ । ସେ କିପରି ଉତ୍ତମ ଖାଦ୍ୟ ଖାଇବ, ଉତ୍ତମ ବସ୍ତ୍ର ପିନ୍ଧିବ,ଉତ୍ତମ ଗୃହ ନିର୍ମାଣ କରିବ ଏହାହିଁ ତା'ର ଜୀବନର ଲକ୍ଷ୍ୟ ହୋଇଯାଇଛି । ଶରୀରର ବିଭିନ୍ନ ଅଙ୍ଗ ଗୁଡ଼ିକର ମଧ୍ୟ ଅଭିଳାଷ ରହିଛି । ଚକ୍ଷୁର ଅଭିଳାଷ ଦ୍ଵାରା ଆଦମ ହବା ପାପ କଲେ । ପରୀକ୍ଷାରେ ଜୟଲାଭ କରିବା ପାଇଁ ପବିତ୍ର ଆତ୍ମାଙ୍କର  ସହାୟତା ଓ ଈଶ୍ଵରଙ୍କ ବାକ୍ୟକୁ ଜାଣିବାର ଆବଶ୍ୟକତା ରହିଛି । ଯୀଶୁ ପରୀକ୍ଷିତ ହୋଇଥିବାରୁ ଆମର ଜୀବନରେ ପରୀକ୍ଷା ଆସିଲେ ସେ ଆମକୁ ପରୀକ୍ଷାରୁ ରକ୍ଷା କରିବାକୁ ସାହାଯ୍ୟ କରିଥାନ୍ତି ।


ନୂତନ ସ୍ଵଭାବ ପାଇଁ ଆହ୍ଵାନ

 ନୂତନ ସ୍ଵଭାବ ପାଇଁ ଆହ୍ଵାନ 

ଲୂକ ୩:୧୦-୨୨

ଆଜିର ଚିନ୍ତା 

ମୁଁ ନୂତନ ସ୍ଵଭାବ ଧାରଣ କରିବା ପାଇଁ ସକ୍ଷମ ହୋଇ ପାରିଛି କି?


ଡୁବକ ଯୋହନ ଜଣେ ଧାର୍ମିକ ଓ ପବିତ୍ର ବ୍ୟକ୍ତି ଥିଲେ । ସେ ଯୀଶୁଙ୍କଠାରୁ ବୟସରେ ବଡ ଥିଲେ । ସେ ଯୀଶୁଙ୍କୁ ବାପ୍ତିସ୍ମ ଦେଇଥିଲେ । କିନ୍ତୁ ନିଜକୁ ନାମର କରି ଯୀଶୁଙ୍କ ଅଗମନର ସ୍ପଷ୍ଠ ପରିଚୟ ପ୍ରଦାନ କରିଥିଲେ । ବହୁ ବର୍ଷ ଧରି ଲୋକମାନେ ମସୀହଙ୍କ ଆଗମନର ଅପେକ୍ଷାରେ ଥିଲେ । ଲୋକମାନେ ଯୋହନ ଡୁବକଙ୍କୁ ଖ୍ରୀଷ୍ଟ ଭାବି, ତାଙ୍କ ସମ୍ବନ୍ଧରେ ତର୍କବିତର୍କ କରୁଥିଲେ । ଯୀଶୁଙ୍କୁ ଶ୍ରେଷ୍ଠ ସ୍ଥାନ ଦେଇ ମୁଁ ଖ୍ରୀଷ୍ଟ ନୁହେଁ ବୋଲି ଯୋହନ ପ୍ରକାଶ କରିଥିଲେ । 


ପରିତ୍ରାଣ ଏବଂ ନୂତନ ଜୀବନ:ଯୋହନଙ୍କ ଶିକ୍ଷା ଥିଲା ଜଗତର ବିଚାର ନିମନ୍ତେ ଈଶ୍ବର ଆପଣା ପୁତ୍ରଙ୍କୁ ଜଗତକୁ ପ୍ରେରଣ ନ କରି ଜଗତ ଯେପରି ତାହାଙ୍କ ଦ୍ଵାରା ପରିତ୍ରାଣ ପ୍ରାପ୍ତ ହୁଏ ଏଥିପାଇଁ ତାହାଙ୍କୁ ପ୍ରେରଣା କଲେ। ପାପ ସ୍ୱୀକାର କରି ପରିତ୍ରାଣ ପାଇବା ପାଇଁ ସୁଯୋଗ ଆସିଛି।  ଏହାକୁ ହାତ ଛଡା କରିବା ଉଚିତ୍ ନୁହେଁ। ଲେଖାଯାଏ ସୁଯୋଗର ସଦ୍ ବ୍ୟବହାର କର (ଏଫିସୀୟ ୫:୧୨)। ଯୀଶୁ ଆମର ପାପ ନିଜର ଶାରୀରରେ ବହନ କରିବା ପାଇଁ ଜଗତକୁ ଆସିଥିଲେ । ସେଥିପାଇଁ ବାକ୍ୟରେ ଲେଖାଯାଏ "ଏହି ଦେଖ ଈଶ୍ବରଙ୍କ ମେଷଶାବକ ଯେ ଜଗତର ପାପ ବହି ନେଇ ଯାଆନ୍ତି" (ଯୋହନ ୧:୨୯)। ପାପରୁ ଉଦ୍ଧାର ପାଇବା ପାଇଁ ଯୋହନଙ୍କର ପ୍ରଚାର ଅନେକ ଲୋକମାନଙ୍କୁ ପରିବର୍ତ୍ତନ ଏବଂ ପ୍ରଭାବିତ କରିଥିଲା। ଅନ୍ୟମାନଙ୍କ ପାଇଁ ଚିନ୍ତା କରିବା ପାଇଁ ଏବଂ ଅନ୍ୟମାନଙ୍କ ପାଇଁ ମନଯୋଗୀ ହେବା ପାଇଁ ସେ ଉତ୍ତମ ପରମର୍ଶ ଦେଇଥିଲେ।  ଅନ୍ୟାୟ କରିବ ନାହିଁ ଅନ୍ୟମାନଙ୍କୁ ସାହାଯ୍ୟ କରିବ ଏବଂ ନିଜର ଯାହା ଅଛି ସେଥିରେ ସନ୍ତୁଷ୍ଟ ରହିବା ସେ ଏହିପରି ଅନେକ ଉପଦେଶ ଦେଇ ଲୋକମାନଙ୍କ ନିକଟରେ ସୁସମାଚାର ପ୍ରଚାର କରୁଥିଲେ।  


ପାପର ଜୀବନ ଦଣ୍ଡ ଆଣିଥାଏ: ପାପମୟ ଜୀବନ କୁ ଅଗାଡି ସହ ତୁଳନା କରାଯାଇଛି। ଲୋକମାନଙ୍କ ଜୀବନରେ ଥିବା ପାପକୁ ସେ ପ୍ରକାଶ କରିବା ପାଇଁ ଭୟ କରୁ ନଥିଲେ।  ଯୋହନ ହେରୋଦଙ୍କୁ ତାଙ୍କର ଦୁଷ୍କର୍ମ ବିଷୟରେ ଅନୁଯୋଗ କରିଥିଲେ।  ସେଥିପାଇଁ ତାଙ୍କୁ କାରାବରଣ କରି ମୃତ୍ୟୁଭୋଗ କରିବାକୁ ପଡିଥିଲା।  ଯୀଶୁ ଧାର୍ମିକ ଓ ନ୍ୟାୟ ବିଚାର କର୍ତ୍ତା ଅଟନ୍ତି।  ପାପକୁ ସ୍ୱୀକାର କରି ଛାଡିଲେ ଆମେ ଈଶ୍ବରଙ୍କ ଦଣ୍ଡରୁ ରକ୍ଷା ପାଇ ପାରିବା ପୁଣି ନୂତନ ସ୍ଵଭାବ ଧାରଣ କରି ପାରିବା।  


Source: ଦୈନିକ ଆହାର

ମହା ସୁଯୋଗ

 ମହା ସୁଯୋଗ

ଆଜିର ଚିନ୍ତା 

ଲୁକ ୩:୧-୯


ମନ ପରିବର୍ତ୍ତନର ସୁଯୋଗକୁ ମୁଁ ଠିକ୍ ଭାବରେ ବ୍ୟବହାର କରିପାରିଛି କି ? 


ଯୀଶୁଙ୍କର ଆଗମନ ବିଷୟରେ ଡୁବକ ଯୋହନ ସୂଚନା ଦେଇଥିଲେ । ଏହି ପ୍ରାରମ୍ଭିକ କାର୍ଯ୍ୟ ସେ ପ୍ରାନ୍ତର ଓ ଯର୍ଦ୍ଦନର ନିକଟବର୍ତ୍ତୀ ଅଞ୍ଚଳରେ ପ୍ରକାଶ କରିଥିଲେ । ମନୁଷ୍ୟମାନଙ୍କ ନିକଟରେ ଯୀଶୁଙ୍କର ଆଗମନର ଉଦ୍ଦେଶ୍ୟ ଜଣାଇଥିଲେ । ପାପରୁ ଉଦ୍ଧାର ପାଇବା ପାଇଁ ପଥ ବିଷୟରେ ପ୍ରଚାର କରିଥିଲେ । 


ମନ ପରିବର୍ତ୍ତନର ସନ୍ଦେହ: ପାପର ବନ୍ଧନରୁ ମୁକ୍ତ ହେବା ପାଇଁ ମନ ପରିବର୍ତ୍ତନର ଆବଶ୍ୟକତା ରହିଛି । ଈଶ୍ବରଙ୍କ ବାକ୍ୟ ଯୋହନଙ୍କ ନିକଟରେ ଉପସ୍ଥିତ ହେଲା । ସେ ପାପ କ୍ଷମା ନିମନ୍ତେ ମନ ପରିବର୍ତ୍ତନର ବାପ୍ତିସ୍ମ ଘୋଷଣା କରିବାକୁ ଲାଗିଲେ । ପରିତ୍ରାଣ ପାଇବା ନିମନ୍ତେ ନିଜକୁ ପ୍ରସ୍ତୁତ କରିବାକୁ ସମସ୍ତ ମାନବ ଜାତିକୁ ଏଠାରେ ଯୋହନ ଏକ ଆହ୍ବାନ ଦେଇଛନ୍ତି । ଯୋହନଙ୍କ ପ୍ରଚାରର ଦୁଇଟି ମୁଖ୍ୟ ବିଷୟ ଥିଲା (୧) ପାପରୁ କିପରି ଉଦ୍ଧାର ପାଇବା ଏବଂ (୨) ପ୍ରଭୁଙ୍କ ପାଇଁ ଉତ୍ତମ ଫଳ ଧାରଣ କରିବା । ଯୀଶୁଙ୍କ ଆଗମନ ପୂର୍ବରୁ ନିଜର ଜୀବନକୁ ସଜାଡ଼ିବା ପାଇଁ ପରାମର୍ଶ ଦେଇଛନ୍ତି । ଈଶ୍ୱରଙ୍କ ବାକ୍ୟର ଶିକ୍ଷା ଏବଂ ପରାମର୍ଶକୁ ଗ୍ରହଣ କରି ପାଳନ କରିବା ପାଇଁ ଈଶ୍ଵର ଆମକୁ ସୁଯୋଗ ଦେଇଥାନ୍ତି । 


ମନ ପରିବର୍ତ୍ତନର ଫଳ: ମନ ପରିବର୍ତ୍ତନର ଉପଯୁକ୍ତ ଫଳ ଫଳିବା ଏକ ଗୁରୁତବପୂର୍ଣ୍ଣ ବିଷୟ ଅଟେ । ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ଜୀବନ ଫଳ ଫଳିବା ପାଇଁ ସାହାଯ୍ୟ କରିଥାଏ (ଯୋହନ ୧୫ ପର୍ବ) । ଉତ୍ତମ ଫଳ ଫଳିବା ପାଇଁ ଈଶ୍ୱରଙ୍କର ସନ୍ତାନ ହେବାର ଆବଶ୍ୟକତା ରହିଛି (ଯୋହନ ୧:୧୨) । କେବଳ ବିଶ୍ଵାସ ଓ ଈଶ୍ୱରଙ୍କ ଅନୁଗ୍ରହ ଦ୍ଵାରା ଆମେ ଇଶ୍ଵରଙ୍କ ସନ୍ତାନ ହୋଇପାରିବା । ସେଥିପାଇଁ ଯୋହନ ଲେଖନ୍ତି, ଅବ୍ରାହାମଙ୍କ ସନ୍ତାନ ନ ହୋଇ ଈଶ୍ଵରଙ୍କ ସନ୍ତାନ ହୁଅ । ଈଶ୍ୱରଙ୍କର କ୍ରୋଧର ବିଷୟରେ ସୂଚନା ଦେଇ କହିଲେ, ମନ ପରିବର୍ତ୍ତନର ଉପଯୁକ୍ତ ଫଳ ଉତ୍ପନ କର । କ୍ରୋଧରୁ ଉଦ୍ଧାର ପାଇଁ ଉପାୟ ମଧ୍ୟ ରହିଛି । ସେଥିପାଇଁ ସଚେତନ ରହିବାକୁ ପଡିବ । ବଗିଚାରେ ଥିବା ଗଛ ଫଳ ଧାରଣ ନ କଲେ ତାକୁ କାଟି ଦିଆଯାଏ । ଗଛର ମୂଳରେ କୁହ୍ରାଡି ରଖାଯାଇଛି । ଅନୁଗ୍ରହରର ସମୟ ମଧ୍ୟରେ ଆମେ ବାସ କରୁଅଛୁ । ଫଳ ଧାରଣ କରିବା ପାଇଁ, ଫଳ ଫଳିବା ପାଇଁ ଆଶା କରି ଆମକୁ ସୁଯୋଗ ଦିଆଯାଇଛି । ପ୍ରତ୍ୟେକ ବର୍ଷ ଆମେ ପ୍ରତିଜ୍ଞା କରିଥାଉ କିନ୍ତୁ ତାହାକୁ କାର୍ଯ୍ୟକାରୀ କରି ନ ଥାଉ । ତେଣୁ କରି ମନ ପରିବର୍ତ୍ତନର ଉପଯୁକ୍ତ ଫଳ ଧାରଣ କରିବା ପାଇଁ ଯତ୍ନଶୀଳ ହେବା ଆମର ଲକ୍ଷ୍ୟ ହେଉ।


ଦୋଷାରୋପ ଓ ନିଶ୍ଚୟତା

 ଦୋଷାରୋପ ଓ ନିଶ୍ଚୟତା

ଆଜିର ଚିନ୍ତା


ଗୀତ ୪୧:୧-୧୩


ପ୍ରଭରେ ନିର୍ଭାରତା ମୋର ଅନନ୍ତକାଳୀନ ଭରସା ହୋଇଛି କି ?


ଜୀବନର ସବୁ ଅବସ୍ଥା ସମ୍ମାନ ନୁହେଁ । କେତେବେଳେ ଦୁଃଖ, ରୋଗ, ନୈରାଶ ଘେରି ରହିଥାଏ ଓ ଶତ୍ରୁ ଏହା ଦେଖି ଆନନ୍ଦିତ ହୁଏ । ମାତ୍ର ସଦାପ୍ରଭୁଙ୍କ ଉପରେ ନିର୍ଭରତା ଜୀବନର ଗତିପଥ ବଦଳାଇ ଦିଏ ଓ ସେସବୁ ଏକ ଆନନ୍ଦ, ପୁଣି ଅନନ୍ତକାଳୀନ ଭରସାରେ ପରିଣତ ହୁଏ । 


ଏକ ନୀତିଗତ ନିୟମ (୧-୩): ଯେ ବ୍ୟାଧିରେ ଶଯ୍ୟାଗତ ହେବ, ତାକୁ ସଦାପ୍ରଭୁ ଧରି ରଖିବେ ଓ ତାହାର ଶଯ୍ୟା ପରିବର୍ତ୍ତନ କରିବେ । ଦୟାଳୁ ଲୋକେ ଧନ୍ୟ, ସେମାନେ ଦୟାପ୍ରାପ୍ତ ହେବେ (ମାଥିଉ ୫:୭) ଯିଏ ଦରିଦ୍ର ଓ ପୀଡ଼ିତ ମାନଙ୍କୁ ଦୟା ଦେଖାଇଥିବ, ସେ ନିତାନ୍ତ ଦୟା ପ୍ରାପ୍ତ ହେବ (ଦ୍ୱିି. ବିବରଣ ୨୫:୧-୧୧) । ଏଣୁ ଜଣକର ଦୁଃଖର ଦିନରେ ତା' ପ୍ରତି ଦୟାକର, ମାତ୍ର ଶତ୍ରୁମାନଙ୍କ ହସ୍ତରେ ସମର୍ପଣ କର ନାହିଁ । 


ଦାଉଦଙ୍କ ଜୀବନର ତିକ୍ତ ଅନୁଭୂତି (୪-୯): ଦାଉଦ ନିଜ ବ୍ୟକ୍ତିଗତ ଜୀବନର ଦୁଃଖଦାୟକ ଅନୁଭୂତି ସବୁ ବର୍ଣ୍ଣନା କରିଅଛନ୍ତି । ଶତ୍ରୁମାନେ କିପରି ହିଂସାକଲେ, ଘୃଣାକଲେ, କୁମନ୍ତ୍ରଣା କଲେ ଓ ସେ ମୃତ୍ୟୁ ଅପେକ୍ଷା କଲେ, ସବୁ ସେ ଲେଖନ୍ତି (୫-୮) । ମାତ୍ର ନିଜେ କହନ୍ତି, ମୋତେ ଦୟାକର, ମୋ ପ୍ରାଣକୁ ସୁସ୍ଥ କର, ମୁଁ ତୁମ୍ଭ ବିରୁଦ୍ଧରେ ପାପ କରିଅଛି । ଯିହୁଦା କିପରି ଯୀଶୁଙ୍କ ହାତରୁ ରୋଟୀ ଖାଇ ତାଙ୍କର ପ୍ରତି ବିଶ୍ଵାସଘାତକତା କଲା, ସେହିପରି ତାଙ୍କର ନିଜ ଲୋକମାନେ ତାଙ୍କ ପ୍ରତି ବିଶ୍ଵାସଘାତକତା କରିଥିବାରୁ ଦାଉଦ ଦୁଃଖ କଲେ ।


ସଦାପ୍ରଭୁଙ୍କଠାରେ ନିଶ୍ଚିତ ଭରସା (୧୦-୧୩): ବନ୍ଧୁମାନଙ୍କ ବିଶ୍ଵାସଘାତକତା ସତ୍ତ୍ୱେ ପ୍ରଭୁଙ୍କ ଉପରେ ନିର୍ଭରତା ଦାଉଦଙ୍କୁ ତିନୋଟି ବିଷୟ ପ୍ରଦାନ କଲା । ପ୍ରଥମତଃ, ଶତ୍ରୁମାନଙ୍କ ଉପରେ ଜୟଧ୍ୱନି, ଦ୍ଵିତୀୟତଃ ତାଙ୍କର ସରଳତା ହେତୁ ସଦାପ୍ରଭୁ ତାଙ୍କୁ ଧରି ରଖିଲେ (ମାଥିଉ ୫:୮) । ତୃତୀୟତଃ ଅନନ୍ତକାଳୀନ ଭରସାରେ ସେ ହେଲେ ଆଶାନ୍ଵିିତ । ମୋ' ଜୀବନର ଅନୁଭୂତି କଅଣ ?