BN

କ୍ଷମା ଦେବାର ମନୋଭାବ

 କ୍ଷମା ଦେବାର ମନୋଭାବ

ଆଜିର ଚିନ୍ତା

୧ ମ ଶାମୁୟେଲ ୨୪:୧-୨୨

ମୁଁ ମୋ ' ଶତ୍ରୁକୁ କ୍ଷମା କରିପାରୁଛି କି?


ଶତ୍ରୁକୁ ପ୍ରେମ କର ବୋଲି କହିବା ସହଜ; କିନ୍ତୁ ବାସ୍ତବ ଜୀବନରେ ଏହା କରିବା କଷ୍ଟକର ହୋଇଥାଏ । ହୃଦୟର ସହିତ ଶତ୍ରୁକୁ କ୍ଷମା କରିପାରିଲେ ଯାଇ ଆମେ ତାକୁ ପ୍ରେମ କରିପାରିବା । ଯେପରି ଶାଉଲଙ୍କର ସମସ୍ତ ପ୍ରକାର ନିଷ୍ଠୁର ଓ ହୃଦୟହୀନ ବ୍ୟବହାର ସତ୍ତ୍ୱେ ଦାଉଦ ତାଙ୍କୁ କ୍ଷମା କଲେ ।


ଶତ୍ରୁ ପ୍ରତି ପ୍ରେମ : 

ଦାଉଦଙ୍କର ଅନ୍ଵେଷଣ କରୁ କରୁ ଶାଉଲ ଯେଉଁ ଗୁମ୍ଫାରେ ବିଶ୍ରାମ ନେଲେ, ଦାଉଦ ପୂର୍ବରୁ ତହିଁର  ଅନ୍ତଭାଗରେ ଥିଲେ । ସଦାପ୍ରଭୁ, ଶାଉଲଙ୍କୁ ଦାଉଦଙ୍କ ହସ୍ତରେ ଦେଲେ; କିନ୍ତୁ ସେ ତାଙ୍କ ପ୍ରତିକୂଳରେ ହସ୍ତ ଉଠାଇଲେ ନାହିଁ । ପ୍ରମାଣ ପାଇଁ କେବଳ ବସ୍ତ୍ର ଧଡି କାଟି ଦେଲେ । ସେଥିପାଇଁ ମଧ୍ୟ ସେ ଅନ୍ତରରେ ଖେଦିତ ହେଲେ । ପରବର୍ତ୍ତୀ ସମୟରେ ଶାଉଲଙ୍କୁ ପଛପଟୁ 'ହେ ମୋହର ପ୍ରଭୁ' ବୋଲି ସମ୍ବୋଧନ କରି ଡାକି ଭୂମିଷ୍ଠ ପ୍ରଣାମ କଲେ । ନମ୍ରତାର ସହିତ କହିଲେ, ଆପଣ ମୋତେ ଧରିବା ପାଇଁ ଅନ୍ଵେଷଣ କରୁଥିଲେ ହେଁ, ମୁଁ ଆପଣଙ୍କ ବିରୁଦ୍ଧରେ ପାପ କରିନାହିଁ  । ପିତା ବୋଲି ସମ୍ବୋଧନ କରି ସେ ଆପଣାକୁ ନିତାନ୍ତ ନତ କଲେ । ନିଜକୁ ମଲା କୁକୁରଠାରୁ ମଧ୍ୟ ଅଧିକ ତୁଚ୍ଛ ବୋଲି କହିଲେ  । ପୁଣି ସଦାପ୍ରଭୁ ବିଚାର କରନ୍ତୁ ଓ ଆପଣଙ୍କ ହସ୍ତରୁ ମୋତେ ରକ୍ଷା କରନ୍ତୁ ବୋଲି କହିଲେ । ଶତ୍ରୁକୁ କ୍ଷମା କରିବା ତଥା ପ୍ରେମ କରିବା ଆମର କର୍ତ୍ତବ୍ୟ; ଆଉ ପ୍ରତିଶୋଧ ନେବା ସଦାପ୍ରଭୁଙ୍କ ଅଧିକାର (ରୋମୀ ୧୨:୧୯) । 


ଶାଉଲଙ୍କର ହୃଦୟର ପରିବର୍ତ୍ତନ :

 ଶାଉଲ ହୃଦୟଙ୍ଗମ କଲେ ଯେ, ଦାଉଦ ତାଙ୍କୁ ପ୍ରକୃତରେ ପ୍ରେମ କରୁଛନ୍ତି । ସେଥିପାଇଁ ତାଙ୍କର ନିର୍ଦ୍ଦୟ ବ୍ୟବହାରକୁ ସହ୍ୟ କରୁଛନ୍ତି । ତାଙ୍କର କଠିନ ହୃଦୟ ତରଳି ଗଲା । ସେ ସ୍ଵୀକାର କଲେ ଯେ ଦାଉଦ ତାଙ୍କଠାରୁ ଅଧିକ ଧାର୍ମିକ । ମନ୍ଦ ପରିବର୍ତ୍ତେ ଉତ୍ତମ ବ୍ୟବହାର ପ୍ରଦର୍ଶନ କରି, ଶତ୍ରୁର ହୃଦୟକୁ ସେ ଜିଣିପାରିଲେ । ଧାର୍ମିକ ବ୍ୟକ୍ତି ହିଁ ଶତ୍ରୁକୁ କ୍ଷମା ଦେଇପାରେ ଓ ମଙ୍ଗଳ କାମନା କରିପାରେ ପୁଣି ସଦାପ୍ରଭୁ ତାଙ୍କୁ ସମସ୍ତ ସଙ୍କଟରୁ ଉଦ୍ଧାର କରନ୍ତି ।


ଆସନ୍ତୁ, ଆମ୍ଭେମାନେ ଈଶ୍ୱରଙ୍କ ବାକ୍ୟର ଅନୁଗାମୀ ହୋଇ ସବୁବେଳେ ସୁକ୍ରିୟାରେ କୁକ୍ରିୟାକୁ ପରାଜିତ କରି, ଶତ୍ରୁକୁ କ୍ଷମା ଦେଇ ନିଜର କରିବାର ପ୍ରୟାସ କରୁ ।

ପରମେଶ୍ବରଙ୍କ ଆଦେଶକୁ ଅପେକ୍ଷା

 ପରମେଶ୍ବରଙ୍କ ଆଦେଶକୁ ଅପେକ୍ଷା

ଆଜିର ଚିନ୍ତା 

୧ ଶାମୁୟେଲ ୨୨:୧-୨୩


ମୁଁ ପ୍ରତି କ୍ଷେତ୍ରରେ ଈଶ୍ୱରଙ୍କ ଆଦେଶକୁ ଅପେକ୍ଷା କରୁଛି କି ? 


ଦାଉଦ ପରମେଶ୍ବରଙ୍କ ଉପରେ ନିଜର ଚିନ୍ତାର ଭାର ସମର୍ପଣ କରିଥିଲେ । ରାଜା ଶାଉଲ କିନ୍ତୁ ଆପଣାର ଶକ୍ତି ଓ ସାମର୍ଥ୍ୟ ଉପରେ ନିର୍ଭର କରି ଆଗେଇ ଚାଲିଲେ । 


ଈଶ୍ୱରଙ୍କ ନିର୍ଦ୍ଦେଶର ଅପେକ୍ଷା :

ଶାଉଲଙ୍କ କୋପରୁ ରକ୍ଷା ପାଇବା ପାଇଁ ଦାଉଦ ପଳାୟନ କଲେ । ବଣ, ଜଙ୍ଗଲ, ପାହାଡ଼, ପର୍ବତ ଗୁମ୍ଫାରେ ଯାଇ ଲୁଚିଲେ । ଧୈର୍ଯ୍ୟର ସହିତ ପରମେଶ୍ୱରଙ୍କ ଇଚ୍ଛା ଜାଣିବାକୁ ଅପେକ୍ଷା କଲେ । ଅଦୁଲ୍ଲମ୍ ଗୁମ୍ଫାରେ ଆତ୍ମଗୋପନ କଲେ । ଏହି ଖବର ପାଇ ତାଙ୍କ ପରିବାରର ସମସ୍ତେ ତାଙ୍କ ନିକଟରେ ପହଞ୍ଚିଲେ । ଶାଉଲ ରାଜାଙ୍କ ଦ୍ଵାରା ତାଡ଼ିତ, ଋଣଗ୍ରସ୍ତ, ତିକ୍ତ ମନା ପ୍ରାୟ ଚାରିଶହ ଲୋକ ଆସି ଦାଉଦଙ୍କ ସହିତ ମିଳିତ ହେଲେ । ଦାଉଦଙ୍କର ଅନୁରୋଧକ୍ରମେ ମୋୟାବର ରାଜା ଦାଉଦଙ୍କ ପିତାମାତା ଓ ପରିବାରର ନିରାପତ୍ତା ତଥା ରକ୍ଷଣାବେକ୍ଷଣର ଭାର ବହନ କଲେ । ପରମେଶ୍ବର ଗାଦ୍ ଭବିଷ୍ୟତବକ୍ତାଙ୍କ ମାଧ୍ୟମରେ ଦାଉଦଙ୍କୁ, ଯିହୁଦା ଦେଶକୁ ଯାଇ ଜନସାଧରଣଙ୍କ ନିକଟରେ ଆତ୍ମପ୍ରକାଶ କରିବା ପାଇଁ କହିଲେ । ସଦାପ୍ରଭୁ ଯେ ତାଙ୍କର ସହବର୍ତ୍ତୀ ଏହା ଜାଣି ସେ ଆଉ ନିଜକୁ ଅସୁରକ୍ଷିତ ମନେ କଲେ ନାହିଁ । 


ଆତ୍ମ ନିର୍ଭରଶୀଳତା : 

ରାଜା ଶାଉଲ, ଦାଉଦ ଓ ତାଙ୍କର ସଙ୍ଗୀମାନଙ୍କ ବିଷୟରେ ସନ୍ଧାନ ପାଇଲେ ନାହିଁ । ଏହାପରେ ତାଙ୍କର ଦାସ ଦୋୟେଗ୍ ଠାରୁ ଶୁଣିଲେ ଯେ, ଯାଜକ ଅହୀମେଲକ ତାଙ୍କୁ ଖାଦ୍ୟ ଏବଂ ଗଲୀୟାତ ଖଡ୍ଗ ଦେଇଛନ୍ତି । ଏଥିରେ ଖୁବ୍ ରାଗିଯାଇ, ତାଙ୍କ ବଂଶର ୮୫ ଜଣ ଯାଜକ ଓ ନୋବ ନଗରର ସମସ୍ତ ପୁରୁଷ, ସ୍ତ୍ରୀ, ନିରୀହ ଶିଶୁ, ଗୃହପାଳିତ ପଶୁ ସମସ୍ତଙ୍କୁ ନିର୍ଦ୍ଦୟ ଭାବରେ ହତ୍ୟା କଲେ । ଅହୀମେଲକ ଯାଜକଙ୍କର, ଅବିୟାଥର ନାମକ ଗୋଟିଏ ପୁତ୍ର ଖସି ପଳାଇ ଆସି, ଦାଉଦଙ୍କ ନିକଟରେ ଆଶ୍ରୟ ନେଲା । 


ପରଶ୍ରୀକାତରତା ଶାଉଲଙ୍କୁ, ଈଶ୍ଵରଙ୍କ ଇଚ୍ଛା ବିରୁଦ୍ଧରେ ରକ୍ତପାତ କରିବାକୁ ପ୍ରବର୍ତ୍ତାଇ ଥିଲା । ଅପରପକ୍ଷରେ ଦାଉଦଙ୍କର ନମ୍ରତା, ସହୁଷ୍ଣୁତା, ଧୈର୍ଯ୍ୟ ଓ ପରମେଶ୍ବରଙ୍କ ଇଚ୍ଛା ଉପରେ ନିର୍ଭରଶୀଳତା ତାଙ୍କୁ ସୁରକ୍ଷା ପ୍ରଦାନ କରିଥିଲା ।  

ସଠିକ୍ ସିଦ୍ଧାନ୍ତ

 ସଠିକ୍ ସିଦ୍ଧାନ୍ତ

ଆଜିର ଚିନ୍ତା

୧ମ ଶାମୁୟେଲ ୨୧: ୧-୧୫


ମୁଁ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଉଚିତ୍ ସିଦ୍ଧାନ୍ତ ନେଇପାରିଥାଏ  କି?


ଜୀବନ ଯାତ୍ରା ପଥରେ ଅଗ୍ରସର ହେଉ ହେଉ ଆମେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାଉ । ସେତେବେଳେ ବିଚଳିତ ହୋଇ ଆପଣା ସୁବିବେଚନା ଉପରେ ଆଉଜି ପଡୁ, ପୁଣି ଭୁଲ୍ ସିଦ୍ଧାନ୍ତ ମଧ୍ୟ ନେଇଥାଉ । ଦାଉଦ କିନ୍ତୁ ଜୀବନର ପ୍ରତିକୂଳ ପରିସ୍ଥିତିରେ କିପରି ସଠିକ୍ ସିଦ୍ଧାନ୍ତ ସବୁ ନେଇପାରିଛନ୍ତି, ତାହା ଆମ ସମସ୍ତଙ୍କ ପାଇଁ ଅନୁକରଣୀୟ ଅଟେ । 


ଯୁକ୍ତିଯୁକ୍ତ ସିଦ୍ଧାନ୍ତ (୧) : 

ସଦାପ୍ରଭୁ ଦାଉଦଙ୍କର ସହିତରେ ଥିଲେ । ସମଗ୍ର ଇସ୍ରାଏଲ ଓ ଯିହୁଦା ତାଙ୍କୁ ପ୍ରେମ କରୁଥିଲେ । ସେ ବୁଦ୍ଧିମତ୍ତାର ସହିତ ସମସ୍ତ କାର୍ଯ୍ୟ କରିପାରୁଥିଲେ । ସେ ଚାହିଁଥିଲେ  ଶାଉଲଙ୍କ ବିରୁଦ୍ଧରେ  ଯୁଦ୍ଧ ଘୋଷଣା କରି ରାଜସିଂହାସନର ଅଧିକାରୀ ହୋଇପାରିଥା'ନ୍ତେ  । ମାତ୍ର ସଦାପ୍ରଭୁଙ୍କ ଦ୍ଵାରା ଅଭିଷିକ୍ତ ରାଜାଙ୍କୁ ବଧ ନ କରିବାକୁ ସେ ସ୍ଥିର କଲେ । ତାଙ୍କ ହୃଦୟରେ ରାଜସିଂହାସନର ଲୋଭ ନ ଥିଲା । ନିଜ ବନ୍ଧୁଙ୍କର ପିତା, ନିଜ ସ୍ତ୍ରୀଙ୍କର ପିତା ବିରୁଦ୍ଧରେ ଯିବା ପାଇଁ ସେ ଚାହିଁ ନ ଥିଲେ । ନିଜେ କଷ୍ଟ ସ୍ଵୀକାର କରି, ଅନ୍ୟତ୍ର ପଳାୟନ କରିବା ଶେୟସ୍କର ବୋଲି ସିଦ୍ଧାନ୍ତ ନେଲେ । ଏହା ଦାଉଦଙ୍କର ନମ୍ରତା ଓ ମହନୀୟତାକୁ ପ୍ରମାଣିତ କରେ । ଶାନ୍ତି ସ୍ଥାପନ ପାଇଁ ଏହା ଥିଲା ତାଙ୍କର ଯୁକ୍ତିଯୁକ୍ତ ସିଦ୍ଧାନ୍ତ ।


ସିଦ୍ଧାନ୍ତ (୨) : 

ଦାଉଦଙ୍କ ହୃଦୟରେ ଅନ୍ୟମାନଙ୍କ ପାଇଁ ପ୍ରେମ ଥିଲା । ତାଙ୍କ ସହିତ ଥିବା ଅନ୍ୟ ଯୁବାମାନଙ୍କ ପାଇଁ ସେ ଖାଦ୍ୟ ଖୋଜିବାକୁ ଗଲେ । ଅହୀମେଲକ ଯାଜକଙ୍କଠାରୁ ଦର୍ଶନୀୟ ରୋଟି ମାଗି ଆଣି ସେମାନଙ୍କୁ ଖୁଆଇଲେ ।  ସଦାପ୍ରଭୁ ତାଙ୍କ ସହିତ ଥିବାରୁ,ଏହା ସେ ପ୍ରାପ୍ତ ହୋଇପାରିଥିଲେ । ପୁଣି ତାଙ୍କର ସଙ୍ଗୀମାନଙ୍କର ପ୍ରାଣ ରକ୍ଷା ହୋଇପାରିଥିଲା ।


ସିଦ୍ଧାନ୍ତ (୩) :

 ଦାଉଦ ଆତ୍ମଗୋପନ କରି ପଲେଷ୍ଟୀୟମାନଙ୍କ ନଗର ଗାଥରେ ପହଞ୍ଚିଲେ । ଆଖୀଶଙ୍କର ଦାସମାନେ ତାଙ୍କୁ ଚିହ୍ନିପାରି ତାଙ୍କର ବିଷୟରେ ରାଜାଙ୍କ ସମ୍ମୁଖରେ ବ୍ୟାଖ୍ୟା କଲେ।  ଦାଉଦ ନିଜକୁ ଗୋପନ ରଖିବା ପାଇଁ ଚତୁରତାର ସହିତ ପାଗଳର ଅଭିନୟ କରି ସେଠାରୁ ଖସି ଆସିଲେ ।


ସଦାପ୍ରଭୁ ଯାହାର ଆଶ୍ରୟ ଓ ବଳ ସେ କେବେହେଁ ବିଚଳିତ ହେବ ନାହିଁ । ଯେତେ ପ୍ରତିକୂଳ ପରିସ୍ଥିତିହେଉନା କାହିଁକି, ପ୍ରଭୁଙ୍କ ଉପରେ ନିର୍ଭର ରଖି ସଠିକ୍ ସିଦ୍ଧାନ୍ତ ନେବାକୁ ଆମେ ଯତ୍ନବାନ୍ ହେଉ ।

ନିଃସ୍ୱାର୍ଥପର ବନ୍ଧୁ

 ନିଃସ୍ୱାର୍ଥପର ବନ୍ଧୁ

ଆଜିର ଚିନ୍ତା

୧ ଶାମୁୟେଲ ୨୦:୨୪-୪୨

ମୁଁ ସ୍ୱାର୍ଥ ଚିନ୍ତା ନ କରି, ସତ୍ୟର ସପକ୍ଷରେ ଠିଆ ହୁଏ କି ? 


ରାଜା ଶାଉଲଙ୍କର ସ୍ୱାର୍ଥପର ମନୋଭାବ ନିକଟରେ ଯୋନାଥନଙ୍କର ନିଃସ୍ୱାର୍ଥପର ବନ୍ଧୁତା ବିଜୟ ଲାଭ କରିଥିଲା ।

ସତ୍ୟର ସପକ୍ଷବାଦୀ ଯୋନାଥାନ :

ଦାଉଦ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ଥିଲେ । ଶାଉଲଙ୍କ ବିରୁଦ୍ଧରେ କୌଣସି ପାପ କରି ନ ଥିଲେ । ସଦାପ୍ରଭୁ ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଦାଉଦଙ୍କୁ ଛିଡ଼ା କରାଇ ଇସ୍ରାଏଲ ନିମନ୍ତେ ମହାଉଦ୍ଧାର ସାଧନର ବ୍ୟବସ୍ଥା କରିସାରିଥିଲେ । ଏହା ଯୋନାଥାନ ସ୍ପଷ୍ଟଭାବେ ଜାଣିସାରିଥିଲେ । ସେଥିପାଇଁ ତାଙ୍କର ପ୍ରାଣ ଦାଉଦଙ୍କ ପ୍ରାଣରେ ସଂଲଗ୍ନ ହୋଇସାରିଥିଲା । ଶାଉଲ ସିଂହାସନ ହରାଇବା ସହିତ, ତାଙ୍କର ଉତ୍ତରାଧିକାରୀମାନେ ମଧ୍ୟ ତାହା ଭୋଗ କରିପାରିବେ ନାହିଁ, ଏହି ବିଷୟ ତାଙ୍କୁ ହିତାହିତ ଜ୍ଞାନଶୂନ୍ୟ କରି ଦେଇଥିଲା । ସଦାପ୍ରଭୁ ଦାଉଦଙ୍କୁ ମନୋନୀତ କରିସାରିଛନ୍ତି । ଏହା ଅନ୍ୟଥା ମଧ୍ୟ ହୋଇପାରିବ ନାହିଁ । ଶାଉଲ ରାଜସିଂହାସନର ଲୋଭରେ ଅନ୍ଧ ହୋଇସାରିଥିଲେ । ଯୋନାଥନ ଯେ ଦାଉଦଙ୍କ ସପକ୍ଷବାଦୀ ତାହା ମଧ୍ୟ ଜାଣିସାରିଥିଲେ । ଯୋନାଥନଙ୍କ ମନରେ ରାଜସିଂହାସନ ହରାଇବାର ଭୟ ଦେଖାଇ ଦାଉଦଙ୍କୁ ତାଙ୍କ ନିକଟକୁ ଆଣିବା ପାଇଁ ଶାଉଲ ପ୍ରବର୍ତ୍ତାଇଲେ । ନିଃସ୍ୱାର୍ଥପର ଯୋନାଥନ ସତ୍ୟ ଓ ନ୍ୟାୟର ସପକ୍ଷରେ ଠିଆ ହେବାକୁ ଭୟ କଲେ ନାହିଁ । ବନ୍ଧୁଙ୍କୁ ଦେଇଥିବା ପ୍ରତିଜ୍ଞାନୁସାରେ, ଦାଉଦଙ୍କୁ ଲୁଚି ପଳାଇବାରେ ସାହାଯ୍ୟ କଲେ । ନିଜ ଜୀବନକୁ ପ୍ରିୟଜ୍ଞାନ ନ କରି ଦାଉଦଙ୍କ ସପକ୍ଷରେ ଆପଣା ପିତା ଶାଉଲଙ୍କ ନିକଟରେ ମନ୍ତବ୍ୟ ରଖିଥିଲେ । 


ବିଦାୟକାଳୀନ ଦୃଶ୍ୟ :

ଶେଷରେ ଯୋନାଥନ ଓ ଦାଉଦ ପରସ୍ପରଠାରୁ ବିଦାୟ ନେଲେ । ସେହି ଦୃଶ୍ୟ ଅତ୍ୟନ୍ତ ହୃଦୟସ୍ପର୍ଶୀ ତଥା ମର୍ମାନ୍ତିକ ଥିଲା । ଏହିପରି ଜଣେ ପ୍ରେମିକ ନିଃସ୍ୱାର୍ଥପର ବନ୍ଧୁଙ୍କ ଆଗରେ ଦାଉଦଙ୍କର ମଥା ନମ୍ରତାର ସହିତ ନତ ହେଲା । ସେ ତିନିଥର ଆପଣା ବନ୍ଧୁଙ୍କୁ ଭୂମିଷ୍ଟ ପ୍ରଣାମ କଲେ । ସେମାନେ ପରସ୍ପରକୁ ଚୁମ୍ବନ କରି ରୋଦନ କଲେ । ଦାଉଦଙ୍କ ଚକ୍ଷୁରୁ କୃତଜ୍ଞତାର ଅଶ୍ରୁ ଝରିପଡ଼ିଲା । ଅତି ସୁନ୍ଦର ଭାବରେ ସେଥିପାଇଁ ଲେଖାଯାଏ, "ମାତ୍ର ଦାଉଦ ବଳି ପଡ଼ିଲେ" । ସେମାନେ ସଦାପ୍ରଭୁଙ୍କୁ ନିଜର ମଧ୍ୟବର୍ତ୍ତୀ ବୋଲି ସ୍ଵୀକାର କରିଥିଲେ । 


ସେହିପରି ଆମର ପରମ ବନ୍ଧୁ ଯେ ଖ୍ରୀଷ୍ଟ, ପିତାଙ୍କ ଦକ୍ଷିଣ ପାର୍ଶ୍ୱରେ ବସି ନିତ୍ୟ ଆମ୍ଭମାନଙ୍କୁ ପିତାଙ୍କ ସହିତ ମିଳିତ କରିବା ପାଇଁ ନିବେଦନ ପ୍ରାର୍ଥନା କରିଆସୁଛନ୍ତି । ଆମେ ତାଙ୍କ ପାଖରେ କୃତଜ୍ଞ କି ? 

ଘନିଷ୍ଟ ବନ୍ଧୁ

 ଘନିଷ୍ଟ ବନ୍ଧୁ

ଆଜିର ଚିନ୍ତା

୧ ମ ଶାମୁୟେଲ ୨୦:୧-୨୩


ଅନ୍ୟମାନଙ୍କ ସହିତ ମୋର ବନ୍ଧୁତା ଜାଗତିକ ସ୍ୱାର୍ଥ ଉପରେ ଆଧାରିତ କି? 


ପ୍ରକୃତ ବନ୍ଧୁତା, ପ୍ରେମର ନିବିଡତା ଓ ସରଳ ବିଶ୍ଵାସ ଉପରେ ଆଧାରିତ । ଦାଉଦ ଓ ଯୋନାଥନଙ୍କ ମଧ୍ୟରେ ସେହିପରି ବନ୍ଧୁତା ଥିଲା  । ବର୍ତ୍ତମାନ ଜଗତରେ ଖ୍ରୀଷ୍ଟଙ୍କ ବିନା ସେପରି ବନ୍ଧୁ ଆଉ କେହି ନାହାଁନ୍ତି । ବିପଦ ସମୟରେ ଆମର ଅସହାୟତାର ହାତ କେବଳ ଆମର ପରମବନ୍ଧୁ ଖ୍ରୀଷ୍ଟ ହିଁ ଧରିଥା' ନ୍ତି । 


ଉତ୍ତମ ବନ୍ଧୁର ପରିଚୟ : 

ଦାଉଦ ଈଶ୍ଵରଙ୍କ ମନର ମତ ବ୍ୟକ୍ତି ଥିଲେ । ସଦାପ୍ରଭୁଙ୍କ ଉପରେ ତାଙ୍କର ନିର୍ଭର ଥିଲା ।  ଈଶ୍ଵର ଜଗତ କ୍ଷେତ୍ରରେ ତାଙ୍କୁ ଜଣେ ଉପଯୁକ୍ତ ବନ୍ଧୁ ଭାବରେ ଯୋନାଥନଙ୍କୁ ଯୋଗାଇଥିଲେ । ପଠିତ ଶାସ୍ତ୍ରାଂଶରେ ଆମେ ଯୋନାଥନଙ୍କ ଉପରେ ଦାଉଦଙ୍କର ବିଶ୍ଵାସ, ଭରସା ଓ ପ୍ରେମ ଦେଖିବାକୁ ପାଉଛୁ । ଦାଉଦ ସେଥିପାଇଁ ନିର୍ଭୟରେ ଶାଉଲଙ୍କର ଷଡ଼ଯନ୍ତ୍ର ସମ୍ପର୍କରେ ତାଙ୍କୁ ଜଣାଇବାକୁ ଭୟ କଲେ ନାହିଁ । ସେ ଯୋନାଥନଙ୍କ ଦୃଷ୍ଟିରେ ଅନୁଗ୍ରହ ପ୍ରାପ୍ତ ହେଲେ । ଆଉ ଯୋନାଥନ ତାଙ୍କୁ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ଦେଇ କହିଥିଲେ ଯେ, "ତୁମ୍ଭ ପ୍ରାଣ ଯାହା ବାଞ୍ଛା କରେ, ତାହା ମୁଁ ତୁମ୍ଭ ପାଇଁ କରିବି" । ଆମର ଛୋଟ ବଡ ସମସ୍ୟାସବୁକୁ ନେଇ, ଆମେ ଯେତେବେଳେ ଆମର ପରମବନ୍ଧୁ ଖ୍ରୀଷ୍ଟଙ୍କ ନିକଟକୁ ଯାଉ, ତାଙ୍କ ସହିତ କଥାବାର୍ତ୍ତା କରୁ, ସେ ସମସ୍ୟାର ସମାଧାନରେ ସହାୟକ ହୁଅନ୍ତି ।


ଉତ୍ତମ ବନ୍ଧୁର ମନୋଭାବ : 

ପ୍ରକୃତ ବନ୍ଧୁତା ଉପକାର କରିବାରେ ଓ ମଙ୍ଗଳସାଧନ କରିବାରେ ନିହିତ ଥାଏ । ଯୋନାଥନ ରାଜପୁତ୍ର ହେଲେ ମଧ୍ୟ ନିଃସ୍ଵାର୍ଥପର ଭାବରେ ନିଜ ବନ୍ଧୁର ମଙ୍ଗଳ ସାଧନ କରିବା ପାଇଁ ପ୍ରତିଜ୍ଞାବଦ୍ଧ ହେଲେ । ସଦାପ୍ରଭୁ ଯେପରି ତାଙ୍କର ପିତାଙ୍କର ସଙ୍ଗୀ ହୋଇଅଛନ୍ତି, ସେପରି ଦାଉଦଙ୍କର ସହବର୍ତ୍ତୀ ହେଉନ୍ତୁ ବୋଲି ମଙ୍ଗଳ କାମନା କଲେ । ଦାଉଦଙ୍କୁ ସେ ଆପଣା ପ୍ରାଣ ସମାନ ପ୍ରେମ କରୁଥିଲେ । ସେଥିପାଇଁ ଯଦି ସେ ତାଙ୍କ ପିତାଙ୍କର ଇଚ୍ଛା ନ ଜଣାଇବେ, ତେବେ ସେ ସଦାପ୍ରଭୁଙ୍କ ଦ୍ଵାରା ଦଣ୍ଡିତ ହେବେ ବୋଲି ଶପଥ କଲେ । ଦାଉଦଙ୍କ ନିକଟରେ ଯୋନାଥନ ମଧ୍ୟ ଆପଣାର ବିନତି ଜଣାଇଲେ ।


ସଦାପ୍ରଭୁ ପରମେଶ୍ୱର ମଧ୍ୟ ଆମ୍ଭମାନଙ୍କୁ ଆପଣାର ବନ୍ଧୁ ରୂପେ ଗ୍ରହଣ କରିଛନ୍ତି । ଆମ୍ଭମାନଙ୍କ ସହିତ ଆପଣା ପ୍ରତିଜ୍ଞା ରକ୍ଷା କରିବାରେ ସେ ସଦାବିଶ୍ଵସ୍ତ ଅଟନ୍ତି । ସେ ଆମ୍ଭମାନଙ୍କର ମୁକ୍ତିର ମୂଲ୍ୟ ସ୍ବରୂପ ହୋଇଅଛନ୍ତି ପୁଣି ଆମ୍ଭମାନଙ୍କର ନିରାପତ୍ତାର ଭାର ବହନ କରିଛନ୍ତି ।