ଆଗକୁ କ'ଣ ଅଛି!
୧ ଥେସଲନୀକୀ ୪:୧୩-୧୮
... ଈଶ୍ବର ସ୍ଵୟଂ... ସେମାନଙ୍କ ଚକ୍ଷୁରୁ ସମସ୍ତ ଅଶ୍ରୁଜଳ ପୋଛି ଦେବେ । (ପ୍ରକାଶିତ ୨୧:୪ )
ଆମ ଭବିଷ୍ୟତ କିପରି ହେବ, ଏହା କଳ୍ପନା କରିବ ଅତି କଷ୍ଟକର । ଅନେକ ଲୋକ ଭବିଷ୍ୟତ୍ ବିଷୟରେ ବିଭିନ୍ନ ପ୍ରକାର କଳ୍ପନାଜଳ୍ପନା କରନ୍ତି, ପୁଣି ତାହା ଜାଣିବା ପାଇଁ ବିଭିନ୍ନ ଜ୍ୟୋତିଷ, ଗଣକ, ଭବିଷ୍ୟତବକ୍ତାମାନଙ୍କ ନିକଟକୁ ଦଉଡ଼ି ଯାଆନ୍ତି । ଅନେକେ ନିଜର ହାତ ଓ କପାଳରେ ଥିବା ରେଖାର ଅର୍ଥ ମଧ୍ୟ ଜାଣିବାକୁ ଚାହାନ୍ତି। କିନ୍ତୁ ଅଧିକାଂଶ କ୍ଷେତ୍ରରେ ଏହି ଗଣନା ଭୁଲ୍ ହୋଇଥାଏ।
ତେବେ ଭବିଷ୍ୟତ ଜାଣିବା ପାଇଁ ଯଦି ଆମେ ଗୋଟିଏ ବିଷୟ ଉପରେ ନିର୍ଭର କରୁ, ତେବେ କଦାପି ବିଫଳ ହେବା ନାହିଁ। ଯେଉଁମାନେ ବିଶ୍ଵାସ କରନ୍ତି ଯେ, ଯୀଶୁ ମୃତ୍ୟୁ ଭୋଗ କଲେ ଓ ପୁର୍ନବାର ମୃତ୍ୟୁରୁ ଉତ୍ଥିତ ହେଲେ, ସେମାନଙ୍କ ଭବିଷ୍ୟତ ପାଇଁ ନିଶ୍ଚିତ ଭରସା ବାଇବଲ ପ୍ରଦାନ କରେ (୧ଥେସ ୪:୧୪) । ଯୋହନ ୩:୧୬ ପଦରେ ଲେଖାଯାଏ,"... ଯେକେହି ତାଙ୍କଠାରେ ବିଶ୍ଵାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହେବ " ଓ ପାଉଲ କହନ୍ତି, "ପ୍ରଭୁ (ଯୀଶୁ) ମହା ତୂରୀଧ୍ଵନି ସହ ସ୍ବର୍ଗରୁ ଅବତରଣ କରିବେ" (୧୬ପଦ) । ମୃତ ହୁଅନ୍ତୁ ବା, ଜୀବତ, ଯେତେଜଣ ଖ୍ରୀଷ୍ଟଙ୍କୁ ବିଶ୍ବାସ କରିଛନ୍ତି, ସେ ସମସ୍ତଙ୍କୁ ଏକତ୍ର କରିବାକୁ ଖ୍ରୀଷ୍ଟ ପୁର୍ନବାର ଆସିବେ ଏବଂ ଆମେ ସଦାକାଳ ପ୍ରଭୁଙ୍କ
ସହିତ ରହିବା (୧୭ ପଦ) । ତେଣୁ ଏ ଜଗତରେ ଆମ ପାଇଁ ଯାହା କିଛି ଥାଉ ନା କାହିଁକି, ଆମର ଭବିଷ୍ୟତ୍ ଚିରକାଳ ନିମନ୍ତେ ସୁରକ୍ଷିତ ଓ ସୁଖ, ଆନନ୍ଦ, ଶାନ୍ତିରେ ଭରା । ତେଣୁ ଖ୍ରୀଷ୍ଟଙ୍କ ବାକ୍ୟରେ ଭରସା ରଖି ନିଜର ଭବିଷ୍ୟତ୍ ବିଷୟରେ ନିଶ୍ଚିତ ରହିବା । ସର୍ବଶକ୍ତିମାନ ଈଶ୍ବରଙ୍କ ହସ୍ତରେ ତାହା ସଂପୂର୍ଣ୍ଣ ସୁରକ୍ଷିତ ଜାଣି ନିଜେ ଆଶ୍ୱସ୍ତି ରହିବା ସହିତ ଭବିଷ୍ୟତ୍ ସମ୍ବନ୍ଧରେ ଆଶଙ୍କାଗ୍ରସ୍ତ ହୋଇ ପଡୁଥିବା ଲୋକମାନଙ୍କୁ ସେହି ନିଶ୍ଚିତ ଭରସା ସ୍ଥଳ ଆଡ଼କୁ କଢାଇ ଆଣିବା । ଆପଣ କ'ଣ ନିଜ ଭବିଷ୍ୟତ୍ ବିଷୟରେ ଚିନ୍ତା କରନ୍ତି? ବ୍ୟସ୍ତ ହୁଅନ୍ତୁ ନାହିଁ। ପ୍ରଭୁ ଯୀଶୁଙ୍କଠାରେ ବିଶ୍ଵାସ କରନ୍ତୁ ତେବେ ଅନନ୍ତକାଳ ନିମନ୍ତେ ତାହା ସୁରକ୍ଷିତ ରହିବ।